Unknown

 

 

 

 

 

 

 

 

 

 

 

ରାମରାଜ୍ୟ

ଶ୍ରୀ ଅନନ୍ତ ମହାପାତ୍ର

 

ଉତ୍ସର୍ଗ

 

‘‘ରାମରାଜ୍ୟ’’ ଗଠନରେ ବ୍ରତୀ ହୋଇ ଯେଉଁମାନେ ପ୍ରାଣପାତ କରିଛନ୍ତି ଓ କରୁଛନ୍ତି, ସେହି ବରେଣ୍ୟମାନଙ୍କ ଉଦ୍ଦେଶ୍ୟରେ......

 

ଲେଖକ

Image

 

ପଦେ ମାତ୍ର

 

ଉପନ୍ୟାସଟି ଲେଖି ସାରିବା ପରେ ବଡ଼ ଅଡ଼ୁଆରେ ପଡ଼ିଲି, ନା ଟିଏ ବାଛିବା ପାଇଁ । ଗୋଟିକ ପରେ ଗୋଟିଏ ନାଁ ଆସି ହାଜର ହୁଅନ୍ତି । ପ୍ରଥମଟି ଅପେକ୍ଷା ଦ୍ୱିତୀୟଟି ଦାବୀ କରେ ମତେ ରଖ ବୋଲି । ତା ପରେ ତୃତୀୟ ଚତୁର୍ଥ, ପଞ୍ଚମ ଆଦର ଦାବୀ ବେଶି ବେଶି ବଢ଼ିଚାଲିଥାଏ-। ସେମାନଙ୍କ ଭିତରୁ କାହାର ଦାବୀ ପୂରଣ କରିବି ନିଜେ ଠିକ୍‌ କରି ପାରିଲି ନାହିଁ । ତାପରେ ଆଶ୍ରୟ ନେଲି କେତେକ ବନ୍ଧୁଙ୍କର । ଉପନ୍ୟାସଟିକୁ ଆମୂଳଚୂଳ ପଢ଼ିଲେ କିମ୍ବା ଶୁଣିଲେ ସିନା ନାଁ ବାଛିବାକୁ ହେବ, ତେଣୁ ତାହାହିଁ ହେଲା । କେତେଜଣଙ୍କୁ ପଢ଼ି ଶୁଣାଇଲି ଓ ଆଉ କେତେ ଜଣ ପାଣ୍ଡୁଲିପି ଖଣ୍ଡି ନେଇ ପଢ଼ିଲେ । ଆହୁରି ଅସୁବିଧା କଥା । ବନ୍ଧୁମାନେ ଯେଉଁ ନାଁ ବାଛିଲେ ଜଣ ଜଣକର ଗୋଟିଏ ଗୋଟିଏ ସ୍ୱତନ୍ତ୍ର ନାଁ । ଜଣେ କହିଲେ ଉପନ୍ୟାସଟିର ନାଁ ‘‘ରାମରାଜ୍ୟ’ ରଖନ୍ତୁ-। ମୁଁ ସେଇ ନାଁଟି ଦେବି ବୋଲି ପ୍ରଥମରୁ ଭାବିଥିଲେ ସୁଦ୍ଧା ଔପନ୍ୟାସିକ ନାଁ ହେଉନାହିଁ ବୋଲି କେହି କେହି କହିବାରୁ ସେଥିରୁ ମନ ଭାଙ୍ଗି ଦେଇଥାଏ । ମାତ୍ର ବନ୍ଧୁଙ୍କ ଦ୍ୱାରା ଯେତେବେଳେ ସେହି ନାମର ପୁନରୁଦ୍ଧାର ହେଲା, ରାମରାଜ୍ୟ ହିଁ ଠିକ୍‌ବୋଲି ସ୍ଥିର କଲି । ଗାନ୍ଧିଜୀ ରାମରାଜ୍ୟ ଗଢ଼ିବା କଥା କହିଥିଲେ । ଆଜି ମଧ୍ୟ ନେତାମାନେ ତାହା ଗଢ଼ିବାକୁ ଲାଗିଛନ୍ତି । ଆମର ଲୋଡ଼ା ବି ସେଇୟା । ଉପନ୍ୟାସ ବର୍ଣ୍ଣିତ ଶରତ ବାବୁ ରାମରାଜ୍ୟ ଗଠନ ଲକ୍ଷରେ ସରକାରୀ ଚାକିରି ଛାଡ଼ି ବନ୍ଧୁମାନଙ୍କ ଗହଣରେ କାର୍ଯ୍ୟ କରୁଛନ୍ତି । ସେ ଯାହା ହେଉ ରାମରାଜ୍ୟ ହିଁ ସ୍ଥିର ହେଲା-

 

ବିଷନ୍ନ ଯେଉଁ ‘ମନ’ ପାଦେ ଚଳିବାରେ ଅନିଚ୍ଛା ପ୍ରକାଶ କରେ ସେହି ମନ ପ୍ରସନ୍ନତା ଲାଭ କଲେ କିପରି ହିମାଳୟ ଲଂଘନ କରିବାକୁ ସାହସ ବାନ୍ଧେ, ଘଟଣା ପ୍ରସଙ୍ଗରେ କିଭଳି ହଠାତ୍‌ ମାନସିକ ପରିବର୍ତ୍ତନ ଘଟିପାରେ, ଅଭିଷ୍ଟସିଦ୍ଧି ପରେ ପ୍ରାଣୀର ସନ୍ତୋଷ ଓ ବିକାଶ ସାମାଜିକ ମନମୁଖିଆପଣଯୋଗୁଁ ସଂଘଠିତ ବିଭ୍ରାଟ, ଯୌତୁକ ପ୍ରଥାର ଅପକାରୀତା, ମିଥ୍ୟା ପ୍ରଚାରରେ ମାରାତ୍ମକ କାଣ୍ଡ କିଭଳି ମୁଣ୍ଡ ଟେକି ଉଠେ, ଉତ୍ତମ ବ୍ୟବହାର ପାଇଲେ ମନୁଷ୍ୟ ମନୁଷ୍ୟ ପ୍ରତି କିପରି ଆକୃଷ୍ଟ ହୁଏ, କଥା ଓ କାର୍ଯ୍ୟର ସଂପର୍କ ଛିନ୍ନ କରି ମନୁଷ୍ୟ ହାସ୍ୟାସ୍ପଦ ହେବା ଆଦି କେତେଗୁଡ଼ିଏ ପ୍ରସଙ୍ଗର ଧାରାବାହିକ ଚର୍ଚ୍ଚା ଉପରେ ଉପନ୍ୟାସଟି ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୋଇଅଛି ।

 

ଏହା ପାଠକ ପାଠିକାମାନଙ୍କର ଆଦରଣୀୟ ହୋଇ ପାରିଲେ କୃତାର୍ଥ ହେବି ।

 

ଲେଖକ

Image

 

(ଏକ)

 

ଇଆ ଭିତରେ ଯେତେ ଯେତେ କାଣ୍ଡ କାରଖାନା ଘଟିଗଲା ତୁମେ କିଛି ହେଲେ ଶୁଣିନାହଁ ବୋଧହୁଏ ଶରତ ! ମୁଁ ତୁମକୁ ବାରମ୍ବାର କହୁଚି ଥରେ ଘରକୁ ଯାଇ ଦୁଇଚାରି ଦିନ ରହି ଫେରିଆସ । ମୋଟେ ଶୁଣିଲ ନି । ତୁମେ ଚାଲିଯିବା ପରେ ପରେ ନାନୀ ଆସି ପହଞ୍ଚିଲେ । ଓହୋ-! ତାଙ୍କର ଯେଉଁ ବ୍ୟସ୍ତ । ମୁଁ କହିଲି ‘‘ନାନୀ ଏତେ ଅଥୟ ହେଉଚ କାହିଁକି—ପୁଅତ ପାଠ ପଢ଼ୁଚି, ଘରକୁ ଏବେ ନଯାଇ ପାରିଲା—ୟା ବୋଲି କ’ଣ ମାରା ହୋଇଯିବ ।’’

 

ମୁଁ ଏତିକି କହୁ କହୁ ନାନୀ ମୁହଁଟାକୁ ରାଗରେ ତମ୍‌ ତମ୍‌ କରି କହିଲେ, ‘‘ଶରତ୍‌ ଏଇଠି ରହି ପାଠ ପଢ଼ୁଚି ନା ଝିଅଙ୍କ ସାଙ୍ଗରେ...... ।’’

 

ନାନୀଙ୍କର ତୁମ ପ୍ରତି ଏ ପ୍ରକାର ସନ୍ଦେହକୁ ମୁଁ ବରଦାସ୍ତ କରିପାରିଲି ନି । କହିଲି, ‘‘ନାନୀ ! ତୁମେ ଶରତ୍‌ ପରି ପୁଅ ନାଁରେ ଏଭଳି କଥାଗୁଡ଼ାଏ ତୁଣ୍ଡରେ ଧରି ପାରୁଚ ? ଶରତଙ୍କୁ ପରା ସମସ୍ତେ ଧନ୍ୟ ଧନ୍ୟ କରୁଛନ୍ତି । ଏଇ କଲେଜରେ ହଜାର ହଜାର ପୁଅ ପିଲାତ ପଢ଼ୁଛନ୍ତି, ଝିଅ ପିଲା ତିନିଶହ କି ଚାରିଶହ ପଢ଼ୁଥିବେ, କିଏ କହିବ ଶରତ ଦିନେ କୋଉ ଝିଅଟାକୁ ମୁହଁ ଟେକି ଚାହିଁଥିଲା ବୋଲି । ତାଙ୍କ ସାଙ୍ଗସାଥିମାନେ ଶରତଙ୍କୁ ମାଇଚିୟା ବୋଲି କହନ୍ତି ପରା ? ପ୍ରଫେସରମାନେ ତାଙ୍କ ସ୍ୱଭାବ ଚରିତ୍ରକୁ ସାବାସ୍‌ କରନ୍ତି । ମୋ କଥାରେ ଅବିଶ୍ୱାସ ହେଉଥିଲେ ତୁମ ପୁତୁରାଙ୍କୁ ପଚାରୁନ ?’’ ଏତେ କହିବା ସତ୍ୱେ ସେ ଯେତେବେଳେ ପୁଣି ସେଇକଥା ଗୁଡ଼ାକ ଧରି ବସିଲେ ମୋ ମନରେ ଭାରି ରାଗ ଆସିଲା । କହିଲି, ‘‘ତୁମେ ଯେପରି ଭାବୁଚ ସତରେ ତୁମ ପୁଅ ଯଦି ଅନ୍ୟମାନଙ୍କ ପରି ହୋଇ ଥାଆନ୍ତେ ତେବେ ତୁମେମାନେ ତ ଦେହଧରି ପାରନ୍ତି ନି’’ । ଦେଖ ଶରତ୍‌ ! ନନା, ବୋଉ, ସାଇପଡ଼ିଶା ସମସ୍ତଙ୍କର ସନ୍ଦେହ ଦୂର କରିବାପାଇଁ ତୁମେ ଆଜି ରାତି ଗାଡ଼ିରେ ଘରକୁ ଯାଅ । ଭାଉଜଙ୍କ କଥାରେ ଶରତବାବୁ ଟିକିଏ ମୁରୁକିହସା ଦେଇ କହିଲେ, ମୋ ଗାଁକୁ ଯିବାରେ ତୁମେ ଏତେ ବ୍ୟସ୍ତ କାହିଁକି ? ଚିଠିପତ୍ର ଜରିଆରେ କ’ଣ କିଛି ଗୋଟାଏ ସୂତ୍ରପାତ କଲଣିକି । ସୂତ୍ରପାତ ଆଉ କରିବି କ’ଣ ? ମୁଁ ବାରମ୍ବାର କହିଲେ ବି ତୁମେ ଶୁଣୁନ—ହାତକୁ ଦିହାତ ହୋଇଗଲେ ଆଉ କେହି ସମାଲୋଚନା କରନ୍ତେ ନାହିଁ । ଭାଉଜ ! ମୁଁ ପରା ତୁମକୁ ସଫା ମନା କରି ଦେଇଛି—ମୋ ଜୀବନର ଗତି ଅନ୍ୟପ୍ରକାର ବୋଲି । ହଁ ଅନ୍ୟପ୍ରକାର । ତୁମେ ତୁମ ଜୀବନକୁ ଅନ୍ୟପ୍ରକାରେ ଗଢ଼ୁଥିବ ଅଥଚ ଏଥିରୁ ନାନାପ୍ରକାର ଅବାଞ୍ଛନୀୟ ଘଟଣା ସୃଷ୍ଟି ହୋଇଚାଲିଥିବ । ସେ ଦିନର ପୋଲ ପାଖ କଥାଟା ନାନୀଙ୍କ ଆଗରେ କହିବାର କ’ଣ ଥିଲା କହିଲ । ଅନ୍ୟମାନଙ୍କ ତୁଳନାରେ ତୁମକୁ ଉଚ୍ଚସ୍ଥାନ ଦେବାପାଇଁ ମୁଁ କହି ପକେଇଲି ସିନା— ।

 

ସତରେ ଶରତ ! ଏଗୁଡ଼ାକ କି କଥା । ରାତି ଅଧ, ଢୁଁ ଢୁଁ ବର୍ଷା ପବନରେ ଦେହ କମ୍ପି ଯାଉଛି—ଘରଭିତରେ ଥିବା ଲୋକେ ବି ଅଚାନକ ହେତୁ ବିପଦ ମଣୁଛନ୍ତି, ପୁଅ ଝିଅ ଦି’ଟାର ଚାଲିଛି ଗୁପ୍ତପ୍ରେମ—ଏ ଯୁଗଟାତ ଏଭଳି ହୋଇଛି—ଆଉ ନାନୀ ତୁମ ଉପରେ ସନ୍ଦେହ ନ କରିବେ ବା କାହିଁକି ? ଯଦି ସେ ଦୁହିଙ୍କ ମଧ୍ୟରେ ପ୍ରେମ ଅଛି, ତେବେ ଅନ୍ୟ ସ୍ଥାନ କ’ଣ ପାଇଲେ ନି ? ଜାଣିଲ ଶରତ ! ତୁମ ଭାଇନାଙ୍କ ଆଖି ହଠାତ୍‌ ପଡ଼ିଗଲା । ସେ ମତେ ଏ ଘଟଣା ଆଦୌ କହି ନଥାନ୍ତେ; ମାତ୍ର ମୋ ନଜରଟା ଯେତେବେଳେ ସେ ଦୁହିଙ୍କ ଉପରେ ପଡ଼ିଲା—‘‘କହିଲି, ହଇଏ ଦେଖିଲଣି । ସେ ଟିକିଏ ହସିଦେଇ କହିଲେ—ମୁଁ ଦେଖିବି କ’ଣ ? ତୁମର ଇଚ୍ଛାଥିଲେ ଭଲ କରି ଦେଖ । ପୁଅଟାକୁ ମୁଁ ଚିହ୍ନିନି । ମାତ୍ର ଝିଅଟି ତ ମୋର ଅତି ଚିହ୍ନା । ତାକୁ ବି ତୁମ ଭାଇନା ଚିହ୍ନିଛନ୍ତି । ‘‘ବାପ, ମା, ଟଙ୍କା ଖର୍ଚ୍ଚ କରି ପୁଅ ଝିଅଙ୍କୁ ପାଠ ପଢ଼େଇବା ପାଇଁ ପଠେଇଛନ୍ତି ନା ରାତି ଅଧରେ ନଈକୂଳରେ ଅଭିସାର ପାଇଁ ପଠେଇଛନ୍ତି ମ ?’’ ସେ ଦୃଷ୍ଟିରୁ ତୁମ ବୋଉଙ୍କ କଥା ମିଛ ହେବ କାହିଁକି ? ଏଇଭଳି କଥାସବୁ ଶୁଣିବାରେ ତାଙ୍କର ସନ୍ଦେହ ହେବା ସ୍ୱାଭାବିକ ।

 

ମନଟା ନିଜ ଅକ୍ତିଆରରୁ ବାହାରକୁ ଚାଲିଗଲା ପରେ ଏମାନେ ଜାଣି ଶୁଣି ସଂସାର କରୁନାହାନ୍ତି କାହିଁକି ? ତୁମେ ମତେ ପୁରଷ୍କାର ଦିଅ ଶରତ । ମୁଁ ତୁମ ବୋଉଙ୍କୁ କହିଲି—ନାନୀ, ତୁମ ପୁଅ ଶରତ ସୁନା ଖଣ୍ଡିଏ । ତାଙ୍କ ବିଷୟରେ କେବେହେଲେ କିଛି ସନ୍ଦେହ କରନି ।

 

ହରିବାବୁ କେତେବେଳୁ ପ୍ରତିଭା ଦେବୀ ଓ ଶରତ୍‌ବାବୁଙ୍କର କଥାବାର୍ତ୍ତା ଶୁଣୁଥାଆନ୍ତି । କିଛିକ୍ଷଣ ପରେ ସେ ପ୍ରତିଭା ଦେବୀଙ୍କ ଆଡ଼କୁ ଆସି କ’ଣ କହିବାକୁ ଉଦ୍ୟତ ହେଉ ହେଉ ଶରତବାବୁ ସେଠାରୁ ଉଠି ଦାଣ୍ଡଆଡ଼କୁ ଚାଲିଗଲେ ।

 

ହରିବାବୁ ହସି ହସି କହିଲେ, ‘‘କ’ଣ ପଦେ ଅଧେ ଶରତ ପାଇଁ ତା ବୋଉ ଆଗରେ ସୁପାରିଶ କରିଦେଇଚ ବୋଲି ସେ ବାବଦରେ କିଛି ତାଠାରୁ ଆଦାୟ ନକରିବା ଯାଏଁ ତାକୁ ଅବସର ଦେବନି ବୋଧହୁଏ । ସେ ହେଲେ ତୁମ କଥାରେ କିଛି ଉତ୍ତର ଦେଉ ଥାଆନ୍ତା । ତୁମେ ଅନର୍ଗଳ ବକ୍ତା ଭାବରେ ଗପି ଯାଉଚ, ସେ ଗୋଟିଏ ଅପରାଧି ସ୍ରୋତାପରି ବସି ଶୁଣୁଚି । ସେ ଦିନର ପୋଲପାଖ ଘଟଣାଟା ସୁଦ୍ଧା ତାକୁ କହିଦେଇଚ ତ ? ତୁମ ମାଇପିଜାତି ପେଟରେ ଲୁଣ ମିଳିବନି ବୋଲି ଯାହା କହନ୍ତି—ତାହା ଅକ୍ଷରେ ଅକ୍ଷରେ ସତ ! ସେ ଘଟଣାଟା ଦେଖିବାବେଳୁ ତୁମର ପଢ଼ାବେଳର କଥା ମନେ ପଡ଼ିଯାଉଛି ନା କ’ଣ ? ପ୍ରତିଭାଦେବୀ ଟିକିଏ କୃତ୍ରିମ ରାଗ ପ୍ରକାଶ କରି କହିଲେ, ‘‘ତୁମପରି ମୋ’ର ତା ନଥିଲା ।’’ ହରିବାବୁ କହିଲେ, ‘‘ତେବେ ଥରେ ପରୀକ୍ଷା କରିବାକୁ ଚେଷ୍ଟା କରୁଚ କି ? ଆମ ଶରତକୁ ଜାଲରେ ପକେଇ ଅଭାବ ରହିଯାଇଥିବା ବିଷୟଟିକୁ ତା’ରିଦ୍ୱାରା ପୂରଣ କରିଦେବ ବୋଲି ଯଦି ଭାବୁଥାଅ.....’’ ।

 

ହଉ, ହଉ—ରଖ ରଖ, ତମ ଭଦ୍ରତା କଥାଗୁଡ଼ାକ ! ଶରତ ମୋର ପିଲା ଦିଅରଟା, ବୟସରେ ୬ ମାସକି ବରଷେ ସାନ । ଏଭଳି ଗୁଡ଼ାଏ କହିବାକୁ ତୁମର ଜିଭ କିପରି ଲେଉଟେ ମୁଁ ଆଦୌ ବୁଝି ପାରେନି !

 

ପ୍ରତିଭାଦେବୀ ମୁହଁଟାକୁ ଶୁଖିଲା କରି ଦେଇ ହାଣ୍ଡିଶାଳଘର ଆଡ଼କୁ ଉଠି ଚାଲିଗଲେ । ହରିବାବୁ ତ କଥା ଲହସରେ କୌତୁକ କରି ଅସୁନ୍ଦର କଥାପଦେ କହି ଦେଇଛନ୍ତି ଆଉ କରିବେ କଣ ? କୌଣସିମତେ ପ୍ରତିଭାଦେବୀଙ୍କର ମନ ବଦଳାଇବାକୁ ହେବ । ସେ ମଧ୍ୟ ପ୍ରତିଭାଦେବୀଙ୍କ ପଛେ ପଛେ ଯାଉଥାଆନ୍ତି । ପଛରୁ ଯେତେ ଡାକିଲେ ବି ପ୍ରତିଭାଦେବୀ ମୁହଁ ଲେଉଟାଇ ଚାହିଁଲେ ନାହିଁ । ହରିବାବୁ ହାଣ୍ଡିଶାଳ ବାରଣ୍ଡାରେ ଏଆଡ଼େ ସିଆଡ଼େ ଚାହିଁ ପ୍ରତିଭା ଦେବୀଙ୍କର ଜଂଘଯାଏ ଲମ୍ବି ଆସିଥିବା ବେଣୀଟିକୁ ଟାଣିଧରି କହିଲେ ମୋର ଏହି ପରିହାସ କଥାଟାରେ ତୁମେ ଏତେ ରାଗିଗଲ ? ଆଚ୍ଛା, କାନମୋଡ଼ି ହେଉଛି—ଆଉଦିନେ ଏପରି କହିବି ନି ।

 

ତଥାପି ପ୍ରତିଭାଦେବୀ ହରିବାବୁଙ୍କ ଆଡ଼କୁ ଚାହୁଁ ନଥାନ୍ତି । ହରିବାବୁ ୨।୩ ଥର ନିଜ ରାଣ ପକେଇବାରେ ପ୍ରତିଭାଦେବୀ କହିଲେ—ତୁମେ ଆଜିଠାରୁ ମତେ କଥା କହିବ ନି । ମୋର ଦୋଷ ହୋଇଛି କହିଲି ପରା ! ଶୁଣ, ଆଜି ମୋର ଗୋଟିଏ ସଭା ଅଛି । ବର୍ତ୍ତମାନ ଯିବାର କଥା ! ଗଲାବେଳକୁ ତୁମେ ମୁହଁ ଶୁଖେଇ ବସିଲେ ମତେ ଭାରି ଖରାପ ଲାଗିବ । ତୁମେ ଶରତ ସାଙ୍ଗରେ ବସି କଥାବାର୍ତ୍ତା ହେଉଥାଅ । ମୁଁ ୬ଟାରେ ଫେରିଲେ ସିନେମା ଦେଖି ଯିବା— । ହଁ ତୁମେ ତ ସବୁଦିନେ ସିନେମା ନେଉଚ । ମାତ୍ର ଆଜି ଏଭଳି ଅପବାଦଟାଏ ଦେଇଚ ବୋଲି ସିନେମା ଦେଖିଯିବା କଥାଟା ମନରେ ପଡ଼ିଗଲା । ନା—ନା ଆଜି ନିଶ୍ଚେ ଯିବା । ଭଲ ଫିଲିମଟାଏ ଆସିଛି ବୋଲି ଆମ ବାର—ଲାଇବ୍ରେରୀରେ ସମସ୍ତେ କଥାବାର୍ତ୍ତା ହେଉଥିଲେ ।

 

ହରିବାବୁ କାର୍‌ ଖଣ୍ଡିକ ନେଇ ଟାଉନ୍‌ହଲ୍‌ ସଭାକୁ ବାହାରି ପଡ଼ିଲେ । ଗଲାବେଳେ ଶରତବାବୁଙ୍କୁ ତାଙ୍କ ଅଫିସଠାରେ କହି ଦେଇଗଲେ ଘରକୁ ଯିବାପାଇଁ ।

 

ଶରତବାବୁ ଭାଇନା ଓ ଭାଉଜଙ୍କ ଭିତରେ ଏ ଯେଉଁ ଅଭିନୟ ଚାଲିଥିଲା ତାହା ଦେଖି ନାହାଁନ୍ତି କି ଶୁଣି ବି ନାହାନ୍ତି । ତେଣୁ ସେ ବିନାଦ୍ୱିଧାରେ ଭାଉଜଙ୍କ ପାଖରେ ଅସମାପ୍ତ ରହିଥିବା ଘଟଣାଗୁଡ଼ିକ ଶୁଣିବାପାଇଁ ବ୍ୟଗ୍ରହୋଇ ପଡ଼ିଲେ । ପ୍ରତିଭାଦେବୀ କହିଲେ—ଯାହାହେଉ ଶରତ ! ତୁମ ତରଫରୁ ମୁଁ ଗୁଡ଼ାଏକଥା ନାନୀଙ୍କ ଆଗରେ କହିଛି ସିନା, କିନ୍ତୁ ତୁମର ଉଚିତ ସେମାନଙ୍କୁ ସନ୍ତୋଷ କରିବା ଦୃଷ୍ଟିରୁ ସବୁ କାମ ଛାଡ଼ି ୪।୬ ଦିନପାଇଁ ଗାଁକୁ ଯାଅ । ପରୀକ୍ଷା ତ ଶେଷହେଲା । ଏଥର ଏଣିକି ନ ଯିବାଟା ଖୁବ୍‌ ଅସୁନ୍ଦର ଦେଖାଯିବ ।

 

ଭାଉଜ ! ତୁମ କଥା ବୁଝୁଚି ଯେ, ମୁଁ କିପରିଯିବି କହିଲ ? ଏଆଡ଼େ ଯେତେବେଳେ ଗୋଟାଏ ଗୁରୁତ୍ୱପୂର୍ଣ୍ଣ କାମର ଦାୟିତ୍ୱ ମୁଣ୍ଡକୁ ନେଇ ଆସିଛି; ସେ ସବୁକୁ ଛାଡ଼ି ଚାଲିଗଲେ ମୋର ଇଜ୍ଜତ ରହିବ ତ ? ମତେ ଲୋକେ କଣ କହିବେ ?

 

କାଲି ଚଉଦୁଆର ଶ୍ରମିକମାନଙ୍କ ସଭାରେ ସଭାପତିତ୍ୱ କରିବାପାଇଁ ସେମାନଙ୍କୁ ଜବାବଦେଇ ସାରିଛି । ପରଦିନ କଲେଜ ୟୁନିୟନର ସାହିତ୍ୟ ସଭା । ତା୧୦ରିଖରେ ନାରୀସଂଘ ସଦନରେ ‘‘ନାରୀଶିକ୍ଷାର ଅଗ୍ରଗତି’’ ସମ୍ପର୍କୀୟ ସମ୍ମିଳନୀରେ ବକ୍ତୃତା ଦେବା ପାଇଁ ସମ୍ମତି ଜଣେଇ ଦେଇଛି । ଏକଥା ତୁମେ ନିଜେ ଜାଣିଚ । ତା୧୨ରିଖରେ ଯୁବ—କଂଗ୍ରେସର ଓ୍ୟାର୍କିଙ୍ଗ କମିଟି ଅଛି । ସର୍ବୋପରି ତା୧୫ରିଖ ଦିନ ପ୍ରବାସୀ ଉତ୍କଳ ସେବକ ସମ୍ମିଳନୀ ଉଦ୍‌ଘାଟନ ପାଇଁ ‘‘ଜଗଦଳ’’ ଯିବାକୁ ପଡ଼ିବ । ଏପରି ଅବସ୍ଥାରେ ତୁମେ ମତେ ଘରକୁ ଯିବାକଥା କହୁଚ ଯେ—ମୁଁ କ’ଣ କରିବି ?

 

ଶରତ ! ତୁମେ ଶିକ୍ଷିତ ଯୁବକ । ପ୍ରତ୍ୟେକ ଉନ୍ନୟନ କାର୍ଯ୍ୟରେ ହସ୍ତକ୍ଷେପ କରିବା ତୁମ ପକ୍ଷରେ ଉଚିତ; ମାତ୍ର ମୁଁ ଯାହା କହିଲି, ‘‘ତୁମେ ଆଗେ ହାତକୁ ଦିହାତ ହୋଇ ଯାଅ’’ ତାପରେ ଦେଖିବ ସମାଲୋଚନା ଆଉ ପଛରେ ଦଉଡ଼ି ପାରିବ ନାହିଁ । ସଜ ମାଛରେ ପୋକ ପକେଇ ଦେବାପାଇଁ ଏ ଲୋକଙ୍କୁ ଦଣ୍ଡେ ଲାଗିବନି ପରା । ତୁମ ପରି ସଚ୍ଚୋଟ ପିଲା ଉପରେ ଏମାନେ ଯେତେବେଳେ ଏତେ ସନ୍ଦେହ ଲଦି ଦେଇ ପାରୁଛନ୍ତି ଅନ୍ୟ କଥା’ବା କ’ଣ କହିବା ?

 

ପ୍ରତିଭାଦେବୀ ଓ ଶରତବାବୁଙ୍କର କଥୋପକଥନ ଚାଲିଥିବାବେଳେ ହରିବାବୁ କାର୍‌ରେ ଆସି ପହଞ୍ଚିଲେ ଏବଂ ଶୀଘ୍ର ବାହାରିବାପାଇଁ ପ୍ରତିଭାଦେବୀଙ୍କୁ କହିଲେ । ପ୍ରତିଭାଦେବୀ ଉପର ମନରେ ନାହିଁ ନାହିଁ ହେଉଥାଆନ୍ତି । କିନ୍ତୁ ହରିବାବୁ ବାଧ୍ୟ କରିବା ହେତୁ ଅଭିମାନରେ ମୁହଁ ଫୁଲେଇ କହିଲେ, ‘‘ଆଜି ତୁମେ ମତେ କଥା କଥାକେ ଯାହା ବାଧିଲାଭଳି କହିଚ—ସେଥିରେ ପୁଣି ମୁଁ ସିନେମା ଦେଖିଯିବି ?’’ ହରିବାବୁ ଖୁବ୍‌ ନରମ ଭାବେ ଉତ୍ତର ଦେଲେ, ‘‘ମୋ ଉପରେ ତୁମେ ସେତେବେଳୁ ରାଗି ଯାଇଚନା କ’ଣ ? ଆରେ ମୁଁ ଥଟ୍ଟାରେ କହି ଦେଇଥିଲି ଯେ— ? ତୁମକୁ ମୋ ରାଣେ, ଆସ ଯିବା—ଶରତକୁ କହ, ଆମ ସାଙ୍ଗରେ ସେ ବି ଚାଲୁ । ଭଲ ଫିଲିମ୍‌ଟା ଦେଖି ଆସିବ ।

 

ଆହା ! ଯୋଉ ଚୋର ମୁହାଁ ଶରତ ନା ! ସେ ପୁଣି ଆମ ସାଙ୍ଗରେ ଯିବେ ? ତୁମେ ତ ଘରେ ଗୋଡ଼ ଦେଉ ଦେଉ ସେ ଗେଟ୍‌ବାହାର ଧଇଲେଣି । ଏଡ଼େ ଲାଜକୁଳା ପିଲାଟେ ମୁଁ କୁଉଠି ଦେଖିନି ପରା !

 

ସତେ ନା କ’ଣ ? ସେ ତାହାହେଲେ ଏଡ଼େ ବେଗି ଚାଲିଗଲାଣି— ? ଏତେ ପାଠ ପଢ଼ିଲା ଆଜି ଯାଏଁ ଲାଜ ଛାଡ଼ି ପାରିଲା ନି !

 

ଆଉ କାହା କଥା କ’ଣ କହିବି । ଆଜିକି ୪ବର୍ଷ ହେଲା ସେ ଆମ ଘରକୁ ନିତି ଆସନ୍ତି ଯେ—ମୋ ସାଙ୍ଗରେ କଥାବାର୍ତ୍ତା ହୁଅନ୍ତି—ମାତ୍ର ଥରକ ପାଇଁ ମୋ ମୁହଁକୁ ସଳଖରେ ଚାହିଁ ଦେଇଛନ୍ତି କି ? ୟାଙ୍କରି ନାଁରେ ପୁଣି ବାର କଥା ଉଠାଉଛନ୍ତି । ନାନୀ ପରା ସଫା କହିଲେ—ଶରତ୍ ମୋର କାହା ବନ୍ଧନରେ ପଡ଼ିନଥିଲେ ଆମ ସମସ୍ତଙ୍କୁ ପାଶୋରି ନଥାନ୍ତା । ଏଇ ପୁଣି ପଡ଼ିବେ ବନ୍ଧନରେ !

 

ଆଚ୍ଛା, ନାନୀ କହିଥିବା କଥା ଗୁଡ଼ାକ ତୁମେ ଶରତ ଆଗରେ କହିବା ପରେ ସେ କ’ଣ ଉତ୍ତର ଦେଲା ? କିଛିନାହିଁ ଉତ୍ତର ଦେବେ କ’ଣ ? ଆଗେ ଘଡ଼ିଏ ଛାନିଆ ହୋଇପଡ଼ିଲେ । ମୁଁ ଘରକୁ ଯିବାପାଇଁ ଜୋର କରିବାରୁ କହିଛନ୍ତି— ଦଶହରା ବେଳକୁ ଯିବେବୋଲି । ସେ ବା କରିବେ କ’ଣ । ବାର ପ୍ରକାର ଅନୁଷ୍ଠାନ କାମରେ ତ ଗୋଡ଼ ପୂରେଇଛନ୍ତି । ପ୍ରତିଭାଦେବୀ ଓ ହରିବାବୁଙ୍କ କଥାବାର୍ତ୍ତା ଶେଷ ନ ହଉଣୁ କାର୍‌ଟି ସିନେମା ଗେଟରେ ପହଞ୍ଚିଗଲା । ଦୁହେଁ ହଲ୍ ଭିତରକୁ ପଶିଗଲେ ।

 

(ଦୁଇ)

 

ଦେଖିଲୁ କିଲୋ ଶରତ ବୋଉ ! ମୁଁ କ’ଣ କହୁଥିଲି, ତୁମେ ସବୁ ମୋ କଥାକୁ ସତ କରନି ସିନା, ମୁଁ ଯାହା କହେ ତା ‘ବେଦର ଗାର ପରି’ । ନିଜେ ପରା ଯାଇଥିଲୁ ପୁଅକୁ ଆଣିବା ପାଇଁ, ଆଣିଲୁ ? ଦେଖେ, ମୁଁ କାନିରେ ଗଣ୍ଠି ପକୋଉଚି ଶରତ ଯଦି ଆଉ ଘର ମାଡ଼ିବ ତେବେ ମତେ କହିବୁ । କଅଣ କହିବି ହେ ନାନୀ । ହରିର ଭାରିଜାକୁତ କାନେ କାନେ କହି ଆସିଥିଲି । ସିଏ କହିଥିଲା ଦୁତିଆ ଓଷା ଦିନ ନିଶ୍ଚେ ପଠେଇ ଦେବ ବୋଲି । ଆଲୋ ତମ ହରି ଭାରିଜା କଥା କହୁଚୁଟି ? ତା ଗୁଣ ମତେ ପଚାରେ । ସେ ପାଠ ପଢ଼ୁଆ ଝିଅ । ତା ନାଁରେ କେତେ କଥା ଶୁଣାଯାଇଛି—ହେଲେ ଆଜିକାଲିର କାଳତ ! ସବୁ ଗୋଳିଆ ଘଣ୍ଟା ହୋଇଚାଲିଛି । ଇଏ କ’ଣ ଆମ ତମ ସମୟ ହୋଇଛି କି, ଟିକିଏ, ଗୋଡ଼ ଖସିଗଲେ ଆଉ ହୋଇପାରିବ ନି ? ହରିତ ସହଜେ ବଡ଼ ପାଠୁଆ । ସୁନ୍ଦରୀ ଭାରିଜା ଦେଖି ଭୁଲିଗଲା । ତା’ର ଭଲ ମନ୍ଦ ହାନିଲାଭ ବୁଝୁଚି କିଏ ? କାହିଁକି—ତୁ କାହିଁକି ଚାଲି ଆସିଲୁ ? ପୁଅକୁ ସାଙ୍ଗରେ ଧରି ତ ଆସି ଥାଆନ୍ତୁ । ଗୋଟିଏ ବୋଲି ପିଲା ! ଆମର ପାଠ କ’ଣ ହେବ ? ଦାମର କ’ଣ ପାଞ୍ଚ ଆଙ୍ଗୁଠି ତୁଣ୍ଡକୁ ଯାଉନାହିଁ ଯେ, ଶରତ ପାଠ ପଢ଼ି ଟଙ୍କା ଅର୍ଜିଲେ ଚଳିବ ନହେଲେ ଅଚଳ ରହି ଯାଉଚି ?

 

ମଣି ନାନୀଙ୍କ କଥାରେ ଶରତ ବୋଉଙ୍କ ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ । ସେ ଲୁଗା କାନିରେ ଆଖି ଦୁଇଟାକୁ ପୋଛି ହୋଇ କହୁ ଥାଆନ୍ତି—ହଉ ଠାକୁରଙ୍କର ଯାହା ବରାତ ଥିବ । ମୁଁ ଆଉ କ’ଣ କରିବି ? ଶରତ କିଛି କାଖର କୋଡ଼ର ପିଲା ହୋଇଛି ଯେ, ଟେକି ନେଇ ଆସିବି ? ନାଇଁ ମ ନାନୀ । ଖାଲି ହରି ଭାରିଜା କାହିଁକି— ତାଙ୍କର ସାଇ ପଡ଼ିଶା ଝିଅ ବୋହୁ ଗୁଡ଼ିକ ଶରତ କଥା ଯାହାସବୁ କହିଲେ ସେଥିରେ ମୋ ଛାତି ଭିତରଟା ପଲ୍ଲବି ଉଠିଲା ପରା !

 

ହରିର ପଡ଼ିଶାରେ ଆଉ ଜଣେ ବାବୁ ଭଡ଼ା ଅଛନ୍ତି । ତାଙ୍କର କୁଆଡ଼େ ମାସକୁ ହଜାରେ ଟଙ୍କା ଦରମା; ସେଇ ବାବୁଙ୍କ ଝିଅ ଗୁଡ଼ିକ ମତେ ମା—ମା—ବୋଲି ଡାକନ୍ତି । ସେମାନଙ୍କର ମୋ ଶରତକୁ ଭାରି ପ୍ରଶଂସା । ହଁ—ମୁଁ ତ ସେଇ କଥା କହୁଥିଲି—ସେଇମାନେ ଶରତକୁ ପ୍ରଶଂସା କରିବେନିତ ଆଉ କରିବ କିଏ ? ତାଙ୍କରିମାନଙ୍କ ଯୋଗୁରୁତ ଶରତ ପରି ପିଲାଟା ଘର ଦ୍ୱାର, ମା ବାପ, ସଭିଙ୍କୁ ତୁଚ୍ଛକରି ଦେଇଛି ।

 

ତୁ ଯାହା କହଲୋ ବୋହୁ—ତୁ ତ ନିଜେ ଜନମ ଦେଇଚୁ, ତତେ କିମିତି ଲାଗୁଥିବ କେଜାଣି ? ମାତ୍ର ଶରତ କଥା ମନେ ପଡ଼ିଲେ ମୋ ପେଟ ଭିତରଟା ଖାଲି ଘାଣ୍ଟି ଚକଟି ହୋଇ ଯାଉଛି । ଆହା ! ଏଡ଼େ ଭଲପୁଅ ମା’ ଜନମ କରିବ ନି ! ଆଗେ ଆଗେ ତା’ର ପିଲାବେଳେ ଯୋଉ ୪ ।୬ଟି ଦିନ ଗାଁକୁ ଆସୁଥିଲା—ସେ ପରା ଏମୁଣ୍ଡରୁ ସେମୁଣ୍ଡ ଯାଏଁ କାହା ଘରକୁ ନଯାଇ ଛାଡ଼ିବନି ? ସାନସାନ ପିଲାଗୁଡ଼ିକୁ ଗହମ ଗଣ୍ଡିରା କରି ବୁଲୁଥିବ । ପରପିଲା ବୋଲି ତା’ର ଟିକିଏ ହେଲେ ବାରଣ ଥାଏ ? ମତେ ତ ବସେଇ ଉଠେଇ ଦବନି । ଖାଲି ‘‘ନାନୀ—ନାନୀ—ଭୂତ କଥା କହ । ସୀତାଫଳ ଦିଅ । ଓହୋ ! ତା’ର ଯେଉଁ ମଧୁର କଥା...ମଣିନାନୀ କଥା ମଝିରେ ମଝିରେ ନାଟକୀୟ ଅଭିନୟ ପରି ନାକ ସଡ଼ ସଡ଼ କରି ଆଖିରୁ ଲୁହ ପୋଛିବାର ଉପକ୍ରମ କରୁଥାଆନ୍ତି । ମଣିନାନୀଙ୍କର ବକ୍ତୃତା ବେଳେ ଶରତ ବୋଉଙ୍କର ଛାତିରୁ ଅତଡ଼ା ଖସି ପଡ଼ୁଥାଏ । ଛାତିଟାକୁ ଯେତେ ଦୃଢ଼ କଲେ ସୁଦ୍ଧା ବରଫ ତରଳିଲା ପରି ତାଙ୍କ ଆଖିରୁ ଅନବରତ ଲୁହଧାର ଗଡ଼ି ଚାଲିଥାଏ । ଘଟଣାଟିକୁ ଆହୁରି ଅବିକଳ ସତ୍ୟରେ ପରିଣତ କରିଦେବା ଉଦ୍ଦେଶ୍ୟରେ ମଣିନାନୀ–ଶରତ ବୋଉଙ୍କ ମୁହଁରେ ନିଜ ମୁହଁଟାକୁ ଲାଗ ନଲାଗ କରି କହିଲେ ଆଲୋ ବୋହୁ ! ମୋ ପୁତୁରାର କଥା ଶୁଣିଚୁଟି ? ସେ ଟୋକା ପରା ବଉଁଶ ଗୋଟାକୁ ଛାଡ଼ି—ଖିରସ୍ଥାନୀ ଟୋକିଟାଏ ଧରି ରହିଲା । ସେଇ କଲେଜରେ ପଢ଼ୁଥିଲା ଲୋ ମା—ସେଇ କଲେଜରେ ପଢ଼ୁଥିଲା-

 

ପୋଖରୀ ତୁଠରେ ଚାହୁଁ ଚାହୁଁ ଗାଁ ଗୋଟାକର ମାଇପି ଆସି ଜମିଗଲେ । କେହି ନ ଥିଲାବେଳେ ମଣିନାନୀ ଯେଉଁ କଥା ଗୁଡ଼ାକ ଅତି ଗୋପନ ଭଳି ଶରତ ବୋଉଙ୍କ କାନରେ ତୁଣ୍ଡ ଲଗେଇ କହୁଥିଲେ, ସେ ସବୁର ପୁନରାବୃତ୍ତି ଖୁବ୍‌ ଜୋରରେ କରିବାକୁ ସୁଦ୍ଧା ପଛେଇଲେ ନାହିଁ । ବିନା ମେଘରେ ବଜ୍ର ସୃଷ୍ଟି କଲା ପରି ମଣିନାନୀ କଥାର ଗୁରୁତ୍ୱ ବୃଦ୍ଧି କରିବାରେ ଲାଗି ଥାଆନ୍ତି । ମଣିନାନୀଙ୍କର ବିକଟାଳ ସ୍ୱରକୁ ସମସ୍ତେ କାନଡ଼େରି ଶୁଣିବାରେ ତତ୍ପର । ପୋଖରୀ ତୁଠରେ ରୁଣ୍ଡ ହୋଇଥିବା ବହୁ ସଂଖ୍ୟକ ବୋହୁ, ଝିଅ, ପିଲା, ବୁଢ଼ୀ ଆଦିଙ୍କ ମଧ୍ୟରୁ କାହାକୁ ଜଣେ ନିଜ ଆଡ଼କୁ ଟାଣି ଧରି ମଣିନାନୀ ଶରତ ସମ୍ପର୍କରେ ପୁଣି ଅୟମାରମ୍ଭ କରି ବସନ୍ତି । ସାରା ଗାଆଁଟା ଭିତରେ ମଣିନାନୀଙ୍କ କଥା ନ ଶୁଣିବା ଭଳି କିମ୍ବା ତା କଥାରେ ପ୍ରତିବାଦ ଜଣେଇଲା ଭଳି କିଏ ବା ଅଛି ! ବିଷୟଟି ମନକୁ ଆସୁ ନ ଆସୁ ସମସ୍ତେ ହଁ ମାରିବାରେ ଅଥବା ମୁଣ୍ଡ ଟୁଙ୍ଗାରିବାରେ ଅଭ୍ୟସ୍ତ ।

 

ମଣିନାନୀ ‘‘ବିଦୁ’’ର ହାତଟାକୁ ଭିଡ଼ିଆଣି କହିଲେ—ହଇଲୋ ଝିଅ ! ତୁ କଣ ଆଜି ପୋଖରୀକୁ ଆସିଛୁମ ? ଏଇ ପୋଖରୀର ପାଣିଗୁଡ଼ାକ ପରା ତୁମମାନଙ୍କ ବିଚାରରେ ଭଲନୁହଁ ? ହଉ ଆସିଲୁ ଭଲ ହେଲା । ...ଆଲୋ ଝିଅ । ଶୁଣିଲୁଣିଟି, ଏଇ ଶରତ କଥାମ—ତୋ’ର ସେ କଣ ହେବ ପରା ! ଘରଦ୍ୱାର ବାପ, ମା, ବଉଁଶ, କୁଟୁମ୍ବ ସକଳଛାଡ଼ି ଗୋଟେ ଟୋକିର ମାୟାରେ ବାନ୍ଧିହୋଇ ରହିଚି । ବିଦୁ ଭାରି ଟାଣୁଆ ଝିଅ । ତା’ର ଆଚାର ବ୍ୟବହାର ଖୁବ୍‌ ଭଲ । ମାତ୍ର ଅଘଟଣ କଥା ତା କାନରେ ପଡ଼ିଲେ ସେ ତୁନି ରହିବା ପିଲା ନୁହଁ । ସହଜେ ସବୁମନ୍ତେ ବିଭବ ରହିଚି । ଅଚ୍ୟୁତପୁର ନାରଣ ଦାଶଙ୍କ ଝିଅ ସିଏ । ନାରଣ ଦାଶଙ୍କର ଅଚଳାଚଳ ସମ୍ପତ୍ତି, ବିଦୁ ଗଲାବର୍ଷ ମାଟ୍ରିକ ପାଶ୍‌କରି ଘରେ ବସିଥାଏ । ୧୬।୧୭ ବର୍ଷର ଝିଅକୁ ବିଦେଶରେ ରଖାଇ ଆଉ ପଢ଼େଇବେ କି ନାହିଁ, ନାରଣ ଦାଶେ କିଛିହେଲେ ଠିକ୍‌ କରିପାରି ନଥାନ୍ତି । ମଣିନାନୀ ବିଦୁର କାଚବାଡ଼ପରି ମୁଖ ମଣ୍ଡଳଟି ଉପରେ ହାତ ବୁଲେଇଦେଇ କହିଲେ, ମୁଁ ନାରଣକୁ କହିବି ଝିଅକୁ ଏଥର ହାତକୁ ଦିହାତ କରିଦେଉ । ଆଉ ପାଠ ପଢ଼ାଇବାର ନାଁ ନଧରୁ । ଏ ସବୁ ପାଠପଢ଼ା ପିଲା ଗୁଡ଼ାକର ଅବସ୍ଥା ଏଇଆ ! ବିଦୁ ନିଜ ସମ୍ପର୍କୀୟ ମନ୍ତବ୍ୟରେ କିଛିହେଲେ ଏପାଖ ସେପାଖ ତ ହେଲା ନାହିଁ, କିନ୍ତୁ ତାଙ୍କ ବଉଁଶ ତଥା ସାରା ଗାଆଁଟିର ଚନ୍ଦ୍ରମା ସ୍ଵରୂପ ଶରତଭାଇଙ୍କର ବଦନାମଗୁଡ଼ାକ ଶୁଣିବାରେ ତା’ର ଛାତି ଭିତରଟା ଗରମ ହୋଇ ଉଠିଲା । ତଥାପି ସେ ରାଗ ସଞ୍ଜତ କରି ନିଜ ସ୍ୱାଭାବିକ ବିନମ୍ର ଭାଷାରେ କହିଲା, ‘‘ନାନୀ ! ଶରତଭାଇଙ୍କ ସମ୍ପର୍କରେ ଏଭଳି ଭୁଲ ଖବରଗୁଡ଼ାକ ତୁମେ କୁ’ଠୁ ପାଇଲମ ? ହଇଲୋ ଝିଅ କ’ଣ କହିଲୁ ? ଭୁଲ୍‌ ଖବର ! ନିଜେ ପରା ତା ବୋଉ ଯାଇଥିଲା ପୁଅକୁ ଆଣିବା ପାଇଁ, ଆଉ ସାଙ୍ଗରେ ଆଣିଲା ନି ? ମୋ କଥାଗୁଡ଼ାକ ତୁମରିପରି ଚିପୁଲିପିନ୍ଧା ଝିଅମାନଙ୍କ ପାଖରେ ସବୁ ମିଛହୋଇ ଯାଉଛି । ହଉ ମିଛ ହେଲେ ହେଲା, ମୋ କଥା ମତେ ଫେରେଇଦେ । ଶରତ ବଙ୍ଗାଳୁଣୀ ରଖୁ—ତୁ ବଙ୍ଗାଳୀ ଟୋକା..... । ବିଦୁର ମୁହଁ ନାଲି ପଡ଼ି ଆସିଲା । ମାତ୍ର ସେ’ତ ପିଲାଦିନୁଁ ମଣିନାନୀଙ୍କ କଥା ଜାଣିଚି । ବାଳଶ୍ରୀ ବିଧବାହୋଇ ମଣିନାନୀ ଗାଁରେ ରହିବା ଦିନଠାରୁ ଏପରି କେତେ ମହାଭାରତର ଯୁଦ୍ଧ ପର୍ବ ସୃଷ୍ଟି ହୋଇ ସାରିଲାଣି । ଏ ଅବା ନୂଆକଥା କ’ଣ ? ବିଦୁ ଛାତି ଭିତରର ରାଗଟାକୁ ଗୋଟିଏ କୃତ୍ରିମ ହସ ଆକାରରେ ଫୁଟାଇ ଦେଇ କହିଲା—ଶରତଭାଇଙ୍କ କଥା କାଲି ଖବରକାଗଜରେ ବାହାରିଚି ପରା–ନାରୀ ଶିକ୍ଷା ସମ୍ପର୍କରେ ସେ ଭାଷଣ ଦେଇଥିଲେ । ତାଙ୍କର ଫଟୋ ମଧ୍ୟ ବାହାରିଚି । ହଜାର ହଜାର ସ୍ତ୍ରୀ ଲୋକଙ୍କ ଉପସ୍ଥିତିରେ ସେ ଭାଷଣ ଦେଉଛନ୍ତି । କଲେଜ ଇଉନିୟନର ସଭାନେତ୍ରୀ କୁମାରୀ ମଞ୍ଜୁଳାଦେଇ ତାଙ୍କୁ ଫୁଲମାଳ ଅର୍ପଣ କରିଛନ୍ତି ।

 

ମଣି ନାନୀ ଆଖିକାନ ତରାଟିଦେଇ—କହିଲେ ଖବରକାଗଜ କଥା କହୁଚୁଟି ଝିଅ ! ପୋଡ଼ିଯାଉ ସେ ଖବରକାଗଜ, ସତକୁ ମିଛ ମିଛକୁ ସତ ଯାହା ତାଙ୍କ ତୁଣ୍ଡକୁ ଆସିଲା ସେମାନେ ତା’ ଛପେଇ ଦେଉଛନ୍ତି । ଏଯୁଗ ପରା ପୋଡ଼ି ଜଳିଗଲାଣି । ଧର୍ମ ହୋଇ ରହି ପାରିବନି । ମାଇପିଗୁଡ଼ାକ ଲାଜ ମହତସବୁ ପୋଡ଼ିଖାଇ ସାରିଲେଣି ।

 

ମଣିନାନୀଙ୍କର ବାରଂବାର ଅଖାଡ଼ୁଆ କଥାଗୁଡ଼ାକ ବିଦୁ ପକ୍ଷରେ ବେଳୁବେଳ ଅସହ୍ୟ ହୋଇ ଉଠୁଥାଏ—ଶେଷକୁ ମଣି ନାନୀ ଯେତେବେଳେ ରୁକ୍ଷ ମନ୍ତବ୍ୟଟାଏ ଦେଇଦେଲେ ସେ ସେତେବେଳେ ଆଉ ବରଦାସ୍ତ କରିପାରିଲା ନି । ଯେମିତି ମଣି ନାନୀ କହିଛନ୍ତି—ହଉ ଲୋ ମା, ତୁମର ଇଚ୍ଛା—ଶରତକୁ ତୁ ଏବେ ପଣତ କାନି ତଳେ ଘୋଡ଼େଇ ରଖୁଥା । ସେ ସିନା କେତେବେଳେ ହେଲେ ତୋ’ରି କାମରେ ଆସିବ ମୋର ଅବା କ’ଣ କରିବ ? ସେ ବାଡ଼ୁଅକୁ ତୁ ବାଡ଼ୁଅ..... ।

 

ବିଦୁ ଗର୍ଜି ଉଠିଲା—କ’ଣ କହିଲ ନାନୀ !! ଏତେ ଅଘଟଣ କଥା ତୁମେ କହିପାର !! ତୁମ ମୁଣ୍ଡ ଖରାପ ହୋଇଛି ନା କ’ଣ ? ବାଲ୍ୟ ବିଧବା ହୋଇ ରହିଲା ଦିନଠୁ ଆମର ସୁନା ଗାଆଁଟାକୁ ଚୂନା କରି ଦେଲଣି । ଆଉରି କ’ଣ କରିବବୋଲି ବିଚାରୁଚ ? ଶରତଭାଇ ମୋର କ’ଣ ହେବ ତୁମେ ଜାଣିନ ? ତୁମେ ପରା ଏଇ ଗାଁର ପାଞ୍ଜିବିଡ଼ା ? ବିଦୁ ଖୁବ୍‌ ରାଗିଯାଇ ଦୁଇଚାରିପଦ କଥା କହିଦେଲା ସିନା, ମଣିନାନୀ ତୁଣ୍ଡକୁ ତୁଣ୍ଡ ତାଳଦେଇ କହିବା ଶକ୍ତି ତା’ର ଅବା ଆସିବ କୁଆଡ଼ୁ ?

 

ମଣିନାନୀ ଯେତେବେଳେ ପ୍ରସୂତି ବାଘୁଣୀପରି କମ୍ପି ଉଠିଲେ—ବିଦୁ ପୋଖରୀ ତୁଠରେ ଆଉ ମୁହୂର୍ତ୍ତେହେଲେ ମଧ୍ୟ ରହି ପାରିଲା ନି, ମୁହଁ ପୋତି ପୋତି ଘରକୁ ପଳେଇଲା ।

 

ମଣିନାନୀ ପୋଖରୀ ତୁଠଟାକୁ ଗୋଟାଏ ସମର ଭୂମିରେ ପରିଣତ କରିଦେଇ ସେଠାରେ ଯୋଦ୍ଧା ସାଜି ଥାଆନ୍ତି । ନାରଣ ଦାଶଙ୍କର ସାତ ପୁରୁଷକୁ ଶ୍ରାଦ୍ଧ ଦେବାଠାରୁ ଆରମ୍ଭ କରି କେନ୍ଦ୍ର ପରୀକ୍ଷାବେଳେ ବିଦୁ ଶରତବସାରେ ରହିଥିଲା, ଗାଁକୁ ଆସିବାବେଳେ ବିଦୁର ଦେହ ମୁଣ୍ଡ କୁଆଡ଼େ ପୁଆଣି ବୋହୁଙ୍କପରି ଦିଶୁଥିଲା, କଟକରୁ ପରୀକ୍ଷା ଦେଇ ଫେରିବାପରେ ବିଦୁ ପନ୍ଦରଦିନଯାଏ କିପରି ଘରକଣରୁ ପଦାକୁ ବାହାରି ନାହିଁ, ଏଇଥିଲାଗି ନାରଣଦାଶେ ତାଙ୍କ ସ୍ତ୍ରୀଙ୍କୁ କିପରି ମାରିବାକୁ ବାହାରିଥିଲେ, ବିଦୁବୋଉ କିପରି ବିଦୁକୁ ନିଜର ମୁଣ୍ଡ, ଦେହ ଛୁଆଇଁ ସବୁକଥା ପଚାରୁ ଥାଆନ୍ତି—ଖାରିଆ ପଲ୍ଲିର ଧୋବା ବଇଦ ଆସି କାଟପାଣି ପିଆଇଲା ଇତ୍ୟାଦି ମନଗଢ଼ା ଅଷ୍ଟାଦଶ ପୁରାଣକୁ ନାନା ରାଗ ରାଗେଣି ଦେଇ ପାରାୟଣ କରିବାରେ ମଣିନାନୀ ନିଯୁକ୍ତ ହୋଇ ପଡ଼ିଲେ । ସେଥିରେ ପୁଣି ହସ, କାନ୍ଦ, ମୁଣ୍ଡବାଡ଼ିଆ, ଗୀତ ଢଗ, କେହି କାହାକୁ ଊଣା ନଥାଏ । ମଣିନାନୀର ତର୍ଜନ ଗର୍ଜନରେ ପୋଖରୀର ଆରପାଖ ହୁଡ଼ାପଟୁ ଖାଲି ପ୍ରତିଧ୍ୱନି ଗୁଡ଼ାକ ଚମକି ଉଠୁଥାଏ । ବିଲବାଡ଼ରେ କାମ କରୁଥିବା ମୂଲିଆ ମଜୁରୀଆମାନେ କାନଡ଼େରି ସବୁ କଥା ଶୁଣୁଥାଆନ୍ତି । ନିଜ ନିଜ ଭିତରେ ମଣିନାନୀ ସମ୍ପର୍କରେ ମନ୍ତବ୍ୟ ମଧ୍ୟ ଦିଆ ନିଆ ସେମାନଙ୍କ ମଧ୍ୟରେ ଚାଲିଥାଏ ।

 

ଈଶରା କହିଲା—ଏ ମାଇପିଟା ଦଣ୍ଡକରେ ସାତଘର ବୁଡ଼େଇ ଦେବ ପରା । ମାହାଜନଘର ବିଦୁଦେଇଙ୍କ ପରି ହଲିଲା ପାଣିରେ ଗୋଡ଼ ନଦେବା ଝିଅଟା ସାଙ୍ଗରେ କିମିତି ତା’ର ଅହନ୍ତା ଦେଖ ! ସେ ଝିଅକୁ ତ ଖରାପ କଥା କହି ଆସିବନି, ଇଆ ତୁଣ୍ଡ ସାଙ୍ଗରେ ସେ ତୁଣ୍ଡ ଦେବ କୁଆଡ଼ୁ ? ଏହି ମାଇପିଟା ଯୋଗୁରୁ ଆମ ସାଉ, ଘରେ ଆଉ ସାଉଆଣୀଟାକୁ ବସେଇ ଉଠେଇ ଦେଉନାହାଁନ୍ତି । ସାନ ସାଉଙ୍କ ପରି ମଣିଷ, ତାଙ୍କ ମୁଣ୍ଡରେ ପୁଣି ଏ ଅଠାବୋଳି ଦେଉଚି । ସିଏ ତ ଗୋଟେ ବାଟରେ ଚାଲିଚନ୍ତି । ପାଠ ଯେ କାହିଁରୁ କ’ଣ ପଢ଼ିଲେଣି ତା’ର ସୀମା ନାହିଁ । ଈଶରା ଭାଇ ! ଶରତବାବୁଙ୍କ ନାଁରେ ଏବେ କହୁଛି, ତୁ ଆଉ କ’ଣ ବୁଝିଲୁ ବା ? ସେଇ ସାନ ସାଉଙ୍କ ବିଷୟରେ ବାର ଅବର୍ଜିଆ କଥା ଗୁଡ଼ା କହୁଚି ପରା ! ଦାସିଆ କହିଲା, ‘‘ତୁ ଯାହା ବିଚାରେ ଈଶରା ଭାଇ ! ଏ ବ୍ରାହ୍ମଣ, କରଣ କୁଳମାନଙ୍କରେ ଯେଉଁସବୁ ପାଠ ରହିଚି ସେଗୁଡ଼ାକ ଭାରି ଖରାପ । ସେମାନେ ବଡ଼ ଜାତି ବୋଲାଉଚନ୍ତି ସିନା । ପୁଣି ଗୋଟେ କିଏ ଦଶବର୍ଷରୁ ବିଧବା ହୋଇଗଲାତ, ତା ଜୀବନଟା ସେଇ ବିଧବାରେଇ ରହିଯିବ । ଆଚ୍ଛା କଥା—ତା’ର ଆଉ ଭଲ ମନ୍ଦ କିଛି ନାଇଁ ? ଏଇ ମଣିନାନୀ ତ କୁଆଡ଼େ ଦଶ ବରଷ ବଅସରୁ ବାଳବିଧବା ହୋଇ ରହିଚି । ତା’ର ଆଉ କାମ କ’ଣ ? ବଳିଆ କହିଲା, ହଇରେ ଦାସିଆ । ସେ ବାଳ ବିଧବା ହୋଇ ରହିଲା ବୋଲି ଶରତବାବୁଙ୍କ ନାଁରେ କାଳି ଲଗେଇବ କିରେ ? ଶରତ୍‌ ବାବୁଙ୍କ ଭଳିଆ ଆମ ତଳମାଳ ଶହେ ଖଣ୍ଡ ଗାଁରେ କିଏ ଗୋଟିଏ ଅଛି କହିଲୁ ? ତାଙ୍କ ପାଦତଳେ ଶହେ ମୁଣ୍ଡିଆ । ମୋ ବଡ଼ ଝିଅ ମାହାଲିଟାକୁ ପରା ମରଣ ମୁହଁରୁ ଝିଙ୍କି ଆଣିଲେରେ । ଶରତ ବାବୁ ସାକ୍ଷାତେ ଦେବତା ଏ ମାଇପିଟା ତାଙ୍କ ପାପ ଝାଡ଼ି ହେଉଚି କାହିଁକି କେଜାଣି ? ଈଶରା ବଳିଆ ଆଡ଼କୁ ମୁହଁ ବୁଲେଇ ଟିକିଏ ତୁନି ତୁନି କରି କହିଲା—ଆଉ ଆଉ କଥା ଛାଡ଼େ, ସାନବାବୁ, ଆମର ମାଇପିଙ୍କ ମୁହଁକୁ ଚାହିଁବେନି । ଏବେ ତିନିବର୍ଷ ହେଲା ଗାଁକୁ ଆସି ନାହାଁନ୍ତି ସିନା ! ଆଗେ ବ୍ରାହ୍ମଣ ସାଇ ଗୋଟାକର ବାଡ଼ୁଅ ଝିଅ ଗୁଡ଼ିକ ରାତି ଅଧଯାଏଁ ତାଙ୍କ ପାଖରେ ବସି ପଢ଼ାପଢ଼ି କରୁଥିବେ । କାହିଁ, କୁ ଦିନ ତ ଟିକିଏ କେହି କିଛି ଦେଖିନି । ତୁ ମତେ କ’ଣ କହୁଚୁମ ଦାସଭାଇ—ମୁଁ କହୁଚି ଶୁଣେ । ମାହାଲିଟା ଆମର ଝାଡ଼ା ବାନ୍ତି କ’ଣ, ହଇଜାରେ ତ ନୟାନ୍ତ ହୋଇ ପଡ଼ିଥିଲା । ବଉଁଶଟା ଯାକ ତା’ର ଆଶା ଭରଷା ଛାଡ଼ିଦେଇ ବସିଥିଲୁ । ଯୋଗକୁ ଶରତବାବୁ ଯାଇ ଜୁଟିଗଲେ । କ’ଣ କହିବିରେ ଭାଇ, ପରପୁଅ ସିଏ—ହେଲେ କୋଉ ବାପ, ମା ମଧ୍ୟ ଏପରି ହେବେ ନାହିଁ । ନିଜ ହାତରେ ଓଷୁଅ ଦେବାଠୁଁ ମଇଳା ପର୍ଯ୍ୟନ୍ତ ସଫା କରିଚନ୍ତି । ସେ ପହଞ୍ଚି ନଥିଲେ ମୋର ୧୬ବରଷର ବଢ଼ିଲା ଝିଅଟା ଯାଇଥିଲା ନା—ଆଉ ଯିବାକୁ ଥିଲା ?

 

ଆରେ ଯେତେହେଲେ ସେ ପରା ପାଠ ପଢ଼ିଚନ୍ତି—ତାଙ୍କ ହୃଦୟ ବଡ଼ ନ ହେବ କିପରି-? ଆମେ ସିନା ‘‘ମୁର୍ଖ ମୁଣ୍ଡ କାଟ’’ ଦାସିଆ କହିଲା ଈଶରା ଭାଇ ! ତୁ ତ ଶରତ ବାବୁଙ୍କଠାରୁ ଦେଖି ଶୁଣି ଏବେ ବନାକୁ ଆଚ୍ଛା କରି ଦି ଅକ୍ଷର ପଢ଼େଇ ଦେଲୁଣି ? ଆରେ ମୁଁ କିଏ, ପାଠ ପଢ଼ା କିଏ ? ସେଇ ସାନ ସାଉଙ୍କ କାମ । ମତେ କହିଚନ୍ତି—ଈଶର ତୁମେ ପୁଅକୁ ପାଠ ନ ପଢ଼େଇଲେ ମୁଁ ତମ ମୁହଁ ଚାହିଁବିନି । ବହି, କାଗଜ, କଲମ, ଦୁଆତ ସବୁ ସାନ ସାଉ ଦେଉଚନ୍ତି । ପିଲାଟା ଏଡ଼େ ଭଲ ଯେ, ଆମ ମୁଲିଆ ମଜୁରିଆ, କୁଟୁଣୀ, ଚାକର, ବାକର, କାହାକୁ ହେଲେ ତୁ ବୋଲି ପଦେ କହି ଦେବେ ? ସମସ୍ତଙ୍କୁ ତୁମେ କହିବେ । ହଉ ଠାକୁର ତାଙ୍କର ମଙ୍ଗଳ କରନ୍ତୁ । ଆରେ ପାଞ୍ଚ ପରମେଶ୍ୱରଟି ! ପାଞ୍ଚଜଣ ଯାହାକୁ ଭଲ କହିବେ ଠାକୁର ତାଙ୍କର ଭଲ ନ କରି ଯିବେ କୁଆଡ଼େ ?

 

ହେଲେ କାହିଁକି କେଜାଣି—ସାନ ସାଉ ବାହା ପାହା ହେବାର ନାଁ ଧରୁ ନାହାନ୍ତି; ବୁଢ଼ା ଯେତେ କନିଆ ବୁଝିଲାଣି ସବୁ ଚିଠିରେ ନାହିଁ କରି ଲେଖୁଚନ୍ତି । ଏବେ ଗୋଟିଏ ଭଲ ଜାଗାରେ ଲାଗିଛି କ’ଣ କରିବେ ତାଙ୍କୁ ଜଣା ।

 

(ତିନି)

 

ନାଗସାପ ଲାଙ୍ଗୁଡ଼ରେ ବାଡ଼ି ବାଜିଲେ, ସେ ଯେପରି ଗର୍ଜନକରେ ଠିକ୍‌ ସେହିଭଳି କିମ୍ବା ତାଠାରୁ ଆହୁରି ଭୟଙ୍କର ଭାବରେ ମଣିନାନୀ ପୋଖରୀ ତୁଠରୁ ଗାଁ ପର୍ଯ୍ୟନ୍ତ ଚମକେଇ ଦେଉଥାଆନ୍ତି । ତୁଣ୍ଡରେ ନ ଧରିବା ବେଇଜତ କଥାଗୁଡ଼ାକ ବିଦୁ ନାଆଁରେ ରଟନା କରି ଚାଲିଛନ୍ତି-। ନାରଣ ଦାସେ ଭାରି ହାଣୁଆ ଲୋକ । ମହାବଳ ବାଘର ନିଶ ଉପାଡ଼ିଦେବା ପୁଅ, ହେଲେ କ’ଣ କରିବେ—ଏ କ୍ଷେତ୍ରରେ ଅବସ୍ଥା ଏପରି ଯେ, ‘‘ଗୋରୁ ମାଇଲେ ମଲା—ଗୋରୁକୁ ମାଇଲେ ମଲା-।’’ ତେଣୁ ସେ ସବୁ ଶୁଣି ନ ଶୁଣିଲାପରି ରହିଗଲେ । ବିଦୁ ଲାଜରେ ଘରଭିତରୁ ପଦାକୁ ବାହାରି ପାରେନି ।

 

ସବୁଦିନ ଦିପହରବେଳେ ବିଦୁର ଯେତେ ସାଙ୍ଗ ସାଥି ଝିଅ ସମସ୍ତେ ତାଙ୍କର ମେଲାଘର ଖଞ୍ଜାରେ ଏକଜୁଟ ହୋଇ ହସ ଖେଳ ଉପନ୍ୟାସ ପଢ଼ିବା, କବିତା ଲେଖିବା ଆଦି କାର୍ଯ୍ୟରେ ଦିପହରଟା ବିତେଇ ଦିଅନ୍ତି । ପାଠୋଇ ବଢ଼ିଲା ଝିଅ ଗୁଡ଼ାକ ପରସ୍ପର କଥାବାର୍ତ୍ତା ମଧ୍ୟରେ କେତେ ଉପନ୍ୟାସ ଯେ ସୃଷ୍ଟି କରନ୍ତି ତାର କଳନା ନାହିଁ । ସେ ଦିନ ଲତା ହସି ହସି କହିଲା, ‘‘ବିଦୁ ! ତୁ କୁଆଡ଼େ ଶରତ ଭାଇଙ୍କ ସାଙ୍ଗରେ... ।’’ ହଁ ହଁ କହୁନୁ—ଆଉରି କହ—ଶରତ ଭାଇଙ୍କ ସାଙ୍ଗରେ ମୋର ପ୍ରେମ...ଏଇ କଥା କହୁଚୁତ ? ତୁ ବିଦୁ ରାଗି ଗଲୁ କି ? ମଣିନାନୀ କହୁଚନ୍ତି ବୋଲି ମୁଁ ଥଟ୍ଟାରେ କହି ଦେଲି ଯେ— ! ଶରତ ଭାଇ ମୋର ଯେପରି ଭାଇ, ତୋର ମଧ୍ୟ ସେଇପରି । ମୁଁ ପାପ କଥା ଗୁଡ଼ାଏ କହିବି କାହିଁକି ?

 

ବିଦୁ ଆଉ ଲତା ଦୁଇ ଜଣଙ୍କ ମଝିରେ ସିଂହଠାଣିରେ ବସିଯାଇ ହସି ହସି ମିନୁ କହିଲା, ‘‘ତୁମେ ଦୁହେଁ ନିଜ ନିଜର ଗୁପ୍ତ ପ୍ରେମ ଆଲୋଚନା କରିବ ନା—ଆଜିର ଯେଉଁ କଥାରେ ଗାଁ ପଡ଼ୁଚି ଉଠୁଚି ସେ କଥାର ଟିକିଏ ବିଚାର କରିବ ?’’ ହଁ—ତୁ କହୁନାହୁଁ ଆମେ କ’ଣ ତୋ କଥାରୁ ବାହାରି ଯାଉଛୁ । ବିଦୁ ଆଉ ଲତା ଦୁହେଁ ଯାକ ଏକ ସମୟରେ କହି ଉଠିଲେ ।

 

ତେବେ ଶୁଣ—ଶରତ ଭାଇଙ୍କ ସଂପର୍କରେ ଯାହା ସବୁ ଶୁଣାଯାଉଛି, —ତା ଯଦି ସତ ହୋଇଥାଏ, ତାହା ହେଲେ ସେ ଆଉ ଏ ଗାଁର ସୀମା ମାଡ଼ିବେ ନାହିଁ । କେଡ଼େ ଅସୁନ୍ଦର କଥା ଦେଖିଲ ? ସେ ଆମ ସମସ୍ତଙ୍କୁ ଭାରି ସ୍ନେହ ଆଦର କରନ୍ତି । ଅବଶ୍ୟ ଏ ଗାଁ ସହିତ ଆମମାନଙ୍କର ଆଉ ବେଶୀ ଦିନ ଛାୟୀ ସଂପର୍କ ରହିବ ନାହିଁ ବୋଲି ତୁମେ ସବୁ ଭାବୁଥିବ । ତଥାପି ଆମକୁ ଯେ ଭଲ ପାଏ, ଆମେ ତ ପୁଣି ତାକୁ ଭଲ ଦୃଷ୍ଟିରେ ଦେଖିବା ? ବିଦୁ ହସି ହସି ମୀନୁର ଗାଲରେ ଗୋଟିଏ ସରୁ ଚଟକଣାଦେଇ କହିଲା—ଏଇ କଥାପାଇଁ ଏତେ ଗୁଡ଼େ ସଜବାଜ ହୋଇ ବସିଥିଲୁ ? ତୁ ନିଜେ କହିଲୁ, ଶରତ ଭାଇଙ୍କ ସଂପର୍କରେ ଯାହା ଶୁଣା ଯାଉଚି ତା ସବୁ ସତ କି ନୁହେଁ ? ମୁଁ କହିବି ଖାଲି ମିଛ । ଶଶୀ, ରେଖା, ବିଦୁ, ଲତା, ହାରା ସମସ୍ତେ ଏକାବେଳକେ କହି ଉଠିଲେ ଖାଲି ମିଛତ—ଆଉ ଏତେ ଗୁଡ଼ାଏ ପ୍ରସ୍ତାବ ବାଢ଼ି ବସୁଛୁ କାହିଁକି ?

 

ବିଦୁ କହିଲା, ନାଇଁ ନାଇଁ ମୀନୁର ପ୍ରସ୍ତାବଟିକୁ ଏକାବେଳକେ ଉଡ଼େଇ ଦେବା ଠିକ୍‌ ନୁହେଁ । ସେ ଖୁବ୍‌ ସଚୋଟ ଏଥିରେ ଆମର ସନ୍ଦେହ ନାହିଁ । ମାତ୍ର ତିନି ବର୍ଷ ହେଲା କାହିଁକି ଘରକୁ ଆସୁନାହାଁନ୍ତି—ଆମେ ତାଙ୍କୁ ଚିଠିଦ୍ୱାରା ପଚାରିବା ଆଉ ବାଧ୍ୟ କରିବା ଶୀଘ୍ର ଆସିବା ପାଇଁ । ଶେଷରେ ତାହାହିଁ ସ୍ଥିର ହେଲା ।

 

ଈଶରା ବଛାବିଲରୁ ଉଠି ଘରୁ ଦି’ଟା କ’ଣ ଖାଇପିଇ ସାଉକାରଙ୍କ ଘରକୁ ଆସି ଦେଖିଲା ଯେ, ସାଉଆଣିଙ୍କ ସାଙ୍ଗରେ ସାଉଙ୍କର ଗୋଟାଏ କିଛି ବୋଲା ବୋଲି ହୋଇ ଯାଇଛି । ସାଉଆଣି ନ ଖାଇ ନ ପିଇ ମୁହଁମାଡ଼ି ପଡ଼ିଛନ୍ତି । ସକାଳ ପହରୁ ଈଶରାର ମନଟାତ ମଣିନାନୀ ଉପରେ ରକ୍ତ ଚାଉଳ ଚୋବାଉଥାଏ ତା’ରି ଯୋଗୁଁ ଏ ଦି ପ୍ରାଣୀଙ୍କ ଭିତରେ କଳି ଲାଗିବା କଥା । ସେ ଯେତେବେଳେ ମରୁଆଠାରୁ ଶୁଣିଲା, ସେ ରାଗରେ ଅଣଆୟତ ହୋଇପଡ଼ି କହିଲା— ‘‘ଏଇ ଗାଁଭଙ୍ଗେଇ ମଣିନାନୀର କଥାରେ ତୁମେ କାହିଁକି କଳିଗୋଳ ହେଉଥିଲ ବା ? ତା ତୁଣ୍ଡରେ ତ ବାଡ଼ ବତା ନାହିଁ । ଯାହା ତୁଣ୍ଡକୁ ଆସିଲା ତା ଗାଇଯିବ ।

 

ଈଶରାର କଥା ଦୁଇପଦ ମଣିନାନୀର କାନ ପଇଠ କେଡ଼େବେଗି କିପରି ହେଲା କେଜାଣି ? ମଣିନାନୀ ସାକ୍ଷାତ୍‌ ଚଣ୍ଡୀରୂପହୋଇ ଈଶରା ଉପରକୁ ଝାମ୍ପ ଦେଲେ । ତୁଣ୍ଡରେ ଯାହା ଆସେ ତା କହି ଚାଲିଲେ । ଈଶରା ବହୁତ ସହିଲା । ଆଉ କେତେ ସହନ୍ତା ? କହିଲା ହେଇଟି ନାନି ! ତୁ ମାଇପି ଲୋକକୁ ମୁଁ ଗଣ୍ଡମୂର୍ଖ । ଏତେ ଗାଳି ଦେଉଚୁ ଯେ—ତୋର ମୁହଁ ଭାଙ୍ଗି ଦେବିଟି-? ବିଦୁଦେଈଙ୍କ ପରି ଝିଅ ଦେହରେ ତୁ କାଳି ବୋଳୁଛୁ । ସହଜେତ ସାନସାଉ ତୋର ଯେମିତି ଭଗାରୀ । ସେମାନେ ସିନା ସହିଲେ, ମୁଁ ସହି ପାରିବି ନି, ତୁ ମୋର ଗାତ ନା ଗିଆନ୍ତି ଯେ–ତୋ ଗାଳି ଗୁଡ଼ାକ ମୁଁ ସହିବି !!

 

ଈଶରା ଆଉ ମଣିନାନୀର ବାଦୀପାଲା ଯୋଗୁଁ ଦାମ ଦାଶଙ୍କ ଖଞ୍ଜାରେ ଲୋକଗୁଡ଼ାକ ଜମା ହୋଇଗଲେ । ଦାମ ଦାଶେ ପାଟି ତୁଣ୍ଡ ଶୁଣି ଘରକୁ ଆସି, ଈଶରାକୁ ଦିଚାରିପଦ ଗାଳି ମନ୍ଦକରି କଳିରୁ ନିବର୍ତ୍ତାଇ ଦେଲେ । ଈଶରା ସାଉକାରଙ୍କ କହିବା ପ୍ରକାରେ ତୁନି ତାନି ହୋଇ ତା କାମରେ ଚାଲିଗଲା । ମଣିନାନୀଙ୍କୁ କଳିରୁ ନିବର୍ତ୍ତାଇବା ଭଳି କ୍ଷମତା କାହାର ବା ଅଛି ? କାନ୍ଥ, ବାଡ଼, ଗଛ, ଲଟା ସାଙ୍ଗରେ ସୁଦ୍ଧା କଥାବାର୍ତ୍ତା କରି ସେ ନିଜର ବକ୍ତବ୍ୟ ଚଳାଇ ଥାଆନ୍ତି ।

 

ନାରଣ ଦାଶେ ମଣିନାନୀର ପାଟିତୁଣ୍ଡ ସକାଳ ପହରୁ ଶୁଣିଲେଣି । ତାଙ୍କ ଗେହ୍ଲାଝିଅ ବିଦୁ ନାଁରେ ସେ ଯେଉଁ କୁତ୍ସାରଟନା କରିଚି ସେ କଥା ବିଚାରିଲା ବେଳକୁ ଦାଶଙ୍କ ଛାତି ଭିତରଟା ହୁତାସନ ହୋଇଉଠେ । ଏହାର କିଛିନା କିଛି ପ୍ରତିକାର ହେବା ଦରକାର ବୋଲି ସେ ଭାବୁ ଥାଆନ୍ତି । କିନ୍ତୁ କିପରି କ’ଣ ପ୍ରତିକାର କରିବେ ବୁଝି ପାରନ୍ତି ନାହିଁ । ମଣିନାନୀ ଜ୍ଞାତି କୁଟୁମ୍ବ ହିସାବରେ ତାଙ୍କର ବି ଭଉଣୀ । ନାକ କାଟିଲେ ରକତ କୁ’ଠି ପଡ଼ିବ । ଏହି ବିଚାରରେ ନୀରବ ହେବାକୁ ପଡ଼େ ।

 

ସେ ଦିନ ସନ୍ଧ୍ୟା ବେଳକୁ ନାରଣ ଦାଶେ ଗଣିଦାଶଙ୍କ ପିଣ୍ଡା ଉପରକୁ ଉଠିଲେ । ନାରଣ ଦାଶଙ୍କୁ ନିଜ ଦୁଆର ମୁହଁରେ ଦେଖି ଗଣି ଦାଶେ ଛାନିଆ ହେଲେ ଯେତିକି ଆନନ୍ଦ ମଧ୍ୟ ସେତିକି ହେଉ ଥାଆନ୍ତି । ନାରଣ ଦାଶେ— ଗଣି ଦାଶଙ୍କୁ ପାଖକୁ ଡାକି କହିଲେ ଗଣି ! ମଣିର ଘଟଣା ଗୁଡ଼ାକ ଦେଖିଲୁତ ? ଦେଖେ— ଆମ ଝିଅଟା ନାଁରେ କିଭଳି ମିଛ ଅପବାଦ ଗୁଡ଼ାଏ ଲଦି ଦେଲା । ହଁ ଭାଇନା ମୁଁ ସବୁ ଶୁଣିଛି । ହେଲେ କ’ଣ କରିବି କହୁନ । ତୁମ କଥାରୁ ମୁଁ କୁଆଡ଼େ ବାହାରି ଯାଉଛି କି ? ବିଦୁପରି ଝିଅ—ଆମରିଠୁ ଜନ୍ମ ହୋଇ ଆମୁକୁ ଦେଖିଲେ ବୋହୂ ପରି ଓଢ଼ଣା ଦେଇ ଯିବା ଆସିବା କରିବ । ତା ନା’ଆଁରେ ପୁଣି ଏ ଅପବାଦ !! ମୁଁ ଶୁଣିଲାବେଳୁ ଭାଇନା ମୋ ମନ ଯାହା ହେଉଛି—ତୁମେ ଦେବତା ପରି ଲାଗିଚ ଆଉ କ’ଣ ସେଗୁଡ଼ାକ କହିବି-? ଦୁଇ ବୁଢ଼ାଙ୍କର କଥାବାର୍ତ୍ତାବେଳେ ଗଣି ଦାଶଙ୍କ ପୁଅ ନରି ପାଖରେ ଛିଡ଼ା ହୋଇ ସବୁ ଶୁଣୁଥାଆନ୍ତି । ନରି ଆଧୁନିକ ଶିକ୍ଷିତ; ଆଇ: ଏ: ଖଣ୍ଡି ପାଶ୍‌କରି ଗାଁ ମାଇନରସ୍କୁଲରେ ହେଡ଼୍‍ମାଷ୍ଟର ହୋଇଛନ୍ତି । ନରି ବିଚାରିଲେ ଏଇ ଅବସରରେ ଦଦେଇଙ୍କୁ ପଦେ ଉତ୍ତର ନ ଦେଲେ ହେବନି ।

 

ନାରଣ ଦାଶେ ଯେତେବେଳେ କହିଲେ ନରି ତୋର ବିଚାର କ’ଣ ? ନରି କହିଲା ମୋ ବିଚାର ଆଉ କ’ଣ ହେବ ? ମୋ ବିଚାରରେ ଦଦେଇ ତୁମେ ହିଁ ଏଇ ଘଟଣାର ମୂଳ । ନାରଣ ଦାଶେ ତାଟକା ହୋଇ ପଡ଼ିଲେ । ହଇରେ ନରି ମୁଁ କିପରି ଏହାର ମୂଳ ହେଲି ? ତୁମେ ମୂଳ ନୁହଁ-? ମଣିନାନୀ ଯେତେବେଳେ ବିଧବା ହେଲେ, ମୋର ମନେ ଅଛି ମୁଁ ନିଜେ ତୁମକୁ ପଚାରିଲି ଆଉଠାଏ ବିଭା ଦେଇଦେବା । ତୁମେ ନିଜେ ପରା କହିଲ, ‘‘ନରି ! ଏ ବଂଶର ମର୍ଯ୍ୟାଦା ବୁଡ଼େଇ ଦେବା ? ବିଧବା ବିବାହ ଆମ ବଂଶରେ କେବେ ହୋଇନାହିଁ । ଗୋଟେ ଭଉଣୀତ, ମୁଠେ ଖାଇ ଖଣ୍ଡେ ପିନ୍ଧି ଚଳିଯିବ ନାହିଁକି’’ ? ଆଉ ଏତେବେଳକୁ ସେହି କଥାଗୁଡ଼ାକ କହିଲେ କ’ଣ ହେବ ? ନାରଣ ଦାଶେ ଟିକିଏ ହସ ହସ ହୋଇ ଜବାବ ଦେଲେ ହଁ ସତ କଥାତ ।

 

(ଚାରି)

 

ପ୍ରବାସୀ ଉତ୍କଳ ସମ୍ମିଳନୀର କାର୍ଯ୍ୟ ଶେଷ କରି ଶରତବାବୁ କଟକ ଫେରି ଥାଆନ୍ତି । ସେ ଦିନ ସନ୍ଧ୍ୟାବେଳେ ହରିବାବୁଙ୍କ ଘରେ ଯାଇ ପହଞ୍ଚିଲେ । ପ୍ରତିଭା ଦେବୀ ହରିବାବୁଙ୍କୁ ଚାହା, ଜଳଖିଆ ଯୋଗାଇ ଦେଇ ତାଙ୍କ ସାମନାରେ ପଡ଼ିଥିବା ଆରାମ କୁରୁଚିଟା ଉପରେ ବସି ଥାଆନ୍ତି । ଶରତବାବୁ ହଠାତ୍‌ ସେଇଘରେ ପଶି ଯାଉ ଯାଉ ଜିଭଟାକୁ କାମୁଡ଼ି ପକେଇଲେ । ଏକାବେଳେକେ ଦୁଇ ଜଣଙ୍କ ହାବୁଡ଼େ ପଡ଼ି ଗଲେଣି । ଯେତେବେଳେ ଆଉ କରିବେ କ’ଣ ? ଦୁଇଜଣଯାକଙ୍କୁ ନମସ୍କାର କରି ପଛକୁ ଲେଉଟିଗଲେ । ଶରତବାବୁଙ୍କ ନମସ୍କାରରେ ପ୍ରତିଭା ଦେବୀ ପ୍ରତି ନମସ୍କାର କରିବା କିମ୍ବା ଭଲମନ୍ଦ କିଛି ପଚାରିବା ଏପରିକି ତାଙ୍କ ଆଡ଼କୁ ଚାହିଁବା ପ୍ରଭୃତି ଟିକିଏ କିଛି ହେଲେ ଅଭିନୟ ଦେଖାଇଲେ ନାହିଁ । ହରିବାବୁ ମନେକଲେ—ପ୍ରତିଭା ଦେବୀ ଅନ୍ୟ ମନସ୍କ ଥିବା ଯୋଗୁଁ ବୋଧହୁଏ ଶରତ୍‌ଉପରେ ଦୃଷ୍ଟିପାତ୍‌ କରି ପାରି ନାହାଁନ୍ତି । ତେଣୁ ସେ ପ୍ରତିଭାଦେବୀଙ୍କୁ କହିଲେ ଶରତ ଆସିଲାଣି ପରା ! ତାକୁ ଟିକିଏ କ’ଣ ପଚାରୁ ନାହଁ । ନା—ନା ଶରତଙ୍କ ସାଙ୍ଗରେ ମୁଁ ଆଉ କଥାବାର୍ତ୍ତା କରିବି ନାହିଁ । କାହିଁକି କ’ଣ ବିଗିଡ଼ିଲା ? ସେ କ’ଣ ଧରାଛୁଆଁ ଦେଲାନି କି, ହରିବାବୁ ହସି ହସି କହିଲେ । ଯାଅମ—ପିଲାଟା ଦଉଡ଼ି ଦଉଡ଼ି ଆସିଚି, ତାକୁ ଟିକିଏ ଜଳଖିଆ ହେରେକା ଦିଅ । ଓହୋ ! ତୁମ ଭାଇ କାଖର କୋଡ଼ର ଛୁଆଟିଏ ହୋଇ ଥିବେ ପରା ? ତା ନୋହିଥିଲେ ବି ତୁମ ଦୃଷ୍ଟିରେ ସେଇଆ । ନ ହେଲେ ତୁମେ ତାକୁ ଖେଳନା ପରି କରୁ ଥାଆନ୍ତ କିମିତି ? ତୁମର ସବୁବେଳେ ସେଇ ଥଟ୍ଟା କଥାଗୁଡ଼ାକ ଗଲାନି କହି ପ୍ରତିଭା ଦେବୀ ଚଉକୀଟା ଉପରୁ ଉଠି ଯିବାକୁ ଉଦ୍ୟତ ହେଲାବେଳେ ହରିବାବୁ ତାଙ୍କ ପଣତ କାନିଟାକୁ ଧରି ଟାଣିଲେ । ପ୍ରତିଭା ଦେବୀ ବାଧ୍ୟ ହୋଇ ପୁଣି ବସି ପଡ଼ିବା ପରେ, ହରିବାବୁ କହିଲେ ଶରତ ପରି ନିରୀହ ଶାନ୍ତ ଶିଷ୍ଟ ପିଲାଟି ଉପରେ ତୁମେ ରାଗିଚ କାହିଁକି କହିଲ ? ରାଗିଚି କାହିଁକି କହିବି-? ଜଣେ ଦୋଷ କରିବ, ସମସ୍ତଙ୍କର ହେବ ବଦନାମ ? ହରିବାବୁ କହିଲେ ଶରତକୁ ବଦନାମ ଦେବାଭଳି ଲୋକ ଦୁନିଆରେ ବି ଅଛନ୍ତି ତ ?

 

ତୁମମାନଙ୍କର ବଦନାମି ସାଙ୍ଗରେ କିଛି ଯାଏ ଆସେ ନାହିଁ । ପ୍ରତିଭାଦେବୀ କହିଲେ କାହିଁକି ? ଆମେ କ’ଣ ଏମିତି ହେଲୁ ? କିଛି ନହେଲେ ମଧ୍ୟ ଚୋରା ଚାହାଁଣୀ, ସିନେମା, ଥିଏଟର ଦେଖିବା ସଉକ, ସ୍ନୋ ପାଉଡ଼ର ବୋଳିହେବା ଅଭ୍ୟାସ, ଦିନ ଭିତରେ ୫ଟା ଶାଢ଼ୀ ପିନ୍ଧିବାପରି ମନୋବୃତ୍ତି ତୁମର ଯେତେବେଳେ ରହିଛି ବଦନାମୀଟା ତୁମ ପଛରେ ଗୋଡ଼େଇଲେ କିଛି ଯାଏ ଆସେନି ? ମାତ୍ର ଶରତର ‘ବଦନାମୀ’ ଏକଥା ଶୁଣିବାମାତ୍ରେ ଯେ କୌଣସି ଲୋକ ବିସ୍ମିତ ହୋଇ ପଡ଼ିବ । ଏମ୍‌. ଏ. ବି. ଏଲ୍‌. ପାଶ କଲା, ରାତି ପାଇଲେ ଆଇ. ଏ. ଏସ୍‌. ଅଫିସର ହେବ । ତା’ର ଖଣ୍ଡେ ଧୋତି ପଞ୍ଜାବୀ ବ୍ୟତୀତ ଆଉ କିଛି ଦେଖୁଚ ? ସେ କେବେହେଲେ ମୁଣ୍ଡ କୁଣ୍ଡାଏ ? ଦୁଇଟା ଛଅଣିଆ ଚପଲ ଛଡ଼ା ହଳେ ଯୋତା ବି ପିନ୍ଧେ କି ? କାହିଁକି ? କ’ଣ ଅଭାବ ଦୃଷ୍ଟିରୁ ସେ ଏପରି ଚଳେ ? ନା—ତା ନୁହେଁ ! ଆଦର୍ଶବାଦହିଁ ତା ଜୀବନର ଲକ୍ଷ୍ୟ । ଠିକ୍‌ ଗାନ୍ଧୀ ଆଦର୍ଶକୁ ସେ ଅକ୍ଷରେ ଅକ୍ଷରେ ମାନି ଚଳୁଚି । ହଁ, କ’ଣ ତା ଯୋଗୁରୁ ତୁମର ବଦନାମ ହେଲା ଟିକିଏ କହିଲ ? ଅଚ୍ୟୁତପୁର ଗାଁ ପରା ପକ୍‌କା ଉଠା ହେଉଛି । ଦେଖିବ ଚିଠି ? ନା—ନା ଚିଠି ଦେଖିବାକୁ ମତେ ବେଳ ନାହିଁ । ମୋର ମିଟିଂ ଅଛି ମୁଁ ଯାଏଁ । ତୁମେ ଶରତକୁ ଜଳଖିଆ ଦିଅ—କହି ହରିବାବୁ କାର୍‌ରେ ଚାଲିଗଲେ ।

 

ହରି ବାବୁ କାର୍‌ରେ ଚାଲିଯିବା ପରେ ଶରତ୍‌ ବାବୁ ଛକ ଉପରୁ ହରି ବାବୁଙ୍କ ବସା ଆଡ଼କୁ ଚାଲିଲେ । ପ୍ରତିଭା ଦେବୀ ଦାଣ୍ଡ ଘର ଝରକା ପାଖେ ଠିଆହୋଇ ଥାଆନ୍ତି । ଶରତ ବାବୁ ହଠାତ୍‌ ଦାଣ୍ଡ ଘରେ ଗୋଡ଼ ଦେଉ ଦେଉ କହିଲେ ଭାଉଜ ! ତୁମେ ମୋ ଉପରେ ରାଗିଚ ?

 

ନା, ନା ତୁମ ଉପରେ ରାଗିବା ପାଇଁ ମୋର କି ଅଧିକାର ଅଛି ? ‘‘ମାନିଲେ ଦିଅଁ ନ ମାନିଲେ ପଥର’’ । ପ୍ରତିଭା ଦେବୀଙ୍କ କଥାରେ ଶରତ ବାବୁଙ୍କର ମୁହଁଟି ଶୁଖି ଆସିଲା । କହିଲେ, ଭାଉଜ ତାହାହେଲେ ତୁମେ ମତେ ପର ବୋଲି ବିଚାରୁଚ ? ଭାଉଜ କହିଲ ଦେଖି— ତୁମର କେଉଁ କଥାକୁ ମୁଁ ଅମାନିଆ ହୋଇଛି ? ଶରତଙ୍କର ଚକଚକିଆ ଚନ୍ଦ୍ର ମୁହଁଟି ମଳିନ ଦେଖା ଯିବାରୁ ପ୍ରତିଭା ଦେବୀ ହସି ହସି କହିଲେ— ମୋ କଥାରେ ଅମାନିଆ ହୋଇନ ଯେ— ବିଦୁ, ମିରା, ଶଶୀ ପ୍ରଭୃତି ଏତେଗୁଡ଼ିଏ ଝିଅ ତୁମକୁ ଚାହିଁ ବସିଥିବାବେଳେ ତୁମେ ଗାଁକୁ ନ ଯାଇ ଏଆଡ଼େ ସେଆଡ଼େ ବୁଲୁଚ । ମୁଁ କହିବା ସତ୍ତ୍ୱେ ବି ଶୁଣୁନାହଁ, ଆଉ ମୋ କଥାରେ ଅମାନିଆ ନ ହେଲ କିପରି ? ବିଦୁ, ମିରା, ଶଶୀ ପ୍ରଭୃତିଙ୍କର ନାଁ ଭାଉଜଙ୍କଠାରୁ ଶୁଣି ଶରତ ବାବୁ ଅବାକ୍‌ ହୋଇଗଲେ-। ପଚାରିଲେ ଭାଉଜ ! ତୁମେ ଏମାନଙ୍କୁ ଚିହ୍ନିଲ କିପରି ? କେବଳ ବିଦୁକୁ ସିନା ଚିହ୍ନିଥିଲ ? ହଉ–ହଉ–କିମିତି ଚିହ୍ନିଲି କହୁଚି କହି ପ୍ରତିଭା ଦେବୀ ତାଙ୍କ ଅଲମିରା ଫିଟାଇ ପୁଳାଏ ଲଫାପା ଚିଠି ଶରତ ବାବୁଙ୍କ ଆଗରେ ଜମା କରି ଦେଇ କହିଲେ ଶରତ୍‌ କିଛି ଭାବିବ ନି, ମୋ ଠିକଣାରେ ଆସିଥିଲା ମୁଁ ଚିଠିଗୁଡ଼ିକ ଖୋଲି ପଢ଼ିଦେଇଛି । ହଉ ମୁଁ ସେଥିଲାଗି ତୁମକୁ କୈଫତ ମାଗୁଚି ନା କ’ଣ— କହି ଶରତ ବାବୁ ଚିଠିଗୁଡ଼ିକ ପଢ଼ିବା ଆରମ୍ଭ କରିଦେଲେ । ପ୍ରତିଭା ଦେବୀ ହସି ହସି କହୁ ଥାଆନ୍ତି ପଢ଼ୁଚ କ’ଣ ମ ! ଶ୍ରୀକୃଷ୍ଣଙ୍କୁ ଗୋପିମାନେ ଝୁରିଲା ପରି ତୁମକୁ ସେ ଝିଅଗୁଡ଼ିକ ଝୁରୁଛନ୍ତି । ତୁମେ ଏଆଡ଼େ ଲୁଚିଛପି ରହିଯାଉଚ କାହିଁକି ? ଶରତ ବାବୁ ଟିକିଏ ହସି ଦେଇ କହିଲେ ଭାଉଜ ! ଏମାନେ ସବୁ ମୋର ଛୋଟ ଭଉଣୀ ପରା ? ହଉ ଭଉଣୀ ହୁଅନ୍ତୁ—ମୁଁ ଏବେ କ’ଣ ଖରାପ କହିଲି କି ?

 

ଶୁଣ ଭାଉଜ ! ବିଦୁ କିପରି ଲେଖିଚି—‘‘ପୂଜନୀୟ ଶରତ ଭାଇ । ତୁମେ କ’ଣ ଅଚ୍ୟୁତପୁର ସମେତ ଆମ ସମସ୍ତଙ୍କୁ ଭୁଲିଗଲ ? ମୁଁ ପରା ରାଣ ନିୟମ ଦେଇ ଆସିଥିଲି ଚନ୍ଦନଯାତ୍ରା ବେଳକୁ ଆସିବ ବୋଲି ? ୪ଟା ଦିନ ପାଇଁ ଗାଁକୁ ଚାଲିଆସିଲେ ପାଠପଢ଼ା ଏମିତି କ’ଣ ବିଗିଡ଼ି ଯାଆନ୍ତା ? ତୁମେ ଘରକୁ ନ ଆସିବା କାରଣରୁ କେତେ ଲୋକ ଯେ କେତେ ପ୍ରକାର ବିଚାରୁଛନ୍ତି ତାର ସୀମା ନାହିଁ । ହଉ—ସେମାନଙ୍କ କଥା ଯଦି ସତ ହୋଇଥାଏ, ତେବେ ମଧ୍ୟ ଘରକୁ ଆସିବା ଦ୍ୱାରା ସେଥିରେ କିଛି ଆଞ୍ଚ ଆସିବ ନାହିଁତ ! ଖରାପ ମନେ କଲେ ତାଙ୍କୁ ସାଙ୍ଗରେ ନ ଆଣି ପାର । ସେ ବା କାହିଁକି ମଫସଲକୁ ଆସିବାରେ ମନ ବଳେଇବେ ବରଂ ସୁବିଧା ହେଲେ ଆମେମାନେ ଯାଇ ତାଙ୍କୁ ସେଇଠାରେ ଦର୍ଶନ କରିବୁ । ତୁମକୁ ଆମ ସମସ୍ତଙ୍କ ରାଣ— ଏପରି କି ଆମ ଗୁପ୍ତ ନୂଆ ବୋହୂଙ୍କ ରାଣ, ତୁମେ ପୂଜା ବେଳକୁ ନିଶ୍ଚୟ ଆସିବ । ତୁମେ ପହିଲି ପୂଜା ଦିନ ଖୁଡ଼ି ଦେଇଥିବା ତାଲିକା ଅନୁସାରେ ଜିନିଷ ପତ୍ର ଧରି ଯଦି ଘରକୁ ନ ଆସ ତେବେ ଖୁଡ଼ିକି ଆଉ ଦେଖିପାରିବ ନାହିଁ । ସେ ନିଶ୍ଚେ ଆତ୍ମହତ୍ୟା କରିଦେବେ । ତୁମେ ନ ଆସିବା କଥାକୁ କେନ୍ଦ୍ରକରି ଗାଁରେ ଭାରି ଗଣ୍ଡଗୋଳ ଜାତ ହୋଇଛି ।’’

 

। ଇତି ।

ତୁମର

ସ୍ନେହାଧୀନ ଭଉଣୀ—‘‘ବିଦୁ’’

 

ଶରତବାବୁ ଆର ଚିଠି ଗୁଡ଼ିକ ଖୋଲିଲା ବେଳକୁ ପ୍ରତିଭା ଦେବୀ ତାଙ୍କ ହାତରୁ ସେ ଗୁଡ଼ିକ ଛଡ଼େଇନେଇ କହିଲେ, ସବୁ ଏଇଭଳି ଲେଖାମ । ଦେଖ ଶରତ । ଆଜି ପଞ୍ଚମୀ ହୋଇଗଲା । ପରଦିନ ରାତି ଗାଡ଼ିରେ ତୁମେ ନିଶ୍ଚୟ ଯିବ । ଏଥର କୌଣସି ଆପତ୍ତି ଶୁଣା ଯିବନି-। ଏଥର ଯଦି ନ ଯାଅ ତେବେ ସେମାନେ କ’ଣ ଭାବୁଛନ୍ତି ମୁଁ ତ ନିଶ୍ଚେ ବିଚାରିବି ତୁମେ କିଛି ଚୋରା କାରବାର ଚଳେଇଚ ବୋଲି ।

 

ଆଚ୍ଛା କଥା । ସମସ୍ତଙ୍କର ଗୋଟିଏ ବିଚାର । ଯେ ଯାହା ବିଚାରୁ ସେଥିରେ କିଛି ଯାଏ ଆସେ ନାହିଁ ଯେ—ମୁଁ ତୁମକୁ ଯେତେବେଳେ ଜବାବ ଦେଇଛି—ଗାନ୍ଧି ଜୟନ୍ତୀ ପାଳନର କାର୍ଯ୍ୟକ୍ରମ ମୋ ଉପରେ ଥିଲେ ସୁଦ୍ଧା ସେ ଦାୟିତ୍ୱ ଅନ୍ୟକୁ ଦେଇ ମୁଁ ନିଶ୍ଚେ ଯିବି । ତା’ଛଡ଼ା ମୁଁ ନ ଗଲେ ବୋଉ ଆତ୍ମହତ୍ୟା କରିବ ବୋଲି ବିଦୁ ଲେଖିଛି ।

 

ହଇଏ ଶରତ ! ଏ ବିଦୁତ କେଡ଼େ ଝିଅଟେ ହୋଇଗଲାଣି ବିଭା ହେଉନି କାହିଁକି ? ଭାଉଜ ମୁଁ ଦେଖୁଛି, ‘‘ସେଇ, ଗୋଟିକ ବିଷୟ ଯେପରି ସଂସାରର ମୁକ୍ତି ଦ୍ୱାର, ତା ଛଡ଼ା ମଣିଷ ଦଣ୍ଡେ ଚଳିପାରିବ ନି ।’’ ଏଭଳି ଧାରଣା ତୁମ ପରି ପାଠୋଇ ସ୍ତ୍ରୀ ଲୋକଙ୍କର ସୁଦ୍ଧା ଆସିଲା କାହିଁକି ? ଏତେ ଶୀଘ୍ର ବିଦୁକୁ ବିଭା ନ ଦେବା ପାଇଁ ମୁଁ ନିଜେ ଦଦେଇଙ୍କୁ ମନା କରିଚି । ଆମ ଗାଁର କେହି ହେଲେ ମୋ କଥା ଭାଙ୍ଗିବେନି । ଖାଲି ବିଦୁ ନୁହେଁ ତ ଯେତୋଟି ଝିଅର ଚିଠି ଦେଖିଲ ସେମାନେ ସମସ୍ତେ ଏକା ବୟସର ଅବିବାହିତା, ସେମାନଙ୍କ ପାଇଁ ବର କରିଦେବା ଭାର ମୋ ଉପରେ ଅଛି ।

 

ବିବାହର ମର୍ମ ତୁମେ କାହିଁକି ବୁଝିବ ଶରତ୍‌ । ତୁମେ ଯଦି ଆଗରୁ ବିଭାଟିଏ ହୋଇ ପଡ଼ିଥାଆନ୍ତ ତୁମ ନାଁଆରେ ଏତେ କଥା ଉଠୁ ନ ଥାନ୍ତା କିମ୍ବା ତୁମରି ଯୋଗୁଁ ଏତେ ଲୋକ ବଦନାମ ନେଉ ନଥାନ୍ତେ । ଭାଉଜ ! ମୋ ଲାଗି—ଆଉ କିଏ ବଦନାମ ନେଲା ନା କ’ଣ ? ପ୍ରତିଭାଦେବୀ ଆଉ ଖଣ୍ଡିଏ ଚିଠି ଟେବୁଲ୍‌ ଡ୍ରରୁ ବାହାର କରି ଶରତବାବୁଙ୍କ ହାତକୁ ବଢ଼େଇ ଦେଲେ । ଶରତ ଚିଠିଖଣ୍ଡି ଆଗେ ବଡ଼ପାଟିରେ ପଡ଼ିବା ଆରମ୍ଭ କରିଦେଇଥିଲେ । ମାତ୍ର କ୍ରମେ କ୍ରମେ ତାଙ୍କର ସ୍ୱର ଲୀନ ହୋଇ ଆସିଲା । ସେ ମନେ ମନେ ଚିଠି ଖଣ୍ଡିକ ପଢ଼ିସାରି ଆଖି ଦୁଇଟାକୁ ଛଳ ଛଳ କରି ପକେଇଲେ । ପ୍ରତିଭାଦେବୀ କହିଲେ, ‘‘ସେଥିରେ ମୋର ଦୁଃଖ ନାହିଁ ଯେ— ତୁମପରି ପିଲା ନାଆଁରେ ଏମାନେ ଯେଉଁ କଥା ଉଠେଇଛନ୍ତି, ତାହାହିଁ ବେଶି ବାଧୁଚି । ଯାହାହେଉ ଶରତ— ତୁମେ ପରଦିନ ଯେପରି ଘରକୁ ଯିବ, ସବୁ ଠିକ୍‌ଠାକ୍‌ କର । ଏତିକିବେଳେ ହରିବାବୁଙ୍କ ମଟର ହର୍ଣ୍ଣ ଶୁଣାଗଲା । ହରିବାବୁ କାର୍‌ଟାକୁ ଗ୍ୟାରେଜ ଭିତରେ ରଖିଦେଇ ଘରଭିତରକୁ ପଶିଆସି ଆନନ୍ଦ ଗଦ୍‌ଗଦ୍‌ ହୋଇ କହିଲେ, ବୁଝିଲ ପ୍ରତିଭା ! ଶରତ ଆମର ଆଇ. ଏ. ଏସ୍‌. ପରୀକ୍ଷାରେ ସେକେଣ୍ଡ ହୋଇ ପାଶ୍‌ କରିଚି । ଗୋଟିଏ ମାତ୍ର ନମ୍ବରରେ ଆରଜଣକ ଫାଷ୍ଟପୋଜିସନଟା ମାରିନେଲା । ଶରତ୍‌ ହରିବାବୁଙ୍କ ସାମନାରେ କେବେହେଲେ ଠିଆହୋଇ ପାରନ୍ତି ନାହିଁ । ହରିବାବୁ ଘରକୁ ଆସୁ ଆସୁ ସେ ଉଠି ଚାଲିଗଲେ ବାହାର ଆଡ଼କୁ ।

 

(ପାଞ୍ଚ)

 

ବଡ଼ବଡ଼ିଆମାନେ ଯାହା କହିଚନ୍ତି ସେ ଗୁଡ଼ାକ ଆଉ କ’ଣ ମିଛ ହୋଇଯିବ ? ମୁଁ ଜାଣେ ‘‘ସ୍ତ୍ରୀ ବୁଦ୍ଧି ପ୍ରଳୟଂ କରି’’ । ହେଲେ ବାଟତ ହୁଡ଼ି ଯାଇଚି । ଦାମ ଦାଶେ ମନକୁ ମନ ଏପରି କେତେ କ’ଣ ଗାଇବାଇ ହେଉଥାଆନ୍ତି । ଶରତ ବୋଉ ସବୁ ଶୁଣି ନ ଜାଣିଲା ପରି ରହୁଥିଲେ ସୁଦ୍ଧା କୋଡ଼ିଆସି ତାଙ୍କରି ଉପରେ ପଡ଼େ । ଦାଶେ ପଚାରିଲେ—ହଇଏ, ପୁଅ ଆସିଲା ? ମଟରରେ ବସି ପରା କଟକ ପଳେଇଥିଲ ? ପୁଅକୁ କାଖ କରି ଘେନି ଆସିଲ କି ?

 

ମୋ ନାଁଟାକୁ ତୁମେ ସବୁବେଳେ ଏମିତି ହୁଅ କାହିଁକି ମ ? ତୁମ ପୁଅ ନ ଆସିଲା ଏଥିଲାଗି କ’ଣ ମୋର ଦୋଷ ? ତୁମର ଦୋଷ ନୁହେଁ । ମୁଁ ଆଦ୍ୟରୁ ମନା କରୁଚି ଆମ ବଉଁଶରେ କେହି ନାଲିମାଟି ମାଡ଼ି ନାହାଁନ୍ତି, ଏଇଠି ଯେତିକି ହେଲା ସେତିକି । ଆମଘର କାମ ତ ଆମକୁ ବଳୋଉଚି । ପୁଅ କୁ—ଚାକିରୀ କରିବ ଯେ—ଆମର ବହୁତ ଗୁଡ଼େ ପଢ଼ିବା ଦରକାର ଥିଲା ? ସେଇଥିଲାଗି କେତେ କାନ୍ଦ କେତେ ବୋବା । ଏବେ ତୁମ ଭାଇ ପିଠିରେ ପଡ଼ୁ ନାହାନ୍ତି ? ସେତେବେଳେ ତ ଧାଇଁ ଆସିଥିଲେ । ମଣିଷର ଇଜ୍ଜତ ଗଲା, ମହତ୍‌ ଗଲା ପାଞ୍ଚ ପାଞ୍ଚଟା ପ୍ରସଙ୍ଗ ଭାଙ୍ଗିଲା । ଆଉ କେବେ କ’ଣ କରିବି । ତୁମେ ବୁଝ ତୁମ ପୁଅ ବୁଝନ୍ତୁ, ମତେ ଆଉ ସେ ଧନ୍ଦା ଭିତରେ ପୂରାଅ, ନାହିଁ । ମୁଁ ଏତେ ବେଜବାବ ହୋଇ ପାରିବି ନି । ହେଇଟି ଚିଠି ନିଅ, ସେ ଟାଟା ବାଲା ଦେଇଚି । ମାର୍ଗଶୀର ତିଥିରେ ବିଭାଘର କରିବ । ସେ ଚାକିରିଆଲୋକ । ଥରକୁ ଥର ଦୌଡ଼ି ପାରିବନି, ତାକୁ ସଫା ସଫା କଥା କହିଦିଅ । ଯଦି ଭରସା ପାଉଚି, ପୁଅ ଆସିବ ବିଭାହେବାକୁ ରାଜି ହେବ ତେବେ ତ ଭଲ, ନ ହେଲେ ତାକୁ ଆଜିଠୁ ମନାକର ।

 

ଏ ସବୁ ଦାଣ୍ଡ କାରବାର କଥାରେ ମୁଁ କ’ଣ କରିବି ମ, ତୁମେ ସବୁବେଳେ ମୋ ଉପରେ ଗୁଡ଼େ ଝାଡ଼ି ହେଉଚ ଯେ—, ଝାଡ଼ି ହେବିନି ? ମୋ ପୁଅ କଟକରେ ପଢ଼ିବ ବୋଲି ସେତେବେଳେ ଯୋଉ ସକେଇ ପକୋଉଥିଲେ, ସେ ଗୁଡ଼ାକ କୁଆଡ଼େ ଯିବ । ମୋ କଥାରେ ଥିଲେ ତ ଏତେ ବେଳକୁ ନାତି ନାତୁଣୀ ଧରି ବସନ୍ତଣି । ଆଉ ହାଣ୍ଡିଶାଳକୁ ଚୁଲିମୁଁଣ୍ଡ ଘୋଷାରୀ ହେଉ ଥାଆନ୍ତ କାହିଁକି ? କ’ଣ କହୁଚ, ପୁଅ ପହିଲି ପୂଜା ଦିନ ଆସିବଟି, ନା ସେତକ ହବନି ? ମୁଁ ଫେରେ ହାଟକୁ ଯାଇ ସୌଦାପତ୍ର ଆଣିବି ଯେ ? ତମେ ମତେ କ’ଣ ଏଡ଼େ ଏଡ଼େ ଆଖିକରି ପଚାରୁଚ ମ । ଚିଠି ପଢ଼ିଲ ପରା ! ହଁ, ହଁ ଏମିତି କେତେ ଚିଠି ପଢ଼ିଚି, ଆଜି ଆଉ ଚିଠି ପଢ଼ିବି କ’ଣ ? ପୁଅ ତ କଲିକତାରୁ ଲେଖିଚନ୍ତି—ସେଇଠି ଏବେ ଆଉ କେତେ ଦିନ ଅଟକି ଯିବେ ସେକଥା କିଏ କହିବ ? ତେଣିକି ମତେ ଆଉ ସମୟ ହେବନି, ପୁଅର ତ ପରୀକ୍ଷା ସବୁ ସରିଲାଣି-। ଲେଖିଚି ଯେତେବେଳେ ଆସିବ ବୋଲି କିମିତି ବିଚାରିବା ଯେ—ଆସିବନି ? ମୁଁ ବିଦୁ ହାତରେ କଟକରୁ ଚିଠି ଲେଖିଚି ତାଲିକାଟିଏ ମଧ୍ୟ ଦେଇଚି ପୂଜାପାଇଁ ସବୁ ଜିନିସ ଆଣିବା ଲାଗି-। ହଉ ତେବେ ଦେଖିବା ବୋଉଙ୍କର ଆଦେଶକୁ ପୁଅ କିମିତି ପାଳନ କରୁଚନ୍ତି । ପୁଅ ବୋଉଙ୍କ ଆଦେଶ ନ ପାଳନ୍ତୁ ପଛକେ ନନାଙ୍କ କଥା ପାଳିଲେତ ହେଲା । ୟାଙ୍କର ଦିନେ ଦିନେ ମନଟା କ’ଣ ହୋଇ ଯାଉଚି ପରା ମୋ ସାଙ୍ଗରେ ନ ଲାଗିଲେ ଭାତ ରୁଚେନି ।

 

ଶରତ ବାବୁଙ୍କ ନନା—ବୋଉ ଦୁଇ ଜଣଙ୍କ ମଧ୍ୟରେ ପୁଅ ବିଷୟ ନେଇ ବଚସା ଚାଲିଥିଲାବେଳେ ବିଦୁ ବାରିଆଡ଼ୁ ଖୁଡ଼ି—ଖୁଡ଼ି ବୋଲି ଚିତ୍କାର କରି ଘର ଭିତରକୁ ଦଉଡ଼ିଆସିଲା । ଖୁଡ଼ିଙ୍କୁ ଦେଖିବା ମାତ୍ରେ ଧଁ—ସଁ ହୋଇ କହିଲା, ‘‘ଖୁଡ଼ିମ ! ଶରତ୍ ଭାଇ ଚିଠି ଦେଇଚନ୍ତି, ପହଲି ପୂଜା ଦିନ ଭୋର ଜନତାରେ ଗାଡ଼ିରେ ଆସିବେ ବୋଲି । ଈଶରାକୁ ଷ୍ଟେସନକୁ ପଠେଇବା ପାଇଁ ମଧ୍ୟ ଲେଖିଚନ୍ତି, ରହ ରହ ଚିଠିଟା ମୁଁ ଆଣି ଦେଉଚି । ଶଶୀ ପରା ମୋ ହାତରୁ ଚିଠିଟା ଛଡ଼େଇ ନେଇଗଲା । ସେ ଦି ଦିନ ହେଲା କଲିକତାରୁ ଆସିଲେଣି । ଆମେ ଦେଇ ଥିବା ଚିଠି ସବୁ ସେ କଟକରେ ପାଇ ତାରି ଉତ୍ତର ପଠେଇଚନ୍ତି ପରା । ଦାମ ଦାଶେ ବିଦୁ ତୁଣ୍ଡରୁ ଏସବୁ କଥା ଗୁଡ଼ିକ ଶୁଣିବା ମାତ୍ରେ ଆନନ୍ଦରେ ଅଧୀର ହୋଇ ପଡ଼ିଲେ । ବିଦୁ ଉଦ୍ଦେଶ୍ୟରେ କହିଲେ—ହଇଲୋ ମା । କାହିଁ, ଭାଇ ଦେଇଥିବା ଚିଠିଖଣ୍ଡ ଟିକିଏ ଆଣିଲୁ ଦେଖିବା ! ହଉ କକେଇ ରହିଥ—ମୁଁ ନେଇ ଆସୁଛି କହି ବିଦୁ ବାରିଆଡ଼କୁ ଦଉଡ଼ିଗଲା ।

 

ଶରତ ବୋଉଙ୍କ ମନର ଆନନ୍ଦ କହିଲେ ନ ସରେ । ତାଙ୍କ ଆଖିରୁ ଧାର ଧାର ଲୁହ ବୋହି ଚାଲିଥାଏ । ବିଦୁ ବିଦ୍ୟୁତ୍‌ ବେଗ୍‌ରେ ଲଫାପା ଖଣ୍ଡିକ ନେଇ ଆସି ଦେଖିଲାବେଳକୁ କକେଇ ଦାଣ୍ଡ ଆଡ଼େ ଚାଲି ଗଲେଣି—ଖୁଡ଼ିଙ୍କ ଆଖିରୁ ଝରଣା ପରି ଲୁହ ବୋହି ଯାଉଚି । ବିଦୁ ନିଜର ଲୁଗା କାନିରେ ଖୁଡ଼ିଙ୍କର ଲୁହ ଧାର ପୋଛି ପକେଇ କହିଲା, ଖୁଡ଼ି ! ଶରତ ଭାଇ କାଲି ଆସିବେ ପରା—ତୁ କାନ୍ଦୁଛୁ କାହିଁକି ? ତତେ ମୋ ରାଣେ ଖୁଡ଼ି ତୁନି ହୋଇ ଯାଅ ।

 

ଶରତ୍‌ ବାବୁ ରାତି ପାଇଲେ ଗାଁକୁ ଆସିବେ—ଏହି ଖବର ପାଇବା ପରେ, ସାରା ଗାଁ ଗୋଟାକର ଲୋକେ ଚାତକ ପରି ଚାହିଁ ବସି ଥାଆନ୍ତି । କେତେବେଳେ ରାତି ପାଇବ—ଈଶରାର ଗୋଡ଼ ଆଉ ତଳେ ପଡ଼ୁ ନ ଥାଏ । ତା’ର ସାନ ସାଉକୁ ଦେଖିବା ମାତ୍ରେ—ସେ ପେଟର କଥାଗୁଡ଼ାକ ସବୁ ଗୋଟିଏ ରାହାରେ ଗପିଦେବ ବୋଲି ଆଗରୁ ପାଞ୍ଚ କରି ରଖିଥାଏ ।

 

(ଛଅ)

 

ପ୍ରତିଭାଦେବୀଙ୍କଠାରୁ ଏବଂ ବିଦୁ ପ୍ରଭୃତିକ ଚିଠିରୁ ଶରତ୍‌ ବାବୁ ଯାହା ବୁଝିଲେ— ସେଥିରେ ତାଙ୍କ ମନଟା ଭାରି ବ୍ୟଥିତ ହୋଇ ପଡ଼ିଲା । ତାଙ୍କ ଯୋଗୁରୁ ଗାଁଟା ମଧ୍ୟରେ ଯଦି ଏତେ ଗୁଡ଼ାଏ ଘଟଣା ଘଟି ଯାଇଛି, ତେବେ ଏ ତ କମ୍‌ କଥା ନୁହେଁ । ତଥାପି ତାଙ୍କ ମନର ଦମ୍ଭ ଯେ—ଯେତେ ଯାହା ଘଟିଥିଲେ ସୁଦ୍ଧା ସେ ଗାଁରେ ପହଞ୍ଚି ସମସ୍ତଙ୍କ ସାଙ୍ଗରେ ଦେଖା ସାକ୍ଷାତ ହୋଇ କାହାକୁ ସ୍ନେହ, କାହାକୁ ଭକ୍ତି, କାହାକୁ ଆଦର ସହକାରେ ପଚରା ଶଂଖୁଳା କରି ଦେଲେ ପୂର୍ବର ଭାବ ଗୁଡ଼ାକ ସମସ୍ତଙ୍କ ମନରୁ ନିଶ୍ଚେ ଅନ୍ତର ହୋଇଯିବ ।

 

ମଣିନାନୀ ସୁଦ୍ଧା ଏଥିରୁ ବାଦ୍‌ ପଡ଼ିବେନି । ମଣିନାନୀକୁ ସମସ୍ତେ ଦୁଷ୍ଟ ବୋଲି କହନ୍ତ, ମାତ୍ର ସେତ ଦିନେ ହେଲେ ଶରତ ବାବୁଙ୍କୁ ଦୁଷ୍ଟାମିର ଚିହ୍ନ ପର୍ଯ୍ୟନ୍ତ ଦେଖାଇ ନାହାଁନ୍ତି । ଦେଖିବା ମାତ୍ରେ ଶରତ୍‌ ବାବୁଙ୍କର ଦେହ ମୁଣ୍ଡ ଘଡ଼ିଏ କାଳ ଲାଗି ଆଉଁଷା ଆଉଁଷି କରି ଦିଅନ୍ତି । କେତେ ଦୁଃଖ ସୁଖ କଥାବାର୍ତ୍ତା ହୁଅନ୍ତି । ଆଉ ଗୋଟିଏ କଥା ଅଚ୍ୟୁତ ପୁର ଶହେ ଘର ବସ୍ତିରେ କିଏ ଶରତ୍‌ ବାବୁଙ୍କୁ ଭଲ ନ ପାଏ ଯେ ଏକା ମଣିନାନୀ କଥା ପଡ଼ିବ ।

 

ଶରତବାବୁଙ୍କ ମନଟା ଏଆଡ଼େ ଗୋଟାଏ ରାସ୍ତାରେ ଚାଲିଥିଲା । ଗାଁ କଥା ଭାବିବାକୁ ସେ ଅବସର ପାଉ ନଥିଲେ । ଏବେ ଗାଁକୁ ଯିବା ବିଷୟ ସ୍ଥିର ହୋଇଯିବାରୁ ତାଙ୍କ ମନ ମଧ୍ୟ ଚଞ୍ଚଳ ହୋଇ ଉଠିଲା । ଗାଁର ଏ ମୁଣ୍ଡରୁ ସେ ମୁଣ୍ଡଯାଏଁ ସଭିଏଁ ତାଙ୍କ ଆଖି ଆଗରେ ନାଚି ଉଠିଲେ । ଗାଁର କେତେ ଘଟଣା ଚିନ୍ତା କରି ତାଙ୍କ ମନରେ ଅନୁତାପ ମଧ୍ୟ ଜାତ ହେଲା । ବହୁ ଲୋକଙ୍କୁ ବହୁତ ଆଶା ସେ ଦେଇ ଆସିଛନ୍ତି—ହେଲେ କାହାର କିଛି ତ କରିପାରି ନାହାନ୍ତି । ବିଦୁପାଇଁ ଏକା ନୁହେଁ—ବିଦୁ, ଶଶୀ, ଲତା, ମୀରା ପ୍ରଭୃତିଙ୍କ ଲାଗି ଭଲ ଭଲ ବର କରିଦେବା ଦାୟିତ୍ୱ ସେ ଆପେ ଆପେ ଗ୍ରହଣ କରିଥିଲେ । ୟାଙ୍କରି କଥା ଉପରେ ବିଶ୍ୱାସ ରଖି ଆଜିଯାଏ ସେମାନେ ବର ଘର ଠିକ୍‌ କରି ନାହାଁନ୍ତି । ନାରଣ ଦାଶେ ଅନେକ ବାର ଖବର ମଧ୍ୟ ପଠେଇଲେଣି । ଏଇ ଗୁଡ଼ାକ ଭାବିଲାବେଳେ ସେ ଚିନ୍ତିତ ହୋଇ ପଡ଼ନ୍ତି । ପରମୁହୂର୍ତ୍ତରେ ମନକୁମନ ଆଶ୍ୱାସନା ଦିଅନ୍ତି ଯେ—ଯେଉଁ କାମଗୁଡ଼ାକ ବାକୀ ରହିଛି ତା ପାଇଁ ଏଥର ପ୍ରାଣ ପଣେ ଉଦ୍ୟମ କରିବେ । ନିଜର ଯାହା ମାନସିକ ଥିଲା ସେତକ ପୂର୍ଣ୍ଣ ହୋଇଛି, ତାଙ୍କର ଆଉ ଚିନ୍ତା କ’ଣ ? ବଡ଼ ଚିନ୍ତା ପାଠପଢ଼ିବା, ପାଶ୍‌ କରିବା, ସେତକ ତ ଯାଇଛି । ଏଥର ପୂର୍ବ ରୀତିରେ ଗାଁ ଗୋଟାକୁ ନିଜର କରି ସମସ୍ତଙ୍କ ପାଇଁ କାମ କରିବାକୁ ହେବ । ବିଚାରି ବସିଲେ ଗାଁ ଗୋଟାକ ନିଜର ନୁହେଁ କି ? ସମସ୍ତେତ ଗୋଟିଏ ପରିବାର । କିଏ ଦଦା, କିଏ କକା, କିଏ ଭାଇ—ଏକ ରକ୍ତ ଏକ ଜ୍ଞାତି ସବୁ ଏକ ।

 

ସେ ଦିନ ସନ୍ଧ୍ୟାବେଳେ ଶରତ୍‌ବାବୁ ପ୍ରତିଭାଦେବୀଙ୍କ ପାଖରୁ ବିଦାୟ ନେଇ ଯିବାଲାଗି ତାଙ୍କ ଘରକୁ ଆସିଥାଆନ୍ତି । ହସି ହସି ପ୍ରତିଭା ଦେବୀ କହିଲେ, ‘‘ଶରତ ! ଗାଁକୁ ଯାଇ ଘର ଧନ୍ଦାରେ ପଶିଗଲେ ଆମମାନଙ୍କୁ ଭୁଲିଯିବ ନାହିଁ ତ ? ମାର୍ଗଶୀର ମାସରେ ମତେ ତମ ଘରକୁ ଯିବାପାଇଁ ନିମନ୍ତ୍ରଣ କରିବଟି ’’ ? କାହିଁକି ଭାଉଜ, ମାର୍ଗଶୀର ମାସରେ ନିମନ୍ତ୍ରଣ କରିବି କାହିଁକି ? ବର୍ତ୍ତମାନ ନିମନ୍ତ୍ରଣ କରୁଚି ଆସୁନ । ଏ ଲୁଖୁରା ନିମନ୍ତ୍ରଣରେ କ’ଣ ଅଛି ? ଯେତେବେଳେ ତୁମେ ବରପୋଷାକରେ ମୁକୁଟ ପିନ୍ଧି ପାଲିଙ୍କି ଚଢ଼ି ବାଦ୍ୟ ବାଜଣାସହ ପଟୁଆରରେ କୋଉ ଅଜଣା ଗାଁଆର ଅଦେଖା ପ୍ରଣୟିନୀ ପାଖକୁ ଶୁଭାଗମନ କରୁଥିବ ସେତେବେଳେ ନିମନ୍ତ୍ରଣ କରିବ ଯେ—ମୁଁ ଯିବି । ନାଇଁ ଭାଉଜ, ତୁମ ଶରତ ପକ୍ଷରେ ଏସବୁ ଅସମ୍ଭବ ବ୍ୟାପାର । ଏଇଭଳି ସମୟଟାକୁ ତୁମେ ଯଦି ଲକ୍ଷ କରିଥାଅ ତେବେ ମୋଟେ ଯାଇପାରିବ ନି । ମାର୍ଗଶୀର ମାସରୁତ ପୌଷମାସ ହେବନି; ମତେ ପରା ନାନୀ କାନେ କାନେ କହି ଯାଇଚନ୍ତି । କନ୍ୟାଘର ଠିକଣା ହୋଇ ନିର୍ବନ୍ଧ ପର୍ଯ୍ୟନ୍ତ ସରିଚି । ହଉ ଯାଅ—ବେଳ ଆସିଲେ ସେ ସମ୍ପର୍କରେ କଥାବାର୍ତ୍ତା ହେବା ଯେ—ଶରତ୍‌ ବାବୁ ପ୍ରତିଭା ଦେବୀଙ୍କୁ ନମସ୍କାର କରି ମେସ୍‌କୁ ଚାଲି ଆସିଲେ । ବୋଉ ପଠାଇଥିବା ତାଲିକା ଅନୁସାରେ ଜିନିସ ପତ୍ର କିଣା କିଣି ଶେଷ କଲାବେଳକୁ ରାତି ପ୍ରାୟ ୮ଟା ବାଜିଗଲାଣି । ଏଣେ ମେସ୍‌ର ପିଲାଗୁଡ଼ିକ ଦେବୀ ଦେଖିଯିବା ପାଇଁ ଶରତ୍‌ ବାବୁଙ୍କ ଅପେକ୍ଷାରେ ରହିଥାଆନ୍ତି ।

 

ଶରତ୍‌ବାବୁ ବଜାରରୁ ଫେରିବା ସଙ୍ଗେ ସଙ୍ଗେ ମେସ୍‌ର ସମସ୍ତ ଛାତ୍ର ଦେବୀ ଦର୍ଶନ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇ ବାହାରି ପଡ଼ିଲେ । ଦେବୀ ଦେଖି ଯିବାରେ ଇଚ୍ଛା ନ ଥିଲେ ସୁଦ୍ଧା ଏତେ ଗୁଡ଼ିଏ ସାଙ୍ଗସାଥିଙ୍କର ଅନୁରୋଧକୁ ଏଡ଼ାଇ ଦେଇ ନ ପାରି ଶରତବାବୁ ବାଧ୍ୟ ହୋଇ ସମସ୍ତଙ୍କ ସାଙ୍ଗରେ ଦେବୀ ଦେଖିବାକୁ ବାହାରି ପଡ଼ିଲେ ।

 

ମେଘ ସମସ୍ତ ଆକାଶକୁ ଆଚ୍ଛନ୍ନ କରି ରଖିଚି । ଉଠାଣିଆ ମେଘ ମଝିରେ ମଝିରେ ଅସରାଏ ଲେଖାଏଁ ଅଜାଡ଼ି ଦେବାରେ ବ୍ୟସ୍ତ । ବହୁ ଲୋକ, ଗାଡ଼ି, ଘୋଡ଼ା, ମଟର, ସାଇକଲ, ରିକ୍‌ସା ଆଦିରେ ଯାତାୟତ କରୁଥିବାରୁ ରାସ୍ତାଗୁଡ଼ାକ ଭାରି ଗହଳି ହୋଇଥାଏ । ସେଥିରେ ପୁଣି ମଝିରେ ଠାଏ ଠାଏ ପାଣି ଜମାରହି ମଟର ଗଲାବେଳେ ପାଣି ଛିଡ଼ିକା ମାରି ଯାତ୍ରୀମାନଙ୍କର ଦଶହରା ପୋଷାକକୁ ଚିତ୍ର ବିଚିତ୍ର କରି ଦେଉଥାଏ । ମଫସଲ ଅଞ୍ଚଳରୁ ଆସିଥିବା ଯାତ୍ରିଗୁଡ଼ିକ ଦେବୀ ଦର୍ଶନରେ ଏତେ ତନ୍ମୟ ହୋଇ ପଡ଼ି ଥାଆନ୍ତି ଯେ ବର୍ଷା, କାଦୁଅ, ପାଣି ସେମାନଙ୍କୁ କେହି ହେଲେ ବାଧା ଦେଇ ପାରନ୍ତି ନାହିଁ ।

 

ବହୁ ଜନ ସମାଗମହେତୁ ରାସ୍ତାରେ ଯାତାୟତ କରିବା ବି ଅସମ୍ଭବ ହୋଇପଡ଼େ । ଶରତ୍‌ବାବୁ ସାଙ୍ଗସାଥିମାନଙ୍କ ଗହଣରେ ଚାଲି ଥାଆନ୍ତି । ତାଙ୍କ ସାଙ୍ଗରେ ଥିବା ପିଲାଗୁଡ଼ିକ କିଏ କେତେ ପ୍ରକାର ଭାବନାରେ ବ୍ୟସ୍ତ । କେହି ଦେବୀ ଦେଖାରେ ମନୋନିବେଶ କଲାବେଳକୁ ଅନ୍ୟ କେହି ହୁଏତ ଦେବୀ ଦର୍ଶନାର୍ଥୀ ସ୍ତ୍ରୀ, ପୁରୁଷମାନଙ୍କୁ ଲକ୍ଷ୍ୟ କରିବାରେ ନିବିଷ୍ଟ । ଶରତ୍‌ବାବୁଙ୍କର କିନ୍ତୁ ଏ ସବୁଥିରେ ଟିକିଏ ହେଲେ ସ୍ପୃହା ନ ଥାଏ । ତାଙ୍କର ଭାବନା ଗାଁକୁ ଗଲେ କିପରି କ’ଣ କରିବେ ? ଏଥି ମଧ୍ୟରେ ତାଙ୍କ ନାଆଁରେ ଗୋଟାଏ ବିରାଟ ଅପପ୍ରଚାର ହୋଇଯାଇଛି । ସେହି ଅପପ୍ରଚାର ହେତୁ ତାଙ୍କୁ ଅତି ସ୍ନେହ ଶ୍ରଦ୍ଧା ବାତ୍ସଲ୍ୟ ଆଦି ଦୃଷ୍ଟିରେ ଦେଖୁଥିବା ଲୋକମାନଙ୍କର ବିତୃଷ୍ଣା ଆସିଯାଇ ପାରେ । ତଥାପି ସେ ମନକୁ ଦୃଢ଼ କରାଇ ଦେଉଥାଆନ୍ତି ଯେ, ଯେତେ କଥା ଶୁଣିଥିଲେ ସୁଦ୍ଧା ଦେଖା ସାକ୍ଷାତ ହୋଇ କଥାବାର୍ତ୍ତା କରିବା ପରେ କାହାର ହେଲେ ଆଉ ସନ୍ଦେହ ରହିବ ନାହିଁ । ମଣିଷ ନିଜର ଭଲ ପଣିଆରେ କ’ଣ ବା ନ କରି ପାରିବ ? ଧରାଯାଉ ଅପପ୍ରଚାର ଯୋଗୁଁ ବିଦୁର ମୋ ଉପରେ ଅଶ୍ରଦ୍ଧା ଜନ୍ମିଥିବ । ମୁଁ ଗାଆଁରେ ପହଞ୍ଚିବା ପରେ, ବିଦୁ ସହିତ ଦେଖା ହେବା ମାତ୍ରେ ସେ ତ ନିଶ୍ଚେ ଭଦ୍ରତା ଖାତିରିରେ ନମସ୍କାରଟାଏ ପକେଇବ ! ମୁଁ ଠିକ୍‌ ପୂର୍ବ ରୀତିରେ ତା ଗାଲରେ କଅଁଳିଆ ଚଟକଣାଟାଏ ଦେଇ ଯେତେବେଳେ କହିବି ବିଦୁ ଏଇ ତିନିବର୍ଷ ଭିତରେ ତୁ କିପରି କ’ଣ ପଢ଼ାପଢ଼ି କରିଚୁ ଆଜି ସନ୍ଧ୍ୟାବେଳେ ସବୁ ପରୀକ୍ଷାନେବି । ତୁ ପରୀକ୍ଷାରେ ପାଶ୍‌ କଲେ ଭୋଜିଘର କରିବା କଥା ଦଦେଇଙ୍କି କହିବି । ତୋ ପାଇଁ ଭଲ ବରଟିଏ ଠିକ୍‌ କରିଛି; ଏଇ କେତେ ପଦ କଥା ସେ ମୋ ଠାରୁ ଶୁଣିବା ମାତ୍ରେ ତା’ର ସଂଚିତ ଖରାପ ଧାରଣା ଗୁଡ଼ାକତ ନିଶ୍ଚେ ଗୋଟିଏ ଲାଜଲଜୁଆ ହସଠାରୁ ଧକ୍‌କାଖାଇ ଉଭେଇ ଯିବ । ବୋଉର ମନ କଷ୍ଟ କଥା ଟାକୁ ବଦଳେଇ ଦେବାକୁ ମତେ ମୁହୂର୍ତ୍ତେ ବି ଲାଗିବ ନାହିଁ । ଛୋଟ ପିଲା ଋଷି ବସିଲା ପରି ବୋଉ ଆଗରେ ଅଭିନୟ ଦେଖାଇ ଟିକିଏ ତା’ର କୋଳକୁ ଆଉଜି ପଡ଼ିଲେ ସବୁ ରାଗ ଗଲା । ନନାଙ୍କୁ କିଛି କହିବାକୁ ପଡ଼ିବନି ! ବୋଉ ତାଙ୍କୁ ଠିକଣା ଜବାବ ଦେଇ ଦେବ । ଦଦେଇ ଟିକିଏ ବ୍ୟସ୍ତ ଥାଇପାରନ୍ତି । ତାଙ୍କପାଇଁ ୪।୬ଖଣ୍ଡ ପୁରାଣ ଆଉ କର୍ମକାଣ୍ଡ ବହି ନେଇଗଲେ ସେ ଭାରି ଖୁସିହୋଇ ପଡ଼ିବେ । ଈଶରାକୁତ ବନାର ପାଠ ପଢ଼ା, ଚାକିରି ଆଦି ବିଷୟରେ ଦୁଇଚାରି କଥା କହିଦେଲେ ତା’ର ଭାରି ଆନନ୍ଦ । ଈଶରାଠାରୁ ହିଁ ସବୁ କଥା ଜାଣିହେବ । ନ ପଚାରିଲେ ସୁଦ୍ଧା ସେ ଆପେ ଆପେ ସବୁ କହିଯିବ ଯେ— । ଗାଁର ଅନ୍ୟମାନଙ୍କୁ, କାହାକୁ କିପରି ଭଲ ମନ୍ଦ ପଚରା ଶଂଖୁଳାରେ ସବୁ ହୋଇଯିବ !

 

ରାସ୍ତାଯାକ ଶରତ୍‌ବାବୁ କେବଳ ଗାଁ ବିଷୟରେ ଭାବି ଭାବି ଚାଲି ଥାଆନ୍ତି । ଟାଉନ୍‌ହଲ ଛକ ପାଖରେ ଲୋକ ଭିଡ଼ କାହିଁରୁ କ’ଣ ? କାରଣ ସେଠାରେ ଯେଉଁ ମହିଷାସୁର ମର୍ଦ୍ଦିନୀ ଦୁର୍ଗାମୂର୍ତ୍ତି ତିଆରି କରାଯାଇଥାଏ, ସେଥିରେ ଶିଳ୍ପି ତାର ହସ୍ତ କୁଶଳତାର ଯଥେଷ୍ଟ ପ୍ରମାଣ ଦର୍ଶାଇ ପାରିଛି । ମୂର୍ତ୍ତିଟି ଯେପରି ସଜୀବ, ତାହା ହିଁ ଅନୁମତି ହେଉଥିଲା । କେଉଁ ହଜାର ହଜାର ବର୍ଷ ତଳେ ଦୁଷ୍ଟ ମହିଷାସୁରକୁ ଦୁର୍ଗା ସଂହାର କରିଥିବା କଥା ଲୋକେ ପୁରାଣରେ ଶୁଣୁଥିଲେ ସିନା, ଏଠାରେ ଯେ ପ୍ରତ୍ୟଷ ଦେଖିବାକୁ ମିଳୁଛି—ଲୋକ ଉପରେ ଲୋକ ନ ଜମିବେ କିପରି ? ଅସୁର ତାର ଚକ୍ଷୁ ଇନ୍ଦ୍ରିୟର ବଶବର୍ତ୍ତୀହୋଇ ଦୁର୍ଗତି ନାଶିନୀ ଦୁର୍ଗାଙ୍କର ଯୌବନ ଦର୍ଶନ ଅଭିଳାଷ ରଖି ନିର୍ନିମେଷ ନୟନରେ ଚାହିଁଥିବା ବେଳେହିଁ ମୃତ୍ୟୁକୁ ବରଣ କରିଛି ।

 

ଦଶହରାବେଳେ ବହୁ ଲୋକସମାଗମ ଯୋଗୁଁ ଯାନବାହାନର ଗତି ନିୟନ୍ତ୍ରଣ ବ୍ୟବସ୍ଥା ଯେ ନ ହୋଇଛି ଏପରି ନୁହେଁ; ତଥାପି ଅନେକ କ୍ଷେତ୍ରରେ ଯାନ ବାହନର ସଂଘର୍ଷ ଯୋଗୁଁ ଲୋକେ ଖଣ୍ଡିଆ ଖାବରା ହୋଇ ଡାକ୍ତରଖାନା ଯିବାକୁ ବି ପଡ଼ୁଛି ।

 

ଶରତ୍‌ବାବୁ ଅନ୍ୟମନସ୍କ ହୋଇ ସେହି ଭିଡ଼ ମଧ୍ୟରେ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଗୋଟିଏ ରିକ୍‌ସା ସହିତ ତାଙ୍କର ସଂର୍ଘଷ ଘଟିଲା ବେଳକୁ ରିକ୍‌ସାବାଲା ଏତେ ଜୋରରେ ବ୍ରେକ୍‌ ଦେଇଦେଲା ଯେ, ରିକ୍‌ସାଟି ସଂପୂର୍ଣ୍ଣରୂପେ ଓଲଟି ପଡ଼ିଲା ଏବଂ ରିକ୍‌ସାରେ ବସିଥିବା କିଶୋରୀ ଦୁଇଟି ବିବସ୍ତ୍ର ହୋଇ ଶରତ୍‌ବାବୁଙ୍କ ଉପରେ କଚାଡ଼ି ହୋଇ ପଡ଼ିଲେ । ଶରତ୍‌ବାବୁଙ୍କର ଦୃଷ୍ଟି ଝିଅ ଦୁଇଟିଙ୍କ ଉପରେ ସାମାନ୍ୟ ପଡ଼ିବାମାତ୍ରେ ସେ ମୁହଁଟାକୁ ଅନ୍ୟ ଆଡ଼କୁ ରଖି ସେମାନଙ୍କ ଦେହରେ ନିଜର ଖଦଡ଼ ଚଦରଟାକୁ ଘୋଡ଼ାଇ ପକାଇଲେ ଏବଂ ଆଉ ଗୋଟିଏ ରିକ୍‌ସା ସାହାଯ୍ୟରେ ସେ ଦୁହିଁଙ୍କୁ ଡାକ୍ତର ଖାନାକୁ ନେଇଗଲେ । କିଶୋରୀ ଦୁଇଟିଙ୍କର ସେବାରେ ଶରତ୍‌ବାବୁ ଲାଗି ପଡ଼ିବାରୁ ତାଙ୍କର ସାଙ୍ଗ ସାଥିମାନେ ଟିକିଏ ଥଟ୍ଟାଳିଆ କଥାବାର୍ତ୍ତା କରୁ ଥାଆନ୍ତି-। କିନ୍ତୁ ଶରତ୍‌ବାବୁ ପରି ସଚ୍ଚୋଟ ଚରିତ୍ରବାନ୍‌ ଯୁବକ ସେଭଳି ଥଟ୍ଟା ପରିହାସ ଉକ୍ତିରେ କର୍ଣ୍ଣପାତ କରିବେ ବା କାହିଁକି ? ବରଂ ସାଙ୍ଗସାଥିମାନଙ୍କୁ ଏ ସଂପର୍କରେ ଧର୍ମ ଶିକ୍ଷା ଦେବାକୁ ସେ ଧୁରନ୍ଧର । ବିଧୁବାବୁ କହିଲେ ବୁଝିଲ—ଶରତ ! ତୁ ସଂସାର କ୍ଷେତ୍ରରେ ଆବଦ୍ଧ ହେବାକୁ ଯାଉଥିବାବେଳେ—ସାଂସାରିକ କ୍ଷେତ୍ରରେ କେତେଗୁଡ଼ିଏ ପ୍ରଦର୍ଶନୀର ଦର୍ଶନ ସୁଯୋଗ ବେଶ୍‌ ପାଇପାରିବୁ । ଆଜି ଘରକୁ ଯିବୁବୋଲି ଏତେ ତରତର ହେଉଥିଲୁ—ସେହି ସୁଯୋଗଟା ଜୁଟି ଯିବା ବେଳୁ ଘରଦ୍ୱାର କଥା ମନରୁ କୁଆଡ଼େ ପାଶୋର ଗଲାପରା ?

 

ଛି—ଛି ବିଧୁ—ପାପ କଥା ଗୁଡ଼ାକ ମନରେ ଧରିବା ବି ଦୋଷ । ଝିଅ ଦୁଇଟି କେଡ଼େ ସାଂଘାତିକ ଆଘାତ ପାଇଲେ କହିଲୁ ? ଦୁଇଜଣ ଯାକ ପରା ମୋ ବେକକୁ ଛୁଆଙ୍କପରି ଭିଡ଼ି ଧଇଲେ । ଯାହାହେଉ ଠାକୁରଙ୍କ ମହିମାରୁ ସେ ଦୁହିଙ୍କର ଜୀବନ ରହିଗଲା । ନ ହେଲେ ଯଦି ନାଳଟା ଭିତରେ ପଡ଼ିଯାଇ ଥାଆନ୍ତେ ତେବେ ଅବସ୍ଥା ଅତି ସାଂଘାତିକ ହୋଇଯାଇ ଥାଆନ୍ତା । ତୁ’ତ ସେ ଦିଜଣଙ୍କୁ ରକ୍ଷାକରି ଦେଲୁ । ହଁ ଶରତ—ତୁ ଆଜି ରାତି ଗାଡ଼ିରେ ଘରକୁ ଯିବୁ ପରା ? ହଁ ଏଇ ବର୍ତ୍ତମାନ ତ ବାହାରିବି । ଯିବାର କଥା ନ ଯିବୁ କିମିତି । ମନଟା ତୋର ଉଡ଼ିବଣି ? ନାଇଁ ମ ବିଧୁ ! ମନ ଉଡ଼ିବାର ଆଉ କିଛି କାରଣ ନାଇଁ ଯେ—୩ବର୍ଷ ହେଲା ଘରକୁ ଯାଇନି । ସାଙ୍ଗସାଥି ଗୁଡ଼ିକ ମନେ ପଡ଼ୁଛନ୍ତି—ଘର ପ୍ରତି, ଗାଁ ପ୍ରତି ପୁଣି ଗୋଟାଏ ମମତା ତ ରହିଚି ।

 

ତା ଅପେକ୍ଷା ଭବିଷ୍ୟତ ସାଙ୍ଗର ମମତା ବେଶି ଆକର୍ଷଣ ଲଗାଇ ଦେବଣି ? ଆଜିଠାରୁ ସିନା ପ୍ରସ୍ତୁତ ହେଲେ ମାସକ ପରେ......

 

ବିଧୁ ! ଏତେ ଗୁଡ଼ିଏ ଦିନ ମୋ ସାଙ୍ଗରେ ଚଳି ସୁଦ୍ଧା ତୁ ମତେ ଆଦୌ ଷ୍ଟଡି କରି ପାରିଲୁନି ତ ? ମୁଁ ପରା ତତେ ବହୁବାର କହିଛି ମୋ ଜୀବନଟାକୁ ମୁଁ କେବଳ ସାଧାରଣ କାମରେ ବିନିଯୋଗ କରିବି । ଏ ଶପଥ ବହୁତ ଦିନରୁ କରି ନେଇଛି । ମୁଁ ଯେ ସବୁଦିନ ଚଣ୍ଡୀଙ୍କ ପାଖକୁ ଯାଏ,—ଦର୍ଶନ—କଲାବେଳେ ଠାକୁରାଣୀଙ୍କୁ ଏଇ କଥା ହିଁ ଜଣାଇ ଥାଏ ।

 

ଆଚ୍ଛା ହଉ, ବେଳ ଆସିଲେ ସବୁ କଥା ଗୁଡ଼ାକର ଖବର ମିଳିବ ଯେ—ମୁଁ ତ ଏଇ ମାସକ ଭିତରେ ମରି ଯାଉନି କିମ୍ବା କୁଆଡ଼େ ଚାଲି ଯାଉନି ! ହଉ ଯା—ସେ ଭଦ୍ରମହିଳା ଦୁହିଁଙ୍କଠାରୁ ବିଦାୟ ନେଇ ଆସ । ହେ—ବିଧୁ ! ସେ ଝିଅ ଦୁଇଟି ଅବିବାହିତା । ଉଇମେନ୍‌ସ କଲେଜର ଥାର୍ଡଇଅର ଛାତ୍ରୀ । ହଉ ସେ ଯାହା ହୁଅନ୍ତୁ ତୁ ତାଙ୍କ ପାଖରୁ ଶୀଘ୍ର ଆସିଲୁ । ମେଡ଼ିକାଲ ଖଟିଆ ଉପରେ ଥାଇ ରିକ୍‌ସା ଆଘାତ ପାଇଥିବା ଝିଅ ଦୁଇଟି ଯେତେବେଳେ ଶୁଣିଲେ ଶରତ୍‌ବାବୁ ଚାଲିଯିବାକୁ ବାହାରିଲେଣି ସେତେବେଳେ ତାଙ୍କର ପୀଡ଼ା ଆହୁରି ଦ୍ୱିଗୁଣିତ ହୋଇ ଉଠିଲା । ଦୁହେଁ ଅତି ବିନୟ ସହକାରେ ଶରତ୍‌ବାବୁଙ୍କୁ ଅନୁରୋଧ କଲେ ରାତିଟି ଅନ୍ତତଃ ସେଠାରେ ରହିବା ପାଇଁ । କିନ୍ତୁ କାର୍ଯ୍ୟର ଗୁରୁତ୍ୱ ଦୃଷ୍ଟିରୁ ସେମାନଙ୍କର ଅନୁରୋଧ ରକ୍ଷାକରି ନ ପାରି ଶରତବାବୁ ଦୁଃଖର ସହିତ ଫେରିଲେ । ଏବଂ ଗଲାବେଳେ ସେ ଦୁହିଙ୍କୁ ଆଶ୍ୱାସନା ଦେଇ ଗଲେ ଯେ, ଠାକୁରଙ୍କ କୃପାରୁ ତୁମେମାନେ ଆରୋଗ୍ୟ ଲାଭ କର । ଜୀବନ ପଥରେ ବହୁବାର ଖାଲି ସାକ୍ଷାତ କାହିଁକି ସହଯୋଗରେ ଅନେକ କିଛି ଦେଶ କାମ କରିବାର ଅଛି । ମୁଁ ଅନ୍ତତଃ ସପ୍ତାହାକ ପରେ ଏଠାକୁ ଆସି ତୁମମାନଙ୍କୁ ସାକ୍ଷାତ ଦେବି । କିଶୋରୀ ଦୁଇଟିର ବିଛଣାରୁ ଉଠିବା ସାମର୍ଥ୍ୟ ନ ଥିଲେ ମଧ୍ୟ ବହୁ କଷ୍ଟରେ କର ଲେଉଟାଇ ଶରତବାବୁଙ୍କୁ ଅନେକ ଦୂର ଯାଏଁ ଲକ୍ଷ କରୁ ଥାଆନ୍ତି ।

 

(ଆଠ)

 

ରାତି ବାରଟା ବାଜିବା ଉପରେ, ମହାଷ୍ଟମୀର ଅର୍ଦ୍ଧଚନ୍ଦ୍ର ଅସ୍ତ ଅପେକ୍ଷାରେ ରହିଲେଣି । ଉଠାଣିଆ ମେଘର ପ୍ରାଦୁର୍ଭାବ କେତେବେଳେ ଆକାଶ ମଣ୍ଡଳଟାକୁ ନିର୍ମଳ କରି ଦେଉଛି ତ ଆଉ କେତେବେଳେ ଆଚ୍ଛନ୍ନ କରି ପକାଉଅଛି । ସେଥିରେ ପୁଣି ତୁହାକୁ ତୁହା ଅସରାଏ ଲେଖାଁଏ ବର୍ଷା-। ଥଣ୍ଡା ପବନରେ ଦେହ ଶୀତେଇ ଉଠୁଥାଏ ।

 

ଶରତ୍‌ବାବୁ ଘରକୁ ଯିବା ପାଇଁ ଲୁଗାପଟା ସଜଡ଼ ସଜଡ଼ି କରିବାବେଳେ ଆଜିର ଏ ଅଚାନକ ବର୍ଷାରେ ନ ଯିବା ପାଇଁ ମେସ୍‌ର କେହି କେହି ଛାତ୍ରବନ୍ଧୁ କହୁ ଥାଆନ୍ତି । କିନ୍ତୁ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଶରତ୍‌ବାବୁ ପ୍ରୋଗ୍ରାମ ଚେଞ୍ଜ କରିବାରେ ସାହାସ କରି ପାରିଲେ ନାହିଁ ।

 

ବିଧୁବାବୁ କହିଲେ, ଯିବାକଥାତ, ଶୀଘ୍ର ବାହାରିପଡ଼—ଆମେ ତ ଆଉ ଅପ୍‌ସରା ଛବିର କଳ୍ପନା କରୁନୁ ଯେ—ରାତି ତମାମ ଅନିଦ୍ରା ହେବୁ । ତତେ ଗାଡ଼ିରେ ଚଢ଼େଇ ଦେଇ ଆସିଲେ ଆମେ ଟିକିଏ ହେଲେ ସୁଖ ନିଦ୍ରା କରିବୁ । ନା—ନା, ତୁମେ ସବୁ ବର୍ଷା ପବନରେ ଅଯଥା ଷ୍ଟେସନ ଯାଏ ଯିବ କାହିଁକି ? ମୁଁ ରିକ୍‌ସାରେ ଚାଲି ଯିବି ଯେ— ?

 

ବିଧୁବାବୁ କହିଲେ—ଆରେ, କେତେବେଳେ ସିନା ଆମମାନଙ୍କୁ ଅନ୍ତର କରିଦେବୁ, ଆଜିଠୁଁ ଏଭଳି ଆଡ଼ଛଡ଼ା କଥା କହୁଚୁ କାହିଁକି ? ଚାଲ ଚାଲ ଶୀଘ୍ର ଚାଲ । ଗାଡ଼ି ସମୟ ତ ଆଉ ମୋଟେ ଅଧଘଣ୍ଟେ ରହିଲା । ମେସ୍‌ରୁ ବାହାରି ଖଣ୍ଡେ ଦୂର ସମସ୍ତେ ଯାଇଛନ୍ତି—ଅସରାଏ ବର୍ଷା, ପବନ ସହିତ ସୁ—ସୁ—ହୋଇ ମାଡ଼ିଆସିଲା । ଅପେକ୍ଷା କରିବାକୁ ସମୟ ନାହିଁ । ସେହିପରି ଓଦା ଲଟପଟ ହୋଇ ସମସ୍ତେ ଚାଲି ଥାଆନ୍ତି । ଦଶହରା ଯୋଗୁଁ ଖଣ୍ଡିଏ ଖାଲି ରିକ୍‌ସା ପାଇବା ବି ମୁସ୍କିଲ । ଷ୍ଟେସନରେ ପହଞ୍ଚିଲାବେଳକୁ ଜନତା ଏକ୍‌ସପ୍ରେସ୍‌ଟା ବିକଟାଳ ନାଦଟାଏ କରି ଷ୍ଟେସନ ଛାଡ଼ିବାକୁ ପ୍ରସ୍ତୁତ ହେଉଥାଏ । ଟିକେଟ କରିବାକୁ ଅବସର ବା କାହିଁ ? ଶରତ୍‌ବାବୁ ଟ୍ରେନ୍‌ର ଏପାଖ ସେପାଖ ଦଉଡ଼ା ଦଉଡି କରି ଗାର୍ଡ ସାହେବଙ୍କର ଅନୁମତି ନେଇ ଗୋଟିଏ ବଖରାରେ ଉଠିବାକୁ ଚେଷ୍ଟା କଲେ । ଗାଡି ଏତେ ଭିଡ଼ ହୋଇଥାଏ ଯେ, ପ୍ରତି ବଖରାର ଦୁଆର ଖୋଲିବାକୁ ସୁଦ୍ଧା ସୁବିଧା ନାହିଁ । ଚାହୁଁ ଚାହୁଁ ଟ୍ରେନ୍‌ ମନ୍ଥରଗତି ଆରମ୍ଭ କରିଦେଲାଣି । ବିଧୁବାବୁ କହିଲେ, ଶରତ୍‌ ! ତୋର ଭଦ୍ରାମି ସବୁ କ୍ଷେତ୍ରରେ କେବେହେଲେ କାମ ଦେବ ନାହିଁ । ଜବର ଦସ୍ତି ଗୋଟାଏ ବଖରାରେ ନ ପଶିବୁ ତ ଚାଲ ମେସ୍‌କୁ ଫେରିଯିବା । ଶରତ୍‌ବାବୁ ଟିକିଏ ହସିଦେଇ କହିଲେ—ହଉ ହଉ ତୋ ଅଭଦ୍ରାମି କିପରି କ’ଣ କରୁଛୁ ଶୀଘ୍ର କଲୁ । ବିଧୁବାବୁ ଶରତ୍‌ବାବୁଙ୍କର ଜିନିସ ପତ୍ର ଗୁଡ଼ିକୁ ଗୋଟିଏ ବଖରାର ଝରକା ବାଟେ ଭିତରକୁ ଗଳାଇ ପକାଇ ଶରତବାବୁଙ୍କୁ ସେହିବାଟେହିଁ ଭିତରିକୁ ଠେଲି ଦେଲେ । ଶରତ୍‌ବାବୁ ଟ୍ରେନ୍‌ ଭିତରକୁ ଚାଲିଗଲେ ସତ ମାତ୍ର ତା ଭିତରେ ଗୋଡ଼ ରଖିବା ପାଇଁ ସୁଦ୍ଧା ଠାବ ପାଇଲେ ନାହିଁ । ଗୋଡ଼ ଦୁଇଟା କେତେବେଳେ କାହା ମୁଣ୍ଡ ଉପରେ ପଡ଼ିଯାଏ ତ ସେଠାରୁ ଘୁଞ୍ଚାଇ ଦେଲାବେଳେ ଅନ୍ୟ କାହାର ଦେହରେ ବାଜିଥାଏ । ଚାଳିଶ ଜଣ ବସିପାରିବା ଭଳି ବଖରାଟିରେ ତିନି ଗୁଣ କିମ୍ବା ଚାରି ଗୁଣ ଲୋକ ଚୁଣ୍ଟି ହୋଇଛନ୍ତି । ଶରତବାବୁ ବଖରାଟି ଭିତରେ ଥିବା ଯାତ୍ରୀମାନଙ୍କ ଉପରେ ଥରେ ଆଖି ଦୁଇଟା ବୁଲାଇ ଆଣି ଜାଣିଲେ ଯେ–ସେହି ବଖରାରେ ବସିଥିବା ଯାତ୍ରିଗୁଡ଼ିକ ସବୁ କଲିକତା ଫେରନ୍ତା କୁଲ୍ଲି । ସମସ୍ତଙ୍କର ବେଶଭୂଷା ନିହାତି ମଳିନ । କେହି କେହି କୋଡ଼ି, କୋଦାଳ, ମୂନ୍ଦୁରା ପର୍ଯ୍ୟନ୍ତ ମୁଣ୍ଡରେ ଧରି ଛିଡ଼ା ହୋଇଥାଆନ୍ତି । ନିରୀହ କୁଲ୍ଲିଗୁଡ଼ିଙ୍କୁ ଏପରି ନିରାଶ ଭାବରେ ଛିଡ଼ା ହୋଇଥିବାର ଦେଖି ଶରତ୍‌ବାବୁଙ୍କର ଛାତି ଭିତରେ ଯେପରି ଆନ୍ଦୋଳନର ଝଡ଼ ଉଙ୍କିମାରି ଉଠୁଥାଏ । ଖୁବ୍‌ ନିକଟରେ ସେ କଲିକତା ଜଗଦଳ ପ୍ରବାସୀ ଉତ୍କଳ ସମ୍ମିଳନୀରେ ଯୋଗଦେଇ ବକ୍ତୃତା ଛଳରେ ଯାହା ସବୁ ଶୁଣିଥିଲେ ସେ ଘଟଣାମାନ ଆଖିରେ ଦେଖି ତାଙ୍କ ହୃଦୟରେ ବିଦ୍ରୋହ ଜାଗ୍ରତ ହେଲା । ହକ୍‌ ଧନ ଦେଇ ସୁଦ୍ଧା ଶ୍ରମଜୀବୀ ଗୁଡ଼ିକ ସବୁ କ୍ଷେତ୍ରରେ ଏପରି ନିର୍ଯ୍ୟାତିତ ହେଉଛନ୍ତି ! ଏହାର କ’ଣ କିଛି ପ୍ରାୟଶ୍ଚିତ ହୋଇପାରିବ ନାହିଁ ? ନିଶ୍ଚୟ ଏହାର ପ୍ରତିକାର ଲାଗି ଯୁବ ଶକ୍ତିକୁ ଉଦ୍‌ବୋଧନ ଦେବାକୁ ହେବ । ଏପରି କେତେ କ’ଣ ଭାବିବା ଭିତରେ ସେ ବଖରାଟିର ଚତୁର୍ଦ୍ଦିଗକୁ ଲକ୍ଷ୍ୟ କରୁଥାଆନ୍ତି । ହଠାତ୍‌ ତାଙ୍କର ଆଖି ପଡ଼ିଗଲା ଆରପାଖରେ ଥିବା ଦୁଇଟି ବେଞ୍ଚରେ ମାତ୍ର ଚାରି ଜଣ ଯାତ୍ରୀ ନିଜ ନିଜର ବେଡିଂ ଗୁଡ଼ିକୁ ବିଛାଇ ଦେଇ ନିରାଲମ୍ବ ହୋଇ ଶୋଇ ପଡ଼ିଛନ୍ତି । ଏତିକି ଦେଖିବାମାତ୍ରେ ଶରତ୍‌ବାବୁଙ୍କର ବରଫପରି ଥଣ୍ଡାଥିବା ଦେହଟା ଉତ୍ତପ୍ତ ହୋଇ ଆସିଲା । ବିନା ବିଚାରରେ ଶୋଇଥିବା ଯାତ୍ରୀଗୁଡ଼ିଙ୍କ ସହିତ ସେ ବାହୁଯୁଦ୍ଧ ପର୍ଯ୍ୟନ୍ତ ଘୋଷଣା କରିଦେବାକୁ ଉଦ୍ୟତ ହୋଇ ପଡ଼ିଲେ । ମାତ୍ର ସେ ପର୍ଯ୍ୟନ୍ତ ଯିବାକୁ ସୁବିଧା କାହିଁ ? ଟିକିଏ କର ଫେରାଇ ଦେବାର ଆୟତ୍ତ ନ ଥାଏ ।

 

ଶରତ୍‌ବାବୁ ଜଣେ ଯାତ୍ରୀକୁ ଲକ୍ଷକରି କହିଲେ ‘‘ହଇଏ ବାବୁ ! ସେ ଶୋଇଥିବା ଲୋକଗୁଡ଼ାଙ୍କୁ ଟିକିଏ ଉଠେଇ ଦେଲ ? ଯାତ୍ରୀଟି ସେତକ କରିବାବୁ ସାହସ ନ କରି ନ ଶୁଣିଲା ଭଳି ଠିଆ ହୋଇଥାଏ । ଶରତ୍‌ବାବୁ ପୁଣି ଖୁବ୍‌ ଜୋରରେ କହିଲେ—ହଓଇ ! ତୁମକୁ କହିଲି ପରା ସେ ବାବୁମାନଙ୍କୁ ବସିବାକୁ କହ ବୋଲି । ଗାଡ଼ିରେ ଯାତ୍ରୀମାନେ ଠିଆ ହେବାପାଇଁ ସ୍ଥାନ ପାଉ ନ ଥିବାବେଳେ ସେମାନେ ମଉଜରେ ଶୋଇଚନ୍ତି କାହିଁକି ? ଶରତ୍‌ବାବୁଙ୍କର ଟାଣୁଆ ନିର୍ଦ୍ଦେଶରେ କୁଲ୍ଲି ଯାତ୍ରୀଟି ଆଉ ନୀରବରେ ଠିଆ ହୋଇ ପାରିଲା ନାହିଁ । ଉତ୍ତର ଦେଲା—ନାହିଁ ଆଜ୍ଞା, ଆମେ କୁଲ୍ଲି ମୂଲିଆ ମୁଣ୍ଡ, ସେ ହାକିମ ହୁକୁମା ଲୋକ ଶୋଇଚନ୍ତି; ତାଙ୍କୁ ଉଠାଇବା ଦରକାର କ’ଣ ? ନିଦ ଭାଙ୍ଗିଲେ ସେମାନେ ଗାଳି ଫଜିତ କରିବେ । ମୁଁ ଉଠେଇ ପାରିବି ନି । ଶରତବାବୁ ଆହୁରି ରାଗରେ ଜର୍‌ ଜର୍‌ ହୋଇ କହିଲେ—ଆରେ । ମୁଁ କହୁଚି ଉଠାଇ ଦିଅ । ସେ ତୁମକୁ ଗାଳି ଫଜିତ କଲେ ମୁଁ ବୁଝିବି । ନାଇଁ ଅବଧାନେ ମୁଁ ପାରିବି ନାହିଁ । ଆପଣ ନିଜେ ଆସି ସେମାନଙ୍କୁ ଉଠାଇବେ ତ ଉଠାନ୍ତୁ ।

 

ଶରତ୍‌ବାବୁଙ୍କର ରାଗ ଜର୍ଜର ପାଟିତୁଣ୍ଡ ଶୁଣି ବଖରା ଭିତରେ ଥିବା କୁଲ୍ଲିଗୁଡ଼ିକ ତଟସ୍ଥହୋଇ ଶୁଣୁଥାଆନ୍ତି । ଶରତ୍‌ବାବୁ କୁଲ୍ଲିମାନଙ୍କର ଦୁର୍ବଳତାକୁ ଲକ୍ଷ୍ୟକରି କହି ଚାଲିଲେ—ତୁମମାନଙ୍କର ଏହିପରି ଡରୁଆ ସ୍ୱଭାବଯୋଗୁଁ ତୁମେସବୁ ବାର ହୀନଅବସ୍ଥା ଭୋଗୁଚ ନା ! ମଣିଷ ମଣିଷକୁ କ’ଣ ଗିଳି ପକେଇବ ? ସେ ପର୍ଯ୍ୟନ୍ତ ଯିବାକୁ ସୁବିଧା ନ ଥିବାରୁ ମୁଁ ତୁମକୁ କହିଲି । ଗାଡ଼ିରେ ଶହ ଶହ ଯାତ୍ରୀ ଠିଆହେବାକୁ ସ୍ଥାନ ପାଉ ନଥିବାବେଳେ ସେମାନେ ଶୋଇବେ ! ଶୋଇବାର ଥିଲେ ଗାଡ଼ିଟାକୁ ରିଜର୍ଭ କଲେନାହିଁ କାହିଁକି ?

 

ଏତିକିବେଳେ ଆଉ କେତେଜଣ ଯାତ୍ରୀ ଏକାବେଳକେ କହି ଉଠିଲେ—ନାଇଁ ବାବୁ, ଆପଣ ବଡ଼ଲୋକ, ସେ ବଡ଼ଲୋକ ତୁମେ ସିନା ତାଙ୍କୁ କିଛି କହିପାରିବ ଆମେ କ’ଣ କହିବୁ ? ଆପଣ ଟିକିଏ କଷ୍ଟକରି ଏଇବାଟେ ସେଠାକୁ ଚାଲି ଯାଆନ୍ତୁ, କହି ଠିଆ ହୋଇଥିବା ଯାତ୍ରୀଗୁଡ଼ିକ ଶରତବାବୁଙ୍କୁ ରାସ୍ତା ଛାଡ଼ିଦେବାପାଇଁ ଆହୁରି ସଙ୍କୁଚିତ ହୋଇ ପଡ଼ିଲେ । ତା’ରି ଭିତରୁ କେହି କେହି କହିଲେ ବାବୁ ! ଆପଣ ଆମ ଉପରେ ଗୋଡ଼ ଲଦି ସେଠାକୁ ଚାଲି ଯାଆନ୍ତୁ ।—

 

ଶରତବାବୁ କ୍ଷିପ୍ର ବେଗରେ ଠେଲିପେଲି ହୋଇ ଶୋଇଥିବା ଯାତ୍ରୀମାନଙ୍କ ପାଖରେ ପହଞ୍ଚିଲେ । ସେତେବେଳକୁ ଶୋଇଥିବା ଚାରି ଜଣଙ୍କ ମଧ୍ୟରୁ ଜଣେ ମୋଡ଼ି ଭିଡ଼ିହୋଇ କର ଲେଉଟାଉ ଥିଲେ । ଶରତବାବୁଙ୍କ ପାଟିରେ ତାଙ୍କର ନିଦଟା ଭାଙ୍ଗିଗଲା । ସେ ବିଛଣା ଉପରେ ଆଖି ମଳି ମଳି ବସିଲେ ଏବଂ କାଚ ଝରକାବାଟେ ବାହାରପଟକୁ ଚାହିଁ ମନେ ମନେ କହିଲେ—ଭୀଷଣ ବର୍ଷା ହେଉଚି ତ ! କଟକ ଷ୍ଟେସନ ଚାଲିଗଲାଣି ପରା ? ଉଠୁବେ ଅଜୟ— । କଟକ ଷ୍ଟେସନ ଦେଖିବୁବୋଲି କହୁଥିଲୁ ଯେ—ଆମେ ଶୋଇଥିବାବେଳେ କଟକ ଷ୍ଟେସନ ଚାଲିଗଲାଣି-। ୧୦ ବର୍ଷର ବାଳକଟିଏ ଅଳସ ଭାଙ୍ଗିଲାପରି ବିଛଣାରୁ ଉଠି, ନାକ କାନ୍ଦଣା ସ୍ୱରରେ କହିଲା, ନାନୀ ମତେ ଉଠେଇଲୁନି—ମୁଁ ତତେ କହିଥିଲି ପରା କଟକ ଷ୍ଟେସନ ପଡ଼ିଲେ ଉଠେଇଦେବୁ ବୋଲି ? ନିଦତ ଲାଗିଗଲା—ମୁଁ କ’ଣ କରିବି ? ହଉ ଆଗରେ ଜଟଣୀ ପଡ଼ିବ ଯେ । ଏଥର ଆଉ ଶୁଅନା ଜଟଣୀ ଷ୍ଟେସନ ଭାରି ବଡ଼ କହି ଯୁବତୀଟି ଛୋଟ ଭାଇଟିକୁ ବୋଧଦେବାରେ ଲାଗିଥାଏ । ଶରତବାବୁଙ୍କର ଜାତ ହୋଇଥିବା ମନର ରାଗ କେଜାଣି କାହିଁକି ଆପେ ଆପେ ମୁଣ୍ଡ ନୁଆଇଁ ଆସିଲା । ଯେଉଁ ଟାଣପଣ ଧରି ସେ ଏଡ଼େ ଗହଳି ଭିତରେ ଧଷେଇ ଆସିଥିଲେ, ତାହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ଟାଣୁଆକରି ପଦେ ଅଧେ କହିଦେବାଲାଗି ଛାତିଟାକୁ ସେ ବରାବର ଦୃଢ଼ କରୁଥାଆନ୍ତି । କିନ୍ତୁ କେହି ଯେପରି ତାଙ୍କ ଶକ୍ତିକୁ ହଠାତ୍‌ କାବୁ କରିଦେଉଛି ସେ ତାହାହିଁ ଅନୁଭବ କଲେ ।

 

ଛୋଟଭାଇଟି ସାଙ୍ଗରେ ଇଆଡ଼ୁ ସିଆଡ଼ୁ ଦିପଦ କଥାବାର୍ତ୍ତା ହେଉଥିବାବେଳେ ଯୁବତୀଟିର ଆଖି ଦୁଇଟି ଯେ ଶରତବାବୁଙ୍କୁ ଥରେ ଅଧେ ପରିକ୍ରମା ନ କରିଛି ଏପରି ନୁହେଁ; ମାତ୍ର ତାହା ଉପସ୍ଥିତ ଦର୍ଶକମାନେ ଜାଣିବାଭଳି ହୋଇ ନ ଥିଲା ! ଶରତ୍‌ବାବୁଙ୍କପରି ଯୁବତୀଟି ବୋଧହୁଏ ଶରତବାବୁଙ୍କୁ କିଛି କହିବାପାଇଁ ମନକୁ ଦୃଢ଼ କରାଉଥାଏ । ଘଟଣା ସ୍ଥଳରେ ଶରତ୍‌ବାବୁଙ୍କର ଉଦ୍ଦେଶ୍ୟଟା ଅନେକ କ୍ଷଣଯାଏଁ କାର୍ଯ୍ୟକାରୀ ହେଉନାହିଁ । ଏଥିରେ ଯାତ୍ରୀଗୁଡ଼ିକ କିଏ କେତେପ୍ରକାର ଧାରଣା କରି ନେଲେଣି । ମୂଲିଆ ମୁଣ୍ଡ ବିଦେଶରେ କୁଲ୍ଲିକାମ କଲେ ବୋଲି ତାଙ୍କର କ’ଣ ମଣିଷପଣିଆ ନାହିଁ ? ଏଣେ ଶରତବାବୁଙ୍କ ଚେହେରା ସହିତ ଯୁବତୀଟିର ଚାରୁ ଗଠନ ପରିପାଟୀ ପ୍ରାୟ ମିଶି ଯାଉଥାଏ । ଯୁବତୀଟିର ପାଖରେ ଶରତ୍‌ବାବୁ ଛିଡ଼ା ହୋଇଥିଲାବେଳେ କେହି ନୂଆ ଯାତ୍ରୀ ଦେଖିଲେ—ସେ ନିଃସନ୍ଦେହରେ ବିଚାର କରନ୍ତା ଯେ—ଏ ଦୁହେଁ ନିଶ୍ଚୟ ନବ ବରବଧୂ । ଆଉ ଉଭୟଙ୍କର ମିଳନ ସବୁ ଦୁଷ୍ଟିରୁ ଯଥାର୍ଥ ହୋଇଛିବୋଲି ଆନନ୍ଦ ଲାଭ କରନ୍ତା— ।

 

ହଠାତ୍‌ ଯୁବତୀ ଶରତ୍‌ବାବୁଙ୍କ ଉପରେ ଲଜ୍ଜା ଆଚ୍ଛାଦିତ ଦୃଷ୍ଟିପାତ କରି କହିଲେ—ଆପଣ କ’ଣ କଟକ ଷ୍ଟେସନରେ ଚଢ଼ିଲେ ? ହଁ, ଠିଆ ହୋଇଚନ୍ତି କାହିଁକି,—ବସପଡ଼ୁ ନାହାଁନ୍ତି କହି ଯୁବତୀଟି ବିଛଣା ଉପରଟାକୁ କେବଳ ଝାଡ଼ି ଦେଉଥାଏ । ଶରତବାବୁ ବିଛଣା ଉପରେ ବସିବାର ସାହସ କରି ପାରୁନଥାନ୍ତି ବୋଧହୁଏ; ତେଣୁ ସେ କାଠ ପିତୁଳାଟିପରି ଦଣ୍ଡାୟମାନ ହୋଇ ରହିଲେ ।

 

ଆପଣ ବସନ୍ତୁ ମ ! —ମୁଁ ଆଉ ଶୋଇବି ନାହିଁ ଯେ—ଖୁବ୍‌ ଶୋଇପଡ଼ିଥିଲି । ତଥାପି ଶରତ୍‌ବାବୁ ଟିକିଏ ହେଲେ ଆଗେଇ ପାରିଲେ ନାହିଁ !! ତାଙ୍କ ମନରେ ଯୁବତୀଟି ପ୍ରତି ସ୍ନେହ, ଶ୍ରଦ୍ଧା, ଆନ୍ତରିକତା ଆଶକ୍ତି ବେଳୁବେଳ ବଢ଼ିଚାଲିଥାଏ । ମଝିରେ ମଝିରେ ବିସ୍ମିତହେଉ ଥାଆନ୍ତି, ଯୁବତୀଝିଅ—ଅପରିଚିତା ଜଣେ ଯୁବକ ପ୍ରତି ତା’ର ଏତେ ମୋହ ବା କାହିଁକି ? ସେ କ’ଣ ଆମ ସାମାଜିକ ରୀତି ନୀତି ଜାଣେ ନି ?

 

ଘଟଣା କ୍ଷେତ୍ରରେ ଶରତ୍‌ବାବୁ ବେଶ୍‌ ଅନୁମାନ କରି ନେଇଛନ୍ତି ଯେ—ଅନ୍ୟବେଞ୍ଚଟିରେ ଶୋଇଥିବା ସ୍ତ୍ରୀ ପୁରୁଷ ଦୁଇଜଣ ଏମାନଙ୍କର ସମ୍ପର୍କୀୟ । ଯଦି ସେମାନଙ୍କର ନିଦ ଭାଙ୍ଗିଯାଏ ତେବେ ଯୁବତୀଟିର ମୋ ପ୍ରତି ବ୍ୟବହାରକୁ ସେମାନେ ହୁଏତ ପସନ୍ଦକରି ପାରିବେ ନାହିଁ, ଫଳରେ ଘଟଣାଟି ନିତାନ୍ତ ଅସୁନ୍ଦର ଦେଖାଯିବ ।

 

ଗାଡ଼ି ବଖରାଟି ଭିତରେ ଠିଆ ହୋଇଥିବା ଲୋକଗୁଡ଼ିକ ଖୁବ୍‌ ଆଶାବାଦୀ ହୋଇ ପଡ଼ିଥିଲେ ଶରତବାବୁଙ୍କ ବୀର ବାକ୍ୟରେ, କିନ୍ତୁ ଆଖି ଆଗରେ ଯେଉଁ ଅଭିନୟ ଦେଖିବାକୁ ପାଉଛନ୍ତି ସେଥିରେ ତାଙ୍କର ଆଶା ତ କେତେବେଳୁ ଉଭେଇ ଗଲାଣି, ମାତ୍ର ଏ ଦୁଇଜଣଙ୍କ ମଧ୍ୟରେ କିପରି କ’ଣ ଆଳାପ ଚାଲୁଛି ତାହା ଦେଖିବାପାଇଁ ସେମାନେ ଏକ ଦୃଷ୍ଟିରେ ଚାହିଁ ରହିଥାଆନ୍ତି । କୁଲି ମୂଲିଆଗୁଡ଼ିକ ସେମାନଙ୍କର ମନର ଭାବ ବ୍ୟକ୍ତ କରିବାଲାଗି ସାହାସ କରନ୍ତି ନାହିଁ ସିନା—କଥାର ମର୍ମ ବୁଝିବାଭଳି ଶକ୍ତି ସେମାନଙ୍କର ଯଥେଷ୍ଟ ଅଛି ।

 

ଶରତ୍‌ବାବୁ ସୁନ୍ଦର ସୁରୁଚି ସମ୍ପନ୍ନ ନିଖୁଣ ଯୁବକ । ଜଣେ ଅନିନ୍ଦ୍ୟସୁନ୍ଦରୀ ଯୁବତୀର ବାରଂବାର ଅନୁରୋଧକୁ କେତେ ଅବା ଉପେକ୍ଷା କରିପାରନ୍ତେ !! ପରିଣତି ଯାହାହେଉନା କାହିଁକି–ସେ ଆଉ କଥା ଭାଙ୍ଗିପାରିଲେ ନାହିଁ । ବେଞ୍ଚର ଗୋଟିଏ କଡ଼କୁ ସଂକୁଚିତ ହେଲାପରି ବସିପଡ଼ିଲେ । ବାଳକଟି ଅପରିଚିତ ଶରତବାବୁଙ୍କୁ ତା ନାନୀର ଚିହ୍ନାଲୋକପରି କ’ଣ ପଦେ ଅଧେ ପଚରା ପଚରି କରୁଥାଏ । ଶରତବାବୁ ତା ପ୍ରଶ୍ନର ଉତ୍ତର ଦେଉ ଥାଆନ୍ତି ସତ, ମାତ୍ର ତାଙ୍କ ଛାତି ଭିତରଟାରେ ଉପସ୍ଥିତ କ୍ଷେତ୍ରର ଘଟଣାନେଇ ଅନେକ ଦ୍ୱନ୍ଦ ଅମିମାଂସୀତ ଅବସ୍ଥାରେ ଘାଣ୍ଟିଚକଟି ହୋଇପଡ଼େ ।

 

କିଛି ସମୟପରେ ବାଳକଟି ତା’ର ପୂର୍ବସ୍ଥାନକୁ ଯାଇ ନିଦରେ ଶୋଇପଡ଼ିଲା । ଅବଶ୍ୟ ଯୁବତୀଟି ବାଳକଟିର ଶୋଇବା ଲାଗି ଯତ୍ନ ବି କରିଛନ୍ତି ।

 

ଦୁଇ ତିନି ହାତ ବ୍ୟବଧାନରେ ବସିଥିବା ଯୁବକ ଯୁବତୀ—ନିଜ ନିଜର ଚାହାଁଣୀ କୌଶଳ ପ୍ରୟୋଗକରି ପରସ୍ପରକୁ ପର୍ଯ୍ୟବେକ୍ଷଣ କରିବାରେ ବେଶ୍‌ ଆଗେଇ ପାରିଲେ ।

 

ଅଧରାତି, ବର୍ଷା, ମେଘ ଅନ୍ଧାର; ମଝିରେ ମଝିରେ ଘଡ଼ଘଡ଼ିର ଚମକ କାହାକୁ ହେଲେ ଖାତିର ନକରି ଟ୍ରେନଟି ଆଗକୁ ଆଗକୁ ବିଦ୍ୟୁତ୍‌ବେଗରେ ଚାଲିଥାଏ । ବାହାରର ଝଡ଼ ତୋଫାନଠାରୁ ଆହୁରି ଅଧିକ ଝଡ଼ତୋଫାନ ଆକସ୍ମିକ ସାକ୍ଷାତପ୍ରାପ୍ତ ଏି ଯୁବକ ଯୁବତୀ ଦୁହିଁଙ୍କର ମନ ମଧ୍ୟରେ ଯେ ବୋହିଚାଲିଛି—ତାହା ସେହିମାନେହିଁ ଅନୁଭବ କରୁଥାଆନ୍ତି !! ସେଇ ବଖରାଟି ଲୋକଶୂନ୍ୟ ହୋଇଥିଲେ ଦୁହେଁ ଠାକୁରଙ୍କୁ କେତେ ଯେ—ପ୍ରଣତି ଜଣାଇ ଥାଆନ୍ତେ ତା’ର ସୀମା ରହନ୍ତା ନାହିଁ । କିନ୍ତୁ ଏତେ ଲୋକ ସମାଗମ ଭିତରେ ପେଟ ଭିତରର କାମନା—କାମନାରେହିଁ ରହିବା ବ୍ୟତିତ ଉପାୟ କ’ଣ ?

 

ଆପଣ କ’ଣ ବ୍ରହ୍ମପୁର ଯିବେ ? ନା—ନା ମୁଁ ଚିଲିକା ଷ୍ଟେସନରେ ଓହ୍ଲେଇବି । ଚିଲିକା-! ଓହୋ ଭାଲେରୀ ପାହାଡ଼ ତଳ ଷ୍ଟେସନଟି ନୁହେଁ ?? ଗାଡ଼ି ସେଠାରେ ପହଞ୍ଚିଲା ବେଳକୁ ବୋଧହୁଏ ରାତି ପାଇ ଯାଇଥିବ ? ହଁ ଠିକ୍‌ ଭୋରରେ ଗାଡ଼ି ଚିଲିକା ଷ୍ଟେସନରେ ପହଞ୍ଚେ ! ଆଜି ଅଧଘଣ୍ଟେ ଘଣ୍ଟେ ଡେରି ହୋଇଯାଇଛି ସେହି ଅନୁସାରେ ପହଞ୍ଚିବ ।

 

ଆପଣଙ୍କ ଘର ତାହାହେଲେ ସେଇଷ୍ଟେସନ ପାଖରେ କେଉଁଠି ହୋଇଥିବ ? ହଁ,—ମାତ୍ର ୩ମାଇଲ ବାଟ ଷ୍ଟେସନଠାରୁ । ଆପଣଙ୍କ ଗାଁକୁ ରେଲ୍‌ ଷ୍ଟେସନରୁ ଶଡ଼କ ଅଛି ତ ? ହଁ ଗଲାବର୍ଷଠାରୁ କଚା ସଡ଼କ ଖଣ୍ଡିଏ ତିଆର ହୋଇଛି ।

 

ଯାହାହେଉ ସେତକ ନ ହୋଇ ନ ଥିଲେ ଏ ବର୍ଷାଦିନେ ଆମ ଓଡ଼ିଶା ମଫସଲ ଅଞ୍ଚଳମାନଙ୍କର ଅବସ୍ଥା ଯାହା—ତା ବିଚାରିଦେଲେ ବି ଡର ଲାଗୁଚି । ଏକେତ ଗରିବ ପ୍ରଦେଶ ସେଥିରେ ପୁଣି ଲୋକଗୁଡ଼ାକ ଅଳସୁଆ । ଏପରିସ୍ଥଳେ ରାସ୍ତା, ଘାଟ ବା ହେବ କିପରି ? ତେବେ ଆସ୍ତେ ଆସ୍ତେ ଆମ ସରକାର ଗାଁ ଗହଳ ଉପରେ ଦୃଷ୍ଟିପାତ କରୁଛନ୍ତି । ସରକାର ଖାଲି ଚେଷ୍ଟା କଲେ କ’ଣ ହେବ । ଏହି ପଞ୍ଚବାର୍ଷିକ ଯୋଜନା ଗୁଡ଼ିକରେ ଲୋକେ ସରକାରଙ୍କର ସହଯୋଗ କରନ୍ତେ ବୋଇଲେ କାମ ଖୁବ୍‌ ଆଗେଇ ପାରନ୍ତା । ଏ କଥା ମଧ୍ୟ ସତ ଯେ, ଲୋକଙ୍କୁ ଏ ସବୁ କାମରେ ପ୍ରଭାବିତ କରିବା ପାଇଁ କିଏ ଅଛି ? ପାଠୁଆ ସାଠୁଆ ଯେତେ ସମସ୍ତେ ତ ଟାଉନ୍‌କୁ ଆବୋରି ବସିଲେ—ଆଉ ସରକାରୀ କର୍ମଚାରୀଙ୍କ ଭିତରୁ ଅଧିକାଂଶ ତ ଅହଂ ଗୁମାନଧରି ମଫସଲ ଲୋକଙ୍କୁ କଥା ପର୍ଯ୍ୟନ୍ତ କହିବାକୁ ଘୃଣା କରିବେ ।’’ ଯୁବତୀଙ୍କର ବକ୍ତୃତାବେଳେ ଶରତ୍‌ବାବୁ ମୁକପରି ସବୁ ଶୁଣୁ ଥାଆନ୍ତି ମାତ୍ର । ଆଚ୍ଛା, ଆପଣ କ’ଣ କଲେଜରେ ପଢ଼ୁଚନ୍ତି ? ପଢ଼ୁଥିଲି—ଏବେ ମାସେ ହେଲା ପଢ଼ାଶେଷ ହୋଇଯାଇଛି । ତେବେ ଆପଣ ଏମ୍‌.ଏ. ପାସ୍‌ କଲେଣି ? ଏମ୍‌.ଏ. ବି. ଏଲ୍‌. ପରେ I.A.S. ପରୀକ୍ଷା ଦେଇଥିଲି, ପାଶ କରିଚି ।

 

ତେବେ ଆମ ମଫସଲ ଅଞ୍ଚଳରେ ଆପଣଙ୍କର ଆଉ ସ୍ଥାନ ନାହିଁ ତ ? I.A.S. ପାଶ୍‌ କରିବା ମାନେ ଆପଣ ସରକାରଙ୍କର ଜଣେ ବଡ଼ ଚାକିରିଆ ନିଶ୍ଚୟ ହେବେ ! ନା—ନା ମୋର ସେପରି ଇଚ୍ଛା ନୁହେଁ । I.A.S. ପରୀକ୍ଷାଟା ଦେଇ ଦେଲି ସିନା ମାତ୍ର ଚାକିରୀ କରିବା ମତଲବ ମୋର ନାହିଁ । ଦେଖୁନାହାନ୍ତି, ଆମ ଲୋକଙ୍କର ଅବସ୍ଥା ଯାହା ସେ ସବୁ କ’ଣ ମୁଷ୍ଟିମେୟ କେତେଜଣ ପାଠ ଶାଠ ପଢ଼ି ଚାକିରି କରିଦେବା ଦ୍ୱାରା ମେଣ୍ଟିଯାଇ ପାରିବ ? କେବଳ କର୍ମୀଙ୍କ ଅଭାବ ଯୋଗୁଁ ମଫସଲ ଅଞ୍ଚଳ ଗୁଡ଼ିକ ଆଦୌ ଆଗେଇ ପାରୁନି । ଶହ ଶହ ସରକାରୀ ଯୋଜନା ଫେଲ୍‌ ମାରୁଚି । ଗାଁ ଗହଳିରେ କାମ କରିବି ଏ ଭାବନା ମୋର ଆଜିର ନୁହେଁ,—ଠାକୁରଙ୍କର ବରାଦ ଯେପରି ଥିବ !

 

ସୁନ୍ଦର ବିଚାର, ଆପଣ ଯେପରି ଭାବୁଛନ୍ତି ତା ଯଦି ବାସ୍ତବରେ କାର୍ଯ୍ୟକାରୀ ହୁଏ ତେବେ ଚିଲିକା ଅଞ୍ଚଳଟି ଖୁବ୍‌ ଆଗେଇ ପାରିବ ବୋଲି ମୋର ବିଶ୍ୱାସ । ତେବେ ଆପଣ ଚାକିରିର ମୋହ, ପିଲାପିଲିଙ୍କର ଦାବୀ ଟଙ୍କା ପଇସାର ମାୟା କେତେଦୂର ଛାଡ଼ିପାରିବେ କେଜାଣି-?

 

ଶରତବାବୁ ଟିକିଏ ହସ ହସ ହୋଇ କହିଲେ—‘‘ମୋଠାରୁ ଦାବୀ ହାସଲ କରିବା ଭଳି କେହି ନାହଁନ୍ତି—ବାପା ମା, ଦୁହେଁ ସବୁବେଳେ ବ୍ୟସ୍ତ ଯେ, ମୁଁ କିପରି ତାଙ୍କ ପାଖରେ ସବୁବେଳେ ରହେ’’ । କ୍ଷମା କରିବେ, ଆପଣ ତାହାହେଲେ ଅବିବାହିତ ? ଏଥର ମୋର ବିଶ୍ୱାସ ଆପଣ ଯଥେଷ୍ଟ କିଛି କରିପାରିବେ । ବାସ୍ତବିକ ଦଳେ ଶିକ୍ଷିତ ସ୍ତ୍ରୀ ପୁରୁଷ ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସାଧାରଣ କାମରେ ନ ବାହାରିଲେ ଦେଶଟା ଆମର ମୋଟେ ଆଗେଇ ପାରିବ ନାହିଁ । ଆପଣଙ୍କ ପରି ମୋର ବି ଇଚ୍ଛା, ମାତ୍ର ବାପା, ମା ତ...... । ଦୁଃଖର କଥା ପୁଅ, ଝିଅମାନଙ୍କର ମତାମତ ନ ନେଇ ସେମାନେ ଯେଉଁଠି ଇଚ୍ଛା ହେଲା ସେଠାରେ ସ୍ଥିର କରି ଦିଅନ୍ତି ସମ୍ପର୍କ । ଆମ ଦେଶର ଲଜ୍ଜାହିଁ ଆମକୁ ଅନେକ ବିପଦରେ ପକାଉଛି ।

 

ଶରତବାବୁ ଅବିବାହିତ ଏହା ଜାଣିବାପରେ ଯୁବତୀଟି ଘଟଣା ସ୍ଥଳରେ ଦ୍ୱିଗୁଣ ଆଗ୍ରହର ସହିତ ଖୁବ୍‌ ଉତ୍ସାହିତ ହୋଇ ପଡ଼ିଲା । ଏଥର ସିଧା ସଳଖରେ ତାଙ୍କ ଦେହକୁ ଲକ୍ଷ୍ୟ କରି କହିଲା,‘‘ଏ କ’ଣ, ଆପଣଙ୍କ ଲୁଗାପଟା କାଦୁଅ ସଲବଲ ହେଲା କିପରି ? ବର୍ଷାରେ ତିନ୍ତିଗଲେ ନା କ’ଣ ? ଏ ଥଣ୍ଡାରେ ଆପଣ ଓଦାଲୁଗା ପିନ୍ଧି ବସିଛନ୍ତି ନା ! କିଛି ଯଦି ମନେ ନ କରିବେ... ତା ହେଲେ...ଆମର ନୂଆ ଲୁଗା ଅଛି—

 

ନା ନା, ମୋର ବି ଟ୍ରଙ୍କରେ ଲୁଗାଅଛି ଯେ—ଏ ଭିଡ଼ ଭିତରେ ପିନ୍ଧିବାର ସୁବିଧା ନଥିଲା । ଟ୍ରଙ୍କଟା ଆର ପାଖେ ଥୁଆ ହୋଇଛି—ଏ ଆଡ଼କୁ ଆଣିବାର ଉପାୟ ନାହିଁ ।

 

କ’ଣ ମ—ଉପାୟ ନାହିଁ । ଏଇଲୋକ ଗୁଡ଼ିକ ଟ୍ରଙ୍କଟି ବଢ଼େଇ ଦେଇ ପାରିବେ ନି କହି ଯୁବତୀଟି ନିଜେ ବେଞ୍ଚ ଉପରେ ଠିଆହୋଇ ଟ୍ରଙ୍କଟି ଆଣିବାର ଆୟୋଜନ ଚଳେଇଲେ ।

 

ଶରତବାବୁ କହିଲେ,—ଆପଣ ବସନ୍ତୁ, ମୁଁ ତାକୁ ନିଜେ ନେଇ ଆସିପାରିବି ଯେ— ।

 

ଛିଡ଼ା ହୋଇଥିବା ଯାତ୍ରୀମାନଙ୍କୁ ଲକ୍ଷ୍ୟକରି ଯୁବତୀ କହିଲେ,‘ହଇଓ ! ସେ ଟ୍ରଙ୍କଟା ସେଠାରେ ଥୁଆ ହୋଇଛି, ଏପାଖକୁ ଟିକିଏ ବଢ଼େଇ ଦେବେ କି ?

 

ଏ ଭଳି ଜଣେ ଆଧୁନିକା ଯୁବତୀର କଥାକୁ କିଏ ବା ତଳେ ପକେଇ ଦେବ । ଯାତ୍ରୀଗୁଡ଼ିକ ଠେଲା ପେଲା ଭିତରେ ଟ୍ରଙ୍କଟି ଶରତବାବୁଙ୍କ ପାଖକୁ ଆଣି ଦେଲେ ।

 

ଓଦା ଲୁଗା ବଦଳାଇ ଅନ୍ୟଲୁଗା ପିନ୍ଧିବା ଉଦ୍ଦେଶ୍ୟରେ ଶରତ୍‌ବାବୁ ଯେତେବେଳେ ଟ୍ରଙ୍କଟି ଖୋଲିଲେ ସେତେବେଳେ ତାଙ୍କ ଛାତି ମଧ୍ୟରେ ବିବେକ ଆଉ ମନ ଉଭୟର ଯଥେଷ୍ଟ ଯୁକ୍ତି ତର୍କ ଚାଲିଥାଏ । ବିବେକର ଯୁକ୍ତି ଯେ—ନୀତି ଦୃଷ୍ଟିରୁ ଯେଉଁ ପରିଧେୟ ବହୁଦିନରୁ ଗୃହୀତ ହୋଇଛି, ଆଜି ତାହାହିଁ ପିନ୍ଧିବା ଉଚିତ । କିନ୍ତୁ ମନ ଏ ପ୍ରସ୍ତାବରେ ରାଜି ହୁଏ ନାହିଁ । ସେ କହେ—ନୀତି ଫିତି ଗୋଟାଏ କ’ଣ ? ଦେହକୁ ସୁନ୍ଦର ଭାବରେ ସଜେଇବାରେ ଯେ ଉପଯୁକ୍ତ, ତାକୁ ପିନ୍ଧିବା ଭଲ । ଯାହା ହେଉ ଶେଷରେ ମନହିଁ ବିଜୟ ଲାଭକଲା ।

 

ଯେଉଁ ବିଲାତି ଚକ ଚକ ପୋଷାକକୁ ଘୃଣା କରି ଶରତ ବାବୁ ବହୁ ଭଦ୍ରବ୍ୟକ୍ତିଙ୍କ ଅନୁରୋଧକୁ ସୁଦ୍ଧା ଏଡ଼ି ଦେଇଥିଲେ—ଯାହାଲାଗି ବିଧୁବାବୁଙ୍କ ଶ୍ୱଶୁର ଖୁବ୍‌ ମନସ୍ତାପ କରିଛନ୍ତି, ଆଜି ସେଇ ପୋଷାକଟି ଶରତବାବୁ ଆଖିକୁ ଭାରି ପସନ୍ଦ ଦିଶିଲା—ସେ ଟ୍ରଙ୍କ ଭିତରୁ ବିଧୁବାବୁ ଶ୍ୱଶୁରଘରୁ ମର୍ଯ୍ୟାଦା ସ୍ୱରୂପ ମିଳିଥିବା ଗ୍ଲାସକୋପ ଧୋତୀ ଆଉ ଶିଲ୍‌କ ପଞ୍ଜାବୀଟି ବାହାର କଲେ ।

 

ସହଜେ ଶରତ ବାବୁତ ସୁନ୍ଦର ଚେହେରାବାନ୍‌ ଯୁବକ । ଚକ୍‌ ଚକ୍‌ ଧୋତୀ ଆଉ ପଞ୍ଜାବୀ ଖଣ୍ଡିକ ତାଙ୍କର ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣ ବଢ଼ାଇ ଦେଲା ।

 

ବକ୍ତୃତା ପ୍ରତିଯୋଗୀତାରେ ପୁରସ୍କାର ପ୍ରାପ୍ତ ଯେଉଁ ରିଷ୍ଟଓ୍ୱାଚଟି ଦିନେ ହେଲେ ଶରତବାବୁଙ୍କ କଚେଟିରେ ସ୍ଥାନ ପାଇ ନ ଥିଲା, ଆଜି ତାହା ଜବରଦସ୍ତି ଅଧିକାର କରିଛି ତା’ର ଯଥାସ୍ଥାନ ।

 

ଶରତ୍‌ବାବୁ ବେଶ ପୋଷାକ ହେଉଥିବା ଅବସରରେ ଯୁବତୀଟି ତାଙ୍କ ପାଇଁ ସୁନ୍ଦର ଆସନଟିଏ ସଜେଇ ରଖି ଦେଇଛି । ଯୁବତୀର ଅନୁରୋଧ କ୍ରମେ ଶରତ୍‌ବାବୁ ଆଗପଛ କିଛି ହେଲେ ନ ବିଚାରି ମନ୍ତ୍ରମୁଗ୍‌ଧ ଜୀବପରି ବିଛଣାଟି ଉପରେ ଢଳି ପଡ଼ିଲେ । ଯୁବତୀ ସମ୍ପର୍କରେ ନାନା ପ୍ରକାର ସୁନେଲି କଳ୍ପନା ତାଙ୍କୁ ଅଧୀର କରି ପକାଉ ଥାଏ । ଯୁବତୀର ମଧୁର ବ୍ୟବହାର ଗୁଡ଼ିକରୁ ସେ ଦୃଢ଼ତାର ସହିତ ମନେ ମନେ ଚିନ୍ତା କରିବା ସଙ୍ଗେ ସଙ୍ଗେ ମଝିରେ ମଝିରେ ତା’ର ଅଙ୍ଗସ୍ପର୍ଶ ଜନିତ ତୃପ୍ତି ଆସ୍ୱାଦନ କରିବାରେ ଆତ୍ମହରା ହୋଇ ପଡ଼ିଥାଆନ୍ତି ।

 

ଠିକ୍‌ ମୁଣ୍ଡ ଉପରକୁ ଲାଗି ଯୁବତୀଟି ବସିଥିବା ଯୋଗୁଁ ବେଳେ ବେଳେ ତା’ର ସୁଗୋଲ ଆଉ ସ୍ନିଗ୍‌ଧ ନିତମ୍ୱ ସହିତ ଶରତବାବୁଙ୍କର ମୁଣ୍ଡର ସଂଘର୍ଷ ଘଟିଯାଏ ଏବଂ ପ୍ୟାରିସ୍‌ସେଣ୍ଟ୍‌ ମହକି ଉଠୁଥିବା ପଣତ କାନିଟି ବରାବର ଶରତବାବୁଙ୍କ ମୁଖ ମଣ୍ଡଳରେ ରୁମାଲର କାର୍ଯ୍ୟ ଚଳାଇ ଥାଏ । ଅନେକ ଦିନରୁ ଶିଶୁ—ଯୌବନର ପରଶ ପାଇଥିଲେ ସୁଦ୍ଧା ଶରତବାବୁ ଦିନେ ହେଲେ ଆଶକ୍ତି, ଉନ୍ମାଦନା, ପ୍ରେମ ଆଦି କିଛିହେଲେ ଅନୁଭବ କରି ନଥିଲେ । ତା ବ୍ୟତୀତ ଏସବୁ କାର୍ଯ୍ୟଗୁଡ଼ାକୁ ସେ ନୀତିବିରୁଦ୍ଧ କାର୍ଯ୍ୟ ତାଲିକାରେ ସ୍ଥାନ ବି ଦେଇଥିଲେ । ଆଜି ନୀତି ଅନୀତି ବ୍ୟାଖ୍ୟା ତାଙ୍କ ମନରୁ ଏକାବେଳକେ ଲୋପପ୍ରାୟ । ସୁବିଧାକ୍ରମେ ଯୁବତୀଟିର ବସ୍ତ୍ରାଚ୍ଛାଦିତ ଉନ୍ନତ ବକ୍ଷ ଉପରେ ଦୃଷ୍ଟିପାତ କରି ସେ ପରଅକ୍ତିଆର ହୋଇ ପଡ଼ନ୍ତି । ମୋଟ ଉପରେ ଯୁବତୀର ଲାବଣ୍ୟଭରାରୂପ, ଢଳ ଢଳ ଯୌବନର ଲୁକ୍‌କାୟୀତ କମନୀୟତା, ମଧୁର ବ୍ୟବହାର, ଆଦରପୂର୍ଣ୍ଣ ବାକ୍ୟାଳାପ ତାଙ୍କୁ ବଶବର୍ତ୍ତୀ କରି ନେଇଥାଏ ।

 

ଅରୁନ୍ଧତୀ ଯେପରି—‘‘ନପାଉ ରାତି, ନମରୁ ପତି’’ ଉକ୍ତିକୁ ମନସ୍ଥ କରି ସଫଳକାମୀ ହୋଇଥିଲେ—ସେହିପରି ଶରତବାବୁ ଜୀବନ ମଞ୍ଚର ପ୍ରଥମ ପ୍ରେମ ଆକର୍ଷଣରେ ନିଜକୁ ହଜେଇ ଦେଇ ଉପସ୍ଥିତ ମନମତାଣିଆ ପରିସ୍ଥିତିଟିକୁ ସ୍ଥାୟୀ କରିବା କାମନା ମନେ ମନେ କରୁ ଥାଆନ୍ତି । ମାତ୍ର ଚୋରା ପ୍ରେମିକଙ୍କ ଉଦ୍ଦେଶ୍ୟ ପୂରଣରେ ପ୍ରକୃତି ବା ସାହାଯ୍ୟ କରିବ କାହିଁକି ?

 

ଯୁବତୀଟି ପ୍ରଥମେ ବୋଧହୁଏ ନିଜ ଅନୁରୂପ ଯୁବକଙ୍କୁ ଦେଖି ଭଦ୍ରତା ଖାତିରିରେ ଯାହାସବୁ ଆଳାପ ଆଲୋଚନା ଚଳେଇ ଥିଲେ । କିନ୍ତୁ ଯେଉଁ ସମୟରୁ ଶରତବାବୁ ବେଶ ସଜ୍ଜିତ ହୋଇ ବିଛଣାରେ ଶୋଇ ପଡ଼ିଲେ ଏବଂ ତାଙ୍କର ମୁଣ୍ଡଟି ବାରଂବାର ଯୁବତୀର ଦେହକୁ ଆଘାତ କରିବା ସଙ୍ଗେ ସଙ୍ଗେ ଏକାଧିକବାର ହାତର ପରଶ ଲାଭ କଲା—ସେତେବେଳେ ସେ ମଧ୍ୟ ପ୍ରକୃତିସ୍ଥା ହୋଇ ପାରିଲା ନାହିଁ । ଦୁହେଁ ଏପରି ଆତ୍ମହରା ହୋଇ ପଡ଼ିଲେ ଯେ, ନିରବଚ୍ଛିନ୍ନ ଭାବେ ଚାଲିଥିବା କଥାବାର୍ତ୍ତାର ସ୍ରୋତ ହଠାତ୍‌ ରୁଦ୍ଧ ହୋଇ ଆସିଲା । ନିର୍ଜ୍ଜନ ସ୍ଥାନ ହୋଇଥିଲେ ଦୁହେଁ ହୁଏତ ଦୁହିଁଙ୍କର ଗୁପ୍ତ କାମନା ପୂରଣ କରି ପାରିଥାଆନ୍ତେ ଏବଂ ସେହି ମହାସପ୍ତମୀ ରାତ୍ରିର ପ୍ରାକୃତିକ ବିଭିଷିକାକୁ ଅଟ୍ଟହାସ କରି ସୃଷ୍ଟି କରି ଥାଆନ୍ତେ କେତେଗୁଡ଼ିଏ ମାନସିକ ଅଭିନୟର ସାର୍ଥକତା; ମାତ୍ର ଏ ଭଳି ଜନାକୀର୍ଣ୍ଣ ସ୍ଥାନରେ ସେ ସୁଯୋଗ ଉପଭୋଗ କରି ହେବ ବା କିପରି-??

 

ଜଡ଼ ହେଲେ କ’ଣ ହେଲା । ସେ, ବି ନିଜ କର୍ତ୍ତବ୍ୟ ସାଧନରେ ତୃଟି ନ କରି ଅଗ୍ରସର ହେବାରେ ବ୍ୟସ୍ତ । ସେତେବେଳକୁ ଭୋର ହୋଇ ଆସିଥାଏ । କାଚ ଝରକା ଭେଦକରି ପ୍ରବେଶ କରୁଥିବା ଆଲୋକର ପ୍ରଭାବରେ ଗାଡ଼ି ଭିତରେ ଥିବା ବିଜୁଳି ଆଲୁଅ ଗୁଡ଼ିକ କ୍ରମଶଃ ନିସ୍ପ୍ରଭ ହୋଇ ଆସୁ ଥାଆନ୍ତି । ଟ୍ରେନର ଗତି ଆସ୍ତେ ଆସ୍ତେ ମନ୍ଥର ହୋଇ ଆସିଲା । ବାହାରୁ ଶୁଣାଗଲା–ଚିଲିକା-ଚିଲିକା-ଚିଲିକା । ଏଇ ଚିଲିକା—ଶବ୍ଦକୁ ଯେ ଯାହା ବିଚାର କରୁନା କାହିଁକି, ଶରତବାବୁ ବୁଝି ପାରିଲେ ଯେ, ଏହା ହେଉଛି ତାଙ୍କରି ପାଇଁ ଆହ୍ୱାନ, ତଥାପି ସେ ଅଚଳପରି ପଡ଼ିରହିଥାଆନ୍ତି-। ଯୁବତୀଟି ଜାଣିଶୁଣି ଶରତବାବୁଙ୍କୁ ଚିଲିକା ଷ୍ଟେସନ ବୋଲି କହିଲେ ନି କିମ୍ୱା ତାଙ୍କର ସ୍ମରଣ ନାହିଁ, ଶରତବାବୁ ସେଠାରେ ଓହ୍ଲାଇବା କଥା !! କେଉଁଟା ଠିକ୍‌ କେଜାଣି !!

 

ଏମିତି ଖାମ୍‌ଖିଆଲରେ ଆତ୍ମହରା ହୋଇଥିବା ଶରତ୍‌ବାବୁ ଆହୁରି ଆଗକୁ ଚାଲି ଯାଇଥାନ୍ତେ—କାରଣ ନିଜର ଓହ୍ଲାଇବା ଷ୍ଟେସନ ହୋଇଥିଲେ ସୁଦ୍ଧା ସେ ବିଛଣା ଉପରୁ ଉଠିବାକୁ ସମ୍ପୂର୍ଣ୍ଣ ଅନିଚ୍ଛୁକ ହେଉଥିଲେ ।

 

ଠିକ୍‌ ଏତିକିବେଳେ ପ୍ଲାଟଫର୍ମ ଉପରୁ ‘‘ବାବୁ—ବାବୁ’’ ଶବ୍ଦ ଗାଡ଼ିରେ ବସିଥିବା ଯାତ୍ରୀମାନଙ୍କର କାନକୁ ସ୍ତବ୍‌ଧ କରି ପକାଇଲା ।

 

ଗାଡ଼ି ଷ୍ଟେସନରେ ପହଞ୍ଚିବାର ବହୁତ ଆଗରୁ ଈଶରା ଛିଡ଼ା ହୋଇଛି । ଟ୍ରେନ୍‌ ପହଞ୍ଚିବା ପରେ ଯାତ୍ରୀମାନଙ୍କର ଚଢ଼ିବା ଉତୁରିବା ପ୍ରାୟ ଶେଷହୋଇ ଆସିଲା—ମାତ୍ର ସେ ତା’ର ସାନ ସାଉଙ୍କୁ ନ ଦେଖି ଚିତ୍କାର କରିବାକୁ ବାଧ୍ୟ ହେଲା । ଈଶରାର ବାବୁ, ବାବୁ, ବାବୁ ଚିତ୍କାର ଶରତ୍‌ବାବୁଙ୍କ ସୁଖସ୍ୱପ୍ନ ଉପରେ ତୀବ୍ର ଆକ୍ରମଣ ଚଳେଇ ଦେଲା । ଶରତ୍‌ବାବୁ ଓହ୍ଲାଇବାର ଉପକ୍ରମ କଲେ । ଈଶରାର ଚହଳରେ କେବଳ ଯୁବତୀଟିର ବାପ ମା କାହିଁକି କେତେ ଯାତ୍ରୀଙ୍କର ତ ନିଦ ଭାଙ୍ଗି ଯାଇଥିବ !!

 

ଶରତ୍‌ବାବୁ ଗାଡ଼ିଭିତରୁ ପଦାକୁ ମୁଁହ ଦେଖାଉ ଦେଖାଉ ଈଶରା ଛଞ୍ଚାଣଗତିରେ ସେଠାରେ ଆସି ହାଜର । ବାବୁ ଆଗରେ ଚାଲିଲେ, ଈଶରା ତା’ର ଜିନିଷପତ୍ର ମୁଣ୍ଡରେ ଥୋଇ ପଛେ ପଛେ ଚାଲିଥାଏ ।

 

ଶରତ୍‌ବାବୁ ଗେଟ୍‌ପାଖରେ ପଛକୁ ଲେଉଟି ଚାହାନ୍ତି ତ ଯୁବତୀଟି ଝରକାବାଟେ ପଦାକୁ ମୁହଁ ବାହାରକରି ଅପଲକ ନୟନରେ ତାଙ୍କ ଆଡ଼କୁ ଚାହିଁ ରହିଛି ।

 

ଚାରି ଆଖିର ମିଳନରେ ପ୍ରଥମେ ଯୁବତୀର ଆଖିରୁ ଦୁଇଧାର ଲୁହ ମୁକ୍ତାବିନ୍ଦୁ ପରି ଝରିପଡ଼ିଲା—ଶରତ୍‌ବାବୁ ମଧ୍ୟ ରୁମାଲରେ ମୁହଁ ପୋଛିବା ଆରମ୍ଭ କରିଦେଲେ ।—

 

ଈଶରା ତ ଆଗରୁ ବାରଆଡ଼ୁ ବାରକଥା ଶୁଣି ଛକାପଂଝାରେ ଥାଏ ସେ, ଏ ଦୃଶ୍ୟକୁ ଲକ୍ଷ୍ୟ କରି କେତେ କ’ଣ ଆକାଶପାତାଳ ଭାବି ଗଲାଣି—ବାବୁଙ୍କୁ ପଚାରିଦେବ ବୋଲି ଭାବୁଥାଏ; ମାତ୍ର ସାହସ ପାଏନି । ଏଥର ବାବୁ ତା’ର ଭାରି ଗମ୍ଭୀର ଦେଖା ଯାଉଛନ୍ତି । ଏ ଗମ୍ଭୀରତାର କାରଣ ସ୍ୱରୂପ ଈଶରା ସ୍ଥିର କରି ନେଇଛି ଯେ, ଏତେବଡ଼ ପାଠୁଆଲୋକ ସେ କ’ଣ ଆଉ ଗାଉଁଲିଆଙ୍କ ପରି ଭକର ଭକର ହେଉଥାଆନ୍ତେ ।

 

ଗାଁ ରାସ୍ତାରେ ଶରତ୍‌ବାବୁ ଆଗେ ଆଗେ ଖୁବ୍‌ ଦ୍ରୁତଗତିରେ ଚାଲିଥାଆନ୍ତି । ପଦେହେଲେ କିଛି ନ ପଚାରିବା ହେତୁ ଈଶରାର ଆନନ୍ଦ ଗଦ୍‌ଗଦ୍‌ ମନଟି ଫାଙ୍କା ପଡ଼ିଯାଇଛି । ସେ ବି ନିଜଆଡ଼ୁ କ’ଣ ପଦେ ଅଧେ ପଚାରିଦେଲାଣି । କିନ୍ତୁ ତା’ର ଉତ୍ତରରେ ନାହିଁ—ହଁ—ବା ମୁଣ୍ଡ ଟୁଙ୍ଗାଇବା ବ୍ୟତୀତ ଶରତ୍‌ବାବୁଙ୍କଠାରୁ କିଛି ହେଲେ କଥା ଶୁଣି ପାରୁନି । ଶରତ୍‌ବାବୁ କଥାର ଉତ୍ତର ଦେଉ ନାହାନ୍ତି ବା ତା ପ୍ରତି ଶ୍ରଦ୍ଧା ଦର୍ଶାଉ ନାହାନ୍ତି—ଏଥିଲାଗି ଈଶରା ସେତେ ଦୁଃଖିତ ଅଥବା ଚିନ୍ତିତ ନୁହେଁ—ସେ ଅଧିକ ଚିନ୍ତିତ ଆଉ ମର୍ମାହତ ହୋଇ ପଡ଼ୁଛି ମଣିନାନୀର ଶରତ୍‌ବାବୁଙ୍କ ସମ୍ପର୍କୀୟ କଥାଗୁଡ଼ାକୁ ସ୍ମରଣ କରି ।

 

ରାସ୍ତାରେ ଚାଲିଲାବେଳେ ଶରତ୍‌ବାବୁ ଏତେ ଅନ୍ୟମନସ୍କ ହୋଇ ପଡ଼ିଛନ୍ତି ଯେ, କେହି ପରିଚିତ ଲୋକର ସାକ୍ଷାତରେ ତା ସହିତ କଥାବର୍ତ୍ତା କରିବା ଦୂରେଥାଉ ନମସ୍କାର ପ୍ରତି ନମସ୍କାର ସୁଦ୍ଧା ଜଣାଇ ପାରୁନାହାଁନ୍ତି । ପାଗଳଙ୍କ ପରି ଆପେ ଆପେ ହାତ, ମୁଁହ ଆଦି ଅଙ୍ଗ ପ୍ରତ୍ୟଙ୍ଗରେ ବିଭିନ୍ନ ଅଭିନୟ କରୁଥିବା ଦେଖାଯାଉଛି ।

 

(ଆଠ)

 

ଗାଁଗହଳିର ମନ୍ତ୍ରୀ ଆଗମନ ଉପଲକ୍ଷେ ସଭାସମିତି ଭୋଜିଭାତ କିମ୍ୱା ନାଟନୃତ୍ୟର ବ୍ୟବସ୍ଥା ଥିଲେ ଗାଁ ଦାଣ୍ଡ ଯେପରି ପୂର୍ବରୁ ଲୋକଗହଳ ହୋଇଥାଏ—ଆଜି ଶରତ୍‌ବାବୁଙ୍କର ଆଗମନ ହେତୁ ସେହିପରି ହୋଇପଡ଼ିଛି । ଅଚ୍ୟୁତପୁର ଗାଁର ଆବାଳବୃଦ୍ଧବନିତା ଶରତ୍‌ବାବୁଙ୍କୁ ଆନ୍ତରିକତାସହ ଭଲ ପାଉଥିବା ଯୋଗୁଁ ଏପରି ହୋଇଥାଏ ।

 

ଶରତ୍‌ବାବୁ ଠାକୁରମଣ୍ଡପ ବାଟେ ଗାଁ ଭିତରକୁ ପଶିଯିବା କ୍ଷଣି ତାଙ୍କୁ ନମସ୍କାର ଜଣାଇବା ଉଦ୍ଦେଶ୍ୟରେ ଯେପରି ଶହ ଶହ ହାତ ଉପରକୁ ଉଠିଲା—ଠିକ୍‌ ସେହି ରୀତିରେ ଶହ ଶହ ହାତ ତାଙ୍କୁ ଆର୍ଶୀବାଦ କରିବାପାଇଁ ପ୍ରସ୍ତୁତ ରହିଥାଏ । କିନ୍ତୁ—ହାୟ !! ଶରତ୍‌ବାବୁଙ୍କଠାରୁ ଜଣେ କେହି ନମସ୍କାର ବା ପ୍ରତି ନମସ୍କାର ପାଇପାରିଲେ ନାହିଁ । ଏପରିକି ଦଦେଇ ନାରଣ ଦାଶେ ସୁଦ୍ଧା ନମସ୍କାରଟିଏ ପାଇ ପାରିଲେ ନାହିଁ । କେହି କାହା ଆଗରେ ପ୍ରକୃତ ମନ କଥାଟା ବ୍ୟକ୍ତ ନ କଲେ କ’ଣ ହେଲା—ସମସ୍ତଙ୍କ ମନରେ ଦୃଢ଼ ବିଶ୍ୱାସ ଜନ୍ମିଗଲା ଯେ, ଶରତ୍‌ବାବୁଙ୍କର ମନଟା ନିଶ୍ଚେ ଚହଲି ଯାଇଛି ।

 

ଶରତ୍‌ବାବୁ ସିଧା ସିଧା ତାଙ୍କର ରହିବାଘର ସାମନାରେ ଥିବା ବାହାରଘର ଭିତରକୁ ଚାଲିଗଲେ । ଈଶରା ଜିନିଷପତ୍ର ଗୁଡ଼ିକ ନେଇ ସାଉଆଣିଙ୍କ ପାଖେ ଜିମା କରିଦେଲା ଏବଂ ବ୍ୟଥାଭରା ଦୀର୍ଘ ନିଶ୍ୱାସଟିଏ ଛାଡ଼ିଦେଇ କହିଲା—ଜାଣିଲ ସାଉଆଣି । ଏ ଦୁଆରେ ମୋର ଯୋଉ ଭରସା ଥିଲା ସେତକ ଆଜି ଯାଇଛି । ଦିକୋଶବାଟ ଚାଲି ଚାଲି ଆସିଲୁ ଯେ—ପଦେହେଲେ କଥା ସାନସାଉ କହି ଥାଆନ୍ତେ ! ଆଗେ ମୋ ସାଥିରେ ଏତେ କଥା ହୁଅନ୍ତି ଯେ,ମୁଁ ଶେଷକୁ ଥକିପଡ଼େ—ହଁ, ବଡ଼ଲୋକ ହେଲେ, ହାକିମ ହେବେ—ଈଶରାଟା ମୂଲିଆ ମୁଣ୍ଡ । ନାଇଁ ନାଇଁ ସାଉଆଣି ! ଆଉ ଗୋଟିଏ କଥା—ତୁମେ ନିଜେ ଜାଣିବ ନି’କି, ମୁଁ କାହିଁକି କହିବି ! ଏକେତ ଆଗେ ଘରକୁ ନ ଆସି ଶରତ୍‌ବାବୁ ବାହାର ଘରେ ପଶିଯାଇଥିବାରୁ ତାଙ୍କ ବୋଉଙ୍କ ଛାତିରେ ଢିଙ୍କି ପଡ଼ୁଥିଲା । ତାପରେ ଈଶରାର ଏ ଭଳି ବିସ୍ମୟ ପୂର୍ଣ୍ଣ ଅସମାପିକା ବାକ୍ୟରେ ସେ ଏକାବେଳକେ ଭାଙ୍ଗି ପଡ଼ିଲେ । ଠାକୁରାଣୀ ପୂଜା ଲାଗି ରନ୍ଧାବଢ଼ାରେ ତାଙ୍କର ତିଳେ ହେଲେ ମନ ଲାଗିଲା ନାହିଁ-। ସହସ୍ର ପାପଚିନ୍ତା ମିଳନପରି ତାଙ୍କ ଚାରିପାଖେ ରୁଣ୍ଡ ହୋଇ ପଡ଼ିଲେ ।

 

ଯେ, ଯେପରି ତାକୁ ସମସ୍ତେ ସେହି ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ । ଦୁଷ୍ଟର ଦୁଷ୍ଟାମିରେ କେହି ହେଲେ ବିସ୍ମିତ ହୁଅନ୍ତି ନାହିଁ କିନ୍ତୁ ଶାନ୍ତ ଶିଷ୍ଟ ଲୋକ ଦୁଷ୍ଟାମି କଲେ, ତାର କିଛି ବ୍ୟତିକ୍ରମ ଘଟିଥିବା ଆଶଙ୍କା ହୋଇଥାଏ । ସେହିପରି ଶରତ୍‌ବାବୁଙ୍କର ସମସ୍ୟା । ସେ ଆଗରୁ ସମସ୍ତଙ୍କୁ ସ୍ନେହ, ଭକ୍ତି—ଶ୍ରଦ୍ଧା ଆଦି ଡୋରିରେ ନ ବାନ୍ଧି ଥିଲେ କିଏ କାହିଁକି ତାଙ୍କ ଠାରୁ ସେ ସବୁ ଆଶା କରନ୍ତା— !!

 

ଶରତ୍‌ବାବୁ ଗାଁରେ ଗୋଡ଼ଦେବା ବେଳୁ ତାଙ୍କର ଚିନ୍ତା ହିଁ ସମସ୍ତଙ୍କୁ ଘାରି ଦେଉଛି—ଗାଧୁଆ ତୁଠରେ ପୁରୁଣା ବୟସର ସ୍ତ୍ରୀଲୋକ ଗୁଡ଼ିଏ ଦୁଃଖର ସହିତ କଥାବାର୍ତ୍ତା ହେଉ ଥାଆନ୍ତି—ମୀରା ବୋଉ କହିଲେ,‘‘ଆମେ ସବୁ ସିନା ମଣିନାନୀଟାକୁ କଳିକାଣ୍ଡେଇଟେ ବୋଲି ସୁଖ ପାଏନି–ମାତ୍ର ସେ ଯେପରି ସର୍ବଜାଣ ବିଦ୍ୟା ସାଧିଚି—ଦେଖୁନୁ । ଶରତ୍‌ କଥାରେ ସେ ଯାହା କହୁଥିଲା ସବୁ ସତ ପରା !!’’ ହଁ ଗୋ ମୀରାବୋଉ ! ଶରତ୍‌ପରି ପୁଅ—ଗାଁ ଗୋଟାକ ଘରେ ଜହ୍ନମାମୁପରି ତା’ର ଚଳନି, ଚଷା ଶୂଦ୍ର କାହାକୁ ହେଲେ ପର ବୋଲି ବିଚାରିବ ନାହିଁ—ଏବେ ପଦେ କଥା ପର୍ଯ୍ୟନ୍ତ ତା ପାଟିରୁ ବାହାରୁନି ।’ ଲତା ବୋଉ କହିଲେ ‘‘ସେ, ଟୋକିଟା ମୁକ କରି ଦେଇଚି ପରା-!! ଲତାକୁ ସେ କେଡ଼େ ଆଦର କରେ !! ଖୁଡ଼ି—ଖୁଡ଼ି—କହି ଘର ଭିତରେ ପଶିଯିବ ଲତାଟାକୁ କ’ଣ ସବୁ ପାଠ ଶାଠ ପଚାରି ବିଧାଏ ଲେଖେ ମାରୁଥିବ !! ଘରେ ଯେଉଁଠି ଯାହା ଭଲ ମନ୍ଦ ଆପେ ଆପେ ହସି ହସି ଖାଇ ଦେଉଥିବ !!’’

 

ଏବେ ଲତା ଯାଇଥିଲା ଯେ—ଦି’ଘଡ଼ିରେ କଥା ପଦେ ହେଲେ କହିଲାନି ତ !! ଆହେ ଶୁଣୁଚ ମୋ ବିଦୁକୁ ପରା କଥା କହିଲା ନି ଯେ, ବିଦୁ ମୋ’ର ଦି’ଦିନ ହେଲା ଘରେ ମୁହଁ ଖୁଖେଇ ବସିଚି । ବୁଢ଼ାତ କହୁଥିଲେ—ରମ୍ଭାରୁ ଗୁଣିଆଟେ ଡାକି କ’ଣ ସବୁ ଉଡ଼ାଣ ମନ୍ତ୍ର କରେଇବେ ବୋଲି ।

 

ବେଳ ଦିଘଡ଼ି ସରିକି ଗାଁର ବାଢ଼ୁଅ ଝିଅଗୁଡ଼ିକ ସାଙ୍କ ସାଥି ହୋଇ ପୋଖରୀକୁ ଗାଧୋଇ ଯାଆନ୍ତି—ପୋଖରୀରେ ଅନ୍ୟ କାହାର ଭିଡ଼ ସେତେବେଳେ ନଥାଏ । ଏବେ ଦୁଇ ଚାରି ଦିନ ହେଲା ଶରତ୍‌ବାବୁଙ୍କ ବିଷୟ ଝିଅଗୁଡ଼ିକଙ୍କର ଦିନରାତି ଆଲୋଚନା ଚାଲୁଚି ।

 

ଲତା କହିଲା—ବିଦୁ—ରମ୍ଭାରୁ ସେ ଗୁଣିଆଁ ଆସିଲା କି ? ହଁ ମ, ଗୁଣିଆ ଆସିଲା ଯେ–କହିଲା ମନ୍ତ୍ର ଯନ୍ତ୍ରର କଥା ଏଥିରେ କିଛି ନାହିଁ !! ମୀରା ଟିକିଏ ଥଟ୍ଟାଳିଆ ସ୍ୱରରେ ମନ୍ତବ୍ୟ ଦେଲା, ଆଲୋ ମନରୋଗକୁ ଔଷଧ କ’ଣ କରିପାରିବ !! ଆଚ୍ଛା ବିଦୁ ! ତୁ କହିଲୁ—ତତେ ମଝିରେ ମଝିରେ ଯେଉଁ ମନ ରୋଗ ଧରେ ତାକୁ କ’ଣ ଗୁଣିଆ ଭଲ କରିଦେଇ ପାରିବ ? ଶରତ ଭାଇଙ୍କି ଗୁଡ଼େ ବୟସ ହୋଇଗଲାଣି—ପାଠ ପଢ଼ୁଥିଲେ ବୋଲି ସେ କ’ଣ ପିଲା ହୋଇଛନ୍ତି— !! ନୂଆ ବୋହୂଟିଏ ଆସିଲେ ତାଙ୍କ ରୋଗ କୁଆଡ଼େ ଛାଡ଼ି ପଳେଇବ !! ମୀରା ! ତୁ କଥା କଥାକେ ଆଚ୍ଛା ଉଦାହରଣଟିଏ ଦେଲୁ ତ !! ମତେ ଏକା ମନ ରୋଗ ଧରୁଚି । ତୋ’ର ଯେପରି ମୋଟେ ନାହିଁ !! ସେଦିନ ମତେ ଗୁପ୍ତରେ ଯେଉଁ କଥା କହୁଥିଲୁ, ତାହା ସମସ୍ତଙ୍କ ଆଗରେ କହିଦେବିଟି—ଯଦି ବେଶି ସଚ୍ଚାପଣ ଦେଖେଇ ହେବୁ !! ମୀରା ! ତତେ ରାଣ ଅଛି କହି ବିଦୁ ପାଟିରେ ହାତଟାକୁ ଭରି ଦେଲା ।

 

ପାଠୁଆଝିଅ ଗୁଡ଼ିକ ଖୁବ୍‌ ଦୁଃଖ ଅନୁଭବ କରିବାଭିତରେ ମଧ୍ୟ ଥଟ୍ଟା ପରିହାସ ହେଉଥାଆନ୍ତି । ଶରତ୍‌ବାବୁଙ୍କ ଯୋଗୁଁ ସେମାନେ କିପରି ଶିକ୍ଷା ପାଇଲେ, ଭବିଷ୍ୟତରେ କେତେ ଆଶା ଆକାଙ୍‌କ୍ଷା ନେଇ ସେମାନେ ଯେ ବସିଥିଲେ ତା’ର ସୀମା ନାହିଁ । ମୀରା କହିଲା, ‘‘ବିଦୁ !ଶରତ୍‌ଭାଇଙ୍କର ଅବସ୍ଥା ଯାହା ସେଥିରେ ଆମର ସୁଖ ସ୍ୱପ୍ନ ଗୁଡ଼ିକତ ଏକବାରେ ଉଭେଇଯିବ ! ସେ ପରା ଆମମାନଙ୍କୁ ନେଇ ନାରୀଜାଗରଣ କମିଟି ଗଢ଼ି ଥାଆନ୍ତେ । ଏବେ ଆଚ୍ଛାକଥା ହେଲା ଯେମିତି କଥାରେ କହନ୍ତି, ଆମେ ତନ୍ତୀ କୁଳର ହେଲେ ନି କି ବୈଷ୍ଣବ କୁଳର ହେଲେ ନି ?’’ ଲତା, ମୀରା କଥାର ଉତ୍ତର ଦେଇ କହିଲା—ହଁ, ସତ କଥାତ—ମୀରା ଏତେବେଳକୁ ଅଚ୍ୟୁତପୁରରେ ଥାଆନ୍ତା କହିଁକି—ସେ ତ, ତା ସ୍ୱାମୀ ସାଙ୍ଗରେ କଟକରେ ରିକ୍‌ସା ଚଢ଼ି ଦେବୀ ଯାତ୍ରା ଦେଖୁ ଥାଆନ୍ତା । ଲତାର କଥାରେ ସମସ୍ତେ ବହେ ହସି ହସି ଗଡ଼ିଗଲେ ।

 

ନା, ନା, ସେସବୁ ହସଖେଳର କଥା ନୁହେଁ; ତୁମେ ସବୁ ଏକାଠି ଆସ, ଆଜି ଦିପହରବେଳେ ଶରତଭାଇଙ୍କ ପାଖକୁ ଯିବା— । ତାଙ୍କର ମତାମତ କ’ଣ ଭଲ ଭାବରେ ପଚାରି ବୁଝିବା । ବିଦୁ ପ୍ରସ୍ତାବରେ ସମସ୍ତେ ଏକମତ ହେଲେ; ସ୍ଥିରହେଲା ଖାଇ ପିଇ ସାରିବା ପରେ ବିଦୁ ଘରେ ଏକାଠି ହୋଇ ଶରତ୍‌ବାବୁଙ୍କ ପାଖକୁ ଯିବେ ।

 

ଦଶହରାପରା ଦିନଟାରେ ନିଧିବାରିକ ବିଚରା ବଡ଼ ଅପଦସ୍ତ ହୋଇଯାଇଛି । ସଜ ଉଠାଇ ସାରି ଅନୁକୂଳ କରିବା ପାଇଁ ସେ ପ୍ରଥମେ ଶରତ୍‌ବାବୁଙ୍କ ପାଖକୁ ଗଲା । ତା’ର ଧାରଣା ଶରତ୍‌ବାବୁଙ୍କ ଠାରୁ ଯଥେଷ୍ଟ ବକ୍‌ସିସ୍‌ ମିଳିବ—ପୂର୍ବରୁ ବି ସେ ଜାଣିଛି । କିନ୍ତୁ ଶରତ୍‌ବାବୁ ଯେପରି ବ୍ୟବହାର ଦେଖେଇଲେ ସେଥିରେ ନିଧିଆର ମନଟା କେତେକାଳକୁ ମାନି ଯାଇଛି— । ବିଚରା କାହାକୁ କିଛି ନ କହି କର୍ମକୁ ନିନ୍ଦାକରି ବାଟ କାଟି ଦେଲା ଘରକୁ ।

 

ବୋଉ ସେ ଦିନ ପଦଟିଏ ମାତ୍ର କହିଛନ୍ତି—ହଇରେ ଶରତ୍‌ ! ତୁ ଛଟାଙ୍କିଏ ଚାଉଳର ଭାତ ନ ଖାଇଲେ କିପରି ମଣିଷ ହେବୁ କହିଲୁ ?? ତୋ’ର ସେ ଖିଆପିଆ କୁଆଡ଼େ ଗଲା, ତୁ ଏମିତି ବାୟାପରି କାହିଁକି ହେଉଛୁ ??

 

ମୁଁ ଯଦି ବାୟାପରି ହେଉଚି ତେବେ ମତେ ଘରେ ରଖୁଚୁ କାହିଁକି ? ଶରତ୍‌ବାବୁଙ୍କର ଉତ୍ତରରେ ବୁଢ଼ୀ ଏକବାରେ ଚୁପ୍‌ !

 

ଏବେ ମଣିନାନୀଙ୍କର ପାଳି ପଡ଼ିଯାଇଛି—ଶରତ୍‌ବାବୁଙ୍କ ନାଁରେ ସେ ଗୁଡ଼ାଏ ମନରୁ କାଢ଼ି ଗପୁଥିଲେ ସିନା—ମାତ୍ର ସେଗୁଡ଼ାକ ଯେତେବେଳେ ସତ ପରି ସମସ୍ତେ ଜାଣୁଛନ୍ତି—ଦେଖ ନାନୀଙ୍କର ଗର୍ଜନ !! ଗାଁ ଗୋଟାକୁ ପକା ଉଠା କରୁ ଥାଆନ୍ତି—କାହା କାନରେ ଫୁସ୍‌ଫୁସ୍‌ ହୋଇ ଗପନ୍ତି ତ—ଆଉ କାହା ଆଗରେ ମେଘ ଗର୍ଜନ ପାଟିରେ କମ୍ପେଇ ଦିଅନ୍ତି । ଦେଖଲୋ ମାଇପେ–ମୋ କଥାକୁ ମିଛକରି ମର ପରା, ଏବେ ଦେଖ—ଟୋକିଟା ଶରତ୍‌କୁ କଳାମେଣ୍ଢା କରି ଦେଇଛି । ଦେଖେ—ଶରତ୍‌ବୋଉ ! ଯାହାହେଲା ହେଲା—ଏଇ ମଗୁଶୀରରେ ଦୁବ ପକେଇ ଦେ-। ଆଉ ଚାହିଁଥା—ପୁଅକୁ ୟାଭିତରେ ଦିନେ ହେଲେ କଟକ ଛାଡ଼େ ନା । ଦେଖିଲୁ କିରେ ଈଶରା–ମୋ ସାଙ୍ଗରେ କଳି କରିଥିଲୁ ପରା—ଏବେ ଦେଖ୍‌ !! ଈଶରା ଟିକିଏ ନିରବ ରହି କହିଲା ନାଇଁ ନାନି–ତୁମେ ତ ଯାହା କହୁଥିଲ ସବୁ ସତ !! କୋଉଟୋକିଟାତ ସାନସାଉଟାକୁ ମୁକ କରି ଦେଇଚି । ଖାଲି ସବୁବେଳେ ମନକୁ ମନ ତାରି କଥାଗୁରା ଭାବୁଚନ୍ତି । ହଉ ହେଲା—ପୁରୁଷ ପୁଅତ ସେ ମାଇପିଟାକୁ ସାଥିରେ ନ ଆଣିଲେ କାହିଁକି ??

 

ଈଶରା କାହାକୁ କିଛି ନକହିଲେ ମଧ୍ୟ ମନେ ମନେ ଗୁରୁପୁରୁ ହେଉଥାଏ । ଆଉ କ’ଣ ସେଇ ମାଇପିଟା ଆମ ବାବୁଙ୍କୁ ଜଡ଼କରି ଦେଇଛି !! ହଁ ହେଇଥିବ ପରା !! ଭାରି ସୁନ୍ଦରିଆ ଟୋକିଟା !! ହଉ—ମୋର କି ପଡ଼ିଚି ? କାହିଁକି କହିବି କାହା ଆଗରେ—କୁଆଡ଼େ ଶୁଣିବ ବୋଇଲେ—ମୋ କଥା ଅସମ୍ଭାଳ ହେବ । ନିଜର ମା’କୁ ତ, ଜବତ କରି ଦେଉଚି—ଆଉ ମତେ ପଚାରେ କିଏ !! ଏତିକି ବାବୁଟା ଆଗପରି ଥିଲେ—ବନାକୁ ବଡ଼ ଇସ୍କୁଲରେ ପଢ଼େଇ ଦେଇଥାଆନ୍ତି । ନ ହେଲା ତ ନାହିଁ !!—ତାକୁ ଯେତିକି ଯୋଗ !!

 

ଏଥର ଗାଁକୁ ଆସିବା ଦିନଠାରୁ ଶରତ୍‌ବାବୁ ତାଙ୍କ ବାହାରଘରେ ରାତିଦିନ ସବୁବେଳେ ଚିନ୍ତାମଗ୍ନ ରହୁଛନ୍ତି । ପଦାକୁ ବାହାରିବା କିଏ କେବେ ଦେଖୁନି । ସେ ଦିନ ଦ୍ୱିପହର ବେଳେ ବିଦୁ, ମୀରା, ଲତା, ହାରା, ନେତ, ମେନି ପ୍ରଭୃତି ସାଙ୍ଗସାଥି ଝିଅ ଗୁଡ଼ିକ ପୂର୍ବରୁ କଥା ହୋଇଥିବା ଅନୁସାରେ ଶରତ୍‌ବାବୁଙ୍କ ପାଖକୁଗଲେ । ବିଦୁ ସର୍ଦ୍ଦାର ପରି ସମସ୍ତଙ୍କୁ ବାଟ କଢ଼େଇ ନେଉଥାଏ । ସମସ୍ତେ ପାଦ ଚିପି ଚିପି ଘରର ବାରୀ ଦୁଆର ପାଖେ ପହଞ୍ଚି ଶୁଣିଲାବେଳକୁ ଶରତବାବୁ ମନେ ମନେ କହିଚାଲିଛନ୍ତି—ଓହୋଃ, କି ସୁନ୍ଦର ବ୍ୟବହାର ! ରୂପ ଗୁଣ ସବୁ ଏପରିଥାଇ ଲୋକ ଜନ୍ମହୁଏ !! ମୋପରି ହତଭାଗ୍ୟକୁ ସେ ବା ସବୁଦିନ ଯୁଟିବ କୁଆଡ଼ୁ ? ସେଦିନ ସୁଯୋଗରୁ ହୁଏତ ଟିକିଏ ସାକ୍ଷାତ ମିଳିଗଲାନା !! ଶରତ୍‌ବାବୁଙ୍କର ସ୍ମରଣିକା ଶୁଣି ଶୁଣି ଝିଅ ଗୁଡ଼ିକ ଆଉ ସମ୍ଭାଳି ପାରିଲେନି ।

 

ଏକସଙ୍ଗେ ସମସ୍ତେ ଖେଁ ଖେଁ ହୋଇ ହସି ଉଠିଲେ— !! ବିଦୁହେରିକାଙ୍କ ହସରେ ଶରତ୍‌ବାବୁଙ୍କର ଧ୍ୟାନ ଭାଙ୍ଗିଗଲା । ସେ ଟିକିଏ ବିରକ୍ତହୋଇ ଆସିଥିଲେ; ମାତ୍ର ଯେତେବେଳେ ଦେଖିଲେ ବିଦୁ, ମୀରା, ଶଶି, ମେନି ଆଦି ସବୁଗୁଡ଼ିକ ଏକତ୍ର ସମବେତ ହୋଇଛନ୍ତି, ସେ’ବା କାହା ଉପରେ ବିରକ୍ତ ହେବେ ? ମୁହଁରେ ଗୋଟାଏ ନିରସ ହସର ଛାୟାପାତ କରି କହିଲେ,‘‘ତୁମେ ସବୁ ଭାରି ଦୁଷ୍ଟତ !! ମୁଁ ଚାରିଦିନହେଲା ଆସିଲି ଯେ, ତୁମମାନଙ୍କର ସାକ୍ଷାତ ନାହିଁ !! ବିଦୁତ ଭାରି ମୁଖରା—ସାଙ୍ଗେ ସାଙ୍ଗେ ଉତ୍ତର ଦେଲା,‘‘ଆମ ସାକ୍ଷାତରେ ଆଉ କ’ଣ ଅଛିମ— ? ଆମେ ସାକ୍ଷାତ କଲେ ବି ସେକଥା ମନରେ ପର୍ଯ୍ୟନ୍ତ ରହୁନାହିଁ । ସେଇ ରୂପ, ଗୁଣ ବ୍ୟବହାର ସବୁର ତ ଉପାସନା ଚାଲିଛି । ଏତେ ମାନସ ପୂଜା କରିବା ଅପେକ୍ଷା ମୂର୍ତ୍ତିଟିକୁ ସାଙ୍ଗରେ ନେଇ ଆସି ଉପଚାର ପୂଜା କରିଥିଲେ ତ ଭଲ ହୋଇ ଥାଆନ୍ତା, ବରଂ ଆମେ ପୂଜାପାଇଁ ଫୁଲ ଚନ୍ଦନ ସବୁ ଯୋଗେଇ ଦେଉଥାଆନ୍ତୁ ।

 

ବିଦୁ ! ତୁ ଭାରି ଦୁଷ୍ଟ—ମୁଁ ଗୋଟେ ବିଷୟ ଚିନ୍ତା କରୁଥିଲି ଯେ—ତୁ ତାକୁ କାହିଁରୁ କେଉଁଠା ଯାଏ ଉଠେଇଲୁଣି !

 

ଶରତଭାଇ ! ଆମେ ସମସ୍ତେ ତୁମ ପାଖକୁ ମେଳବାନ୍ଧି କାହିଁକି ଆସିଛୁ ଜାଣି ପାରୁଚ-? ଆମେ ଆସିଚୁ କେତେଗୁଡ଼ିଏ ବିଷୟ ତୁମକୁ ପଚାରିବୁ । ଏଇ ଅଚ୍ୟୁତପୁର ଗାଁରେ ଆମପରି ଅନେକ ଝିଅ ଜନ୍ମ ହୋଇଥିଲେ—କେ କୁଆଡ଼େ ଯାଇଚନ୍ତି—କିନ୍ତୁ ଆମେ ଏଇ ଦଳଟା ଯେ—ମାଟ୍ରିକ ଖଣ୍ଡିକ ପାଶକରି ପାରିଲୁ ତା’ର କର୍ତ୍ତା ତୁମେ । ତୁମ ଯତ୍ନ ବିନା ସେତକ ହୋଇ ପାରି ନ ଥାନ୍ତା ।

 

ଆମେ ସମସ୍ତେ ମାଟ୍ରିକ ପାଶ କଲା ବର୍ଷ ତୁମେ କହିଲ—ନାରୀଶିକ୍ଷା ଏ ଦେଶରେ ନିତାନ୍ତ ଦରକାର । ପୁରୁଷମାନେ ନାରୀଶିକ୍ଷା ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି—ତୁମମାନେ କିଛି ଦିନ ଯାଏ ଏ ଦିଗରେ ଧ୍ୟାନ ଦିଅ । ଆମେ ସମସ୍ତେ ତୁମ କଥାରେ ହଁ ଭରିଲୁ । କିନ୍ତୁ ୩ ବର୍ଷ ହେଲା ତୁମର ଦେଖାସାକ୍ଷାତ ପର୍ଯ୍ୟନ୍ତ ନାହିଁ । ଏବେ ୩ ବର୍ଷ ପରେ ଆସିଲ ଯେ—ଆମମାନଙ୍କୁ ଦେଖିଲେ କଥା ପଦେ ସୁଦ୍ଧା କହୁ ନାହଁ ।

 

ବିଦୁର ଅଭିଯୋଗ ଅତିଶୟ ଗୁରୁତର ତାହା ଶରତ୍‌ବାବୁ ଯଥେଷ୍ଟ ବୁଝିପାରିଲେ ଏବଂ ଯେଉଁ କାର୍ଯ୍ୟପାଇଁ ସେମାନଙ୍କୁ ନିଜେ ପ୍ରବର୍ତ୍ତେଇଛନ୍ତି ତାହା ମଧ୍ୟ ଦେଶପକ୍ଷରେ ନିତାନ୍ତ ଜରୁରୀ; ତଥାପି ଇତିମଧ୍ୟରେ ସେ କିଛି କରିବାର ସିଦ୍ଧାନ୍ତରେ ପହଞ୍ଚି ପାରିଲେ ନାହିଁ । ଅନ୍ୟାନ୍ୟ ଆଲୋଚନା ଯୋଗୁଁ ପ୍ରକୃତ ଆଲୋଚ୍ୟ ବିଷୟର ଗୁରୁତ୍ୱ କମି ଆସିଲା ।

 

ମୀରା କହିଲା, ଶରତ୍‌ଭାଇ । ତୁମେ ଏତେ ବ୍ୟସ୍ତ ହେଉଛି କାହିଁକି—ଦଦେଇତ ସବୁ ଠିକ୍‌ ଠାକ୍‌ କରି ରଖିଛନ୍ତି, ମଣିନାନୀ ସାଥିରେ ଦେଠେଇ ଆଜି ସକାଳେ କଥା ହେବାର ମୁଁ ଶୁଣିଚି ଯେ—ଏଇ ମାର୍ଗଶିରରେ ସବୁ କାମ ତୁଟି ଯିବ; ତେଣିକି—ତୁମେ ଆମକୁ ନ ପଚାରିଲେ ବି ଆମେ ଆମ ନୂଆବୋହୂଙ୍କୁ ସଭାପତି କରି ‘‘ନାରୀ ଜାଗରଣ ସଂଘ’’ ଗଢ଼ି ଦେବୁ ନାହିଁକି ?? ଆମ ନୂଆବୋହୁ ତ କୁଆଡ଼େ କଲେଜରେ ପଢ଼ୁଥିଲେ ??

 

ସତେ ନା କ’ଣ ମୀରା—ତୁ, ତ ତାହାହେଲେ ଖୁବ୍‌ ସଂଗ୍ରହ କରି ପାରିଲୁଣି ! ମୀରା-! ଏ କଥା ଯଦି ସତରେ ତୁ ବୋଉଠାରୁ ଶୁଣିଥାଉ ତେବେ ବୋଉକୁ ମନା କରିଦେ—ଶରତ୍‌ଭାଇ କହୁଥିଲେ ସେ ବିଭା ହେବେନି ।

 

ଆମେମାନେ କେବଳ—ନାରୀ ଜାଗରଣ କାହିଁକି—ଆହୁରି ଅନେକ ଗୁଡ଼ିଏ ପ୍ରୋଗ୍ରାମ ଧରି କାମ କରିବା— ।

 

ତୁମେମାନେ ମୋର ଉପଦେଶକୁ ମନରେ ଧରି ଆଜି ନିଜ ଆଡ଼ୁ ସେ ବିଷୟରେ ମତେ ଚେତନା ଦେଇଚ—ଏଥିଲାଗି ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଆଜି ଦଶହରା—ଆମମାନଙ୍କର ପ୍ରଧାନ ପର୍ବ ଆଉ ଗୋଟିଏ ଶୁଭଦିନ—ଆଜିଠାରୁହିଁ ସେ କାର୍ଯ୍ୟ ଆରମ୍ଭ କରାଯାଉ ।

 

ଝିଅଗୁଡ଼ିକ ଶରତ୍‌ବାବୁଙ୍କୁ ଥଟ୍ଟା ଥଟ୍ଟାରେ କେତେ କ’ଣ କହୁ ଥାଆାନ୍ତି । ମୀରା କହିଲା–ଶରତ୍‌ଭାଇ, ନୂଆବୋହୂ ଚିଠି ଦେଲେ ତୁମେ ଆଉ କଟକ ଚାଲି ଯିବନି ତ ? ଆଚ୍ଛା ମୀରା ତୁ ଏଥର ଏଣିକି ମୋର ସମସ୍ତ ଡାକଗୁଡ଼ିକ ରିସିଭ୍‌ କରିବୁ ଏବଂ ମୋର ପ୍ରାଇଭେଟ ଚିଠି ପର୍ଯ୍ୟନ୍ତ ପଢ଼ିବା ଅଧିକାର ତତେ ଦେଲି । ଏଥର ତୁମେମାନେ ଜାଣି ପାରିବ ନୂଆବୋହୂ ମତେ ଚିଠି ଦେଇ ଠକେଇବା କଥା ! ତୁମେ ସମସ୍ତେ ଏପର୍ଯ୍ୟନ୍ତ ବି ମତେ ବିଶ୍ୱାସ କରି ପାରିନା ?

 

ଆମେ ବିଶ୍ୱାସ କରୁଚୁ ଯେ—ଗାଁ ତମାମ ତ ସମସ୍ତେ ସେଇକଥା କହୁଚନ୍ତି ।

 

ଆଚ୍ଛା, ଗାଁ ତମାମ ସେ କଥା କହୁଚନ୍ତି ସତ, ମାତ୍ର ତୁମେମାନେ ତାଙ୍କ ପଛରେ ଯେ ଭାସିଯାଉଛ—ତୁମର ଏତେ ପାଠ ପଢ଼ିବାର ମୂଲ୍ୟ ରହିଲା କେଉଁଠି ? ସାରା ସମାଜଟାତ ଗୋଟେ ଧାରାରେ ଚାଲିଛି, ମାତ୍ର ତୁମେ ତା’ର ପରିବର୍ତ୍ତନ ପାଇଁ ଶପଥ ନେଇଚ ବା କାହିଁକି ? ଲୋକେ ଯେ ଯାହା କହିବାର କହନ୍ତୁ ଆମେ ଆମର ଠିକ୍‌ ବାଟରେ ଚାଲିଲେ ହେଲା ।

 

ବିଦୂ କହିଲା ଶରତ୍‌ଭାଇ ! ତୁମେ ନିଧିବାରିକକୁ ଭାରି ଭଲ ପାଅ, ଆଜି ସେ ମୁଠିଧରି ଖିଅର କରିବାକୁ ଆସିଲାବେଳେ ତା ଉପରେ ରାଗିଲ କାହିଁକି ?

 

ଓହୋ !! ନିଧିଆ—କ’ଣ କହୁଥିଲା କି ? ସେ ମୋର ଗୋଟାଏ ନିୟମ ଭାଙ୍ଗି ଦେବାପାଇଁ ବାରଂବାର ଜିଦ୍‌ କରିବାରୁ ମୁଁ ତା ଉପରେ ବିରକ୍ତ ହେଲି ।

 

ଶଶି କହିଲା, ନିଧିଆ ତୁମର କ’ଣ ନିୟମ ଭାଙ୍ଗୁଥିଲାମ ? ସେ କ’ଣ ମନାକଲା ନୂଆବୋହୂଙ୍କୁ ଆଣନି ବୋଲି ??

 

ଆଚ୍ଛା କଥାତ—ତମ ସମସ୍ତଙ୍କର ଗୋଟିଏ ଦୀକ୍ଷା ଖାଲି ନୂଆବୋହୂ । ନୂଆବୋହୂ !! ହଉ ପିଲେ—ଆମ କାମରେ ଏଥର ଆଗେଇବା । କିନ୍ତୁ ଶୁଣ, କାମକଲାବେଳେ ଅନେକ ଲୋକ ଅନେକ ପ୍ରକାର ସମାଲୋଚନା କରିପାରନ୍ତି, ସେଥିରେ ଟିକିଏ ହେଲେ ତରଳି ଯିବନିଟି !!

 

ବିଦୁ କିଛିକ୍ଷଣ ନିରବ ରହିବା ପରେ କହିଲା—ଭାଇ ତୁମେ ପରା ପ୍ରବାସୀ ଉତ୍କଳ ସମ୍ମିଳନୀରେ ଜବାବ ଦେଇ ଆସିଚ—ସେଠାରେ ପ୍ରବାସୀମାନଙ୍କର ଅଭାବ, ଅସୁବିଧା ଦୂରକରିବା ପାଇଁ କଲିକତାରେ ରହିବ ? ଆଉ ଏଆଡ଼େ ସଂଘ ଗଢ଼ିବା କଥା କହୁଚ କ’ଣ ?

 

ଉଭୟ ଜାଗାରେ କାମ ହେବ, ତୁମେ ବ୍ୟସ୍ତ ହେଉଚ କାହିଁକି ?

 

ରେଖା କହିଲା, ନାଇଁ ମ ବିଦୁ ! କୋଉଠାରେ ହେଲେ କାମ ହେବନି, କାମ ହେବ ସରକାରୀ ଅଫିସରେ—କାମ ହେବ ଟାଇପ୍‌ ଏଇଟ୍‌ ଓ୍ୟାଟରରେ । ସାଥି ହେବେ ପୂର୍ବ ନିରୁପିତ ବଙ୍ଗାଳୁଣୀ ବୋହୂ ଇତ୍ୟାଦି ଇତ୍ୟାଦି...... ।

 

ରେଖାର ମନ୍ତବ୍ୟରେ ସମସ୍ତେ ହସି ଉଠିଲେ ।

 

(ନଅ)

 

ମୋର ନିଆଁଲଗା ତୁଣ୍ଡଟାକୁ ଯେତେ ମନାକଲେ ସେ କ’ଣ ମାନି ମରୁଚି । ଦେହ ନ ସହା କଥାଗୁଡ଼ାକତ ତା ମନକୁ ମନକୁମନ ବାହାରି ପଡ଼ୁଛି, ମୁଁ କ’ଣ କରିବି ? କ’ଣ ହେଲା କିହେ ନାନି, ମନକୁମନ କଥାବର୍ତ୍ତା ହେଉଚ ? ମୀରା ବୋଉ ପଚାରିଲେ ।

 

ହଇଲୋ—ଏ ମୀରା ବୋଉ ! ବଢ଼ିଲା ଝିଅକୁ ବାହା ଦେଇ ଶାଶୁଘରକୁ ଛାଡ଼ିବୁ—ନା ଏଇ ଶରତ୍‌ ସାଙ୍ଗରେ ଲଟ୍‌ପଟ କରାଉଥିବୁ ।

 

ମୀରାବୋଉ ଜିଭ କାମୁଡ଼ି ପକେଇ କହିଲେ—କେଡ଼େ ପଦଟା କହିଲ ନାନି ! ଶରତ୍‌ ପରା ମୀରା, ବିଦୁ, ଶଶି, ହାରା ଆଦି ସମସ୍ତଙ୍କର ଭାଇ !! ହଁ ହଁ, ରଖିଥା ଭାଇ ପଣିଆ ଗୁଡ଼ାକ—ଆଉ କାହା ଆଗରେ କହିଲେ ସୁନ୍ଦର ଦିଶିବ । ଶରତର ଏତେ ଭଉଣି ଅଛନ୍ତି ତା ବୋଉ କାହିଁକି ଝିଅଟିଏ ପାଇଁ ଲକ୍ଷେ ବ୍ରତ ଉପବାସ କରୁଥିଲା । ଏ ସବୁ ଝିଅଗୁଡ଼ିକ କୁଳରୁ ଚାଲିଯିବେ । ସେ ଟୋକା ସେଆଡ଼େ କେତେ ବାଡ଼ୁଅ ଝିଅଙ୍କୁ ଖାଲରେ ପକେଇ ପକେଇ ଆସି ନିଜର ଗାଁ ଭିତରେ ସୁଦ୍ଧା ଗୋଟାଏ ପାଲା ଜମେଇଚି ! ହଉ ମୋ କଥା ତ ସମସ୍ତଙ୍କୁ ଗନ୍ଧାଏ । ଲେଡ଼ିଗୁଡ଼ କହୁଣୀକୁ ବୋହିଗଲେ ଜଣାପଡ଼ିବ ଯେ— !!

 

ମୀରାବୋଉ ସାଙ୍ଗରେ ମଣିନାନୀର କଥାବାର୍ତ୍ତା ଚାଲିଥିବାବେଳେ ସାଇ ଗୋଟାକର ମାଇପି ରୁଣ୍ଡ ହୋଇ ପଡ଼ିଲେ । ମଣିନାନୀ ବାରମ୍ୱାର ସେଇ କଥାଗୁଡ଼ାକ ବୟାନ କରୁଥାଆନ୍ତି ।

 

ଘଡ଼ିକ ଉତ୍ତାରୁ ଶରତବାବୁଙ୍କ ବୋଉ ଆସି ସେଠାରେ ପହଞ୍ଚୁ ପହଞ୍ଚୁ ମଣିନାନୀ କହିଲେ ଶରତ୍ ବୋଉକୁ ମୁଁ କଣ ଲୁଚେଇ ଛପେଇ କହୁଚି କି ? ପିଲା ତା’ର ନଷ୍ଟ ହୋଇଯାଉଚି । ସେ ତାକୁ ତାବଢ଼େଇବନି ! ହେଇଟି ଆଉ ମାସଟେ ଗଲେ ବାହାଘର !! ଏଇ ଦିନ କେତେଟା ତାକୁ ଟିକିଏ ନଜର କରେ—ଶରତ୍‌ବୋଉ !

 

ସେ ଦିନ ରାତିରେ ବିଦୁ, ମୀନୁ, ମୀରା, ଶଶି ପ୍ରଭୃତି ଝିଅଗୁଡ଼ିକ ନିଜ ନିଜ ବାପା, ବୋଉଙ୍କଠାରୁ ଭର୍ଚ୍ଛନା ଶୁଣିଲେ । କେହି କେହି ମାଡ଼ ପର୍ଯ୍ୟନ୍ତ ଖାଇଛନ୍ତି । ଆର ଦିନଠାରୁ ଆଉ କେହି ଶରତ୍‌ବାବୁଙ୍କ ସୀମା ନ ମାଡ଼ିବାଲାଗି ତାକିତ ପାଇଛନ୍ତି ।

 

ସମସ୍ତ ଘଟଣା ଶରତ୍‌ବାବୁଙ୍କ କାନକୁ ଗଲା, ସେଥିରେ ସେ ବିଶେଷ ଦୁଃଖିତ ହୋଇ ପଡ଼ିଲେ । ଗ୍ରାମ ସଙ୍ଗଠନ କାର୍ଯ୍ୟର ଚାପାରେ ପଡ଼ି ସେ ଅପରିଚିତାର ପ୍ରେମକୁ ପାଶୋରି ଯାଉଥିଲେ ସିନା—କାର୍ଯ୍ୟକ୍ରମ ବନ୍ଦ ହୋଇ ଯିବାରୁ ନିରୋଳାରେ ବସି ପୁଣି ସେଇ ଭାବନା ଆରମ୍ଭ କରିଦେଲେ ଏବଂ ପୂର୍ବ ରୀତିରେ ମୂକ ହୋଇ ବସି ରହିଲେ ।

 

ପାଠୁଆ ପୁଅର ଜୀବନରେ ଏପରି ବାରମ୍ବାର ଘନଘଟା ଦେଖି ଶୁଣି ଅନାମ ମିଶ୍ରେ ଜଡ଼ପରି ରହିଥାନ୍ତି । ଶରତ ବୋଉଙ୍କ ଅବସ୍ଥା କହିଲେ ନ ସରେ । ଲାଜରେ ସେ ପଦାକୁ ମୁଣ୍ଡଟେକି ବାହାରି ପାରନ୍ତି ନାହିଁ ।

 

ସେଦିନ ଡାକ ପିଅନ ଲଫାପା ଚିଠି ଖଣ୍ଡିଏ ଦାସଙ୍କୁ ଦେଇ ଯାଇଥାଏ । ଦାସେ ଓଡ଼ିଆ ଅକ୍ଷର ପଢ଼ି ପାରନ୍ତି ସତ, ମାତ୍ର ତାହା କରଣି ହୋଇଥିଲେ ହୁଏ । ତା ବ୍ୟତୀତ ଚଷମାଖଣ୍ଡକ କେଉଁଠି ପଡ଼ିଛି ଖୋଜିବାକୁ ହେବ । ଏତେ କାଣ୍ଡ କାରେଖାନା ଭିତରେ ନ ପଶି ସେ ଗୋଟିଏ ସୁବିଧା ଉପାୟ ପାଇଛନ୍ତି । ଯେତେ ଚିଠି ପତ୍ର ଆସେ ସବୁ ବିଦୁ ଦ୍ୱାରା ପଢ଼େଇ ଦିଅନ୍ତି ।

 

ଦାଶଙ୍କ ହାତରେ ଲଫାପାଖଣ୍ଡିଏ ଦେଖିବା ମାତ୍ରେ ଶରତବାବୁଙ୍କ ବୋଉ ପଚାରିଲେ—ଚିଠିକୁଠୁ ଆସିଛିମ ? ଚିଠି ଆଉ ଆସିବ କୁଆଡ଼ୁ—ଧରାକୋଟରୁ ଆସିଥିବ । ତୁମେ ସିନା ପୁଅ ଜନମ କରିଚ ଯେ—ଲାହିରେ ତେଲ ପକେଇ ବସିଯାଇଚ । ସେ ବିଚରାତ ଝିଅ ସାଇତିଚି ଆଉ କରିବ କ’ଣ ? ଦୁଇ ଦିନକୁ ଥରେ ଚିଠି ଖଣ୍ଡେ ଲେଖାଏଁ ପଠୋଉଛି । ବିଦୁକୁ ଟିକିଏ ଡାକିଲ । ଚିଠିଟା ପଢ଼ିଦେବ ।

 

ଅନାମ କକେଇଙ୍କ ଡାକରାରେ ବିଦୁ ତୀରବେଗରେ ଛୁଟି ଆସିଲା ଏବଂ ଲଫାପାଟି ଚିରି ଚିଠିଖଣ୍ଡିକ ପଢ଼ିଲା—

 

ସମନ୍ଧୀ ମୋର ନମସ୍କାର ଗ୍ରହଣ କରିବେ—ଆପଣଙ୍କ କଥା ଅନୁସାରେ ଦୁଇମାସ ଛୁଟିନେଇ ଗାଁକୁ ଆସିଲି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମାର୍ଗଶିର ତିଥିକଥା ଆପଣ ମତେ ନିର୍ଭର ଦେଇ କହୁନାହାନ୍ତି । ଦୟାକରି ଫେରନ୍ତା ଡାକରେ ମତେ ସବୁ ବିଷୟ ଜଣେଇବେ । ପତ୍ର ଅପେକ୍ଷାରେ ରହିଲି । ଆଶାକରେ ଆପଣ ସପରିବାର କୁଶଳରେ ଥିବେ ।

 

ବିଦୁ ଚିଠି ଖଣ୍ଡିକ ପଢ଼ିବା ପରେ ପରେ ଦାସେ ମେଘ ଘଡ଼ଘଡ଼ି ଭଳି ପାଟିକରି କହିଲେ–ହଇଏ–ଠିରେ ସେ ଯାହା ଲେଖିଚି ଶୁଣିଲଟି— ? ତାକୁ ଜବାବ ଦିଅ । ମୋର ଏ କଥାରେ ଉପାୟ ନାହିଁ । ତୁମେ ମା, ପୁଅ ମତେ ଆଉ ମଣିଷ କରି ରଖିନା । ମୋ କଥା ଅନୁସାରେ କାମ ହେଉଥିଲେ ଏତେ ଅଡ଼ୁଆ ନ ଥାନ୍ତା ।

 

ଖୁଡ଼ି, ଶରତ ଭାଇତ ବିଭା ହେବେ ନାହିଁ ବୋଲି ବାରମ୍ୱାର କହୁଛନ୍ତି । ମତେ କହୁଥିଲେ—ମୋ ବିଭାଘର ପ୍ରସଙ୍ଗ ଯଦି ଉଠୁଥାଏ ତାହା ହେଲେ ଖୁଡ଼ିଙ୍କୁ କହି ବନ୍ଦ କରିଦେବୁ । ଶେଷରେ ସେମାନେ ଅପଦସ୍ତ ହେବେ କାହିଁକି ?

 

ହେଇଟି ଶୁଣିଲ—ତୁମ ପୁଅଙ୍କ ମତାମତ ଶୁଣିଲତ ? ଦିଅ, ଆଜି ତାକୁ ମନାକରି ପଠେଇବି । ମହାପ୍ରସାଦଟା ମୁଁ ଟେକି ଦେଇଥିଲି—ସେଥିଲାଗି ଠାକୁର ଯାହା ଦଣ୍ଡ ଦେଲେ ଦେବେ—ଆଉ କ’ଣ କରିବି, ମୁଁ ପୁଅ, ଭାରିଜା ଧରି ଘର କରୁଚି ପରା ।

 

ରହମ—ତୁମେ ଏତେ ଅଥୟ ହୋଇ ପଡ଼ୁଚ କାହିଁକି ? ଖାଲି ଚିଠି ଖଣ୍ଡେ ଦବ କ’ଣ କେତେ କଥା ତ କରିବ ।

 

ମୁଁ ଶରତକୁ ଡାକି ତାକୁ ଆଜି ମୁହେଁ ମୁହେଁ ଯାହା କହିବାର କହିଦେବି । ଗୋଟିଏ ବୋଲି ପୁଅ—ତା ଯୋଗୁରୁ ଆଉ ସବୁଦିନ କେତେ ମରିବି । ମତେ କ’ଣ ହାତେ ଦଉଡ଼ି କିମ୍ୱା କନିଅର ମଞ୍ଜିଟାଏ ମିଳିବନି ? ବିଦୁ ତୁ ଗଲୁ ଟିକିଏ ଶରତକୁ ଡାକି ଆଣିବୁ ।

 

‘‘ହଇରେ ଶରତ ! ତୁ କଣ ବିଭା ହେବାକୁ ମନା କରୁଚୁ ? ହଁ ବୋଉ, ମୁଁ ବିଭା ହେଲେ କେତେ ଅସୁବିଧା ହେବ ଦେଖେ । ମୁଁ ଅସୁବିଧା ସୁବିଧା କଥା ତୋଠାରୁ ଶୁଣିବାକୁ ଚାହେଁନି—ମଗୁଶିର ମାସରେ ବିଭାଘର କରିବି । ଛ’ମାସ ହେଲା ନିର୍ବନ୍ଧ ସରିଚି । ଏଥିରେ ତୋର ମତ କ’ଣ ସଫା କହିଦେ—ତେଣିକି ତୋ କଥା ତୋର ମୋ ମଥା ମୋର । ମୋ ରାସ୍ତା ମୁଁ ଧରିବି । ଶରତ ଆଶ୍ଚର୍ଯ୍ୟ ହୋଇ ପଚାରିଲେ—ବୋଉ, କୁଆଡ଼େ ଚାଲିଯିବୁ ନା କ’ଣ ? ମତେ କ’ଣ କୁଆଡ଼େ ଯିବାକୁ ରାସ୍ତା ନାହିଁ ? ପୋଖରୀ ହୁଡ଼ା ଚାହିଁ ବସିଚି ପରା । କନିଅର ମଞ୍ଜିଟେ ମତେ ମିଳିବ ଯେ-। ତାହାହେଲେ ତୁ କହୁଚୁ ମୁଁ ବିଭା ନହେଲେ ବିଷଖାଇ ତୁ ଆତ୍ମହତ୍ୟା କରିବୁ ! ହଁ—ମରଣ ଛଡ଼ା ମୋର ଉପାୟ କ’ଣ ?

 

ଦାମ ଦାଶେ ଏତିକିବେଳେ ତୁଣ୍ଡ ଶୁଣାଇ କହିଦେଲେ ତୁମେ ଜଣେ ମରିବ କାହିଁକି ? ପୁଅତ ବାବାଜି ହୋଇ ଦେଶକାମ କରିବେ—ଆମେ ଦୁହେଁ ଯାହା କରିବା ତ ଗୋଟାଏ କାମ କରିବା ।

 

ବୋଉ ଓ ବାପାଙ୍କ କଥା ଶୁଣି ଶରତବାବୁ ମନେ ମନେ ପ୍ରମାଦ ଗଣିଲେ ଏବଂ ଆପେ ଆପେ ସ୍ଥିର କଲେ—ବ୍ୟସ୍ତ ହୋଇ କିଛି ଲାଭ ନାହିଁ । ବାପା, ବୋଉ ମୋ ମନରଭାବ ବୁଝିବାକୁ ଯେତେବେଳେ ଚେଷ୍ଟା କରୁ ନାହାନ୍ତି ଏବଂ ଅତି ସାଙ୍ଘାତିକ କଥା କହୁଛନ୍ତି କେବଳ ତାଙ୍କର ଶାନ୍ତ ଦୃଷ୍ଟିରୁ ବିବାହରେ ରାଜି ହୋଇଯିବା ଛଡ଼ା ଆଉ ଉପାୟ କ’ଣ ? ମନର ସଙ୍କଳ୍ପଟାତ ଏମାନେ ରଖେଇ ଦେବେନି—ତେବେ ଯେଉଁ ଅପରିଚିତାଟି ଅଳ୍ପ ସମୟ ଭିତରେ ସୁନ୍ଦର ମଧୁର ବ୍ୟବହାର ଦେଖାଇ ମନଟାକୁ ଟାଣିନେଇ ପାରିଥିଲା ତା ସହିତ ବିବାହ ବନ୍ଧନର ସୁଯୋଗ ହେଲେ ମିଳନ୍ତା—କିନ୍ତୁ ସେ ଯେ—ଅପରିଚିତା—ତା ପ୍ରଶ୍ନ ଉଠିବ ବା କିପରି ? ବାପା ତ ପୁଣି ପ୍ରସଙ୍ଗ ଠିକ୍‌କରି ନିର୍ବନ୍ଧ ଶେଷ କରି ଦେଇଛନ୍ତି ।

 

ମୁନଷ୍ୟ ପରିସ୍ଥିତିର ଅଧୀନତା ସ୍ୱିକାର କରିବାକୁ ବାଧ୍ୟ ବୋଲି ଯେଉଁମାନେ ମତ ଦେଇଥାନ୍ତି, ସେମାନେ ଗୋଟାଏ ଖିଆଲ ଉପରେ ଏହା କେବେହେଁ କହି ନାହାନ୍ତି । ନିଜେ କାର୍ଯ୍ୟ କ୍ଷେତ୍ରରେ ଅନୁଭବ କରି ନିଶ୍ଚେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଛାତ୍ର ଜିବନରୁ ଯେଉଁ ଦିଗରେ ମୋର ଶ୍ରଦ୍ଧା ତାହା ସବୁ କାର୍ଯ୍ୟକାରୀ କଲାବେଳେ କେଜାଣି କାହିଁକି ଯେ ଘୋର ପ୍ରତିବନ୍ଧକ ସୃଷ୍ଟି ହେଉଛି ମୁଁ ତ କିଛିହେଲେ ବୁଝି ପାରୁନି । ମୋର କାର୍ଯ୍ୟଗୁଡ଼ାକୁ ଏକମୁଖି ହୋଇ ଯାଉଛି ନା କ’ଣ ? ଗାଁ ଗହଳିରେ କିଛି ହେଲେ କାମ କରିବା ପାଇଁ ବାହାରିଲାବେଳକୁ ଯେଉଁ ଅପବାଦ ଗୁଡ଼ାକ ଶୁଣାଗଲା, ସେଥିରେ ମଣିଷ ଭାଙ୍ଗି ପଡ଼ିବା କଥା । ଯୁବତୀ ଝିଅଗୁଡ଼ିକ ମିଛ ଦୁର୍ନ୍ନାମ କେତେ ସହି ପାରନ୍ତେ । ସେଥିରେ ପୁଣି ମୁରବିମାନଙ୍କର ତୀବ୍ର ଭତ୍ସର୍ନା, ମାଡ଼, ଗାଳି ସବୁ ଚାଲିଲା—କାହାକୁ ନେଇ ଏବେ କାମ କରିହେବ ?

 

ଚଳନ୍ତା ଗାଡ଼ିର ଅପରିଚିତା ଯୁବତୀର ସ୍ମୃତି ଶରତ ବାବୁଙ୍କ ମନକୁ ଅଥୟ କରି ଦେଉଥାଏ । ସେ ଦୃଢ଼ତାର ସହିତ ସବୁ ଚିନ୍ତାକୁ ପରିହାର କରି ଗ୍ରାମ ସଙ୍ଗଠନରେ ମନ ଦେଲାବେଳକୁ ମଣିନାନୀର କାଣ୍ଡଯୋଗୁଁ ତା ସବୁ ପଣ୍ଡହୋଇଯାଉଥାଏ । ପୁଣି ସେଇ ଅପରିଚିତାର ସ୍ମୃତି ଶରତବାବୁଙ୍କୁ ବିବ୍ରତ କରି ପକାଏ । ଦିନ କେତଟା ଭିତରେ ସେ ଏପରି ହିନସ୍ୱାସ୍ଥ୍ୟ ଆଉ କଦାକାର ହୋଇପଡ଼ିଲେ ଯେ ତାଙ୍କ ସହିତ ବହୁବର୍ଷ ଚଳିଥିବା ଲୋକ ମଧ୍ୟ ଚିହ୍ନି ପାରିବ ନାହିଁ ।

 

ମଣିନାନୀ ସେ ଦିନ ପୋଖରୀ ତୁଠରୁ ଫେରିବା ବେଳେ ହଠାତ୍‌ ଶରତବାବୁଙ୍କ ସାମନାରେ ପହଞ୍ଚିଗଲେ । ଅନ୍ୟ ବାଟରେ ଚାଲି ଯିବାର ଉପାୟ ନଥିଲା । ଆଉ କ’ଣ କରିବେ ଗୋଟିଏ ଗୋଟିଏ ଲୁହହୀନ କାନ୍ଦଣାର ଅଭିନୟ କରି କହିଲେ ହଇରେ ବାପା ଶରତ ! ଏତେଦିନ ହେଲା ଆସିଲୁଣି ଯେ—ତୋର ଦେଖାତ ଟିକିଏହେଲେ ମିଳୁନି ? ହଉ ଦେଖା ନ ମିଳୁ ପଛେ—ଏତକ ସବୁ ଯେଉଁ କାମ କରିଦେଲୁ ମୋ ମନ ଭାରି ମାନିଲା । ଗାଁରେ ଗାଇଗୋଠ ପରି ଗୋଠେ ମଣିଷ ଅଛନ୍ତି କାହାରିହେଲେ ଆଖିକି କଣ ଦିଶୁଥିଲା ? ସମସ୍ତେ ସେଇ କାଦୁଅରେ ଘୂଷୁରୀପରି ଲଟପଟ ହେଉଥିଲେ ପରା !

 

ହଇରେ ବାପା ! ଦାମତ କ’ଣ ବିଭାଘର ପାଇଁ ସବୁ ଯୋଗାଡ଼ କଲାଣି । ମୁଁ ତୋ ବୋଉକୁ କହି ଦେଇଛି—ପାଠୁଆ ପୁଅ ତା ମାଫି କାମକର । ସେ କ’ଣ ଏଇମାନଙ୍କ ପରି ହୋଇଛି କି ?? ମୋ କହିବା କଥା କହିଲି—ତେଣିକି ତାଙ୍କ ମନ !

 

ସବୁ ଅନର୍ଥର ମୂଳ ହୋଇ ବାହାରକୁ ମଣିନାନୀର ଯୋଉ କଥା—ସେଥିରେ କିଏ ଭଲା କ’ଣ କରିବ ! ଶରତବାବୁ କିଛିହେଲେ ଉତ୍ତର ନ ଦେଇ ନିରବ ରହିଲେ ।

 

ବିଦୁ ପ୍ରଭୃତି ଝିଅଗୁଡ଼ିକ ଶରତବାବୁଙ୍କ ସହିତ କାମରେ ସହଯୋଗ କରିବା ହେତୁ ତାଙ୍କର ମନ ଆହୁରି ବିଷର୍ଣ୍ଣ ହୋଇ ପଡ଼ୁଥାଏ । ଲୁଚି ଛପି କୁଆଡ଼େ ଚାଲିଯିବା ପାଇଁ ସେ ବହୁବାର ମନସ୍ଥ କରୁ ଥାଆନ୍ତି । କିନ୍ତୁ ସେ ଚାଲିଯିବା ପରେ ବାପା ବୋଉଙ୍କର ଅବସ୍ଥା କ’ଣ ହେବ—ସେମାନେ ଦେହଧରି ରହି ପାରିବେ ନାହିଁ । ଏ କଥା ଭାବିଦେଲାବେଳେ ତାଙ୍କର ଲୁଚିଛପି ଚାଲିଯିବାର ପ୍ରସ୍ତାବ ଆପେ ଆପେ ମଉଳି ଆସେ ।

 

ଚାହୁଁ ଚାହୁଁ କାର୍ତ୍ତିକ ମାସଟା ଶେଷ ହୋଇ ଯିବାକୁ ବସିଲା । ଦାଶେ ବିଭାଗର ଆୟୋଜନରେ ଲାଗି ଥାଆନ୍ତି । ଭୋଜିଭାତ ପାଇଁ ପରିବା ପତ୍ର ସଂଗ୍ରହ ଚାଲିଥାଏ । ଏ ସବୁ ଆୟୋଜନ ଦେଖି ଶରତ୍‌ବାବୁଙ୍କ ଛାତି ଭିତରଟା ଗୋଳେଇ ଘାଣ୍ଟି ହୋଇ ଉଠେ । ଅପରିଚିତା ଯୁବତୀର ମଧୁର ସ୍ମୃତି ତାଙ୍କୁ ବିବ୍ରତ କରିପକାଏ । ମଝିରେ ମଝିରେ ତାଙ୍କପରି ଉଚ୍ଚ ଶିକ୍ଷିତ ଯୁବକଙ୍କର ମଧ୍ୟ ଆଖି ଓଦାହୋଇ ଆସେ । ମନେହୁଏ ସେ ଯେପରି ଗୋଟାଏ କିଛି ଅନ୍ୟାୟ କରିବାକୁ ଯାଉଛନ୍ତି । ବେଳେ ବେଳେ ମନଟାକୁ ଦୃଢ଼ କରନ୍ତି—ଯାହା ହେବାର ହେଉ ପଛେ ସେ ଅନ୍ୟ କାହାକୁ ବିବାହକରି ଆତ୍ମାଟିକୁ ହନ୍ତ ସନ୍ତ କରିବେ ନାହିଁ ମାତ୍ର ବୋଉଙ୍କର ଶୁଖିଲାମୁହଁ ଓ ଲୁହଭରା ଆଖି ଦୁଇିଟି ଦେଖିଦେବା କ୍ଷଣି ସେ ଦମ୍ଭ କୁଆଡ଼େ ଉଭେଇ ଯାଏ ।

 

ରାତି ପାହିଲେ ବିଭାଘର । ବନ୍ଧୁ ବାନ୍ଧବ କୁଣିଆ ମଇତ୍ରଙ୍କ ସମାଗମରେ ଦାଶଙ୍କ ଘରେ ମୁହଁ ବୁଲେଇବାକୁ ରାସ୍ତା ନାହିଁ । ଖା, ପିଆ ଦେବା ନେବାରେ ସମସ୍ତେ ବ୍ୟସ୍ତ । ସନ୍ଧ୍ୟାବେଳକୁ ବର ଧରି ବରଯାତ୍ରୀ ବାହାରିବା କଥା । ବେଳ ଆସି ମୁଣ୍ଡ ଉପର ଧଇଲାଣି; ଶରତ୍‌ବାବୁ ଟେବୁଲ ଉପରୁ ମୁହଁଟେକି କାହାକୁ ଚାହୁଁ ନାହାନ୍ତି । ଉପସ୍ଥିତ ବନ୍ଧୁ ବାନ୍ଧବଙ୍କ ଭିତରୁ ପ୍ରାୟ ସମସ୍ତେ ଥରକୁ ଥର କୁହାବୋଲା କରି ଲେଉଟି ଯାଉଛନ୍ତି । ବିଦୁ ଶରତ୍‌ବାବୁଙ୍କୁ ସଜେଇବାରେ ବିଶେଷ ଭାଗ ନେଇଥାଏ । ବିଦୁ ସହିତ ଶରତ ବାବୁଙ୍କର ଭାରି ଯୁକ୍ତିତର୍କ ଚାଲେ । ଶରତବାବୁ କହିଲେ ବୈବାହିକ ସମ୍ପର୍କରେ ଜଣକୁ ମନସ୍ତ କରିନେବା ପରେ ଅନ୍ୟ କାହାସହିତ ବିବାହ କରିବାହିଁ ବ୍ୟଭିଚାର ! ତେଣୁ ଏ ବିବାହକୁ ସମର୍ଥନକରି ବ୍ୟଭିଚାର କରିବା ମୋର ମତ ନୁହେଁ । ବିଦୁ ମଧ୍ୟ ଯୁକ୍ତିରେ ଛାଡ଼େନି । ସେ ଜବାବ ଦିଏ ମନ ଅନେକ କିଛି ଇଚ୍ଛା କରିଥାଏ—କିନ୍ତୁ ସେ ସବୁ କ’ଣ କେବେହେଲେ ପୂରଣ ହେଇପାରିବ ? ଠାକୁରଙ୍କର ବରାତ ଯାହାଥିବ ତାହା ଧରି ବାନ୍ଧିହୋଇ ହେବ । ତୁମେ ଚାଲିବା ବାଟରେ କାହାକୁ ଜଣେ ଦେଖିଦେଲ—ସେ କ’ଣ ଆମର ନୂଆବୋହୂ ହେବ ବୋଲି ଲେଖା ହୋଇଛି ? କେଜାଣି କି ଜାତି ନାହିଁ କି ଜାତି ହୋଇଥିବ ।

 

ବିଦୁ ତୋର ଏତେଗୁଡ଼ାଏ ପଢ଼ା ପଢ଼ି କରିବା ସବୁକ’ଣ ତାହାହେଲେ ବୃଥା । ମଣିଷ ଭିତରେ ପୁଣି ଜାତି ଅଜାତି ପ୍ରଶ୍ନ ଉଠେଇଲୁଣି ନା । ମଣିଷର ବ୍ୟବହାର, ସ୍ୱଭାବ, ଚରିତ୍ର ଯଦି ଭଲ ତେବେ ତାର ଜାତି ଅଜାତି ଦ୍ୱାହି ଉଠାଇବାରେ ପ୍ରୟୋଜନ କ’ଣ ? ବିଦୁ ! ମୋ ମନ ଖରାପ ହେଉଛି ସେ ବିଷୟରେ ତୁ ଆଉ ବେଶିକିଛି କହନା !

 

ଶରତ୍‌ ବାବୁଙ୍କ ଶେଷ ବାକ୍ୟରେ ବିଦୁ ବିଚାରୀ ନିରାଷ ହୋଇ ଫେରିଆସେ । ପୁଅଙ୍କର ଭାବ ଭଙ୍ଗିରେ ଦାଶେ କଳାକାଠ ପଡ଼ିଗଲେଣି ।

 

ଶରତ ବୋଉଙ୍କ ଦେହରୁ ରକ୍ତ ପ୍ରାୟ ଶୁଖି ଆସିଥାଏ । ଦିପ୍ରାଣୀ ଯାକ ଛଟପଟ ହେଉ ଥାଆନ୍ତି । ତେବେ ମନରେ ଏଇ ମାତ୍ର ଦମ୍ଭଥାଏ ଯେ—ହରିବାବୁ ଆଉ ପ୍ରତୀଭା ଦେବୀ ଆସିଗଲେ ଶରତ୍‌ ସେ ଦୁହିଁଙ୍କ ବୋଲ ଭାଙ୍ଗି ପାରିବ ନି । ତେଣୁ ଦାଶେ ଦାଣ୍ଡ ଆଡ଼କୁ ବାଡ଼ିଆଡ଼ ଏପାଖ ସେପାଖ ହେଉ ଥାଆନ୍ତି ।

 

ଗାଁ ମୁଣ୍ଡ ଠାକୁରାଣୀ ଦେଉଳ ଗଛପାଖେ ମଟର ହର୍ଣ୍ଣ ଶୁଣାଗଲା । ସମସ୍ତେ ସେ ଆଡ଼କୁ କାନ ଡେରିଲେ । ଦାଶେତ ସକାଳ ପହରୁ ତାଙ୍କରି ଅପେକ୍ଷାରେ ରହିଛନ୍ତି—ହର୍ଣ୍ଣ ଶୁଭିଲାକ୍ଷଣି ଗାଁ ଦାଣ୍ଡଟାକୁ ଦୁଇ ପାହୁଣ୍ଡ କରି ଠାକୁରାଣୀ ଦେଉଳ ଆଡ଼େ ଦୌଡ଼ିଗଲେ ।

 

ମଟର ଭିତରୁ ପିଉସାଙ୍କୁ ଦେଖିବାମାତ୍ରେ ହରିବାବୁ ଆଉ ପ୍ରତିଭାଦେବୀ ମଟରରୁ ଓହ୍ଲାଇ ଆସିଲେ । ଦାଶେ ଏକ ନିଶ୍ୱାସରେ କହି ଲାଗିଲେ—ବାପା ହରି ! ମୋର ତ ଭେଳା ବୁଡ଼ିଥିଲା । ଶରତ ଯୋଉ ବିଷମରେ ପକେଇଛି ତୁମ ଦୁହିଁଙ୍କ ବିନା ତାକୁ କେହି ହେଲେ ସଜାଡ଼ି ପାରିବେ ନାହିଁ । ମୋର ମାନ ମହତ ଦି’କଡ଼ା ହୋଇଯିବ ବାପା ! ସକାଳ ପହରୁ ଅଗାଧୁଆରେ ବସିଚି ।

 

ଶରତବାବୁଙ୍କ ବୋଉ ବାରିବାଟେ ଝପଟିଆସି ପ୍ରତିଭା ଦେବୀଙ୍କୁ ଲକ୍ଷେ ଆଦରରେ ଖଞ୍ଜାଶାଳ ଭିତରକୁ ନେଇଗଲେ । ପ୍ରତିଭା ଦେବୀଙ୍କର ରୂପ, ପୋଷାକ ପରିଚ୍ଛଦ ସର୍ବୋପରି ଆଧୁନିକ ଗହଣାମାନ ଉପସ୍ଥିତ ମାଇପି ଗୁଡ଼ିକର ଆଖିଗୁଡ଼ିକୁ ଘଡ଼ିଏ ପର୍ଯ୍ୟନ୍ତ ଅଟକାଇ ରଖିଲା । ତା ମଧ୍ୟରୁ ଅନେକେ ପ୍ରତିଭା ଦେବୀଙ୍କୁ ନିଜ ସହ ମନେ ମନେ କଳ୍ପନାକରି ଲଜ୍ଜା ଅନୁଭବ କରୁଥାଆନ୍ତି ।

 

ହରିବାବୁ ଶରତ୍‌ବାବୁଙ୍କ ପାଖକୁ ଯାଇ ତାଙ୍କୁ ବୁଝା ସମଝା କରିବା ପୂର୍ବରୁ ପ୍ରତିଭାଦେବୀ ଆଗତୁରା ବାହାରି ପଡ଼ିଲେ—ଶରତ ବାବୁଙ୍କ ସହିତ ତାଙ୍କର ଯେତେଦୂର ଘନିଷ୍ଠତା–ସେଥିରେ ସେ ଅଧିକାର କରି ଦି ଚାରିପଦ କହିବା ନିତାନ୍ତ ସ୍ୱାଭାବିକ । ତଦନୁସାରେ ପ୍ରତିଭାଦେବୀ ଘର ଭିତରକୁ ପଶି ଯାଇ—ଶରତ୍‌ବାବୁଙ୍କ ମୁହଁଟିକୁ ଟେବୁଲ ଉପରୁ ଉଠାଇ ଦେବାବେଳେ ଶରତ୍‌ବାବୁ ହାତଟାକୁ ଏପରି ଜୋରରେ ଛାଟିଦେଲେ ଯେ—ହାତଟା ପ୍ରତିଭା ଦେବୀଙ୍କ କାନ ମୁଣ୍ଡାରେ ପିଟି ହୋଇଗଲା । ମାଇପି ଦେହ ଯୁବକଟାର ହାତଟା ଜୋରରେ ପିଟି ହୋଇଗଲେ ନ କାଟିବ ବା କିପରି ? ଆହୁରିମଧ୍ୟ ଏ କ୍ଷେତ୍ରରେ ମାଡ଼ ଅପେକ୍ଷା ଅପମାନ ପ୍ରତିଭା ଦେବୀଙ୍କୁ ବେଶି କଷ୍ଟ ଦେଇଛି । ପ୍ରତିଭା ଦେବୀ ତୀର ବେଗରେ ସେ ଘରଭିତରୁ ଲେଉଟି ଆସି ଆଖି ଛଳ ଛଳ କରି ଡ୍ରାଇଭରକୁ ହୁକୁମ କଲେ ମଟର ଷ୍ଟାଟ ଦେବାପାଇଁ । ପ୍ରତିଭା ଦେବୀଙ୍କର ଏ ଅଭିନୟରେ ସମସ୍ତ ସ୍ତବ୍‌ଧ । ମାତ୍ର କେହିକିଛି ବୁଝିପାରୁ ନଥାନ୍ତି । ଶରତ୍‌ବାବୁଙ୍କ ବୋଉ ପ୍ରମାଦ ଗଣୁ ଥାଆନ୍ତି ।

 

ଡ୍ରାଇଭର ଯେତେବେଳେ କହିଲା—ବାବୁ ! ମା କହୁଛନ୍ତି ବର୍ତ୍ତମାନ କଟକ ଫେରିଯିବେ-। ହରିବାବୁ ଆଗେ ବିସ୍ମିତ ହୋଇ ପଡ଼ିଲେ, ମାତ୍ର ଅନୁମାନରୁ ଏହାର କାରଣ ବେଶ୍‌ ବୁଝି ପାରିଥିଲେ । ଦାଶଙ୍କ ଖଞ୍ଜା ଭିତରକୁ ଆସି ହରିବାବୁ ପ୍ରତିଭା ଦେବୀଙ୍କୁ କହିଲେ—କିହୋ, କଟକ ଫେରିଯିବ ବୋଲି କ’ଣ କହୁଚ ? ତୁମେ ପରା ମଫସଲରେ ମାସେ ଖଣ୍ଡେ ରହିବାକୁ କହୁଥିଲ ? କ’ଣ ହେଲା କି ? ମଫସଲରେ ପାଦ ଦେଉ ଦେଉ ସିନେମା, ଥିଏଟର, ଦୋକାନ, ବଜାର ସବୁ ଝୁରିଲେ ନା କ’ଣ ?

 

ଛି—ଛି—ଶରତତ୍‌ଟା ଏଡ଼େ ଅଭଦ୍ର ! ଏ ଜାଗାରେ ଦଣ୍ଡେ ହେଲେ ମୁଁ ରହିବି ନି ! ତୁମେ ରହିବତ ଥାଅ ! କହି ପ୍ରତିଭା ଦେବୀ କାନ୍ଦ କାନ୍ଦ ହୋଇ ଚାଲିଗଲେ ।

 

ହରିବାବୁ ହସି ହସି କହିଲେ—କ’ଣ ହେଲା—ଶରତ୍‌ ଅଭଦ୍ର ? ପୁଣି ତୁମ ତୁଣ୍ଡରୁ ଏକଥା ଶୁଣାଯାଉଛି ? ତୁମେ ପରା ଶରତ୍ ଭଦ୍ର ବୋଲି ହଜାରେ ଥର ସାର୍ଟିଫିକେଟ ଦେଇଚ ? ଏଇ ଦଣ୍ଡକ ମଧ୍ୟରେ ସେ ଅଭଦ୍ର ପାଲଟି ଗଲା ନା କ’ଣ ? ତୁମ ଜାତିର ଲକ୍ଷଣହିଁ ସେଇଆ ! ଯେତେଦିନଯାଏଁ ତୁମ କଥାରେ ଥିବ, ସେତେଦିନ ଯାଏଁ ଭଲ । କଥାରୁ ଟିକିଏ ଏପାଖ ସେପାଖ ହେବା ମାତ୍ରେ ସବୁ ମାରା । ଏଡ଼େ ବ୍ୟସ୍ତ କାହିଁକି କହିଲ ? ଶରତ୍‌ ଅପମାନ ଦେଲା ? ଯୁବକ ଲୋକ ମନରେ କ’ଣ ଗୁଡ଼ାଏ ଭର୍ତ୍ତି କରି ଦେଇଚି । ସେ ହୁଏତ ଭାବିଥିଲା ଭିନ୍ନପ୍ରକାର, ଏମାନେ କରୁଛନ୍ତି ଆଉ ଗୋଟେ ପ୍ରକାର—ସେଥିଯୋଗୁଁ ତା’ର ମନରେ ଆଘାତ ଆସିଥିବ ? ତୁମେ ସାଇକୋଲୋଜି ନେଇଥିଲ ପରା ? ଏଡ଼େ ବେଗି ପାଶୋରି ଦେଲଣି ? ଆଚ୍ଛା କହିଲ ଭଲା, ‘‘ତୁମେ ମତେ ବିଭା ନହୋଇ ଯଦି ଆଉ କାହାକୁ ହୋଇଥାଆନ୍ତ—ତେବେ ତୁମ ମନ କ’ଣ ନହେଉ ଥାଆନ୍ତା ? ଶରତ୍ ତ ବସି ଚିନ୍ତା କରୁଚି—ମୁଁ କହୁଚି ମୁଁ ଯଦି ତୁମକୁ ବିଭା ହେବାର ସୁଯୋଗ ହରେଇ ଥାଆନ୍ତି ତେବେ ମୋର ଆତ୍ମହତ୍ୟା ବ୍ୟତୀତ ଉପାୟ ନଥାନ୍ତା ! ଆମ ଦେଶରେ ବାପ, ମା, ପୁଅ ଝିଅମାନଙ୍କର ମନସ୍ତତ୍ୱ ବୁଝିପାରନ୍ତି ନାହିଁ । ତା’ରି ଫଳରେ ସ୍ଥାନେ ସ୍ଥାନେ ବିଭ୍ରାଟ ଉପୁଜେ । ଏତେ ବଡ଼ ପାଠୁଆ ପୁଅଟା—ତା’ର ମତାମତ ନେଇ କନ୍ୟା ସ୍ଥିର କରିବା ଏମାନଙ୍କର କ’ଣ ଉଚିତ ନଥିଲା ? ତୁମେ ହଠାତ୍ ରାଗି ଯାଉଛ କାହିଁକି ? ଆସ ମୋ ସାଥିରେ ଆସ—ଶରତ୍‌ ପାଖକୁ ଯିବା । ପିଉସା ଆମ ଦୁହିଁଙ୍କ ଉପରେ ଭରସା ରଖି ବସିଛନ୍ତି ବୋଲି କହୁଥିଲେ ପରା ? ଏତକ କାମ ନ ତୁଟାଇ ଦେଲେ ଆମେ ଯିବା କିପରି ? ହରିବାବୁ ପ୍ରତିଭା ଦେବୀଙ୍କ ହାତଟାକୁ ଧରି କହିଲେ ଚାଲମ—ଶରତ୍‌ ଉପରେ ରାଗ କରୁଚ କ’ଣ ? ସେ ତୁମକୁ ଯେତେଦୂର ଭଲପାଏ, ତାଠାରୁ ସତରେ ମାଡ଼ ଖାଇଲେ ବି ତୁମର ରାଗିବା ଉଚିତ ନୁହେଁ ।

 

ପ୍ରତିଭା ଦେବୀ ଆଉ କ’ଣ କରିବେ ? ହରିବାବୁଙ୍କ ସାଥିରେ ଶରତ୍‌ବାବୁ ଥିବା ଘରକୁ ପୁଣି ଗଲେ । ହରିବାବୁଙ୍କ ପାଟି ଶୁଣି ଶରତ୍‌ବାବୁ ଟେବୁଲ୍‌ ଉପରୁ ମୁଣ୍ଡଟେକି ଚାହିଁଲା ବେଳକୁ ଉଭୟେ ଘର ଭିତରେ ପଶିଲେଣି । ସେ ବାଧ୍ୟହୋଇ ଚେୟାରଟାରୁ ଉଠି ପଡ଼ିଲେ । ହରିବାବୁ କହିଲେ—ଭାଉଜଙ୍କ ଉପରେ ଗୋଟାଏ ଅଧେ ହୋଇଗଲା ନା କ’ଣ ? ସେ ତ ଭାରି ରାଗିଛନ୍ତି । ଶରତ୍ ବାବୁଙ୍କ ମୁଣ୍ଡ ତଳକୁ ନଇଁ ଆସିଲା । ସେ ପ୍ରତିଭା ଦେବୀଙ୍କ ପାଖରେ ଶରଣ ପଶିଲା ପରି ରହିଲେ । ସେତିକିରେ ପ୍ରତିଭା ଦେବୀଙ୍କର ରାଗ, ଅପମାନ କୁଆଡ଼େ ଉଭେଇ ଗଲା । ସେ ପୂର୍ବ ରୀତିରେ ଶରତ୍‌ବାବୁଙ୍କ ଉପରେ କ୍ଷମତା ବିସ୍ତାର କରିବାକୁ ଲାଗିଲେ ।

 

ଶରତ୍‌ବାବୁ ଯେତେବେଳେ ବୁଝିପାରିଲେ ବିଭାଘର ପାଇଁ ଯିବା ବ୍ୟତୀତ ତାଙ୍କର ଏ କ୍ଷେତ୍ରରେ ଅନ୍ୟ ଉପାୟ ନାହିଁ—ସେ ବାଧ୍ୟହୋଇ ଅନୁଗତ ଭୃତ୍ୟଙ୍କ ପରି ସମସ୍ତ ହୁକୁମଗୁଡ଼ିକୁ ତାଲିମ କରିବାରେ ଲାଗିଲେ । ତାପରେ ଦେଖ ସମସ୍ତଙ୍କର ଆନନ୍ଦ— । ମାତ୍ର ଏତିକି ବରବେଶ ସାଜିବା ଓ ଠାକୁରାଣୀ ଦର୍ଶନକୁ ଯିବାରେ ସେ ଆଦୌ ରାଜି ହେଲେନାହିଁ । ଠାକୁରାଣୀ ଦର୍ଶନ କଥା କହିବାରୁ ସେ କୁଆଡ଼େ ଉତ୍ତର ଦେଲେ ଯେଉଁ ଦେବତା ମଣିଷର ମନ କଥା ବୁଝେନା, ତାକୁ ଦର୍ଶନ କରି ଲାଭ ବା କ’ଣ ?

 

ପ୍ରତିଭା ଦେବୀ କହିଲେ, ଶରତ୍‌ । ‘‘ତୁମେ ଏଡ଼େ ଶୀଘ୍ର ବଦଳି ଗଲ କିପରି ? ଚଣ୍ଡୀ ଦର୍ଶନ ଦିନେ ବନ୍ଦ ହୋଇ ଯାଇଥିଲା ଯେ ଚାରିଦିନ ଯାଏଁ ଅତି ବ୍ୟସ୍ତ ହୋଇ ପଡ଼ିଥିଲ । ଏବେ ତୁମର ଏ ଭଳି ପରିବର୍ତ୍ତନ ଘଟିଲା ବା କାହିଁକି ?’’

 

ଯାହାହେଉ ଠିକ୍‌ ବାର ବେଳା ଧରି ବର ବରଯାତ୍ରୀଦଳ ବିରଜା ପୁର ଅଭିମୁଖେ ବାହାରି ପଡ଼ିଲେ । ପୁଅର ତ ଅବସ୍ଥା ଏପରି, ଏଥିରେ ବିଧିବିଧାନ ଭଲ ମନ୍ଦକୁ ପଚାରୁଛି ବା କିଏ-

 

(ଏଗାର)

Unknown

 

କଥାରେ କହନ୍ତି ‘‘ତୁଣ୍ଡବାଇଦ ସହସ୍ର କୋଶ’’ । ଦୂର ହେଲେ ମଧ୍ୟ ଜ୍ୱାଇଁ ଘର କଥା ଜ୍ୱାଇଁ କଥା ସିଦ୍ଧ ମହାପାତ୍ରେ ଯେ ନ ଶୁଣୁଚନ୍ତି ଏପରି ନୁହେଁ । ବଡ଼ ପାଠୁଆ—ରୂପରେ ଗୁଣରେ ସବୁଥିରେ ଭଲ ଜ୍ୱାଇଁଟିଏ କରିଥିବା ହେତୁ ମହାପାତ୍ରଙ୍କ ମନ ଭାରି ଖୁସିରେ ନାଚି ଉଠୁଥିଲା । କିନ୍ତୁ ଏଇ କେତେଦିନ ହେଲା ଜ୍ୱାଇଁଙ୍କ ବିଷୟରେ ଯେତେ ଯେତେ ଘଟଣା ସେ ଶୁଣିଲେ ସେଥିରେ ତାଙ୍କର ମନଟା ଫିକା ପଡ଼ିଯାଇଛି । ବାରଲୋକ ମଧ୍ୟ ତାଙ୍କୁ ଶିଖାମତା କରୁଛନ୍ତି—ମହାପାତ୍ରେ ସେ ପାଗଳାଟାକୁ ଜ୍ୱାଇଁ କରନି । ଗୋଟିଏ ବୋଲି ଝିଅ—ଯିମିତି କହ ସେମିତି—କାହିଁକି କୋଉ କଥାରେ ଊଣା ଅଛି ଯେ—ତୁମେ ଆଡ଼ବାୟାଟାକୁ କରିବ ? ତା ନାଁରେ ଭାରି ଦୁର୍ନାମ ଶୁଣାଯାଉଛି-। ଗୋଟିଏ କଥା ମହାପ୍ରସାଦ ଟେକି ଦେଇଛ—ହେଲେ ହେଲା । ଆଜି ଯୁଗରେ ସେଗୁଡ଼ାକ ଧରି ବସୁଛି କିଏ ହେ ? ଆମ ପିଲା କିପରି ସୁଖରେ ରହିବ ତା ଦେଖିବା ନା ?

 

ମହାପାତ୍ରେ ଭାରି ଅମାୟୀକ ଆଉ ଭାଗ୍ୟବାଦୀ ଲୋକ । ଅନ୍ୟମାନଙ୍କ କଥାରେ ମତ ପରିବର୍ତ୍ତନ କରିବାକୁ ସେ ଆଦୌ ପସନ୍ଦ କଲେ ନାହିଁ । ଆଉରିମଧ୍ୟ ୟା, ତା କହିବାଟାକୁ ବିଶ୍ୱାସ କରିପାରିଲେନି । ନିଜେ ଚାରିମାସ ତଳେ ଶରତ୍‌ବାବୁଙ୍କୁ ନିଜ ଆଖିରେ ଦେଖିଛନ୍ତି । କେତେ ବଡ଼ ବଡ଼ ଲୋକଙ୍କ ମୁହଁରୁ ତାଙ୍କର ପ୍ରଶଂସା ଯେ ଶୁଣିଛନ୍ତି ତା’ର ସୀମା ନାହିଁ । ଏପରି ସ୍ଥଳେ ପୂରା ବିଶ୍ୱାସ ବା କରିବେ କିପରି ? ସାମାନ୍ୟ ବିଶ୍ୱାସ ଜନ୍ମିଲେ ବି ତାକୁ ଭାଗ୍ୟ ଉପରେ ପକେଇ ଦିଅନ୍ତି-

 

ସୁପ୍ରଭା ଆଧୁନିକ ସୁଶିକ୍ଷିତା ସେକେଣ୍ଡ ଇଅରରେ ପଢ଼ୁଥିଲା । ବିଭାଘର ପାଇଁ ନିର୍ବନ୍ଧ ସରିବା ଦିନୁ ମହାପାତ୍ରେ ବିଚାରିଲେ ସେ ଆଜିଠାରୁ ପରଘରୀ ହେଲା—ବଢ଼ିଲା ଝିଅ କେତେବେଳେ କେଉଁ କଥା ଅଛି । ଆଉ ପଢ଼ିଲେ ବା ଲାଭ କ’ଣ ? ମହାପାତ୍ରଙ୍କ ନିଷେଧ ଯୋଗୁଁ ସୁପ୍ରଭା କଲେଜକୁ ଯିବା ବନ୍ଦ କରିଦେଇଥିଲା ।

 

ପ୍ରସ୍ତାବିତ ସ୍ୱାମୀଙ୍କର ରୂପ, ଗୁଣ, ଶିକ୍ଷା ଆଦି ସବୁ ବିୟଷରେ ସୁପ୍ରଭା ଆଗରୁ ଯାହା ସବୁ ଶୁଣିଥିଲା, ସେଥିରେ ତା’ର ହୃଦୟ ଭିତରଟା ପଲ୍ଲବି ଉଠୁଥାଏ । ମାତ୍ର ଏବେ କେତେଦିନ ହେଲା ଯେଉଁ ଆଲୋଚନା ଚାଲିଛି ତାହା ଯେ ସେ ଶୁଣି ନ ପାରିଛି ଏପରି ନୁହେଁ । ସବୁ ଶୁଣୁଥିଲେ ମଧ୍ୟ ସେ ପଦେ ହେଲେ ପାଟି ଫିଟାଇ କୁହେନି । ସୁପ୍ରଭା ଭାରି ଲାଜକୁଳୀ—ପୁଣି ମନରେ ଭାବେ–ଆଗରୁ ଯେଉଁ ଲୋକର କଥା ଶୁଣି ଏତେଦୂର ଆନନ୍ଦିତ ହୋଇଥିଲି ତାକୁହିଁ ମାନସିକ ଗ୍ରହଣ କରିନେଇଛି । ମୋ ସମ୍ପର୍କରେ ଆସିବା ପ୍ରସ୍ତାବ ହେଉ ହେଉ ସେ ଯଦି ଏତେଦୂର ବଦଳି ଗଲେ ତେବେ ମୁଁ ନିଜ ଭାଗ୍ୟକୁ ନ କହି ପ୍ରସଙ୍ଗଟିର ବିରୋଧ କରିବି କାହିଁକି ? ବାପା ପୁଣି ମହାପ୍ରସାଦ ଟେକି ଦେଇଛନ୍ତି । ଏ ପ୍ରସଙ୍ଗଟି ଭାଙ୍ଗିଯିବା ପରେ ଆଉ ଗୋଟିଏ ଭଲ ପ୍ରସଙ୍ଗ ମିଳିବ ଏହାର ସତ୍ୟଟା ବା କ’ଣ ଅଛି ? ହୁଏତ ଏପରି ହୋଇପାରେ—ବିଭାଘର ପାଇଁ ସମସ୍ତ ଯୋଗାଡ଼ ସରିଲାଣି ଯେତେବେଳେ ବାପାତ ଚାକିରିଆ ଲୋକ—ଅଳ୍ପ ସମୟ ମଧ୍ୟରେ ଜୁଆଡ଼ୁ ସିଆଡ଼ୁ ଜଣକୁ ଆଣି ବସେଇ ଦେବେ ! ବରଂ ମହରଗରୁ ଯାଇ କାନ୍ତାରରେ ପଡ଼ିବା ସାର ହେବ । ତାଙ୍କର ଆଡ଼ବାୟା—ଚରିତ୍ର ଦୋଷ ଆଦି ଅଛି ଯାହା କହୁଛନ୍ତି—ଯୁବକ ଲୋକତ—ପୁଣି କଲେଜ ପଢ଼ୁଆ, କ’ଣ ସାମାନ୍ୟ କିଛି ଘଟିଥାଇ ପାରେ ! କୌଣସି ଯୁବତୀର ପ୍ରଣୟ କାମନା ହୁଏତ ପୂରଣ ହୋଇ ନଥିବ ? ଯାହାହେଉ ବାପାଙ୍କୁ ଆଉ ଅସୁବିଧାରେ ପକେଇବି ନାହିଁ ।

 

ସିଦ୍ଧ ମହାପାତ୍ରେ ଅନାଗତବିଧାତା ନୀତିର ଲୋକ—ସେ ଝିଅର ବିଭାଘର ପାଇଁ ଖଡ଼ିରୁ ଖଡ଼ିକା ଯାଏଁ ସମସ୍ତ ଆୟୋଜନ କରି ରଖିଛନ୍ତି । ଖୁବ୍‌ ଜାକ ଜମକରେ ଭୋଜି ଭାତ ଖିଆ ପିଆ ଚାଲିଛି ।

 

ବିଭାଘର ଦିନ ଠିକ ସୂର୍ଯ୍ୟ ଅସ୍ତ ବେଳକୁ ବର ଓ ବରଯାତ୍ରୀଦଳ ପୂର୍ବ ପ୍ରସ୍ତାବ ଅନୁଯାୟୀ ବିରଜାପୁରରେ ପହଞ୍ଚିଲେ । ଶାରଦା ଆଇନ ଡରରେ ସୁପ୍ରଭାର ବିଭାଘର ଯେ ଚୋରା ଲୁଚା ଯୋଗୁଁ ରାତିରେ ହେଉଥାଏ ତା ନୁହେଁ; ସେ ଦିନ ରାତି ଅଧରେ ହାତଗଣ୍ଠି ପଡ଼ିବାର ଯୋଗବେଳା ପାଞ୍ଜିକାର ଲେଖି ଦେଇଛନ୍ତି । ସୁପ୍ରଭା ତ ବଡ଼ କନ୍ୟା—ସେଥିରେ ଲୁଚା ଚୋରାର ପ୍ରଶ୍ନ ଆସିଲା କୁଆଡ଼ୁ ?

 

ଅବଶ୍ୟ ବିରଜାପୁରର କେହି କେହି ବୁଢ଼ା ସିଦ୍ଧ ମହାପାତ୍ରଙ୍କୁ ଏ ବିଷୟରେ ଖୁଣିଛନ୍ତି । କିନ୍ତୁ ମହାପାତ୍ରେ କହିଲେ—ମତେ ତୁମେ ଯାହା ଇଚ୍ଛା ତା କହ କିମ୍ବା ଏକଘରିଆ କର ପଛକେ ମୁଁ ଆଇନ ବିରୋଧୀ କାମ କରି ଦେଇ, ଜରିମାନା ଦେବି ନାହିଁ । ମହାପାତ୍ରଙ୍କ ଉତ୍ତରରେ ସେମାନେ ବି ଆଉ କିଛି ଉତ୍ତର ଦେଇ ନାହାନ୍ତି ।

 

ବ୍ରାହ୍ମଣଘରର କୌଳିକ ବିଧିରେ ବିଭାଘର ଆରମ୍ଭ ହେଲା । ଶରତବାବୁଙ୍କ ନିଶ, ଦାଢ଼ି ଆଦି ବାବାଜି ଚେହେରାରେ ଦେଖଣାହାରୀମାନଙ୍କ ମଧ୍ୟରୁ କିଏ କେତେ ପ୍ରକାର ଭାବୁଥିବେ । ସୁପ୍ରଭା ବେଦୀରେ ବସିବା ଆଗରୁ ଖୁବ୍‌ ମନସ୍ଥ କରିଥିଲେ ମଧ୍ୟ ଶରତ୍‌ବାବୁଙ୍କ ରୂପ ଟିକିଏ ହେଲେ ଦେଖି ପାରିନି । କଲେଜ ଫେରନ୍ତା ଝିଅ ସିଏ ହେଲେ କ’ଣ କରିବ ? ଏଣେ ଯେ ତାକୁ ତିଆରିବା ପାଇଁ ଶହ ଶହ ଓଢ଼ଣାଟଣାବାଲା ସବୁବେଳେ ପାଖେ ପାଖେ ହାଜର । ବେଦୀରେ ଜିଅ ଜ୍ୱାଇଁଙ୍କୁ ଦେଖିବାର ଉପାୟ ପ୍ରାୟତଃ ନ ଥାଏ । ଦୁଇ ଚାରି ପ୍ରସ୍ତ ଶାଢ଼ୀ ଢାଙ୍କି ହୋଇ ବେଦୀରେ ବସିବା ପଦ୍ଧତି ଆଗରୁ ରହିଛି । ତଦନୁସାରେ ପୁପ୍ରଭା ସେହି ରୀତିରେ ହିଁ ବେଦୀକୁ ଗଲା ।

 

ପୁରୋହିତେ ଘଡ଼ ଘଡ଼ି ଶବ୍ଦରେ ମନ୍ତ୍ର ଉଚ୍ଚାରଣ କରି ଚାଲିଛନ୍ତି । ମଝିରେ ମଝିରେ ବାଦ୍ୟଗୁଡ଼ିକର ନିନାଦ ପୁରୋହିତଙ୍କ ମନ୍ତ୍ରଗାନ ସହିତ ପ୍ରତିଦ୍ୱନ୍ଦିତା କରି ଉଠୁଥାଏ । ନିର୍ଦ୍ଦିଷ୍ଟ ସମୟରେ ହାତଗଣ୍ଠି ପଡ଼ିଗଲା । ପୁରୋହିତ ଯେତେବେଳେ—ଯଥା—‘‘ରାମସ୍ୟ ସୀତା’’ ଯଥା ‘‘ନଳସ୍ୟ ଦମୟନ୍ତୀ ’’ ଆଦି ବାକ୍ୟ ଆରମ୍ଭ କରିଦେଲେ ସେତେବେଳେ ଶରତବାବୁଙ୍କ ମନରେ କି ଭାବ ଜାତ ହେଲା କେଜାଣି—ଆଦ୍ୟରୁ ଶାଙ୍କୁଳା ପଡ଼ି ରହିଥିବା ମୁହଁଟା ହଠାତ ଖୋଲିଗଲା । ଜ୍ୱାଇଁ କ’ଣ କହୁଛନ୍ତି, ଏହା ଶୁଣିବା ପାଇଁ ଚତୁର୍ଦ୍ଦିଗର ମୁଖ ଶବ୍ଦ ବାଦ୍ୟ ବାଜଣା ଯେ ଜୁଆଡ଼େ ନୀରବ ହୋଇଗଲେ । ଶରତବାବୁ ପୁରୋହିତଙ୍କୁ ସମ୍ୱୋଧନ କରି କହିଲେ—ପୁରୋହିତ ମହାଶୟ ! ଆପଣ ପୂର୍ବର ସେ ସବୁ ଆଦର୍ଶପୂର୍ଣ୍ଣ ବାକ୍ୟଗୁଡ଼ିକ ପଢ଼ୁଛନ୍ତି କାହିଁକି ? ରାମ ସୀତା, ନଳ ଦମୟନ୍ତୀ ଏମାନେ ଯେଉଁ ଆଦର୍ଶରେ ଅନୁପ୍ରାଣିତ ହୋଇ ପରସ୍ପରକୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ପରସ୍ପରକୁ ବିବାହ କରିବାରେ ସେମାନଙ୍କର ଯେଉଁ ଶ୍ରଦ୍ଧା, ଆନ୍ତରିକତା ଆଦି ଥିଲା ଏଥିରେ କ’ଣ ତା ସବୁ ଅଛି ? ଶରତବାବୁଙ୍କର ଏ ଉକ୍ତିକୁ ଉପସ୍ଥିତ ଲୋକେ କିଏ କେଉଁ ଭାବରେ ଗ୍ରହଣ କରନ୍ତୁ ନା କାହିଁକି, ସୁପ୍ରଭା ନିଜ ମୁଣ୍ଡରେ ବଜ୍ରପାତ ପରି ବୋଧକଲା । ବସ୍ତ୍ରାବୃତ୍ତ ଅନ୍ଧାରରେ ବସିଥିଲା ସିନା; କିନ୍ତୁ ସମଗ୍ର ବିଶ୍ୱ ଆଖି ଆଗରେ ଅନ୍ଧକାରମୟ ଯେପରି ହୋଇଯାଇଛି ସେ ତାହାହିଁ ଅନୁଭବ କରୁଥାଏ । ପୁରୋହିତ ବଡ଼ ଚନ୍ଦନ ଟୋପାମାରି, ମୁକୁଟ ଯୋଡ଼ ପରିଧାନ କରି, ପୃଥୁଳ ବକ୍ଷଦେଶରେ ନବଗୁଣ ଉପବୀତ ଲମ୍ୱାଇ ପିତ୍ରାର୍ଜିତ ସମ୍ପତ୍ତିରୂପେ କଣ୍ଠସ୍ଥ କରିଥିବା ପୁରୋହିତ ସର୍ବସ୍ୱ ପାଠ କରୁଛନ୍ତି ସିନା, ମାତ୍ର ସେ ଶରତବାବୁଙ୍କ ଉକ୍ତିର ଅର୍ଥ କ’ଣ ବୁଝିଲେ କେଜାଣି ଟିକିଏ ହସିଦେଇ କହିଲେ ହଁ ବାବୁ, ଏ ବିଧିଗୁଡ଼ା ତ ଆମର ଆଗରୁ ରହି ଆସିଛି ।

 

ସୁପ୍ରଭାର ମନ ଭିତରଟା ଆଗରୁ ତ ଟିକିଏ ଟିକିଏ ଘାଣ୍ଟି ଚକଟି ହେଉଥିଲା, ଶରତବାବୁଙ୍କର କଥା କେତେପଦ ଶୁଣିବା ପରେ ତା’ର ଛାତି ଭିତରଟା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ିବାକୁ ଆରମ୍ଭ କରିଦେଲା । ତଥାପି ସୁପ୍ରଭା ମନରେ ଗୋଟାଏ ଦମ୍ଭ ରଖିଥାଏ ଯେ, ଶରତବାବୁଙ୍କ ସାଥିରେ କଥାବାର୍ତ୍ତା ହେବାର ନିଶ୍ଚେ ତ ସୁଯୋଗ ପାଇବି । ସେତିକିବେଳେ ଏଇ ପଶ୍ନର ଉତ୍ତର ଦେବି ଏବଂ ପୂର୍ବରୁ ସେ ଏଭଳି ପ୍ରଶ୍ନ ପଚାରିବାର କାରଣ ବି ତାଙ୍କଠାରୁ ଆଦାୟ କରିବି । ଶରତବାବୁଙ୍କର ସାକ୍ଷାତ ସମୟକୁ ସୁପ୍ରଭା ଅପେକ୍ଷା କରି ରହିଥାଏ ।

 

ବିବାହ କର୍ମ ଶେଷ ହେବା ପରେ ବରଯାତ୍ରୀମାନେ ବିଦାୟ ନେବା ପାଇଁ ତର ତର ହେଲେ; ବିଶେଷତଃ ହରିବାବୁ ଦଣ୍ଡେ ଅବସର ନଥିବା ଲୋକ । ଖା ପିଆ ସରିବା ପରେ ସେ ବାହାରି ପଡ଼ିଲେ । ଅନ୍ୟ ବରଯାତ୍ରୀମାନେ ତାକୁହିଁ ଅନୁସରଣ କଲେ । ସ୍ଥିରହେଲା ବରଯାତ୍ରୀମାନେ ବିଦାୟ ନେଇ ଚାଲିଯିବେ । ଶରତବାବୁ ଦୁଇଦିନ ଖଣ୍ଡେ ରହି ପରେ ଯିବେ । ଏ ପ୍ରସ୍ତାବ ଶୁଣି ସୁପ୍ରଭା ଟିକିଏ ଆଶ୍ୱସ୍ଥ ହେଉଥାଏ । କିନ୍ତୁ ଉପସ୍ଥିତ ସମସ୍ତ ଲୋକଙ୍କର କହିବା ସତ୍ତ୍ୱେ ଶରତବାବୁ ରହିବା ଲାଗି ରାଜି ହେଲେ ନାହିଁ । ଜ୍ୱାଇଁଙ୍କର ଏକଜିଦିଆ କଥା, ବାବାଜୀ ପରି ନିଶ, ଦାଢ଼ି, ଶୁଖିଲା ମୁହଁ, ରୁକ୍ଷ ସ୍ୱଭାବ ଉପରେ ବନ୍ଧୁ ବାନ୍ଧଙ୍କଠାରୁ ଆରମ୍ଭ କରି ଗାଁବାଲା ପର୍ଯ୍ୟନ୍ତ ସମସ୍ତେ ସମାଲୋଚନା ଚଳାଇ ଥଆନ୍ତି । ସୁପ୍ରଭାର ଛାତି ଭିତରଟା ଖଣ୍ଡ ଖଣ୍ଡ ହୋଇ ଯାଉଥାଏ ସିନା—ହେଲେ ଉପାୟ କଣ ? ବିଚାରୀ ଶରତବାବୁଙ୍କ ସହିତ କଥାବାର୍ତ୍ତାବି ଆଳାପ କରିବା ଦୂରେ ଥାଉ ତାଙ୍କୁ ଟିକିଏ ହେଲେ ଦେଖି ବି ପାରିଲା ନାହିଁ ।

 

(ବାର)

 

ଶରତବାବୁଙ୍କର ଏଣୁ ତେଣୁ ବହୁତଗୁଡ଼ାଏ ଚିଠିପତ୍ର ଆସୁଥାଏ । ଗୁଡ଼ାଏ ଅନୁଷ୍ଠାନ ସହିତ ସଂପର୍କ ରହିଲେ ତାହା ହେବା ସ୍ୱାଭାବିକ୍‌ । ଶରତବାବୁଙ୍କର ପ୍ରତ୍ୟେକ ଚିଠି ଖୋଲି ପଢ଼ିବାର ଅଧିକାର ସେ ବିଦୁକୁ ଦେଇ ଥାଆନ୍ତି । ବିଦୁ ପ୍ରଭୃତି ଯେତେବେଳେ ତାଙ୍କୁ ସନ୍ଦେହ କରି ନାନାକଥା କହିଲେ ଏବଂ ନୂଆବୋହୂ ଚିଠିପତ୍ର ଦେଲେ ଦେଖାଇବାକୁ ଅନୁରୋଧ କଲେ । ସେତେବେଳେ ଶରତବାବୁ କହିଲେ, ମୋର ଯେତେ ଚିଠିପତ୍ର ଆସିବ ବିଦୁ ତୁ ଆଗେ ପଢ଼ିସାରି ତା ପରେ ମତେ ଦେବୁ । ସେଥିରେ ନୂଆବୋହୂର ଚିଠି ମୁଁ ଲୁଚେଇ ଦେବାର ପ୍ରଶ୍ନ ଆଉ ଉଠିବ କୁଆଡ଼ୁ ? ବିଦୁ ତାହାହିଁ କରୁଥଏ । ଅନ୍ୟାନ୍ୟ ବରଯାତ୍ରୀଙ୍କ ସହ ଶରତବାବୁ ଘରେ ପହଞ୍ଚିବା ପରେ ପରେ ବିଦୁ ଦୌଡ଼ି ଆସିଲା ତାଙ୍କ ସଙ୍ଗେ ଦେଖା କରିବ ବୋଲି । ବିଭାଘର ପରେ ପରେ ମଧ୍ୟ ଶରତ ବାବୁଙ୍କର କିଛିହେଲେ ପରିବର୍ତ୍ତନ ନ ହୋଇଥିବା ଲକ୍ଷ୍ୟ କରି ବିଦୁ ପଚାରିଲା, ଶରତ ଭାଇ ! ତୁମେ ଏଡ଼େ ଚଞ୍ଚଳ ଚାଲି ଆସିଲ, କାହିଁକି ? ଆମ ନୂଆବୋହୂ କଣ କଥା କହିଲେ ନାହିଁକି-? ଶରତଭାଇ ସତ କହିଲ, ଆମ ନୂଆବୋହୂଟି ଦେଖିବାକୁ କିମିତି ? ଶରତବାବୁ ବିଦୁକୁ ଖୁସି କରିବା ପାଇଁ ବୋଧହୁଏ କ୍ଷୀଣ ହସଟିଏ ହସିଦେଇ କହିଲେ ବିଦୁ ! ତୁମ ନୂଆବୋହୂ ସୁନ୍ଦର କି ଅସୁନ୍ଦର ମୁଁ କହିବି କିପରି ? ମୁଁ ତାଙ୍କୁ ଦେଖିଛି ନା କ’ଣ ? ବାଧ୍ୟହୋଇ ବେଦୀରେ ବସିବାକୁ ମୁଁ ଯାଇଥିଲି, ସେ କାମ ସରିଗଲା ପରେ ଚାଲି ଆସିଲି, ଶରତବାବୁଙ୍କ କଥାରେ ବିଦୁ ମୁହଁଟିକୁ ଶୁଖାଇ ଦେଇ କହିଲା, ଶରତଭାଇ ! ଏବେ ତୁମେ ବଡ଼ ନିଷ୍ଠୁର ହୋଇଗଲଣି । ତୁମେ ମୋତେ ନୂଆବୋହୂଙ୍କ କଥା କହିଥିଲେ ଗୋଟିଏ ପୁରଷ୍କାର ଦେବି ବୋଲି ରଖିଥିଲି । ହଉତେବେ ପୁରଷ୍କାର ଦେବାପାଇଁ ଯେତେବେଳେ ରଖିଛୁ ନ କହିଲେ ନ ଚଳେ । ତୋ ନୂଆବୋହୂ ଠିକ୍‌ ଗୋଟିଏ ଲୁଗା ଗଣ୍ଠିଲା ପରି । ବିଦୁ ହିସ ହସି କହିଲା ହଉ ଥାଉ ଥାଉ, ଆମର ଶୁଣିବା ଦରକାର ନାହିଁ ।

 

ସତରେ ମ ବିଦୁ, ମୁଁ ଯହା ଦେଖିଲି ତା କହୁଛି । ବେଦୀରେ ମୋ ପାଖରେ ଗୋଟିଏ ଲୁଗା ଗଣ୍ଠିଲା ପରି କଣ ଥୁଆ ହୋଇଥିଲା ତାକୁ ତୁ ନୂଆବୋହୂ ବୋଲି କହୁଚୁ ତ ?

 

ବିଦୁ ଟିକିଏ ଆଡ଼ଋଷା ଭଙ୍ଗିରେ ଲଫାପା ଖଣ୍ଡିଏ ଶରତ—ବାବୁଙ୍କ ହାତକୁ ବଢ଼ାଇ ଦେଲା । ଶରତ୍‌ବାବୁ ଲଫାପା ସହିତ ବିଦୁର ହାତଟିକୁ ଧରିନେଇ କହିଲେ—ବିଦୁ ! ତୁମେମାନେ ମତେ ଅଭିଶାପ ଦେବନି—ମୁଁ ଗୋଟାଏ ଧାରାରେ ଜୀବନକୁ ଅତିବାହିତ କରିବାକୁ ବସିଥିଲି ଯେ–ଆମ ପରିସ୍ଥିତିରେ ସେ ସବୁ କେବେହେଲେ ହୋଇ ପାରିବ ନାହିଁ । କେବଳ ମୋ ଯୋଗୁରୁ ତୁମେମାନେ ନିକିମ ହୋଇ ବସି ରହିଚ । ନତୁବା କିଏ କୁଆଡ଼େ ଘରସଂସାର କରି ସ୍ୱାମୀମାନଙ୍କ ସାଙ୍ଗରେ ବୁଲୁ ଥାଆନ୍ତ ।

 

ନା—ନା ଶରତ୍‌ଭାଇ ! ତୁମେ ସେପରି ଭାବିବ ନି, ବରଂ ତୁମ ଯୋଗୁଁ ଆମମାନଙ୍କର ଆଖି ଟିକିଏ ଖୋଲି ଯାଇଚି । ଏଇ ଗାଁର ଶହ ଶହ ଝିଅ ବୋହୂ ଖଣ୍ଡେ ଚିଠି ଲେଖି ଦେବା ଲାଗି କେତେ କାହାକୁ ଖୋସାମତ ଯେ କରନ୍ତି ତାର ଠିକଣା ନାହିଁ । ନ ଲେଖିପାରୁ ଥିବା ହେତୁ ନିଜର ହାନିଲାଭ ବିପଦ ନିଜର ବାପ ମା ଅଥବା ସ୍ୱାମୀମାନଙ୍କୁ ସୁଦ୍ଧା ଜଣାଇ ପାରନ୍ତି ନାହିଁ । କେବଳ ତୁମର ଚେଷ୍ଟାରେ ଆମେ ସେ ଦୋଷରୁ ମୁକ୍ତି ପାଇ ଯାଉଛୁ । ମନୁଷ୍ୟର ସବୁ ଭାବନା ଗୁଡ଼ାକ ଯେ କାର୍ଯ୍ୟକାରୀ ହୋଇଯିବ ଏପରି ତ ନୁହେଁ, ମନୁଷ୍ୟ ବିଚାରକୁ ଦଇବ ବିଚାର ଖାପଖାଇଲେ ତ ହୁଏ । ଶରତ୍‌ଭାଇ ! ତୁମ ମନରେ ଯେପରି ଅଶାନ୍ତି ପୂରି ରହିଛି–ତାକୁ ଦୂର କରିବା ଲାଗି ତୁମେ ବାହାରେ ରହି ଟିକିଏ ମନ ପରିବର୍ତ୍ତନ କର—ଏଇ ଲଫାପା ଖଣ୍ଡିକ ସେଇ ବାର୍ତ୍ତା ଘେନି ତୁମ ପାଖକୁ ଆସିଛି । ଶରତ୍‌ବାବୁ ‍‍‍ବିଦୁକୁ ଧନ୍ୟବାଦ ଦେଇ କହିଲେ—ବିଦୁ ମୋ ମନକଥା ତୁ କିପରି ଜାଣିଲୁ ? ମୁଁ ତାହାହିଁ ଠିକ୍ କରିଚି; ବାହାରେ ରହି କାମ କରିବା ବ୍ୟତୀତ ଗାଁରେ କିଛି କରିହେବ ନାହିଁ—ନିଜେ ଖୁବ୍ ଦୃଢ଼ ନ ହେବା ଯାଏ । ଆଉ ସବୁ କଥା ସହି ଯିବାରେ ମୋର ଆଦୌ ଅକ୍ଷମତା ନ ଥିଲା, ମାତ୍ର ତୁମମାନଙ୍କ ନାଁରେ ଯେଉଁଦିନଠାରୁ ଅପବାଦ ଶୁଣିଲିଣି—ସେ ଦିନୁ ହିଁ ଠିକ୍ କରିନେଇଛି ନିଜ ଗାଁରେ କିଛିହେଲେ ସଂଗଠନ କରିବି ନାହିଁ—ଏ ଲୋକମାନଙ୍କର ମନୋବୃତ୍ତି ନ ବଦଳାଇ ଯାଏଁ ।

 

ଶରତ୍‌ବାବୁ ଚିଠି ଖଣ୍ଡି ପଢ଼ି ଟିକିଏ ବିଚଳିତ ହୋଇ ପଡ଼ିଲେ । ବିଦୁ କହିଲା, ଏ କ’ଣ ବାହାରେ ରହିବା କଥା ତ କହୁଥିଲ—ତାହାହିଁତ ଆହ୍ୱାନ ଦେଇଛି । ସରକାରୀ ଚାକିରୀ ହେଲେ କ’ଣ ହେଲା ? ଏପରା ଆମ ସରକାର ! ଆମ ସରକାର ଯେ—ଅର୍ଥବିନିମୟରେ ତାହା କରିବାକୁ ପଡ଼ିବ ଶରତବାବୁ କହିଲେ—ହଁ କ୍ଷତି କ’ଣ ହେଲା ପ୍ରତ୍ୟେକ ମନୁଷ୍ୟର ପରିଶ୍ରମ ପାଇଁ ପାରିଶ୍ରମିକ ନିତାନ୍ତ ଆବଶ୍ୟକ । ସେହି ସୂତ୍ରରେ ତୁମେ ତାହା ଗ୍ରହଣ କରିବ । ଅବଶ୍ୟ ସେହି ପାରିଶ୍ରମିକ ବ୍ୟୟର ବାଟ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର ହୋଇ ପାରେ ।

 

ବିଦୁର କଥା ଅନୁସାରେ ଶରତ୍‌ବାବୁ ଡେପୁଟି ପୋଷ୍ଟ ଖଣ୍ଡିକ ଗ୍ରହଣକରି ତହିଁ ଆରଦିନ କାମାକ୍ଷାନଗର ଯାତ୍ରା କଲେ ।

 

ଶରତ୍‌ବାବୁ ବାବୁ ସରକାରୀ ଚାକିରି ପାଇବାରେ ତାଙ୍କର ବାପା, ବୋଉ ଭାରି ଆନନ୍ଦ; ମାତ୍ର ମଝିରେ ମଝିରେ ସେ ଯେତେବେଳେ ପୁଅର ଉଦାସୀନତା ଓ ବିମର୍ଷତା ଆଦି ସମ୍ପର୍କରେ ଭାବି ଦିଅନ୍ତି ସେତେବେଳେ ଭାରି ଅଧୈର୍ଯ୍ୟ ହୋଇ ପଡ଼ନ୍ତି ।

 

ଶରତବାବୁଙ୍କ ବୋଉ ସବୁ କଥା ଶୁଣିସାରିଲା ପରେ ପଚାରିଲେ ହଇଏ—ଆମ ବୋହୂଟି ସୁନ୍ଦରଟି ? ଆରେ, କହିଲି ପରା ମୋ ବୋହୂପରିତ ସୁନ୍ଦର ଝିଅଟିଏ ଏ ମୁଲକରେ ମିଳିବନି । ଆଉ ପୁଅ ଶଶୁର ଘରେ ରହିବାକୁ ମନାକଲା ନାହିଁ କାହିଁକି ? ଆଚ୍ଛା ବୁଝିଲ ତମେ । ପୁଅ କ’ଣ ଏଇଥି ପାଇଁ ମନାକଲା ? ପୁଅ । ବୋହୂର ଛାଇ ପର୍ଯ୍ୟନ୍ତ ଦେଖିଚନା । ତା ମନଟା ତ କାହିଁକି କିମିତି କ’ଣ ହୋଇ ଯାଇଛି ।

 

ହଉ ଚାକିରୀ କଲାଣି—ବୋହୂ ମାସ ଗୋଟାକରେ ଚାଲି ଆସିଲେ ସେସବୁ ବଦଳି ଯିବ ଯେ । ତୁମେ ମହାପାତ୍ରକୁ ତାକିତ୍ କରି କହି ଦେଇଚ ନା—ମାଘ ମାସ ପଶନ୍ତିରେ ବୋହୂକୁ ଆଣିବ ବୋଲି ? ସେତେକ ଆଉ ନ କହନ୍ତି କିମିତି । ସେ ବିଚରା ମହାପାତ୍ର ମୋକଥାରେ ଭାରି ରାଜି, ମୁଁ ଯାହା କହିବି ତା କରିବ, ଭାରି ଭଲ ମଣିଷଟେ ।

 

ଦିନପରେ ଦିନ ଗଡ଼ି ଚାଲିଚି । କାନ କୁଣ୍ଡାଇଲାପରି ପୁଷମାସଟା କେଡ଼େ ବେଗି ଚାଲିଗଲା । ଦାସେ ବୋହୂ ଡାକରା ପାଇଁ ବିରଜାପୁର ଗଲେ । ସିଦ୍ଧ ମହାପାତ୍ରେ ସମ୍ବନ୍ଧ କହିବାରୁ ଟିକିଏ ହେଲେ ଏପାଖ ସେପାଖ ହୋଇ ନାହାଁନ୍ତି । ନିର୍ଦ୍ଦିଷ୍ଟ ଦିନରେ ଝିଅକୁ ପୁଆଣିଘର ପଠାଇବା ପାଇଁ ସମସ୍ତ ଆୟୋଜନ କରିଦେଲେ । ବୋହୂ ଆଣିବାର ଦିନବାର ପର୍ଯ୍ୟନ୍ତ ସବୁ ଠିକଣା କରିଦେଲେ ସିନା ପୁଅ କଥାନେଇ ଦାଶଙ୍କର ଭାରି ସନ୍ଦେହ ହେଉଥାଏ । ସତକୁ ସତ ବିରଜାପୁରରୁ ଫେରି ଦେଖନ୍ତିତ ଶରତବାବୁ ଘରକୁ ଆସି ନାହାଁନ୍ତି । ଦାସଙ୍କ ମନରେ ରାଗଆସିଲା ଯେତିକି ତାଠାରୁ ଚାରି ଗୁଣରେ ନୈରାଶ୍ୟ ଭାବି ବି ଦେଖାଗଲା । ସେ ବିରକ୍ତହୋଇ କହିଲେ—ପୁଅ ଆସିଲେ ଆସୁ ନୋହିଲେ ନାହିଁ, ବୋହୂ ପିଲାଟି ଝିଅପରି ଘରେ ରହିବ ସିନା ମୁଁ ଆଉ ଢେଙ୍କାନାଳ ଦୌଡ଼ି ପାରିବି ନି । ଦାଶଙ୍କର ଏଇ ବିରକ୍ତି ସୂଚକ ମନ୍ତବ୍ୟ ଉପରେ ଶରତବୋଉ କ’ଣ ପଦେମାତ୍ର କହିଛନ୍ତି କି ନାହିଁ ତାନଟା ତାଙ୍କରି ଉପରେ ହିଁ ଛିଣ୍ଡିଗଲା । ଦାଶେ କହିଲେ ‘‘ପୁଅତ ଜନମ କରିଥିଲ, ଯାଇ ନେଇ ଆସୁନ ? ମୁଁ ଆଉ କେତେ ଆଡ଼କୁ ମରିବି ? ନିଜେତ ଗଲି, ଚିଠି ଦେଲି, ଟେଲିଗ୍ରାମ ମଧ୍ୟ କରିଚି । ଏତେ ଘଟଣାରେ ସେ ଯଦି ନ ଆସିଲା ତେବେ ମୋର ଆୟତ କ’ଣ ? ତୁମେ ଯାଅ ସଫାକଥା ତାକୁ କହିଦେବ ହେଲେ ଏପାରି ନ ହେଲେ ସେପାରି ।

 

ବୁଢ଼ୀ ଆଉ କ’ଣ କରିବେ—ଈଶରାକୁ ସାଙ୍ଗରେ ନେଇ ସେଇଦିନ ଗାଡ଼ିରେ ଢେଙ୍କାନାଳ ଚାଲିଲେ । ଦାଶେ ସିନା ରାଗରେ ବୋହୂ ଝିଅ ପରି ଚଳିବ ବୋଲି କହି ପକେଇଲେ, ବୁଢ଼ୀ ଏଥିରେ ଏକମତ ବା ହେବ କିପରି ? ପୁଅ ବୋହୂ ଘରସଂସାର କରି ସୁଖ ଶାନ୍ତିରେ ରହିଲେ ସିନା ମା ବାପାଙ୍କ ମନରେ ଆନନ୍ଦ । ବୋହୂଟି ଝିଅପରି ଖାଇ ପିନ୍ଧି ଯେତେ ସୁସ୍ଥରେ ରହିଲେ ସୁଦ୍ଧା ପୁଅ ନ ଥିଲେ ସେ କଣ ସୁଖୀହୋଇ ପାରିବ ?

 

ଶରତବାବୁଙ୍କ ବସାରେ ପହଞ୍ଚି ବୁଢ଼ୀ ଗୁଡ଼ାଏ କନ୍ଦାକଟା ଆରମ୍ଭ କଲେ । ଶରତବାବୁ ଆଇ. ଏ. ଏସ୍ ଅଫିସରଙ୍କ ଘରେ କ୍ରନ୍ଦନର ରୋଳ ଶୁଣି ଅଫିସର କଲୋନିଯାକ ଗୋଟାଏ ଚହଳ ପଡ଼ିଗଲା । ଅନ୍ୟାନ୍ୟ ଅଫିସରମାନଙ୍କ ଘରୁ କିଏ କିମିତି ଆସି ଶରତବାବୁଙ୍କ ଘରେ ରୁଣ୍ଡ ହେଲେ-। ଲୋକଗୁଡ଼ିକୁ ଦେଖିବାରେ ବୁଢ଼ୀର କାନ୍ଦଣା ଆହୁରି ଜୋର ହୋଇଉଠିଲା । ମାଇପି ଲୋକତ–ପେଟରେ ଲୁଣ ମିଳେଇବ ନାହିଁ । ଦୁଃଖ ସୁଖ କଥା ପ୍ରସଙ୍ଗରେ କାହା କାହା ଆଗେ ସମସ୍ତ ଘଟଣାଟି ବୁଢ଼ୀ କହିଦେଉ ଥାଆନ୍ତି । ଘଣ୍ଟେ ଦୁଇଘଣ୍ଟା ଭିତରେ ସାରା ଅଫିସର କଲୋନୀଟିରେ ପ୍ରଚାର ହୋଇଗଲା ଯେ, ଆଇ: ଏ: ଏସ୍: ଅଫିସର ନିଜ ସ୍ତ୍ରୀକୁ ପାଖରେ ପୂରେଇ ଦେଇ ନ ଥିବାରୁ ତାଙ୍କର ମା ଆସିଛନ୍ତି । ଏଇ ଘଟଣାରେ ଯେ ଯାହା ମନ୍ତବ୍ୟ ଦେବାର ଦେଉଥାଆନ୍ତି । କିନ୍ତୁ ଆଇ. ଏ. ଏସ୍. ଅଫିସରଙ୍କ ସାମନାରେ କିଏ ବା କଣ ସାହସ କରି କହି ପାରିବ ?

 

ବୁଢ଼ୀ ଯେତେବେଳେ ଦେଖିଲେ ତାଙ୍କର ସବୁ ପ୍ରକାର ଚେଷ୍ଟା ବିଫଳ ହେବାକୁ ଯାଉଛି, ସେତେବେଳେ ସେ ସେଇ ପୂର୍ବ ପନ୍ଥାକୁହିଁ ଧରି ବସିଲେ । ଶରତ୍‌ବାବୁ କହିଲେ, ବୋଉ ! ମୋର ବହୁତ କେଶ୍ ଅଛି; ମୁଁ ଏବେ ଯାଇପାରିବି ନାହିଁ । ନନା ସେଆଡ଼େ ଏକୁଟିଆ ଅସୁବିଧା ଭୋଗୁଥିବେ, ତୁ ଘରକୁ ଫେରିଯା । ବୁଢ଼ୀ କିନ୍ତୁ ରାଗରେ ଉତ୍ତର ଦେଲେ, କ’ଣ କହିଲୁ ! ମୁଁ ଘରକୁ ଫେରିଯିବି ? ତତେ ସାଙ୍ଗରେ ଧରିନଯିବା ଯାଏଁ ମୁଁ ଏଠାରୁ ମୋଟେ ପାଦ ବାହାର କରିବି ନି । ଏଆଡ଼େ ବାପର ତୋଡ଼ମାଡ଼ ସେଆଡ଼େ ଗାଁ ଲୋକଙ୍କର କିଲିବିଲା କେତେ ସହିବି ? ତୋ’ର କାମ ଏତେ ବଡ଼ ହୋଇଗଲା ! କାଲିରୁ ପରଦିନ ଯେପରି ନ ହୁଏ ତା ବିଚାର କର । ବୋହୂ ପୁଆାଣି ହୋଇ ଅଧବାଟରେ ଠିଆ ହୋଇଛି । ତୁ କହୁଚୁ କ’ଣ ନା ମୋର କାମ ଅଛି ? ଆଉ ଥରେ ଏଭଳି କଥା କହିଲେ ତୋ ଗୋଡ଼ ତଳେ ମୁଣ୍ଡପିଟି ଜୀବନ ହରେଇ ଦେବି । ବୁଢ଼ୀ କହୁ କହୁ ଭୋ ଭୋ କାନ୍ଦି ଉଠିଲେ ।

 

ବୁଢ଼ା ନାଜର ମିଆଁ ଚପରାଶିଟି ଅର୍ଦ୍ଦଳି ପିଅନଭାବରେ ଉମର ବିତେଇ ଦେଲାଣି । ତା’ ଅମଳରେ କେତେ ଗୋରା ସାହେବ ଆଇ. ସି. ଏସ୍. ଅଫିସରଙ୍କ ପାଖେ ଚଳିଆସିଛି । ସେଇ ଅଫିସରେ ଖଟି ଖଟି ତାର ଅଙ୍ଗ ପ୍ରତ୍ୟଙ୍ଗ ବିକୃତ ହୋଇ ପଡ଼ିଲାଣି । କୁଟୁମ୍ବ ପୋଷିବା ଲାଗି ଏ ବୁଢ଼ା ବୟସରେ ସୁଦ୍ଧା କାମ ଖଣ୍ଡିକ ଜାବୁଡ଼ି ଧରି ପଡ଼ିଚି । ଆଉ କି ସମ୍ବଳ ଅଛି ଯେ ଚାକିରୀ ଛାଡ଼ି ବୁଢ଼ା ସମୟଟା ବିଶ୍ରାମ ନେବ । ବୁଢ଼ା ଏବେ ଟିକିଏ ବଡ଼ବୋଲା ହୋଇଗଲାଣି । ଖୁବ୍ ଜୋରରେ ନ କହିଲେ ଶୁଣି ପାରୁନି । ହାକିମ ହେଲେ କ’ଣ ହେଲା, ବୟସ୍କ ଲୋକ ହିସାବରେ ନାଜର ମିଆଁ ସମସ୍ତଙ୍କୁ ମୁହେଁ ମୁହେଁ ଯାହା କହିବାର ଦି’ପଦ କହିଦିଏ । ଶରତବାବୁଙ୍କ ସଂପର୍କରେ ବୁଢ଼ା ତ ଆଗରୁ ବେଶି କିଛି ଖବର ଜାଣି ନ ଥିଲା । କେବଳ ଥରେ ମାତ୍ର ହାକିମଙ୍କୁ ପଚାରିଲା, ସାହେବ ! ମେମ ସାହେବ କେବେ ଆସିବେ ? ତା’ର ପ୍ରଶ୍ନରେ ଶରତବାବୁ କିଛିହେଲେ ଉତ୍ତର ନ ଦେଇ ଥିବାରୁ ବୁଢ଼ା ଭାରି ଦୁଃଖିତ ହୋଇ ମନେ ମନେ ସ୍ଥିର କରି ନେଇଥାଏ ସାହେବର ମନ ଖରାପ ଅଛି ବୋଧହୁଏ । ଏବେ ଦୁଇ ତିନି ଦିନ ହେଲା ତା ସାହେବ କୋଠିରେ ଯାହା ସବୁ ଘଟୁଛି ତାହା ନାଜରକୁ ସବୁ ଶୁଭୁ ନଥିଲେ ମଧ୍ୟ କେତେକଥା ଅନୁମାନ କରି ନେଇଥାଏ । ଯେଉଁଦିନ ବୁଢ଼ୀ ଭୋ ଭୋ କାନ୍ଦିବାରେ ସେ ଆଖିରେ ଦେଖିଲା, ହଠାତ୍ ବୁଢ଼ୀ ପାଖକୁ ଦୌଡ଼ିଯାଇ ପଚାରିଲା—ମା, ତୁମେ କାନ୍ଦୁଛ କାହିଁକି ? ବୁଢ଼ାର ସମବେଦନାଭରା ପ୍ରଶ୍ନରେ ବୁଢ଼ୀ ନୀରବ ରହି ପାରିଲେ ନାହିଁ । ଆଦ୍ୟରୁ ପ୍ରାନ୍ତଯାଏଁ ସବୁ ଘଟଣାଗୁଡ଼ିକ ଗପିଗଲେ ।

 

ସେଦିନ ସାହେବ ଟୁର୍‌ରେ ଯାଇଥାଆନ୍ତି । ନାଜର ତାଙ୍କ ଅପେକ୍ଷାରେ ଏପାଖ ସେପାଖ ହେଉଥାଏ । ତା’ର ଜିଦ୍ ଯେ, ସାହେବ ଗାଳିଦେଉ, ମାରୁ, ନିଶ୍ଚେଁ ଦି’ପଦ ଶୁଣାଇ ଦେବ-

 

ରାତି ପହରକ ସୁଦ୍ଧା ଶରତବାବୁ ବ୍ଲକରୁ ପେରି ଆସିଲେ । ଶରତବାବୁ ମଟରରୁ ଓହ୍ଲାଇବା ସଙ୍ଗେ ସଙ୍ଗେ ନାଜରକୁ ଦେଖି ପଚାରିଲେ—ଏତେ ରାତିଯାଏଁ ଅପେକ୍ଷା କରିଚ କାହିଁକି ? ଶରତବାବୁଙ୍କ ପ୍ରଶ୍ନ ତ ତାକୁ ଶୁଣାଗଲା ନାହିଁ, ସେ ତା’ର କହି ଚାଲିଥାଏ—ସାହେବ ! ଏ ସବୁ କି କଥା, ପୁଆଣି ଘରକୁ ଯିବ ନାହିଁ ? ବୁଢ଼ୀ ମା କାନ୍ଦି କାନ୍ଦି ଧକମରା ହୋଇଗଲେଣି । ମେମ୍ ସାହେବ ନ ଆସିଲେ ଏ କୋଠି କଁଣ ସୁନ୍ଦର ଦିଶିବ ? ଗଛରେ ଫୁଲ ନ ଥିଲେ ଯେପରି ଅସୁନ୍ଦର, ପୁରୁଷ ପାଖରେ ସ୍ତ୍ରୀ ନ ଥିଲେ ସେହିପରି ଅସୁନ୍ଦର ଇତ୍ୟାଦି ନାଜର ମିଆଁ ତା’ର ଭାଷଣକୁ ଗୋଟିଏ ଧାରାରେ ଚଲାଇଥାଏ । ଶେଷରେ ନାଜର ହୁକୁମ ଦେଲା ଭଳି କହିଲା—ନାଇଁ, ନାଇଁ ସାହେବ—ଚାରିଦିନ ଛୁଟି ନେଇ ଘରକୁ ଯାଆନ୍ତୁ, ପୁଆଣିଘର ପରେ ମେମ୍‌ସାହେବଙ୍କୁ ସାଙ୍ଗରେ ନେଇ ଆସିବେ ।

 

ବୋଉଙ୍କର କାନ୍ଦ ଓ ଆତ୍ମହତ୍ୟା କରିବାର ଧମକ, ଏଣେ ସାଧାରଣ ଚପରାଶିଟାର ହୁକୁମ, ଆହୁରି ବି ସବ୍‌ଅଡ଼ିନେଟ୍‌ ଅଫିସରଗୁଡ଼ାକର ଅନୁରୋଧ, ଏଥିରେ ଶରତବାବୁ କେତେ ବା ଟାଣ ପଣ ଧରି ରହିବେ ? ଦୁଇଦିନ ଛୁଟିନେଇ ବୋଉଙ୍କୁ ସାଙ୍ଗରେ ନେଇ ଗାଁକୁ ବାହାରିଲେ ।

 

ଶରତବାବୁ ମନେ ମନେ ଭାବୁଥାଆନ୍ତି—ଲୋକଦେଖାଣିଆ ହୋଇ ବିଭାଘରଟା ତ ବଢ଼ି ଯାଇଚି—ଠିକ୍ ସେଇ ରୀତିରେ ପୁଆଣିଘରଟା ହୋଇଗଲେ କ୍ଷତି ବା କଣ ? ଏତେଗୁଡ଼ାଏ ଲୋକନିନ୍ଦା ଶୁଣିବା ଅପେକ୍ଷା କାହାକୁ କିଛି ନ କହି ସେମାନଙ୍କର କଥା ଗ୍ରହଣ କରାଯିବା ଉଚିତ ।

 

ଶରତବାବୁ ବୋଉଙ୍କ ସାଙ୍ଗରେ ଆସି ଗାଁରେ ପହଞ୍ଚିଲେ; ଦାଶଙ୍କର ନିର୍ଦ୍ଦେଶ ଅନୁସାରେ ମହାପାତ୍ରେ ଝିଅକୁ ପୁଆଣି ସଜ ଦେଇ ଶାଶୁଘରକୁ ପଠାଇ ଦେଇଛନ୍ତି । ଆଜି ପୁଆଣିଘର, ବ୍ରାହ୍ମଣଘରର ବିଧାନ ଅନୁସାରେ ସମସ୍ତ ଆୟୋଜନ ହୋଇଥାଏ । କୌଣସି ବିଧି ବିଧାନକୁ ଉପେକ୍ଷା ନ କରି ଶରତବାକୁ ବାଧ୍ୟ ଶିଶୁଟି ପରି ସମସ୍ତ କଥା କରିଯାଉଥାଆନ୍ତି । ପୁଅଙ୍କର ଏଭଳି ପରିବର୍ତ୍ତନରେ କେବଳ ବୁଢ଼ା ବୁଢ଼ୀ କାହିଁକି ସାରା ଗାଁ ଗୋଟାକ ଭାରି ଖୁସି । କାରଣ ଶରତବାବୁଙ୍କୁ ସମସ୍ତେ ଆନ୍ତରିକ ଶ୍ରଦ୍ଧା କରନ୍ତି ।

 

ବିଦୁ, ମୀରା ପ୍ରଭୃତି ଝିଅଗୁଡ଼ିକ ମିଳିତ ଭାବରେ ଗାଁ ଠାକୁରାଣୀଙ୍କୁ ବୋଦା ଯାଚି ଥାଆନ୍ତି—ଯଦି ଶରତବାବୁ ସୁରୁଖୁରୁରେ ପୁଆଣିଘରକୁ ଆସିବେ ତେବେ ଗଛଦିଅଁଙ୍କ ପାଖରେ କଳାବୋଦା ଦିଆଯିବ । ପାଠୁଆ ଝିଅଗୁଡ଼ିକ ଠାକୁରାଣୀଙ୍କୁ ବୋଦା ଦେବା ଆଦି ବିଷୟର ପକ୍ଷପାତୀ ନ ଥିଲେ ମଧ୍ୟ ଏ ଘଟଣାରେ ବିଶେଷ ଚିନ୍ତିତ ହୋଇ ପଡ଼ିଥିବା ହେତୁ ନିଜର ନୀତିକୁ ସୁଦ୍ଧା ପାଶୋରି ଦେଇଛନ୍ତି ।

 

(ତେର)

 

ସେତେବେଳକୁ ରାତି ୧୦ଟା ବାଜି ସାରିଥାଏ । ପୁଆଣିଘର ଉଦ୍ଦେଶ୍ୟରେ କୂଳ ପ୍ରଥା ଅନୁଯାୟୀ ଭୋଜିଭାତ, ଖିଆପିଆ ଧୂମ ଚାଲିଛି । ନିମନ୍ତ୍ରଣ ପ୍ରତିଭା ଦେବୀ ପ୍ରଭୃତି ଅନେକ ସ୍ତ୍ରୀଲୋକ ଭୋଜିଘରେ ଯୋଗ ଦେଇଛନ୍ତି । ଆବଶ୍ୟକୀୟ କାର୍ଯ୍ୟଗୁଡ଼ିକ ଯଥା ରୀତିରେ ପାଳିତ ହେଉଥାଏ ସତ, ମାତ୍ର କାହା ମନରେ ହେଲେ ତିଳେମାତ୍ର ସରସତା ଦେଖାଯାଏନାହିଁ । କାରଣ ଏସବୁ ଅନୁଷ୍ଠାନ ଓ ଉତ୍ସବର ମୂଳକର୍ତ୍ତା ଯିଏ ତାଙ୍କ ମନରେ ଆନନ୍ଦ ବା ମୁହଁରେ ହସର ସଞ୍ଚାର ଭ୍ରମରେ ସୁଦ୍ଧା ଟିକିଏ ହେଲେ ପରିଲକ୍ଷିତ ହେଉ ନ ଥାଏ । ଛାତ୍ରାବସ୍ଥାରୁ ପ୍ରତିଭାଦେବୀ ଶରତବାବୁଙ୍କୁ ଖୁବ୍ ଭଲ ପାଇ ଆସୁଥିଲେ ସୁଦ୍ଧା ବିଭାଘର ଦିନଠାରୁ ତାଙ୍କର ଗମ୍ଭୀରତାକୁ ଲକ୍ଷ୍ୟକରି ପଦେ କଥା କହିବାରେ ସେ ମଧ୍ୟ ସାହସ କରି ପାରୁ ନ ଥାନ୍ତି । ଏପରିସ୍ଥଳେ ଅନ୍ୟମାନଙ୍କର ପ୍ରଶ୍ନ ବା କୁଆଡ଼ୁ ଉଠିବ ?

 

ଶରତବାବୁ ତାଙ୍କର ବସାଘର ଥିବା ଚେୟାରଟି ଉପରେ ବସି ଟେବୁଲରେ ମୁହଁଟାକୁ ମାଡ଼ି ରଖି ଥାଆନ୍ତି । ଦାଶେ ମଝିରେ ମଝିରେ ବୁଢ଼ୀ ଉପରେ ଗୋଟାଏ ତର୍ଜନ ଗର୍ଜନ କରି କହୁଥାଆନ୍ତି ହଇଏ ! ତୁମର କ’ଣ ଏ ଖାନା ପିନା ଆଉ ସରିବ ନାହିଁ ? ବେଳା ଗଡ଼ି ଯାଉଛି ପରା-! ଦେଖୁ ଦେଖୁ ଛଅ ଘଡ଼ି ରାତି ହେଲା, ଆଉ କେତେବେଳେ ଗହଳି ଭାଙ୍ଗିବ ? ବୁଢ଼ୀ ତରତର ହୋଇ କାମ ଦାମ ଛିଣ୍ଡାଇବାରେ ବ୍ୟସ୍ତ ।

 

ଶରତବାବୁଙ୍କର ଶୋଇବା ଘରଟିକୁ ପ୍ରତିଭାଦେବୀ ନିଜ ହାତରେ ସଜେଇ ଥାଆନ୍ତି । ସୁପ୍ରଭାକୁ ପରିହାସ କରି ଇଆଡ଼ୁ ସିଆଡ଼ୁ ଅନେକ କିଛି କହୁଥାଆନ୍ତି । ସୁପ୍ରଭା କଲେଜ ପଢ଼ା ଝିଅ ହୋଇଥିଲେ ମଧ୍ୟ ନୂଆବୋହୂ ସାଜି ଆସିଛି ଯେତେବେଳେ, ଓଢ଼ଣା ଓଟାରି ହାଣ୍ଡିଶାଳ କଣଟିରେ ଠିଆ ହୋଇଥାଏ । ପ୍ରତିଭାଦେବୀ ହାଣ୍ଡିଶାଳ ଭିତରେ ପଶିଯାଇ ସୁପ୍ରଭାକୁ ନିଜଆଡ଼କୁ ଟାଣି ଆଣି କ’ଣ ଟୁପୁ ଟୁପୁ କରି କହିବାବେଳେ ବିଦୁ ସେଠାରେ ପହଞ୍ଚି ଯିବାରୁ ସେ ବିଦୁକୁ କହିଲେ—ତୁମେ ପିଲାଲୋକ, ଆଜିଠାରୁ ଏ କଥାଗୁଡ଼ାକ ଶୁଣିଲେ ତୁମର ମନ ମଧ୍ୟ ଶରତବାବୁଙ୍କ ପରି ଚହଲି ଯିବ-। ବିଦୁ ହସି ହସି ସେଠାରୁ ଯିବା ପରେ—ପ୍ରତିଭାଦେବୀ କହିଲେ, ବୁଝିଲ ସୁପ୍ରଭା ! ଶରତ ଆମର ଭାରି ଭଲ ମଣିଷ ! ଯୁବକ ଲୋକ ତ କ’ଣ ଗୁଡ଼ାକ ଏଣୁ ତେଣୁ ଭାବି ଭାବି ଟିକିଏ ଚଗଲିଆ ଧରି ଯାଇଛନ୍ତି । ତୁମେ ତ କିଛି ଗାଉଁଲି ପିଲା ନୁହଁ । ଆଇ. ଏ. ପାଠ ପଢ଼ିଛ, ସବୁ ସୁଧାରି ନେବାରେ କିଛି ଅସୁବିଧା ହେବ ନି ଯେ ? ନା’ କ’ଣ କହୁଚ ? ଏଇକ୍ଷଣି ତ ତୁମର ଲାଜ ଫାଜ ସବୁ କୁଆଡ଼େ ଉଭେଇ ଯିବ—ଆଉ ମୋ ପାଖରେ ଏତେ ଲାଜ କାହିଁକି ମ ? ପ୍ରତିଭା ଦେବୀ ସୁପ୍ରଭାର ମୁହଁରୁ ଓଢ଼ଣାଟି ଟାଣି ନେଇ ତା’ର ମୁଣ୍ଡଟିକୁ ଆଉଁଷିବାକୁ ଲାଗିଲେ । ସୁପ୍ରଭା ଲାଜ ଓ ସ୍ନେହର ବଶବର୍ତ୍ତୀ ହୋଇ ପ୍ରତିଭାଦେବୀଙ୍କ ବକ୍ଷ ଦେଶରେ ମୁହଁଟିକୁ ଘୋଡ଼ାଇ ପକାଉଥାଏ । ପ୍ରତିଭାଦେବୀ ହସି ହସି କହୁଥାଆନ୍ତି ସୁପ୍ରଭା ! ମୋ ଛାତି ଭିତରେ ମୁହଁଟିକୁ ଗୁଞ୍ଜି ଦେଉଚୁ କାହିଁକି ? ଶରତବାବୁଙ୍କ ଛାତିରେ ତା କଲେ ସିନା ମନ ମାନିବ । ଦେଖ ସୁପ୍ରଭା—ଆମେ ସମସ୍ତେ ତତେ ହିଁ ଆଶାକରି ବସିଥିଲୁ—ଆମ ଶରତବାବୁଙ୍କୁ ତୁ ଏପରି ଭାବରେ ଗଢ଼ିବୁ ଯହିଁରେ କି ତାଙ୍କର ପୂର୍ବ ଚେହେରା ଫେରି ଆସିବ । ଆଉ ଗୋଟିଏ କଥା ମନେ ରଖିଥା—ତାଙ୍କର ବାବାଜୀ ପଣିଆକୁ ସେ ଯେପରି କାଲି ସକାଳୁ ଅନ୍ତର କରେଇ ଦେବେ ତାହାର ସୂତ୍ର ଖଞ୍ଜିଦେବୁ । ଆମେ ଯେ କେତେ ପ୍ରକାର କହିଲେ ସୁଦ୍ଧା ସେ କାହା କଥା ଶୁଣୁ ନାହାନ୍ତି ସିନା ତୋ କଥା ନ ଶୁଣିଲେ ତାଙ୍କର ଗତି କାହିଁ ? ପୁରୁଷ ଜାତି ଭାରି ଚିକ୍‌କଣିଆ କଥା କହି ଭୁଲେଇ ଦିଅନ୍ତି, ତୁ ମୋଟେ ଜିଦ୍ ଛାଡ଼ିବୁ ନାହିଁ-

 

ଇଆଡ଼ୁ ସିଆଡ଼ୁ ଗୁଡ଼ାଏ କଥା ଗପିବା ଭିତରେ ପ୍ରତିଭାଦେବୀ ସୁପ୍ରଭାର ହାତଦୁଇଟିକୁ ଧରି ଶରତବାବୁଙ୍କ ଶୋଇବା ଘର ଯାଏଁ ନେଇ ଗଲେ ଏବଂ ସେ ଘରଭିତରକୁ ଯିବାପାଇଁ ବାରଂବାର କହିବା ସତ୍ତ୍ୱେ ସୁପ୍ରଭା ଆଦୌ ଯାଉନ ଥାଏ । ପ୍ରତିଭାଦେବୀ ଜବରଦସ୍ତି ଠେଲି ପେଲି ଘରଭିତରେ ପୂରାଇ ଦେବାକୁ ଚେଷ୍ଟା କଲାବେଳେ ସେ ତାଙ୍କୁ ଖୁବ୍ ଜୋରରେ କୁଣ୍ଢେଇ ଧରି ନେଉଥାଆନ୍ତି । ପ୍ରତିଭାଦେବୀ କହିଲେ—ଚାଲ, ଚାଲ—ତତେ ସେ ଘରକୁ ଛାଡ଼ିବା ପରେ ପୁଣି ତୋର ପ୍ରିୟତମଙ୍କୁ ନିମନ୍ତ୍ରଣ କରିବାପାଇଁ ବସାଘରକୁ ଯିବି । ଏହି ଦୁତିକା କାମ କରିବା ପାଇଁ ନାନୀ ମତେ କଟକରୁ ଜବରଦସ୍ତି ଆଣିଛନ୍ତି ପରା ! ତମେ ଦୁହେଁ ମତେ ଆଉ ହଟହଟା କଲେ ଚଳିବ ? ସୁପ୍ରଭାକୁ ଘରଭିତରେ ଛାଡ଼ିଦେଇ ପ୍ରତିଭାଦେବୀ ଶରତବାବୁଙ୍କ ପାଖକୁ ଯାଇ ଦେଖନ୍ତି ତ ଗଭୀର ଦୁଃଖରେ ମନୁଷ୍ୟ ଯେପରି ହତଶୂନ୍ୟ ହୋଇ ପଡ଼ିଥାଏ ଠିକ୍ ସେହିଭଳି ଶରତବାବୁ ଟେବୁଲ ଉପରେ ମୁଣ୍ଡଟାକୁ ଗଡ଼େଇ ଦେଇଛନ୍ତି । ପ୍ରତିଭାଦେବୀ ଶରତ ! ଶରତ ! ବୋଲି ଚାରି ଛଅ ଥର ଡାକିବାରେ ଶରତବାବୁ ଅତି କ୍ଷୀଣ ସ୍ୱରରେ କହିଲେ କିଏ ? ଭାଉଜ ! ହଁ ହଁ, ଭାଉଜ ନହୋଇ ଆଉ କିଏ ହୁଅନ୍ତା ? ଆସ ! ତାକୁ ତ ବହୁ କଷ୍ଟରେ ଆଣି ଛାଡ଼ିଲି—ତୁମେ ଆଉ ଏଠି ଶୋଇ ମୁଣ୍ଡଗଡ଼େଇଲେ ଲାଭ କଣ ? ଯେଉଁ ବିଷୟକୁ ଚିନ୍ତା କରି କରି ସୁନାର ଦେହକୁ ଚୂନା କରିଦେଇ ବସିଚ ତା’ତ ଏଇକ୍ଷଣି ପୂରଣ ହୋଇଯିବ, ଆଉ ଡେରି କାହିଁକି ? ପ୍ରତିଭାଦେବୀଙ୍କ କଥାରେ ଶରତବାବୁ ଆଗ୍ରହାନ୍ୱିତ ହେବା ଦୂରେ ଥାଉ ବରଂ କିପରି ଗୋଟାଏ ବିକୃତ ସ୍ୱରରେ କହିଲେ ଭାଉଜ ! ତୁମକୁ କ୍ଷମାମାଗୁଚି; ମୋ ସାଙ୍ଗରେ ଲଗାଅନାହିଁ । ମୁଁ ଏଇଠାରେ ଏପରି ରାତିଟା କଟେଇ ଦେଇ ପାରିବ ଯେ— ?

 

ମଣିଷ ବହୁ କଷ୍ଟ ସହିପାରେ କିନ୍ତୁ କାହାରି ମୁଖଛିଞ୍ଚଡ଼ା କଥା ଶୁଣିବାରେ କେହିହେଲେ ପ୍ରସ୍ତୁତ ନୁହଁନ୍ତି । ବିଶେଷତଃ ପ୍ରତିଭାଦେବୀଙ୍କ ପରି ସବୁଦିଗରୁ ସୌଭାଗ୍ୟବତୀ ବା କାହାର ରେ ପଦ ସହିବେ କାହିଁକି ? ତଥାପି ଶରତବାବୁଙ୍କ କଥାକୁ ଛଳ ନ ବିଚାରି ସେ ତାଙ୍କର ହାତଟାକୁ ଧରି ଟାଣିବାକୁ ଲାଗିଲେ । ଶରତବାବୁ କହିଲେ, ଭାଉଜ ! ତୁମମାନଙ୍କ ବୋଲ ମାନି ଯାହା କରିବା କଥା ମୁଁ ତ ସବୁକଲି; ପୁଣି ମତେ ଅଶାନ୍ତି ଦେଉଚ କାହିଁକି ? ହଁ, ଆମମାନଙ୍କ କଥା ରକ୍ଷାକରି ତୁମେ ଯାହା ସବୁ କରିଚ ସେ କାମର କେତେକ ଅଂଶ ବର୍ତ୍ତମାନ ସୁଦ୍ଧା ବାକି ରହିଯାଇଛି ପରା ! ମୋ ଆଦେଶ ପାଳନ କରିବା ପରେ ସେତକ ପୂର୍ଣ୍ଣ ହୋଇଯିବ ଏବଂ ତାପରେ ଦେଖିବ ତୁମେ ଆମର ଯେପରି ସୁନାପିଲା ହୋଇଥିଲ ସେହିପରି ହୋଇଯିବ ।

 

ଶରତବାବୁ ଦେଖିଲେ ପ୍ରତିଭାଦେବୀ ତାଙ୍କୁ ନ ନେଇ କୌଣସିମତେ ଛାଡ଼ିବେ ନାହିଁ । ତହୁଁ ସେ ବାଧ୍ୟହୋଇ ଶୋଇବାଘର ଆଡ଼କୁ ଗଲେ । ଶରତବାବୁ କିଛି ଶୁଣିବା ପାଇଁ ପ୍ରସ୍ତୁତ ନ ଥିଲେ ମଧ୍ୟ ପ୍ରତିଭାଦେବୀ ଥଟ୍ଟା ପରିହାସ କଥାଗୁଡ଼ାଏ କହୁଥାଆନ୍ତି । ଶରତବାବୁଙ୍କୁ ଅନ୍ତରର ସହିତ ଭଲ ପାଉଥିବା ହେତୁ ତାଙ୍କର ଛିନି ଛାଟ ସତ୍ତ୍ୱେ ପ୍ରତିଭାଦେବୀ ମନ ଧରା କଥା ଯେ କହୁ ଥାଆନ୍ତି ଏହା ଯେ କେହି ବିଚାରିବା ସ୍ୱାଭାବିକ । ଫାଶୀ ଘେନିବାକୁ ଯାଉଥିବା ଲୋକର ଭଙ୍ଗିରେ ଶରତବାବୁ ଶୋଇବା ଘର ଭିତରେ ପଶିଗଲେ । ପ୍ରତିଭାଦେବୀ ଗଡ଼ ଜୟ କଲାଭଳି ମନ ଦମ୍ଭରେ କବାଟଟାକୁ ଟାଣି ଆଣି ବାହାର ପାଖରୁ ବନ୍ଦ କରିଦେଲେ ଏବଂ ବାହାର ପାଖରେ ଥାଇ କହିଲେ, ‘‘ତୁମ ଦୁହିଁଙ୍କୁ ଏକତ୍ର ମିଳନ କରିବା ଯାଏଁ ମୋର କାମଥିଲା । ଦୁହେଁ ଢେଙ୍କାନାଳ ଯିବା ବାଟରେ ଆମ ବସା ବାଟ ଦେଇ ଯିବ, ଆଉ ସିଧା ସିଧା ଚାଲିଯିବ ନାହିଁ । ବୁଝିଲୁ ସୁପ୍ରଭା ! ଆମ ବସାକୁ ଯିବାପାଇଁ ଶରତଙ୍କୁ ମଧ୍ୟ କହିବୁ । ମୁଁ ବର୍ତ୍ତମାନ କଟକ ବାହାରିଲି ।’’

 

ହରିବାବୁଙ୍କ କହିବା ଅନୁସାରେ ପ୍ରତିଭାଦେବୀ ସାଙ୍ଗେସାଙ୍ଗେ କଟକ ବାହାରିଲେ—କାର୍‌ଟି ତାଙ୍କ ଅପେକ୍ଷାରେ ଥୁଆ ହୋଇଥିଲା । ଶରତଙ୍କ ବୋଉ କୃତକୃତ୍ୟ ହେଲାପରି କହିଲେ—ବୋହୂ ! ତୁ ନ ଆସିଥିଲେ ମୁଁ ଖାଲି ଲୋକ ହସାରେ ବୁଡ଼ି ଯାଇ ଥାଆନ୍ତି ! ଶରତ କ’ଣ ଆଉ କାହା କଥା ଶୁଣନ୍ତା ନା ତା ଡରରେ କେହି ହେଲେ ତାକୁ କିଛି କହି ପାରନ୍ତେ । ତୋର ତ ବଡ଼ ଘରର କଥା—ଠିଆ, ଗୋଡ଼ରେ ଚାଲି ଯାଉଚୁ । ମୋର କି ଉପାୟ ଅଛି ? ପ୍ରତିଭାଦେବୀ ସମସ୍ତଙ୍କଠାରୁ ବିଦାୟ ନେଇ କାର୍ ଭିତରକୁ ଗଲେ । କାର୍‌ଟି କର୍‌କର୍‌ ଶବ୍ଦରେ ଅଗ୍ରସର ହେବାକୁ ଲାଗିଲା । ପ୍ରତିଭାଦେବୀଙ୍କୁ ବିଦାୟଦେଇ ସମସ୍ତେ ନିଜ ନିଜର ବିଛଣାକୁ ଗଲେ । ଦାଶଙ୍କର ଖଂଜା ଭିତରଟି ନିସ୍ତବ୍‌ଧ ହୋଇଗଲା ।

 

(ଚଉଦ)

 

ସୁପ୍ରଭା କଲେଜ ପାଠୁଆ ଝିଅ । ନୂଆହୋଇ ଶାଶୁଘରକୁ କେବଳ ଆସିଛି ବୋଲି ସେ ନିଜର କୃତିତ୍ୱ ଦେଖାଇ ପାରେନି ସିନା ! କେବଳ ସୁପ୍ରଭାକୁ କହିବା କାହିଁକି ? ତାପରି ରୂପ ଯୌବନସମ୍ପନ୍ନା ଆଉ ପାଠୋଇ ଯେ କୌଣସି ଯୁବତୀ ଉତ୍ସୃଙ୍ଖଳ ହୋଇ ପଡ଼ିବା ସ୍ୱାଭାବିକ । ବିଶେଷରେ ପୁଆଣି ରାତି ବିଷୟରେ ନିଜେ ଜାଣିଥିବା ବ୍ୟତୀତ ସାଙ୍ଗ ସାଥିମାନଙ୍କଠାରୁ କେତେ ବିଷୟ ଯେ ଶୁଣିଥିବ ତା’ର କଳନା କ’ଣ ?

 

ଉତ୍କୃଷ୍ଟ ସ୍ତ୍ରୀମାନେ ଳଜ୍ଜାଶୀଳା ହୁଅନ୍ତି ବୋଲି କାହାରି କାହାରି ମତ । ଯାହାହେଉ ନିଜର ଛାତି ଭିତରେ କେତେ ନନ୍ଦନ କାନନ, ଅପ୍ସରାଭୁବନ, ପାରିଜାତ ବନ ଆଦିର କଳ୍ପନାକୁ ସ୍ଥାନଦେଇ ସୁପ୍ରଭା ନିଜକୁ ଯେ ପ୍ରେମସ୍ରୋତରେ ଭସାଇ ଦେଇଛି ତା’ର ଇୟତ୍ତା ନାହିଁ । ନାରୀ ସୁଲଭ ଲଜ୍ଜା–ତା ଛଡ଼ା ପ୍ରେମିକଙ୍କଠାରୁ ଆଦର ଆହ୍ୱାନର ଅପେକ୍ଷା ଦୁଇଟିର ସମାବେଶରେ ସୁପ୍ରଭା ଘରର ଗୋଟିଏ କଣରେ କାନ୍ଥକୁ ମୁହଁ ଲଗାଇ ଠିଆ ହୋଇଛି । ଅଙ୍ଗ ପ୍ରତ୍ୟଙ୍ଗଗୁଡ଼ିକୁ ଖୁବ୍ ଯତ୍ନରେ ସହିତ ବସ୍ତ୍ରାବୃତ୍ତ କରିଥିଲେ ସୁଦ୍ଧା ମୁଣ୍ଡ କୁଣ୍ଡେଇବାରେ ବିଶାରଦ ବିଦୁ ଅତିଶୟ ଫେସନ ସହକାରେ ବାନ୍ଧି ଦେଇଥିବା କଳା ମଚ ମଚ ବେଣୀଟି ଆଣ୍ଠୁଯାଏ ଲମ୍ବି ଯାଇଅଛି । ବନାରଶୀ ଶାଢ଼ିଟିର ଅନ୍ତରାଳରେ ଆତ୍ମଗୋପନ କରି ରହିଥିଲେ ମଧ୍ୟ ମୁଣ୍ଡରେ ଖୋଷା ହୋଇଥିବା ସୁଗନ୍ଧ ଫୁଲଗୁଡ଼ିକର ସୁବାସ ସୁବାସିତ କେଶ ତୈଳର ସହଯୋଗରେ କୋଠରୀ ତମାମ ମହ ମହ ଚମକି ଉଠୁଛି । ଅଙ୍ଗ ପ୍ରତ୍ୟଙ୍ଗ ଚାଳନଜନିତ ରୁଣୁଝୁଣୁ ଶବ୍ଦ ମଧ୍ୟ ଜାତ ହେଉଥାଏ ।

 

ଶରତ୍‌ବାବୁ ତପାଚାରୀ ଜିତେନ୍ଦ୍ରିୟ ଋଷି ସଦୃଶ କକ୍ଷ ମଧ୍ୟରେ ପ୍ରବେଶ କରି ସିଧା ସିଧା ପଲଙ୍କ ଉପରକୁ ଚାଳିଗଲେ । ପଲଙ୍କ ଉପରେ ଊର୍ଦ୍ଧ୍ୱମୁଖ ହୋଇ ପଡ଼ି ରହି ସେ ଗାଢ଼ ନିଦ୍ରାରେ ଶୋଇ ପଡ଼ିଲେ କିମ୍ବା ନିଶ୍ଚଳ ଭାବରେ ଚିନ୍ତାମଗ୍ନ ହେଲେ ତାହା କିଏ କିପରି ଜାଣିବ !

 

ସୁପ୍ରଭା ପ୍ରତିକ୍ଷଣରେ ସ୍ୱାମୀଙ୍କର ନିମନ୍ତ୍ରଣକୁ ଅପେକ୍ଷା କରି କରି ଛିଡ଼ା ହୋଇଥାଏ । ତାକୁ ଯେପରି ପ୍ରତୀତ ହୁଏ କିଏ ଜଣେ ପଲଙ୍କରୁ ଉଠିଆସି ତାକୁ କୋଳାଗ୍ରତ କରି ନେଉଛି । ପ୍ରେମାନନ୍ଦରେ ସୁପ୍ରଭାର ଦେହ ଶୀତେଇ ଉଠେ । ମାତ୍ର କାହିଁ—ସେ ଧାରଣା ଚାହୁଁ ଚାହୁଁ ଅନ୍ତର ହୋଇ ପଡ଼େ ।

 

ଲବଣୀ କୋମଳାଙ୍ଗୀ ତରୁଣୀଟିଏ ଦଣ୍ଡ ପାଇଲା ଭଳି ଆଉ କେତେ କାଳ ଠିଆ ହୋଇ ପାରନ୍ତା ! ତୈଳ ଶେଷ ହୋଇ ଆସୁଥିବା ଯୋଗୁଁ ମିଞ୍ଜି ମିଞ୍ଜି ହୋଇ ଜଳୁଥିବା ଦୀପ ଆଲୋକରେ ସେ ଶରତ୍‌ବାବୁଙ୍କ ଉପରେ ଦୃଷ୍ଟିପାତ କଲା । କୃଷ୍ଣ ଶୃଶ୍ରୁଯୁକ୍ତ ଶରତବାବୁଙ୍କ ମୁଖ ମଣ୍ଡଳଟି ସୁପ୍ରଭାର ଦୃଷ୍ଟିଗୋଚର ହୋବମାତ୍ରେ ସେ ଛାନିଆ ହୋଇ ପଡ଼ିଲା । କିନ୍ତୁ କୌଣସି ଆଭାଷ ପାଇବା ତା ପକ୍ଷେ ସମ୍ଭବ ହୋଇ ପାରିଲା ନାହିଁ । ତା ପରେ ସୁପ୍ରଭାର ମନଟି ଭାଙ୍ଗି ରୁଜି ଖଣ୍ଡ ବିଖଣ୍ଡ ହୋଇ ପଡ଼ିଲା । ଗୋଡ଼ ଦୁଇଟି ତା’ର ଭାର ବହନ କରିବା ଲାଗି ଆଉ ପ୍ରସ୍ତୁତ ହେଲା ନାହିଁ-। ସେ କାନ୍ଥ ଭରାଦେଇ ତଳଟାରେ କଚାଡ଼ି ହେଲାପରି ବସି ପଡ଼ିଲା । ଭବିଷ୍ୟତରେ କଳ୍ପନା ଗୁଡ଼ିକ ଅନ୍ତର ମଧ୍ୟରୁ ଆପେ ଆପେ ଅପସରି ଯାଉଥିବା ସାଙ୍ଗେ ସାଙ୍ଗେ ଅତୀତରେ କେତେଗୁଡ଼ିଏ ଘଟଣା ତା ଅନ୍ତର ମଧ୍ୟରେ ଉପହାସ ଜଣାଉ ଥାଏ ।

 

ସୁପ୍ରଭାଦେବୀ କପାଳ ଆଦରି ମନକୁ ବୋଧ ଶୋଧ ଦେଉ ଦେଉ ଛାଇ ନିଦ ଆସିଛି କି ନାହିଁ, ବିଦୁ ନୂଆବୋହୂଙ୍କୁ ସଙ୍କେତ ଦେବା ଉଦ୍ଦେଶ୍ୟରେ ଶୋଇବାଘରର କବାଟଟାରେ ଦୁଇଥର ହାତ ମାରି ଦେଲା । ରାତି ତମାମ ସୁପ୍ରଭାକୁ ନିଦ୍ରାଦେବୀତ ପାଖରେ ପୂରେଇ ଦେଇ ନ ଥିଲେ; ହାଲିଆ ହୋଇ ଭୋରବେଳକୁ ଆଖି ଦୁଇଟି ମୁଦିହୋଇ ଆସିଲା ବେଳେ କବାଟ ଶବ୍ଦ ବାରି ସୁପ୍ରଭା ଧଡ଼ ପଡ଼ ହୋଇ ଓଢ଼ଣା ଟାଣି ଘର ଭିତରୁ ବାହାରି ଆସିଲେ ।

 

ବିଦୁ ବିଚାରି ଶରତଭାଇଙ୍କ ମୁହଁରେ କିପରି ଟିକିଏ ହସ ଦେଖିବ—ଏଇଚିନ୍ତା ତା’ର ବରାବର ରହିଛି । ଏଥିଲାଗି ସେ ଠାକୁରଙ୍କୁ ଜଣାଇବା ସଙ୍ଗେ ସଙ୍ଗେ କେତେ ଉପକରଣ ଯେ ଯୋଗାଇ ଦେଇଛି ତା’ର କଳନା ନାହିଁ । ବିଦୁ ଖୁବ୍ ଅନୁମାନ କରିଥିଲା ଶରତଭାଇଙ୍କର ମନୋବ୍ୟାଧି ଏଇ ନୂଆବୋହୂଙ୍କ ଦ୍ୱାରା କଟିଯିବ । ସେଇଥିପାଇଁ ଦୁଇଘଣ୍ଟା କାଳ ପରିଶ୍ରମ କରି ସେ ସୁପ୍ରଭାକୁ ସାଜସଜ୍ଜା କରିଦେଇ ଥିଲା ଏବଂ ପରିହାସ ଛଳରେ ନିଜେ ଅନୁଭବି ନ ହୋଇଥିଲେ ମଧ୍ୟ ସୁପ୍ରଭାକୁ ଅନେକ ଟ୍ରେନିଂ ମଧ୍ୟ ଦେଇଥିଲା । ସୁପ୍ରଭା କିପରି କ’ଣ କୃତକାର୍ଯ୍ୟ ହୋଇଛି, ତା ଟ୍ରେନିଂ ଦ୍ୱାରା ଏଇକଥା ଜାଣିବା ପାଇଁ ବୋଧହୁଏ ବିଦୁ ରାତି ନପାଉଁ ଆସି ନୂଆବୋହୂ ପାଖରେ ହାଜର । ବିଦୁ ହଠାତ୍ ସୁପ୍ରଭା ଉପରେ ଆଖି ପକାଉ ପକାଉ ଚମକିଲା ପରି ହୋଇ ପଡ଼ିଲା । ଯେପରି ଦାରୁଣ ମନସ୍ତାପ ଘଟିଲେ ଲୋକର ମୁଖଶ୍ରୀ ଭାଙ୍ଗିପଡ଼େ, ସୁପ୍ରଭାର ଶରତଚନ୍ଦ୍ରବତ୍ ମୁଖମଣ୍ଡଳଟି ସେହିପରି ବିମର୍ଷ ଓ ମଳିନ ହୋଇପଡ଼ିଛି । ବିଦୁ ମନେ ମନେ କିଛି ସମୟ କ’ଣ ଭାବିଲା କେଜାଣି, ସୁପ୍ରଭାର ହାତଟିକୁ ଧରି ନେଇ ସିଧା ସିଧା ବାରୀପଟ ଘର ଆଡ଼କୁ ନେଇଗଲା । ବିଦୁ ଢିଙ୍କିଶାଳଠାରେ ସୁପ୍ରଭାର ଓଢ଼ଣାଟି ମୁହଁରୁ ବାହାର କରୁ କରୁ ସୁପ୍ରଭା ରୋଗୀ ହସଭଳି ହସଟାଏ ମୁହଁରେ ଫୁଟାଇ ଓଢ଼ଣାଟାକୁ ପୁଣି ଟାଣି ନେଲା । ବିଦୁ ପଚାରିଲା ନୂଆବୋହୂ ! ତୁମେ କଲେଜରେ ପାଠ ପଢ଼ୁଥିଲ ବୋଲି ମୁଁ ଶୁଣିଚି; ତେଣୁ ଲାଜ କରିବା ତୁମ ପକ୍ଷରେ ଆଦୌ ଉଚିତ ନୁହେଁ । ମୁଁ ତ ତୁମ ମୁହଁରୁ ଯାହା ବୁଝିବାର ବୁଝିସାରିଛି । ତଥାପି ନିଜେ ଅନୁଭବ ନ ହୋଇଥିବାରୁ ମୋର ସନ୍ଦେହ ହେଉଛି । ତୁମକୁ ମୋ ରାଣ ଟିକିଏ ହେଲେ ଲାଜ ନ କରି ମୁଁ ଯାହା ପଚାରିବି ତା’ର ଉତ୍ତର ଦିଅ । ଦିନେ ଦୁଇଦିନ ଭିତରେ ବିଦୁର ସ୍ନେହ ମମତା ସୁପ୍ରଭାକୁ ବେଶ୍ ବାନ୍ଧି ଦେଇ ପାରିଛି । ସୁପ୍ରଭା ଏପାଖ ସେପାଖ ଟିକିଏ ଚାହାଁ ଚାହାଁ କରି କହିଲା, ‘‘କ’ଣ ପଚାରିବ—ପଚାରୁନା, ମୁଁ ନିଶ୍ଚେ ତା’ର ଉତ୍ତର ଦେବି ।’’ ହଁ—ମୋ ନୂଆବୋହୂଟି ସୁନା ପିଲା । ଆଚ୍ଛା ନୂଆବୋହୂ ! ଶରତଭାଇ ତୁମକୁ କ’ଣ କହିଲେ । ‘‘କିଛି ନାହିଁ ?’’ ତୁମେ ତାଙ୍କୁ କ’ଣ କିଛି କହିଚ ? ‘‘ନାଁ, ମୁଁ ମଧ୍ୟ ତାଙ୍କୁ କିଛି ପଚାରି ପାରିନି ।’’ ଆଚ୍ଛା ସେ ତୁମକୁ ସ୍ପର୍ଶ ପର୍ଯ୍ୟନ୍ତ କରି ନାହାନ୍ତି ? ‘‘ହାତରେ ଛୁଇଁବା ଦୂରେ ଥାଉ ଆଖିରେ ବି ଛୁଇଁ ନାହାଁନ୍ତି । ମୋର ଯେପରି ଧାରଣା ତୁମ ଭାଇ ଗୋଟିଏ ନପୁ... ।’’

 

ନା—ନା—ନୂଆବୋହୂ, ସେପରି ବିଚାରିବା ଠିକ୍ ନୁହେଁ । ସେ ତ ମୋର ଭାଇ, ତାଙ୍କ ସମ୍ପର୍କରେ ବିଶେଷ କ’ଣ କହିବି ? ଶରତଭାଇ ଗୋଟିଏ ଠାକୁର ସ୍ୱାଭବର ଲୋକ । ତାଙ୍କରି ଯୋଗୁଁ ଏଇ ଗାଁର ଆମେ କେତେ ଜଣ ଝିଅ ଦି ଅକ୍ଷର ପଢ଼ି ପାରିଛୁ, ଏ ଗାଁର ଯାହା ଯାହା ଉନ୍ନତି ସବୁ ଶରତ ଭାଇଙ୍କର କାମ । ସେ ଏ ଗାଁର ସତେ ଯେପରି ଗୋଟିଏ ଚନ୍ଦ୍ରମା । ଦୁର୍ଭାଗ୍ୟର କଥା–ଲୋକେ ତାଙ୍କ ନାଁରେ ଯେଉଁଭଳି ଅପବାଦ ଦେଇଥିଲେ, ତାହା ଯେପରି ସତ ପାଲଟି ଯାଇଛି । ଗଲା ତିନିମାସ ହେଲା ତାଙ୍କ ଜୀବନରେ କ’ଣ ଆଘାତ ଲାଗିଛି କେଜାଣି ସେ ଏକ ପ୍ରକାର ମୂକ ପାଲଟି ଯାଇଛନ୍ତି । ଖାଲି ମୂକ ତ ନୁହେଁ, ସଂସାରଟା ତାଙ୍କ ଦୃଷ୍ଟିରେ ବିଷାକ୍ତ ହୋଇ ପଡ଼ିଛି । ଭାଇଭଉଣୀ ଭାବରେ ତାଙ୍କ ସାଙ୍ଗରେ ମନ ଖୋଲା ସବୁ କଥାବାର୍ତ୍ତା ହେବା ମୋ ପକ୍ଷରେ ସମ୍ଭବ ତ ନୁହେଁ; ତଥାପି ମୁଁ ଚେଷ୍ଟା କରିଛି ଜାଣିବା ପାଇଁ ମନକୁ ଟାଣ କରି ଅନେକ କଥା ପଚାରିବି । କିନ୍ତୁ ଜାଣି ପାରୁନି କେଉଁ କାରଣରୁ ତାଙ୍କର ଏଭଳି ପରିବର୍ତ୍ତନ ଘଟିଲା । ତୁମେ ବୋଧହୁଏ ଶରତ୍‌ଭାଇଙ୍କୁ ଆଗରୁ ଦେଖି ନଥିବ ? ଏଇ ବିଭାଘର ବେଳେ ଯାହା ତାଙ୍କର ସାକ୍ଷାତ ପାଇଚ ? ସୁପ୍ରଭା ଉତ୍ତର ଦେଲା—ନାଇଁମ ତା ମଧ୍ୟ ହୋଇନି । ବିବାହ ବେଳେ ତାଙ୍କର ସ୍ୱରଟା ଶୁଣିବାକୁ ପାଇଛି ଯାହା—ଦେଖନ୍ତି ବା କିପରି ? ସନ୍ଧ୍ୟା ବେଳେ ସେ ଆମ ଗାଁରେ ପହଞ୍ଚିଲେ ରାତି ଦି’ଟା ଘଡ଼ି ଥାଇଁ ଫେରି ଆସିଲେ ।

 

ଶୁଣ ନୂଆବୋହୂ ! ମୋ ଭାଇ ବୋଲି ମୁଁ ଗର୍ବ କରି କଥା କହୁନି । ଚାରିମାସ ପୂର୍ବରୁ ଶରତଭାଇଙ୍କୁ ଯେ ଦେଖିଥିବ, ସେ ଆଜି ତାଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହେବା ନିତାନ୍ତ ସ୍ୱାଭାବିକ ହୋଇ ପଡ଼ିବ । ମାନସିକ ବ୍ୟତିକ୍ରମରେ ଶାରୀରିକ ପରିବର୍ତ୍ତନ ଏଭଳି ଘଟିପାରେ ଏ ଧାରଣା ମୋର ଆଗରୁ ଟିକିଏ ହେଲେ ନ ଥିଲା ।

 

ଯାହାହେଉ ଶରତଭାଇଙ୍କୁ ଆମେମାନେ ଯେପରି ଭଲପାଉଁ ସେ ଆମ ସମସ୍ତଙ୍କୁ ଯେଉଁପରି ଆନ୍ତରିକ ଶ୍ରଦ୍ଧା କରନ୍ତି—ଆମେ ତାଙ୍କର ଚିରମଙ୍ଗଳ କାମନା କରୁଛୁ । ତାଙ୍କର କିଛି ଅଶାନ୍ତି ଦେଖିବା ମାତ୍ରେ ଆମମାନଙ୍କର ମନ ସତରେ ଭାଙ୍ଗି ପଡ଼ୁଚି । ତୁମେତ ନୂଆ ଲୋକ, ପରେ ସମସ୍ତଙ୍କୁ ଚିହ୍ନିବ ଯେ— । କାଲି ତୁମକୁ ଦେଖିବା ପାଇଁ ଯେଉଁ ଦଳଟି ସାଙ୍ଗ ସାଥିହୋଇ ଆସିଥିଲେ ସେମାନେ ସମସ୍ତେ ମାଟ୍ରିକ ପାଶ କରିଛନ୍ତି । କେବଳ ଶରତଭାଇଙ୍କ ଦୟାରୁ । ଶରତଭାଇ ଆମମାନଙ୍କୁ ଖୁବ୍ ଉଚ୍ଚ ଆଦର୍ଶର ପରିକଳ୍ପନା ଦେଇଥିଲେ । ତାଙ୍କ କଥା ଆଉ କାର୍ଯ୍ୟର ତଫାତ୍ ମୋଟେ ନ ଥାଏ । କିନ୍ତୁ ବର୍ତ୍ତମାନ ସେ ତ ଏକପ୍ରକାର ବିକୃତ ମସ୍ତିଷ୍କ ହୋଇ ପଡ଼ିଛନ୍ତି—ଆଉ କାମ କରିବେ କଣ ? ନୂଆବୋହୂ ! ତୁମେ ମତେ ବିଶ୍ୱାସ କରୁଚ ନା, ମାଇପିଜାତିର ଯେଉଁ ପରମ୍ପରା ଲକ୍ଷଣ ରହିଛି ତା’ର ବଶବର୍ତ୍ତିନୀ ହୋଇ ଅନ୍ତର ଭିତରେ ମୋ ପ୍ରତି ସନ୍ଦେହ କରୁଚ ? କହିଲ । ସୁପ୍ରଭା ଟିକିଏ ହସହସ ହୋଇ କହିଲା, ‘‘ବିଦୁ । ମୁଁ ନିୟମ ଦେଇ କହୁଚି ତୁମକୁ ଦେଖିବା ବେଳୁ ତୁମର କିପରି ଆପଣାର ହୋଇ ପାରିବି ଏଇ ଚିନ୍ତା କରୁଥିଲି । ଠାକୁର ଆପେ ଆପେ ସେତକ କରାଇ ଦେଇଛନ୍ତି । ତେଣୁ ଠିକ୍ ଶେଯରୁ ଉଠିଲାବେଳେ ମୋର ମନରେ ଯେଉଁ ଦାରୁଣ ବେଦନା ମୁଣ୍ଡଟେକି ଉଠିଥିଲା ସେ କୁଆଡ଼େ ଛପି ଗଲାଣି । ଏଥର ମୁଁ ଭାବୁଛି ତୁମ ଭାଇଙ୍କ ସାଙ୍ଗରେ ମୋର କିଛି ସମ୍ପର୍କ ନ ରହିଲେ ମଧ୍ୟ ମତେ ଆଉ ବେଶି ଦୁଃଖ ଲାଗିବ ନି !!’’ ବିଦୁ ହସି ହସି କହିଲା, ଭାଇଙ୍କ ପରିବର୍ତ୍ତେ ମତେ ବିଭା ହେବ ନା କ’ଣ ନୂଆବୋହୂ ? ଆମେ ସମସ୍ତେତ ଗୋଟାଏ ଦୀକ୍ଷା ଗ୍ରହଣ କରିବୁ ବୋଲି ସ୍ଥିର କରିଛୁ, ଆଉ ତୁମର କାମନା ପୂରଣ କରିବ କିଏ ?

 

ଛାଡ଼ ସେକଥା, ପରେ ତା’ର ଚର୍ଚ୍ଚା କରିବା । କାଲି ଶରତଭାଇ କହୁଥିଲେ ସେ କୁଆଡ଼େ ଦିନଟିଏ ମାତ୍ର ଛୁଟି ଆଣିଚନ୍ତି—ରାତି ପାଇଲେ ଢେଙ୍କାନାଳ ଚାଲିଯିବେ । ସେ କାହା କଥା ଶୁଣିବେ ନାହିଁ କିମ୍ବା ତାଙ୍କ ମୁହଁ ଉପରେ କେହି କିଛି କହି ପାରିବେନି । ମୁଁ ଟିକିଏ ମାତ୍ର ଯୁକ୍ତି କରୁ କରୁ ମୋ ଉପରେ ରାଗି ଉଠିଲେ ଯେ—କାହିଁରୁ କ’ଣ । ମୋର ଇଚ୍ଛା କଳେ କୌଶଳେ ଯେ କୌଣସି ମତେ ତାଙ୍କୁ ଅଟକାଇବାର ଚେଷ୍ଟା କରିବା । ତୁମେ କିନ୍ତୁ ଆଉ ତାଙ୍କ ପାଖରେ ଲାଜ ଲାଜ ହୋଇ କାଲିପରି ରହି ଯିବନି । ନାଇଁ ନୂଆବୋହୂ ! ତମର ଚକ ଚକ ମୁହଁଟିକୁ ସେ ଦେଖି ନାହାଁନ୍ତି ବୋଲି ନୀରବ ରହିଲେ ସିନା—ତୁମ ମୁହଁ ତାଙ୍କ ଆଖିରେ ଥରେ ପଡ଼ିଗଲେ ସେ ଆଉ ଦଣ୍ଡେ ପାଖରୁ ଛାଡ଼ି ଦେବେ ନାହିଁଯେ— ।

 

ଆଚ୍ଛା ନୂଆବୋହୂ । ମୋ ଉପାୟଟା ତୁମ ମନକୁ କିପରି ମାନୁଚି କହିବ । ଶରତଭାଇ ବେଡିଂ ହେରିକା ଧରି ଯେତେବେଳେ ମଟରକୁ ବାହାରିବେ, ଠିକ ସେତିକିବେଳେ ତୁମେ ଗୋଟାଏ ଛଳନା କରି ହାଣ୍ଡିଶାଳ ଭିତରେ ପେଟକୁ ମାରୁଛି ବୋଲି ସୂଚନାଦେବ । ସେ ଘଟଣାକୁ ଆହୁରି ଜୋରରେ ମୁଁ ପ୍ରଚାର କରିଦେବି । ତାହା ହେଲେ ଖୁଡ଼ି, କକେଇ ଓ ଅନ୍ୟ ସମସ୍ତେ ବ୍ୟସ୍ତ ହୋଇପଡ଼ିବେ । ଘରେ ରୋଗୀ—ସମସ୍ତଙ୍କର ମନ କଷ୍ଟ, ଏପରି ଅବସ୍ଥାରେ ସେ ହୁଏତ ଯାତ୍ରାଟା ବନ୍ଦ କରିଦେଇ ପାରନ୍ତି । ସେ ଆଜି ଦିନଟା ରହିଗଲେ ତୁମେ ତାଙ୍କଠାରୁ ଜବରଦସ୍ତି ପ୍ରଶ୍ନର ଉତ୍ତର ଆଦାୟ କରିବ । କାରଣ ଅନ୍ୟମାନଙ୍କ ଅପେକ୍ଷା ସେ ଅଧିକାର ତୁମର ହିଁ ରହିଛି । ତୁମେ କଲେଜ ପଢ଼ା ଝିଅ—ପୁଣି ଟାଉନ୍‌ରେ ରହି କେତେ ଚାଲାକ ଚତୁର ହୋଇଥିବ; ଲାଜ ଗୋଟାଏ କରିବ କ’ଣ ?

 

ବିଦୁ ଆଉ ସୁପ୍ରଭାର ଗୁପ୍ତ ମନ୍ତ୍ରଣା ଶେଷହେଲାବେଳକୁ ଚାରିଆଡ଼ ଆଲୁଅ ହୋଇ ଆସିଲାଣି । ବିଦୁ ନଣନ୍ଦ ହିସାବରେ ସୁପ୍ରଭାର ପି. ଏ. ପରି କାମ ତୁଲଉଥାଏ । ବାରୀ ଗଡ଼ିଆରେ ଦୁହେଁ ଗାଧୁଆ ପାଧୁଆ ଶେଷ କରି ଘରକୁ ଫେରିଲେ ।

 

ଶରତବାବୁଙ୍କୁ ତ ଚାରିମାସ ହେଲା ନିଦ ଛୁଇଁପାରୁନି; ସେ କେବଳ ବିଛଣାଟାରେ ଆଖି ବୁଜି ପଡ଼ିଥିଲେ—କବାଟ ଫାଙ୍କବାଟେ ଆଲୁଅ ଘର ଭିତରେ ପଶିବାରୁ ସେ ବିଛଣାରୁ ଉଠି ଆସିଲେ ଏବଂ ତର ତର ହୋଇ ନିତ୍ୟକର୍ମ ଶେଷ କରି ବିଛଣା ସଜାଡ଼ିବା ଲାଗି ଈଶରାକୁ କହିଲେ-। ଶରତବାବୁଙ୍କ କଥାରେ ଈଶରା ବିଚରା ଆଦୌ ଏକମତ ହୋଇପାରେ ନାହିଁ । ମାତ୍ର ତା’ର ଚାରା କ’ଣ ? ତଥାପି ମନ ନ ମାନିଲା ପରି ପଚାରିଲା ବାବୁ କ’ଣ ଆଜି ଚାଲିଯିବ ? କାଲି ଆସିଚ, ଆଉ ଦିନ ଦୁଇଟା ରହିଥିଲେ ଭଲ ହୋଇଥାଆନ୍ତା । ଈଶରାର ମନ୍ତବ୍ୟ ଉପରେ ଶରତବାବୁ କହିଲେ, ‘‘ଆଉ ଛୁଟି ନାହିଁ ପରା ! ରହିବି କିମିତି ?’’ ଛୁଟି ନ ଥାଉ ଆମର କେଉଁ କୁଟୁମ୍ବ ଗୁଡ଼ାକ ଉପାସ ରହି ଯାଉଛନ୍ତି ଯେ...ଚାକିରୀ ହେଲେ ହେଲା ନୋହିଲେ ନାହିଁ । ଆମର ତ କିଏ ଖାଉଛି-। ଈଶରାର ଏଇ କଥାଗୁଡ଼ାକ ଶରତବାବୁଙ୍କୁ କୁଆଡ଼େ ବା ଟାଣି ରଖିବ ? ସେ ସଜବାଜ ହୋଇ ଦାଣ୍ଡ ପିଣ୍ଡାକୁ ଯାଇଛନ୍ତି କି ନାହିଁ, ବିଦୁ ଏପରି ଯୋର ଆଉ କାତରଭାବରେ ‘‘ଖୁଡ଼ି ଖୁଡ଼ି’’ ବୋଲି ପାଟି କଲା ଯେ—ଦାଣ୍ଡରେ ଯାଉଥିବା ଲୋକଙ୍କୁ ମଧ୍ୟ ତାହା ଶୁଭିଥିବ । ଶରତ୍‌ବାବୁଙ୍କ ବୋଉ ଦାଣ୍ଡଘରୁ ଭିତର ଘର ଆଡ଼େ ଦୌଡ଼ିଗଲେ । ଈଶରା ବେଡିଂଟାକୁ ମୁଣ୍ଡରୁ ଖସାଇ ଦେଇ ସାଉଆଣୀଙ୍କ ପଛରେ ଚାଲିଲା । ଦାଶେ ଦାଣ୍ଡରୁ ଘରକୁ ପଶି ଆସିଲେ—ଆଉରି ବି ବାହାର ଲୋକ କେହି କେହି ଦାଣ୍ଡ ପିଣ୍ଡା ଉପରକୁ ଉଠି ଆସି ଘଟଣା କ’ଣ ବୁଝିବାକୁ ଚାହିଁଲେ-

 

ଏପରି ଅବସ୍ଥାରେ ଶରତବାବୁ କରନ୍ତେ ବା କ’ଣ ? ସେ ମଧ୍ୟ ବିସ୍ମିତ ହେଲାପରି ପଛକୁ ଲେଉଟିଲେ । ହାଣ୍ଡିଶାଳ ଭିତରେ ବିଦୁ ଆଉ ବୁଢ଼ୀ ସୁପ୍ରଭାକୁ କୁଣ୍ଢେଇ ଧରିଛନ୍ତି । ଶରତ୍‌ବାବୁ ହାଣ୍ଡିଶାଳ ଦୁଆରମୁହଁ ଯାଏଁ ଆସିବାକ୍ଷଣି ବିଦୁ ଭାରି ବ୍ୟସ୍ତ ହୋଇ କହିଲା; ଶରତ୍‌ଭାଇ-! ତୁମେ ଶୀଘ୍ର ଦୌଡ଼ିଗଲ, ଡାକ୍ତରଙ୍କୁ ଡାକିଆଣିବ । ନୂଆବୋହୂଙ୍କର ପେଟକୁ ମାରୁଛି ଯେ—ସେ ବେହୋସ ହୋଇ ପଡ଼ୁଛନ୍ତି । ଯେତେ ଯାହାହେଲେ ମଧ୍ୟ ଶରତ୍‌ବାବୁଙ୍କର ପୁଣି ମଣିଷ ପଣିଆ ଅଛି ତ ! ସୁପ୍ରଭାକୁ ଭାରିଜା ହିସାବରେ ସେ ଗ୍ରହଣ ନ କରୁଥିଲେ ସୁଦ୍ଧା ଜଣେ ମଣିଷ ଭାବରେ ନ ଦେଖିବେ କିପରି ? ସେ ଦ୍ୱିରୁକ୍ତି ନ କରି ସିଧା ସିଧା ଡାକ୍ତରଖାନାଆଡ଼େ ଚାଲିଲେ । ଡାକ୍ତରବାବୁ ରୋଗୀର ପେଟବ୍ୟଥା ସମ୍ୱାଦଶୁଣି କହିଲେ—ଆଜ୍ଞା ! ଆପଣ ଔଷଧ ଦି’ପାନ ନେଇ ଆଗରେ ଚାଲନ୍ତୁ ମୁଁ ଟିକିଏ ନିତ୍ୟକର୍ମ ଶେଷକରି ଆପଣଙ୍କ ପଛେ ପଛେ ଯାଉଚି ।

 

ଶରତବାବୁ ଔଷଧ ଧରି ଘରକୁ ଆସିଲେ ଏବଂ ବୋଉ ହାତରେ ଔଷଧ ଦେଇ କହିଲେ—ଏ ଔଷଧ ଖାଇବାକୁ ଦେଇଦେ । ବୁଢ଼ୀ ଔଷଧ ଧରି ବୋହୂକୁ ପିଆଇ ଦେବାପାଇଁ ଯେତେବେଳେ ତା ମୁହଁରେ ଦେଲେ ବିଦୁ ସୁପ୍ରଭାକୁ ଏପରି ଇଙ୍ଗିତ ଦେଲା ଯାହାଫଳରେ କି ବୁଢ଼ୀ ବୋହୂକୁ ଔଷଧ ପିଆଇ ନ ପାରି ବୋହୂର ଦାନ୍ତପାଟି ବନ୍ଦ ହୋଇଯାଇଥିବା ଅନୁମାନ କଲେ ଏବଂ ହଠାତ୍‌ ଚିତ୍କାର କରି ଶରତ୍‌ବାବୁଙ୍କୁ ଡାକ ଛାଡ଼ିଲେ—ରୋଗୀର ଅବସ୍ଥା ସାଙ୍ଘାତିକ ମନେକରି ଶରତ୍‌ବାବୁ ହାଣ୍ଡିଶାଳ ଭିତରେ ପଶି ନିଜେ ଔଷଧ ଖୁଆଇ ଦେବାକୁ ଚେଷ୍ଟା କଲେ । ଶରତ୍‌ବାବୁ ସୁପ୍ରଭାକୁ ଔଷଧତକ ପିଆଇ ଦେଲେ ସତ, ମାତ୍ର ବିଦୁର ଉଦ୍ଦେଶ୍ୟ ସେଥିରେ ପୂରଣ ହୋଇପାରିଲା ନାହିଁ । ଅର୍ଥାତ ଶରତ୍‌ବାବୁ ଔଷଧ ପିଆଇଲା ବେଳେ ସୁଦ୍ଧା ସୁପ୍ରଭାର ମୁହଁକୁ ଭଲଭାବରେ ଲକ୍ଷ କରି ନାହାଁନ୍ତି ।

 

ଏଇକେତେ ସମୟ ଡେରି ହୋଇଯିବାରେ ମଟର ସମୟ ଚାଲିଗଲା । ଶରତ୍‌ବାବୁ ବାଧ୍ୟହୋଇ ଘରେ ରହିଲେ । ବିଦୁ ବ୍ୟତୀତ ମୀରା, ହାରା, ମୀନୁ ପ୍ରଭୃତି ଝିଅଗୁଡ଼ିକ ମନେ ମନେ ଭାବିଥାଆନ୍ତି ଶରତ୍‌ଭାଇଙ୍କ ମନ ଏଥରକ ଥଣ୍ଡାପଡ଼ି ଯିବଣି । ସୁପ୍ରଭାପରି ଶତସୁନ୍ଦରୀ ସ୍ତ୍ରୀ ଆସିବାପରେ ସେ ଅନ୍ୟକୁ ଚିନ୍ତାକରିବେ କା କାହିଁକି ? କିନ୍ତୁ ବିଦୁଠାରୁ ଘଟଣା ଶୁଣିବାପରେ ସେମାନଙ୍କ ଧାରଣା ଅପସରି ଗଲା ।

 

ଈଶରା ବିଚରା ଶରତ୍‌ବାବୁଙ୍କୁ ବନାର ପାଠପଢ଼ା ନେଇ ଦିପଦ କହିବ ବୋଲି ବହୁତ ଦିନରୁ ଗୁରେଇ ତୁରେଇ ହେଉଥାଏ; ମାତ୍ର ଶରତ୍‌ବାବୁ ଯେଉଁଭଳି ଭାବେ ଗମ୍ଭୀର ଓ ଚନ୍ତିତ ରହନ୍ତି ସେ ଆଉ ସାହସ କରିପାରେ ନାହିଁ କହିବାକୁ । ଈଶରା ମୂର୍ଖ ମୂଲିଆ ହେଲେ କ’ଣ ହେଲା, ତା’ର ତ ପୁଣି ବିଚାର ଶକ୍ତି ଅଛି । ସେ ଭାବିଥାଏ ସାନସାଉଙ୍କର ପୁଆଣି ଘରଟା ଶେଷ ହେବା ପରେ ବନା କଥା କହିଲେ ସେ ନିଶ୍ଚେ ଶୁଣିବେ । ୟା ଭିତରେ ତାଙ୍କ ମୁଣ୍ଡ ତ ଠିକ୍‌ ନାହିଁ । କହି ବା ଲାଭ କ’ଣ ? ଶରତ୍‌ବାବୁ ବସାଘରେ ବସିଥିବାବେଳେ ଈଶରା ଚାଲ ଚାଲ ହୋଇ ସେଠାକୁ ଗଲା । କହିବ କହିବ ହେଉଥାଏ, ମାତ୍ର ତା’ର ସାହସ କୁଳାଏ ନାହିଁ । ଶେଷକୁ ମନରେ ଦମ୍ଭବାନ୍ଧି ଠିକ୍‌ କଲା କାଲିତ କାମ ଉପରକୁ ଚାଲିଯିବେ, ଆଜି ନ କହିଲେ ଆଉ କେତେବେଳେ କହିବି ? ଖୁବ୍‌ ସାହସ ଧରି କହିଲା, ସାନସାଉ ! ତୁମ ଯୋଗୁରୁ ବନାଟିତ ଏ ଯାଏଁଗଲା ଆଉ ଯୋଡ଼ିଏବର୍ଷ କିମିତି ପାଇଯିବ; ସେତକ ଟିକିଏ ବିଚାର କର । ବନା ମା’ଟା ମତେ ସବୁବେଳେ ବସେଇ ଉଠେଇ ଦେଉନି । ଖାଲି ସବୁବେଳେ ଗର୍ଜିଉଠୁଚି ମୋ ଉପରେ—ବନା କଥା ସାନ ସାଉଙ୍କୁ କାହିଁକି କହୁନ ବୋଲି । ତୁମେତ ମୋର ଦୁଃଖ ହାଲ ଜାଣିଚ—ଧାନ ଗଉଣୀଏ ମୂଲ ନେବାକୁ ଛଅପ୍ରାଣୀ କୁଟୁମ୍ୱ-। ତୁମ ଦୟାଧର୍ମରୁ ପିଲାଟା ଯେତେବେଳେ ସେ ଆଡ଼କୁ ମୁହେଁଇଲାଣି ମୁଁ ଖାଏ ନ ହେଲେ ଓପାସ ରହେ ପଛେ ତାକୁ ଛଡ଼େଇ ଆଣିବି କିପରି ? ସେ ଟୋକାଟାକୁ ଶହେଥର କହିଲିଣି ଯେ, ସାନସାଉ ପାଖକୁ ଯାଇ ତୁ ନିଜେ କହ ବୋଲି । ସେ ତୁମପାଖରେ ମୋଟେ ଭରସି ପାରୁନି । ହଁ, ଭରସିବ ବା କିପରି । ମୁଁ ତ ଏଇପରି ଖଟି ଖଟି ବୁଢ଼ା ହେଲି ଯେ—ମୋର ବହପ ପାଉନି । ସେ ତ ସହଜେ କାଲିର ପିଲା ।

 

ଈଶରା ନିଜେ ବକ୍ତା ନିଜେ ସ୍ରୋତା ହୋଇ ଆପଣା ପ୍ରଶ୍ନର ଉତ୍ତର ଆପେ ଆପେ ଦେଇ ଚାଲିଥାଏ । ଶରତ୍‌ବାବୁ ତା’କଥା ଉପରେ ଆଦୌ କାନ ଦେଉ ନ ଥାନ୍ତି, ତାଙ୍କ ଭାବନା ତାଙ୍କର । ବହୁତ ଗପି ଗପି ଈଶରା ପଦେହେଲେ ଉତ୍ତର ନ ପାଇବାରୁ ସାନସାଉଙ୍କୁ ନିଦ ହୋଇଗଲା ବିଚାରି ଟିକିଏ ଜୋରରେ କହିଲା—ସାନସାଉ ! ମୋ କଥା କ’ଣ ବିଚାର କଲେ ଯେ-? —ଋଷିମାନଙ୍କ ତପସ୍ୟାରେ ବ୍ୟାଘାତ ଘଟିଲେ ସେ ଯେପରି କୋପାନଳ ହୋଇଉଠନ୍ତି ଠିକ୍‌ ସେଇ ରୀତିରେ ଶରତ୍‌ବାବୁ ଈଶରା ପ୍ରତି ଆକ୍ରମଣ ଚଳାଇ କହିଲେ, ‘‘ତୋ ପୁଅ ପାଠ ପଢ଼ିଲା ନ ପଢ଼ିଲା ସେଥିରେ ମୋର କ’ଣଅଛି । ମୁଁ ତ ମୋ କଥା ବୁଝିପାରୁନି, ପରମନ ଜାଣି କାମ କରିବାଲାଗି ଆମର ଏ ଯେଉଁ ସମାଜ ନା ! —ଯା—ମୋ ଆଗରେ ସେଗୁଡ଼ାକ ଆଉ ବକ୍‌ ବକ୍‌ ହୁଅନା ।’’ ସାନସାଉଙ୍କଠାରୁ ଏପରି ନିଷ୍ଠୁର ଉତ୍ତର ପାଇବ ଏହା ଈଶରା ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା ।

 

ଶରତ୍‌ବାବୁଙ୍କ ଟାଣୁଆ କଥାଗୁଡ଼ାକ ତା ମୁଣ୍ଡରେ ସତେ ଯେପରି ବଜ୍ରପାତ କରୁଚି—ଈଶରା ତାହାହିଁ ଅନୁଭବ କରୁଥାଏ । କାରଣ ସେ ଶରତ୍‌ବାବୁଙ୍କୁ ବନାଠାରୁ ଆହୁରି ଅଧିକ ଆପଣାର ବୋଲି ଜ୍ଞାନ କରେ । ତା ନ ହୋଇଥିଲେ ଈଶରାପରି ପାଷାଣ ହୃଦୟ ଲୋକଟା ଯେ–କି ପ୍ରତିଦିନ ପ୍ରକୃତି ସହିତ ଯୁଦ୍ଧ କରି କରି ବୁଢ଼ା ହେବାକୁ ବସିଲାଣି—ସେ କେବେ ତରଳି ଯାଆନ୍ତା !

 

ଲୁଗା କାନିଟା ଆଖିରେ ଭରିଦେଇ ଈଶରା ପାଦ ଚିପି ଚିପି ଦାଣ୍ଡଆଡ଼କୁ ଚାଲିଗଲା ।

 

ନାରଣ ଦାଶେ ଶରତ୍‌ବାବୁଙ୍କୁ କେବଳ ଯେ ଭଲପାଆନ୍ତି ସେତିକି ନୁହେଁ । ଶରତ୍‌ବାବୁଙ୍କ ଉପରେ ତାଙ୍କର ଗୋଟାଏ ଆସ୍ଥା ବରାବର ରହିଆସିଛି । ପିଲାଟିଦିନୁ ଶରତ୍‌ବାବୁ ଯେତେ ଯେତେ ଗ୍ରାମୋନ୍ନତି କାମ କରି ଆସିଛନ୍ତି, ତା ଦେଖିଲେ ଯେକୌଣସି ଲୋକ ତାଙ୍କ ଉପରେ ନିଶ୍ଚୟ ଆସ୍ଥା ରଖିବ । ନାରଣ ଦାଶେ ଏପରି ଟାଣୁଆ ଆଉ ଏକଜିଦିଆ ପ୍ରକୃତିର ଲୋକ ଯେ, ସେ ନିଜକୁ ନିଜେ ବି ବିଶ୍ୱାସ କରିପାରନ୍ତି ନାହିଁ । କିନ୍ତୁ ଶରତ୍‌ବାବୁ ତାଙ୍କ ଉପରେ ଖୁବ୍‌ ପ୍ରଭାବ ବିସ୍ତାର କରିଦେଇ ଥାଆନ୍ତି । ବିଦୁ ଅପର ପ୍ରାଇମେରୀ ପାଶ୍‌ କଲାପରେ ନାରଣ ଦାଶେ ଝିଅପାଇଁ ବରପାତ୍ରଟିଏ ଆଖି ବୁଲାଇଲେ । ବିଦୁ ମାଇନର ସ୍କୁଲରେ ପଢ଼ିବ ଏ ପ୍ରସ୍ତାବ ତାଙ୍କ କାନରେ ବାଜିବା କ୍ଷଣି ସେ ନାଗସାପଭଳି ଫଁ ଫଁ ହୋଇ ଉଠୁଥାଆନ୍ତି । ଶରତ୍‌ବାବୁ ସେତେବେଳକୁ 4th year ଛାତ୍ର । ଖରାଛୁଟିରେ ଗାଁକୁ ଆସିଥିଲେ । ବିଦୁର ବିଭାଘର ପାଇଁ ବରପାତ୍ର ସନ୍ଧାନ, ତା’ର ପଢ଼ା ବନ୍ଦ ଆଦି କଥା ତାଙ୍କ କାନରେ ବାଜିଲା କ୍ଷଣି ସେ ଦଦେଇଙ୍କ ପାଖକୁ ସିଧା ସିଧା ଯାଇ ପଚାରିଲେ, ଦଦେଇ ! ତୁମେ ବିଦୁକୁ ବିଭାଦେବାପାଇଁ କୁଆଡ଼େ ବର ଖୋଜୁଚ ? ହଁ ରେ ବାପା, ବ୍ରାହ୍ମଣ ଘର କଥା—ବିଦୁତ ଟିକିଏ ଦି’ହାଳୁ ପିଲାଟା—କେତେବେଳେ କେଉଁ କଥା ଥାଏ— । ଆଗରୁ ସାବଧାନ ହୋଇଥିବା ଭଲ । ନାରଣଦାଶଙ୍କର ଏଭଳି କଅଁଳିଆ କଥାରେ ଶରତବାବୁ ତରଳି ଯିବା ଭଳି ଲୋକ ନୁହଁନ୍ତି । ସେ କହିଲେ—ଦଦେଇ ! ଜେଲଖାନା ଯିବାକୁ ଇଚ୍ଛାଥିଲେ ଝିଅକୁ ଆଜିଠାରୁ ବିଭାଦିଅ । ସରକାର ଆଇନ୍‌ କରିଛନ୍ତି ପିଲାକନ୍ୟା ବିଭାଦେବା ଅପରାଧ । ତୁମେ କହୁଚ କ’ଣ ନା ବିଦୁକୁ ବିଭାଦେବ । ହୋଇପାରେ ଆଇନ୍‌ର ଆଖିରେ ଧୂଳି ପକେଇ ବିବାହଟା କରିଦେବ, ମାତ୍ର ସେଥିରେ କ୍ଷତି କାହାର ? ଆମ ସରକାର ଅର୍ଥାତ୍‌ ଆମେ ଆମ ହିତ ଦୃଷ୍ଟିରୁ ଆଇନ୍‌ ଗଢ଼ିଚେ ପରା । ଏଭଳି କଲେ ନିଜେ ନିଜକୁ ଠକିବାପରି ହେବନି ? ଛାଡ଼ ସେ ଆଇନ୍‌ ଅଦାଲତ କଥା । ବାର ବରଷର ଝିଅ ବିଦୁ—ସେ କ’ଣ ଜାଣେ କହିଲ ? ଆରେ ଶରତ ! ମୁଁ ତୋ କଥା ବୁଝୁଛି ଯେ—ସେ ପରା ଆମ ସମାଜର ଗୋଟାଏ ଧର୍ମ । ପୁରୁଷ ପୁରୁଷ ଧରି ଆମକୂଳରେ ସେ ନିୟମ ଚଳିଆସୁଚି । ନା ନା ଦଦେଇ, ସେପରି କଥା ନୁହେଁ; ଆମ ସାତପୁରୁଷରୁ ଗାଁରେ ସ୍କୁଲ, ଲାଇବ୍ରେରୀ, ଡାକ୍ତରଖାନା, ଗ୍ରାମମଙ୍ଗଳକେନ୍ଦ୍ର ଏସବୁ କିଛି ନ ଥିଲା । ଏହା ବୋଲି ଆଜି ଆମେ ତା ସବୁ କରିବାନି ? ମୁସଲମାନ ବାଦସାହାଙ୍କ ଦାଉରୁ ରକ୍ଷାପାଇବାପାଇଁ ଆମ ସମାଜରେ ବାଲ୍ୟ ବିବାହ ପ୍ରଥାଟାକୁ ଚାଲୁ କରାହୋଇଥିଲା । ବର୍ତ୍ତମାନ ସୁଦ୍ଧା ଗଡ୍‌ଡ଼ାଳିକା ପ୍ରବାହରେ ତାହା ଚାଲିଆସୁଚି । ଏହାର କୁଫଳ କିପରି ଉତ୍କଟ ନିଜେ କ’ଣ ଅନୁଭବ କରିପାରୁନାହଁ ? ଦଦେଇ ! ତୁମେ ଯଦି ବିଦୁକୁ ପାଠ ନ ପଢ଼ାଇ ଆଜିଠାରୁ ବିଭାଘର କରିଦେବ ତେବେ ଏ ଗାଁ ପାଇଁ ମୋର ଯାହା ସବୁ କଳ୍ପନା ରହିଛି, ସେଗୁଡ଼ିକ ପଣ୍ଡ ହୋଇଯିବ । ତୁମେ ବିଦୁର ପାଠପଢ଼ା ବନ୍ଦ କରିଦେବା ମାନେ ଆମ ଗାଁର ଗୋଟିଏ ହେଲେ ଝିଅ ପଢ଼ି ପାରିବେନି । ସମସ୍ତେ ତୁମକୁ ଅନୁକରଣ କରିବେ । ଆଜି ଦୁନିଆରେ ଶିକ୍ଷାଲାଭ କରି ଅନ୍ୟଦେଶର ଲୋକେ ଚନ୍ଦ୍ରଲୋକରେ ଜମି ପଟ୍ଟା ନେଲେଣି—ଆମେ ଝିଅଙ୍କୁ ପାଠଶାଠ ନ ପଢ଼ାଇ ପିଲାଦିନରୁ ବିଭାଟିଏ କରିଦେଇ ହାଣ୍ଡିଶାଳରେ ବୋହୂ କରି ବସେଇ ଦେଇଥିବା । ନା—ନା—ଦଦେଇ ତା ହୋଇ ପାରିବ ନି । ଆମ ଗାଁ ଗ୍ରାମମଙ୍ଗଳ କେନ୍ଦ୍ରକୁ ଏବେ ଜଣେ ଗ୍ରାମସେବିକା ଆସିବେ ଦେଖିବ । ସେ ମଧ୍ୟ ପୁରୀର ଶାସନୀ ବ୍ରାହ୍ମଣ । ନାରଣ ଦାଶେ—ଯେ କୌଣସି ଲୋକଠାରୁ ଏତେ ଭାଷଣ ଶୁଣିବାକୁ କେବେହେଲେ ପ୍ରସ୍ତୁତ ନୁହଁନ୍ତି । କିନ୍ତୁ ଶରତ୍‌ବାବୁଙ୍କ କଥା ତାଙ୍କୁ ବେଶ୍‌ ସୁହାଉଥାଏ ବୋଧହୁଏ । ଶେଷକୁ ଦାଶେ ନିଶ୍ୱାସଟାଏ ଛାଡ଼ି କହିଲେ—ହଉ, ତୋ ଇଚ୍ଛା କ’ଣ କରୁଚୁ କର ! ମାତ୍ର ବିଦୁର ପାଠପଢ଼ା, ତାପାଇଁ ବରପାତ୍ର କରିଦେବା ସବୁ ତୋ ଉପରେ ରହିଲା । ହଁ, ଦଦେଇ । ତୁମେ ବିଦୁ ସମ୍ପର୍କରେ ଟିକିଏ ହେଲେ ଚିନ୍ତା କରନି, ସେ ପାଠପଢ଼ୁ । ଏକା ବିଦୁ କ’ଣ ଆମ ଗାଁର ଯେତେ ଝିଅ ସମସ୍ତେ ଯେପରି ପାଠ ପଢ଼ିବେ ମୁଁ ତା’ର ବନ୍ଦୋବସ୍ତ କରିବି ।

 

ନାରଣ ଦାଶେ, ରାଜିହୋଇ ଯିବା ପରେ ଆଉ କିଏ ଅବା କେଉଁ କଥାର ବିରୋଧ କରିପାରନ୍ତେ । ସେହିଦିନଠାରୁ ବିଦୁ, ହାରା, ମୀନୁ, ମୀରା, ଶଶୀ ଆଦି ସବୁ ଝିଅଗୁଡ଼ିକ ପାଠ ପଢ଼ିଲେ । ମଝିରେ ମଝିରେ ପୂଜା, ଗ୍ରୀଷ୍ମ, ଦୋଳ ଆଦି ଛୁଟିମାନଙ୍କରେ ଶରତ୍‌ବାବୁ ଗାଁକୁ ଆସି ସେହିମାନଙ୍କ ସହଯୋଗରେ ଗ୍ରାମସଙ୍ଗଠନ କରନ୍ତି । ଏଇ ତିନିବର୍ଷ ହେଲା ସେ ଗାଁକୁ ନ ଆସିବାରୁ ସବୁ ଉଦ୍ୟମ ବନ୍ଦ ହୋଇ ଯାଇଥିଲା ।

 

କେବଳ ଦାଶେ କାହିଁକି ଅନ୍ୟମାନେ ମଧ୍ୟ ଶରତବାବୁଙ୍କ କହିବା ଅନୁସାରେ ଝିଅଗୁଡ଼ିକୁ ପାଠ ପଢ଼ାଇଲେ ସିନା, ସେମାନଙ୍କର ତ ପୁଣି ବଡ଼ ଦାୟିତ୍ୱ ରହିଛି । ଶରତ୍‌ବାବୁଙ୍କ ଉପରେ ନିର୍ଭରକରି ଚୁପ୍‌ଚାପ ବସି ଯାଇଥିଲେ । କିନ୍ତୁ ଶରତ୍‌ବାବୁଙ୍କ ସମ୍ପର୍କରେ ଯାହା ସବୁ ଶୁଣାଗଲା ସେଥିରେ ସମସ୍ତେ ଆଶ୍ଚର୍ଯ୍ୟ ।

 

ତାପରେ ଶରତ୍‌ବାବୁ ଗାଁକୁ ଆସିଲେ ମଧ୍ୟ ତାଙ୍କର ଯେଉଁ ବାତୁଳ ଚେଷ୍ଟା ସେଥିରେ କିଏ ବା କ’ଣ କହିବ । ଆଜି ଶରତ୍‌ବାବୁଙ୍କ ଡାକ୍ତରଖାନାକୁ ଦୌଡ଼ିବା ଔଷଧ ଆଣିବା ଓ କାହାକୁ କିପରି ତୁଣ୍ଡ ଖୋଲି ଡକାଡ଼କି କରିବା ଇତ୍ୟାଦି କାମଗୁଡ଼ାକୁ ନାରଣ ଦାଶେ ବରାବର ଲକ୍ଷ କରୁଥାଆନ୍ତି । ତାଙ୍କ ମନରେ ଗୋଟାଏ ଦମ୍ଭ ଆସିଲା ଯେ ପିଲାଟା ଏଥର ଭଲ ହୋଇଯିବ । ଶରତ ପିଲାଦିନରୁ ଭଲ । ଏବେ କେତେଦିନ ହେଲା ମନଟା କାହିଁକି ଟିକିଏ ଚହଲି ଯାଇଥିଲା । ସେପରି ହୋଇଥାଏ—ସଂସାର କରି ଗଲେ ଆଉ ମୁଣ୍ଡର ଦୋଷ ରହେନି ଯେ— । ହଉ, ହଉ ଠାକୁର ତାର ଭଲ କରନ୍ତୁ !

 

X X X

 

ଦାଶେ ମନେ ମନେ ଶରତ୍‌ବାବୁଙ୍କ ବିଷୟରେ କ’ଣ ସ୍ଥିର କଲେ କେଜାଣି ସେଦିନ ଦି’ପହରେ ଦାମ ଦାଶଙ୍କ ବସା ଘର ପିଣ୍ଡା ଉପରକୁ ଉଠିଲେ । ବୁଢ଼ାଙ୍କର ଗତି ସେ ଆଡ଼କୁ ହେବାର ଦେଖି ସମସ୍ତେ ବିଚାରିଲେ କଣ ବୁଢ଼ା ଶରତ୍‌ଙ୍କ ସାଥିରେ କଥାବର୍ତ୍ତା କରିବାକୁ ଚାଲିଲା ବୋଧହୁଏ । ଆଜିଯାଏଁ ସାହସ କରିପାରୁ ନ ଥିଲା ।

 

ନାରଣ ଦାଶେ ଶରତ୍‌ବାବୁ ବସିଥିବା ଚଉକି ପାଖରେ ଠିଆହୋଇ କହିଲେ—ଶରତ୍‌ । କ’ଣ କରିବା କହିଲୁ ? ବିଦୁର ବିଭାଘର ଆଉ କେବେ କରିବା ? ଫାଲ୍‌ଗୁନ ମାସରେ ତାକୁ ଭଲ ଯୋଗ ଅଛି, ପାତ୍ରଟିଏ ଠିକଣା କରି ଦିଅନ୍ତୁ କି—ହାତଗଣ୍ଠିଟା ପକେଇ ଦେଲେ ମୋ ମୁଣ୍ଡରୁ ବୋଝଟାଏ ଓହ୍ଲାଇ ଯାଆନ୍ତା । ତୋ ଭରସାରେ ମୁଁ ତାକୁ ଆଜି ପର୍ଯ୍ୟନ୍ତ ଧରିବସିଛି । ଗାଁ କାମ ତ କେତେ ସୁନ୍ଦର କରି ଆସୁଥିଲୁ । ଏବେ ତିନିବର୍ଷ ହେଲା ଆଉ ତା’ର ଦେଖାନାହିଁ । ଦେଉଳ ଉପରେ ଅନାବନା ଗଛଗୁଡ଼ାକ ଉଠିଲାଣି ଯେ—ଛାତଟା ଫାଟିଯିବ । ସେକଥା ଆଉ କାହାକୁ କ’ଣ ଦିଶୁଚି ! ପିଲାମାନଙ୍କୁ ଧରି ସେତକ ହେଲେ କରାଇ ଦିଅନ୍ତୁ ।

 

X X X

 

ନାରଣ ଦାଶଙ୍କର କଥା ଉପରେ ଶରତ୍‌ବାବୁଙ୍କର କାନ ଥିଲା କି ନାହିଁ କେଜାଣି । ବୁଢ଼ା ଯେତେବେଳେ ଟିକିଏ ନିଠେଇ ହୋଇ କହିଲେ ବିଦୁପାଇଁ ପ୍ରସଙ୍ଗ ବୁଝିଛୁ ପରା ? ଶରତ୍‌ବାବୁ ମୁହଁଟାକୁ ବିକୃତ କରି କହିଲେ—ମୁଁ କାହିଁକି ପ୍ରସଙ୍ଗ ବୁଝିବି । ମୁଁ କିଆଁ ଦେଉଳରୁ ଗଛ ଉପାଡ଼ିବି । ମୋର ଗ୍ରାମ ସଙ୍ଗଠନର ଆବଶ୍ୟକତା କ’ଣ ? ସେ ଦେଉଳ ଭାଙ୍ଗିପଡ଼ୁ ମିଛରେ ଲୋକଗୁଡ଼ାକ ଠାକୁର ଠାକୁର ହେଉଛନ୍ତି ନା । କେଉଁ ଠାକୁର କୁ’ଠି ଅଛନ୍ତି ! ଠାକୁର ଥିଲେ ମଣିଷର ଉଦ୍ଦେଶ୍ୟ ପୂର୍ଣ୍ଣ କରନ୍ତେ ନାହିଁ । ଠାକୁର ମନ୍ଦିର ସବୁ ଭାଙ୍ଗିଯିବା ଉଚିତ । ଶରତ୍‌ବାବୁଙ୍କର ଏଭଳି ମନ୍ତବ୍ୟ ଶୁଣି ବୁଢ଼ା ବିଚରା ବିନା ବାକ୍ୟବ୍ୟୟରେ ସେଠାରୁ ଇଜ୍ଜତ ଧରି ଚାଲି ଆସିଲେ । ଏ ଘଟଣାରେ ଗାଁ ତମାମ ସମସ୍ତଙ୍କର ମନ ଭାରି କଷ୍ଟ । କାରଣ ଶରତ୍‌ବାବୁ ଦଦେଇଙ୍କ ପ୍ରତି ଏଭଳି ରୁକ୍ଷ ବ୍ୟବହାର କରିବେ ବୋଲି କେହି କଳ୍ପନା ସୁଦ୍ଧା କରି ନ ଥିଲେ ।

 

(ଚଉଦ)

 

ସୁପ୍ରଭା ଶାଶୁ ଘରେ ଗୋଡ଼ ଦେବାବେଳୁ ବିଦୁ ସତେ ଯେପରି ତା’ରି ବାହନ ହୋଇଛି-। ଦୁହେଁ ଦୁହିଁଙ୍କ ପେଟର ଯେତେ ଗୁପ୍ତ କଥା ସବୁ କୁହାବୋଲା ହୋଇଛନ୍ତି । ବିଦୁ ଶରତ୍‌ ଭାଇଙ୍କର ପିଲା ଦିନର ସମସ୍ତ ସୁଗୁଣଯାକ ସୁପ୍ରଭା ଆଗରେ ଗପି ଯିବାରେ ସୁପ୍ରଭାର ଆବେଗଭରା ଦେହ କିପରି ଶରତ୍‌ବାବୁଙ୍କ ଦେହରେ ଲାଗି ହୋଇଯିବ ସେ ତାହା ହିଁ ଭାବୁଥାଏ । ଆଜି ଯଦି ସେତକ ନ ହୁଏ ତେବେ ସୁପ୍ରଭାକୁ ଜୀବନ୍ତ ଶରୀରରେ ଆଉ କେହି ଦେଖିପାରିବେ ନାହିଁ ବୋଲି ସେ ଯେତେବେଳେ ମନ୍ତବ୍ୟ ଦେଲା ସେତେବେଳେ ବିଦୁ ଚମକି ଉଠି କହିଲା–‘‘କାହିଁକି ନୂଆବୋହୁ ! କେଡ଼େ କଥା ତୁମର । ମୁଁ ଜାଣେ ଶରତ ଭାଇ ତୁମକୁ ସବୁବେଳେ କାନିରେ ବାନ୍ଧି ବୁଲିବେ । ଧର ତା ଯଦି ନ କରନ୍ତି ତେବେ ହୋଇଯିବ କ’ଣ ? ଜଣେ ପୁରୁଷ ବିନା ନାରୀ କ’ଣ କାଳଯାପନ କରିପାରିବ ନାହିଁ ? ସେ ଯଦି ତୁମକୁ ଛାଡ଼ି ଚଳିପାରିବେ—ତେବେ ତୁମେ କାହିଁକି ପଛେଇ ଯିବ । ତୁମେ ତ ଆଇ.ଏ ଯାଏଁ ପାଠ ପଡ଼ିଚ ! ଶୁଣ ନୂଆବୋହୁ ! ଶରତ୍‌ ଭାଇ ତୁମକୁ ଯଦି ଛାଡ଼ପତ୍ର ଦିଅନ୍ତି ତେବେ ମୁଁ ତୁମକୁ ଧରି ରହିବି । ବିଦୁ ହସି ହସି କହିଲା, ବାରେ !! ସୁପ୍ରଭା ସମେତ ମୀରା, ହାରା, ଶଶୀ ଆଦି ସମସ୍ତେ ହସି ଉଠିଲେ ।

 

ହଉ ଛାଡ଼ ସେ ହସ କଥା, ନୂଆବୋହୁ । ତୁମେ ମୋଟେ ଲାଜ କରିବନି । ଲାଜ ଗୋଟେ କ’ଣ ? ସେତକକୁ ଅତି ମାତ୍ରାରେ ଧରି ରଖି ଆମ ଜାତିର ପତନ ହୋଇଛି । ତୁମେ ସଫା ସଫା ସବୁ ପଚାରିବ । ମଫସଲ ଗାଁ, ସୂର୍ଯ୍ୟ ମା କୋଡ଼ରେ ପଶୁ ପଶୁ ମଫସଲିଆ ମାନେ ନିଜ ନିଜ କୋରଡ଼ରେ ପଶନ୍ତି । ଗାଁ ଗୋଟାକରେ କେହି ଅବା ଦୁଇ ଚାରିଜଣ ମାମଲତକାରିଆ ରାତି ପହରକ ଯାଏଁ ଚାଲ ବୁଲ କରୁଥିବେ । ଦାମ ଦାଶଙ୍କର ସେପରି କିଛି ଜୋଲି ନ ଥାଏ । ସଂଧ୍ୟା ବେଳକୁ ଖା, ପିଆ ଶେଷକରି ନିଦ ହେଉ ନ ହେଉ ସେ ବିଛଣା ଧରନ୍ତି । ସବୁଦିନଠାରୁ ଟିକିଏ ଡେରିହେଲେ ମଧ୍ୟ ରାତି ଦିଘଡ଼ିସରିକି ଦାଶ ଘରର ଖା, ପିଆ ସବୁ ତୁଟିଗଲା । ଈଶରା ଗୋରୁଙ୍କୁ ଆହାର ଦେଇସାରି କାଳେହେଁ ସାନବାବୁ କିଛି କାମର ବରାଦ ଦେବେ ସେଇ ଅପେକ୍ଷାରେ ଏପାଖ ସେପାଖ ହେଉ ଥାଏ । ସାହସକରି ଶରତ ବାବୁଙ୍କୁ କିଛି କହି ନ ପାରିଲେ ସୁଦ୍ଧା ତାଙ୍କ ମୁହଁ ସାମନାରେ ବେଳେ ବେଳେ ଠିଆହୋଇ ଆଦେଶ ପ୍ରତୀକ୍ଷା କରେ ।

 

ଅନେକ ସମୟପରେ ଶରତ୍‌ବାବୁ ଈଶରାକୁ କହିଲେ ବିଛଣାଟା ବସା ଘରକୁ ନେଇ ଆସିବା ପାଇଁ । ସାନସାଉଙ୍କର ହୁକୁମ ପାଳନଲାଗି ଈଶରା ନିଜକୁ ଏତେଦୂର ଉତ୍ସର୍ଗକରି ରଖି ଦେଇଥିଲା ଯେ—ଟିକିଏ ହେଲେ ଦ୍ୱିଧା ନ କରି ଘରଭିତରୁ ତାଙ୍କର ବେଡିଂଟାକୁ ମୁଣ୍ଡେଇ ବସାଘରକୁ ନେଇଗଲା । ଶରତବାବୁ ବିଛଣାଟାକୁ ଈଶରାଠାରୁ ଟାଣିନେଇ ବସା ଘର ଭିତରେ ବିଛେଇ ଦେଲେ ଏବଂ ଦାଣ୍ଡ କବାଟଟା ବନ୍ଦକରି ଶୋଇ ପଡ଼ିଲେ ।

 

ଈଶରାଘରୁ ବିଛଣା ନେବାବେଳେ ଦାଶେ କିମ୍ୱା ବୁଢ଼ୀ କେହି ଦେଖିଥିଲେ ନିଶ୍ଚେ ମନାକରି ଥାଆନ୍ତେ ମାତ୍ର ସେମାନେ କେହି ଦେଖି ନାହାଁନ୍ତି । ଈଶରା ତ ଘରର ଜଣେ ଲୋକଠାରୁ ବଳକା—ତାକୁ କ’ଣ ଅବା ନିଷେଧ ଅଛି । ଖାଲି ହାଣ୍ଡିଶାଳଟିକୁ ଛାଡ଼ି ଆଉ ସବୁ ଘରେ ପଶିବା ଅଧିକାର ତାର ଅଛି ।

 

ବୁଢ଼ୀ ତାଙ୍କର ଶୋଇବା ଘର ଦୁଆରଟାକୁ ଆଡ଼ପେଲା କରି ବିଛଣାରେ ପଡ଼ି ଥାଆନ୍ତି ସିନା ତାଙ୍କ ଆଖିକି କ’ଣ ନିଦଛୁଇଁଲାଣି । ଗମ୍ଭୀର ଘରଟା ଭିତରେ ଯେ—ଆଲୁଅ ଦେଖାଗଲା ସେ ମନେ କଲେ ପୁଅ ତା’ର କୌଣସି ଜିନିଷ ପତ୍ର ନେଉଛି ବୋଲି । ବୁଢ଼ୀ ପୁଅର ଗତିବିଧି ଟିକିଏ ଲକ୍ଷ୍ୟ କରିବା ଉଦ୍ଦେଶ୍ୟରେ ବାହାରକୁ ଦେଖନ୍ତି ତ ପୁଅର ଶୋଇବା ଘର ଦୁଆରଟା ଖୋଲାଅଛି । ବୋହୂ ଖଟ ଉପରେ ଲାଇଟଟା ଜାଳିଦେଇ କ’ଣ ବହିଖଣ୍ଡେ ପଢ଼ୁଛି । ଶରତର ଦେଖା ସାକ୍ଷାତ ନାହିଁ । ବୁଢ଼ୀ ଦାଶଙ୍କୁ କହିଲେ ହଇଏ ପୁଅ କ’ଣ ବସାଘରେ ଶୋଇଲାକି ? ବସାଘର ଦୁଆରତ କ’ଣ ଭିତରୁ କୀଳାହେଲା ପରି ଜଣାପଡ଼ୁଚି । ଦାଶେ ଦୀର୍ଘ ନିଶ୍ୱାସଟିଏ ମାରି ଧଡ଼ପଡ଼ ହୋଇ ଦାଣ୍ଡ ଆଡ଼କୁ ଉଠି ଆସି ଦେଖନ୍ତି ତ ଈଶରା ତା ଘରଆଡ଼େ ଚାଲିଛି । ଦାଶେ ଈଶରା ଈଶରା ହୁରି ପକେଇଲେ । ଈଶରା ମଝି ଦାଣ୍ଡରୁ ଫେରିଆସି ବଡ଼ସାଉଙ୍କ ପାଖ ଧରୁ ଧରୁ ଦାଶେ କହିଲେ ବୁଢ଼ାଟିଏତ ହେଲୁଣି, ତୋର ବୁଦ୍ଧି ଆଉ କେବେ ହେବ କେଜାଣି ଶରତର ବିଛଣାପତ୍ର ତକ ସେଇ ବସାଘରେ ଦେଇ ଆସିଲୁ ? କହିଲୁନି, ସାଉ ରାଗ ହେବେ ବାହାର ଅରମା ଘରଟାରେ ଶୋଇଲେ । ମୋ କପାଳକୁ ତୁମେ ସମସ୍ତେ ଏକାପରି ଜୁଟି ଯାଇଚ । ଯା—ଯା—ଶରତକୁ ଡାକି ତାର ବିଛଣାପତ୍ର ଘରକୁ ଆଣେ । ସେ ଘରକୁ ଆସିଲେ ବସାଘରଟା ଚାବି ଦେଇଦେବୁ । ମଣିଷର ଟିକିଏ ବୁଦ୍ଧି ଥିଲେ ସିନା ହୁଏ । ଏବେ ଏତେଦିନ ପରେ ସାନ ସାଉ ଈଶରାକୁ କଥାକହି କାମ ବତାଇ ଥିବାରୁ ତା ମନରେ ଆନନ୍ଦ କାହିଁରୁ କ’ଣ । ସେଇ କଥାଟା ବନା ମା ଆଗରେ କହିଦେବା ଲାଗି ଈଶରା ଭାରିମନ ଆନନ୍ଦରେ ଚାଲିଥିଲା ସିନା—କିନ୍ତୁ ଦାଶଙ୍କର ଏଭଳି ବିରକ୍ତି ଭାବରେ ସେ ଘଟଣାଟିର ଅସଲ ମର୍ମଟାକୁ ବୁଝିପାରି ମନେ ମନେ ଭାବିଲା—ଆରେ ସତେ କାଲି ତ ପୁଆଣିଘର ହୋଇଛି । ଆଜି ସାନସାଉ ବସାଘରେ ଶୋଇଲେ କ’ଣ । ଏଇ କଥାକୁ କେନ୍ଦ୍ରକରି ଈଶରା ଆପେ ଆପେ ଯେତେ ଚିନ୍ତା କଲା ସେଥିରେ ସାନସାଉ ବସାଘରେ ଶୋଇବାର କିଛିହେଲେ କାରଣ ବୁଝିପାରିଲାନି । ଗୋରୁ ଆହାର ଦେଲା ବେଳେ ସେ ଦେଖିଛି ସାନ ସାଉଆଣୀ ତା’ର ହାଣ୍ଡିଶାଳେ ରନ୍ଧା ବଢ଼ା କରୁଥିଲେ ଏବଂ ଏବେ ମଧ୍ୟ ଶୋଇଲାଘରେ ଅଛନ୍ତି । ଆଉ କିଛି ଘଟିଥିଲେ ଏସବୁ କରନ୍ତେ କିପରି ? ଆରେ ଆଚ୍ଛାକଥା ହେଲା, ବଡ଼ ସାଉ ଯାହା କହିଲେ ସତ ।

 

ଦାଶେ ଶରତ୍‌ବାବୁଙ୍କ ଉଦ୍ଦେଶ୍ୟରେ ଈଶରା ଉପରେ ଅଥଚ ତାନ ଛିଣ୍ଡାଇଲା ପରି କହିଲେ—ଆଚ୍ଛା ମୋ କପାଳକୁ ସବୁ ଜୁଟିଛନ୍ତି । ଯେଝା ମନ ମୁତାବକ କାମ ସେ କରିବତ ମୁଁ ଆଉ ବସିଛି କାହିଁକି ? ମୋ ଉତ୍ତାରୁ ଯାହା ଯାହା ଇଚ୍ଛା ସେ ତା କରୁ ମୁଁତ ଆଉ ଦେଖି ଆସିବିନି । ଆରେ ଠିଆହେଲୁ କାହିଁକି ସାନ ସାଉଙ୍କୁ ଡାକି ଆଣେ ଯା—ସେ ଖୋଲା ଘରଟାରେ ଶୋଇଛି କାହିଁକି ? ଈଶରା ମୂର୍ଖହେଲେ କଣ ହେଲା ବଡ଼ ସାଉଙ୍କର ଉକ୍ତିର ଯଥାର୍ଥତା ବେଶ୍‌ ବୁଝିପାରିଲା ଏବଂ ବସାଘର ଦୁଆରେ ଠିଆହୋଇ ସାନ ସାଉଙ୍କୁ ଡାକ ମାରିଲା । ଦାଶଙ୍କର କଥା ଗୁଡ଼ାକ ଶରତ ବାବୁଙ୍କୁ ଯେ—ନ ଶୁଭିଛି ଏପରି ନୁହେଁ । ଈଶରାର ଡାକରାରେ ସେ ଦୁଆର ଖୋଲିଦେଲେ-। ଈଶରା କହିଲା ବଡ଼ସାଉ ରାଗ ହେଉଛନ୍ତି ତୁମେ ଏ ମେଲାଘରେ ଶୋଇବାରୁ । ଚାଲ ଘରକୁ ଯିବଭାରି କହି କହି ଈଶରା ବିଛଣାଟାକୁ ଉଠାଇବାରେ ଲାଗିଲା । ଶରତ୍‌ବାବୁ ଘରକୁ ଯିବା ବ୍ୟତୀତ ଉପାୟ ଦେଖିଲେ ନାହିଁ । ଈଶରାକୁ ଫାଙ୍କିଦେଲେ କ’ଣ ହେବ, ଦାଶେ ଯେ—ଅପେକ୍ଷା କରି ରହିଛନ୍ତି, ନିଜେ ମଧ୍ୟ ଉଠି ଆସିବେ । ଏଇ ଘଟଣାକୁ ମୂଳକରି ନାନା ଅଶୋଭନୀୟ ପରିସ୍ଥିତି ଉପୁଜିପାରେ । ସବୁ ତ ତାଙ୍କର ମନ ରକ୍ଷା ପାଇଁ କରିବାକୁ ହେଉଛି । ରାତିଟା ଲାଗି ଆଉ ଅନର୍ଥ କାହିଁକି ?

 

ଶରତବାବୁ ଈଶରା ପଛେ ପଛେ ଶୋଇବାଘର ଭିତରେ ପଶିଲାବେଳକୁ ଖଟ ଉପରେ ସୁପ୍ରଭା ଶୋଇଚି । ଖଟ ତଳେ ଲାଇଟଟା ମିଞ୍ଜି ମିଞ୍ଜି ଜଳିବା ଅବସ୍ଥାରେ ଥୁଆ ହୋଇଛି । ଈଶରା ହାତରୁ ବିଛଣାଟା ଛଡ଼ାଇ ନେଇ ଶରତବାବୁ ତଳେ ବିଛାଇ ପକାଇଲେ । ଈଶରା ହଠାତ୍‌ ସେଠାରୁ ଆସୁ ଆସୁ ତା’ର ନଜରଟା ବିଛଣା ପକେଇବା ଉପରେ ପଡ଼ି ଯାଇଛି; ମନେ ମନେ କ’ଣ ସ୍ଥିରକଲା କେଜାଣି ଭାବିଲା ଆରେ, ‘‘ସାରୁ ଭିତରେ ମାରୁତ ଏଇଠି ।’’ ଛି—ଛି ସାନ ସାଉଙ୍କର ଏଗୁଡ଼ାକ କି କଥା କେଜାଣି । ବହୁତ ପାଠ ପଢ଼ିଲେ ଲୋକଙ୍କର ବୁଦ୍ଧି କ’ଣ ନଷ୍ଟ ହୋଇଯାଏ ! ହଁ ବଡ଼ଲୋକଙ୍କୁ ତ ଉତ୍ତର ନାହିଁ ।

 

ବିଛଣାଟାକୁ ତଳେ ଅଲରା ବଲରା କରି ବିଛେଇ ଦେଇ ଶରତବାବୁ ତାରି ଉପରେ ଗଡ଼ି ପଡ଼ିଲେ ।

 

ସୁପ୍ରଭା ଖଟଟା ଉପରେ ନିଶ୍ଚଳ ଭାବେ ପଡ଼ି ରହିଥାଏ । ଦୁଃଖ ଆଉ ବିସ୍ମୟରେ ତା’ର କୋମଳ ଛାତି ଭିତରଟା ବରାବର କରତି ହୋଇ ପଡ଼େ । କେତେ କେତେ ପ୍ରଶ୍ନ ତା ମନ ଭିତରେ ମୁଣ୍ଡ ଟେକି ଯଥାଯଥ ଉତ୍ତର ପାଆନ୍ତୁ ନ ପାଆନ୍ତୁ ଆପେ ଆପେ ଅନ୍ତର ହୋଇ ଯାଉଥାଆନ୍ତି । ବିଦୁ ଦେଇଥିବା ପ୍ରସ୍ତାବଗୁଡ଼ିକୁ ସେ ମନରେ ରଖିଚି । ତା ବ୍ୟତୀତ ସୁପ୍ରଭାର ଦୃଢ଼ତା ଓ ସାହସ ଯେ ନାହିଁ ଏପରି ନୁହେଁ । ତଥାପି ନାରୀସୁଲଭ ଅଭିମାନ ପ୍ରତ୍ୟେକ କାମରେ ତା’ର ପ୍ରତିବନ୍ଧକ ସୃଷ୍ଟିକରେ । ସେ ଶରତ୍‌ବାବୁଙ୍କ ପାଖକୁ ଆସି ଜବରଦସ୍ତି କରିବ ବୋଲି କାଲିଠାରୁ ଭାବି ହେଉଛି, ମାତ୍ର ସେତକ କରିପାରୁ ନ ଥାଏ । କିନ୍ତୁ ସେ ଯେତେବେଳେ ଜାଣିଲା ଆଜି ଯଦି ଶେଷ ନିଷ୍ପତ୍ତିଟା ନକରେ ତେବେ ଅନେକ ଦିନ ପାଇଁ ପରିସ୍ଥିତି ଏହିପରି ଜଟିଳ ହୋଇ ରହିଯିବ । ଲାଜ ସ୍ତ୍ରୀଲୋକଙ୍କର ଭୂଷଣ ହୋଇଥିଲେ ମଧ୍ୟ ଜୀବନର ଅସଲ ଅସଲ ଘଟଣାରେ ଲାଜ କରିବାଟା କେବେହେଲେ ଉଚିତ ନୁହେଁ । ପ୍ରସୂତିଶଯ୍ୟାରେ ଯଦି ସ୍ତ୍ରୀ ଲାଜକରେ ତେବେ ବିପଦ ଛଡ଼ା ଆଉ କ’ଣ ଘଟିବ । ଯାହା ହେଉ ଆଜି ନିଶ୍ଚୟ ଏ ସମସ୍ୟାର ସମାଧାନ କରିବି । ହୁଏତ ଏ ପାଖ ନ ହେଲେ ସେପାଖ । ତେଣିକି କର୍ମରେ ଯାହାଥିବ । ଏଠାରେ ଭାତଗଣ୍ଡେ ଖାଇ ମୁଁ ତ ଆଉ ପଡ଼ିରହି ପାରିବି ନାହିଁ ! ରାତି ପାଇଲେ ସେ ନିଶ୍ଚୟ ଚାଲିଯିବେ । ତା ପରେ କେବେ ଆସିବେ ନ ଆସିବେ ଆଉ କିଏ କହିବ । ତାଙ୍କର ମନୋବୃତ୍ତି ଯେପରି ଦେଖାଯାଉଛି, ଆଉ ବିଦୁ ଯାହା କହୁଛନ୍ତି ଏଥିରେ କିଏ ବିଶ୍ୱାସ କରିବ ଯେ ସେ ଆଉଥରେ ଆସି ଘରସଂସାର କରିବେ । ନା—ନା—ନିଶ୍ଚେ ଆଜି ସବୁକଥାର ନିଷ୍ପତ୍ତି ହେବା ଦରକାର । ବିଦୁର ଉପଦେଶଗୁଡ଼ାକ ଏଥିରେ ସୁପ୍ରଭାକୁ ଖୁବ୍‌ ସାହସ ଦେଲା, ସୁପ୍ରଭା ଧୀର ପଦକ୍ଷେପରେ ଖଟ ଉପରୁ ଓହ୍ଲାଇ ଆସି ପ୍ରଥମେ ଖୋଲାଥିବା ଦୁଆରଟିକୁ ଭିତରପଟୁ ବନ୍ଦକରି ଦେଲା, ତା ପରେ ମିଞ୍ଜି ମିଞ୍ଜି ହୋଇ ଜଳୁଥିବା ଲାଇଟଟାକୁ ତେଜିଦେଇ ଖଟଉପରେ ରଖିଲା ।

 

ଶରତବାବୁଙ୍କ ଆଖିକୁ ସେ ପର୍ଯ୍ୟନ୍ତ ନିଦ ସ୍ପର୍ଶ କରି ନ ଥାଏ, ସୁପ୍ରଭାର ଗତିବିଧିଗୁଡ଼ାକୁ ସେ ଲକ୍ଷ୍ୟ କରୁଥାଆନ୍ତି । ସୁପ୍ରଭା ଏଥର ସଂପୂର୍ଣ୍ଣରୂପେ ନୂଆବୋହୂର ଲକ୍ଷଣ ପରିତ୍ୟାଗ କରି ଅର୍ଥାତ୍‌ ମୁଣ୍ଡର ଓଢ଼ଣାଟିକୁ ବାହାର କରି ଦେଇ ଶରତବାବୁଙ୍କ ପାଖକୁ ଲାଗି ବସି ପଡ଼ିଲା । ଶରତବାବୁ ଏଭଳି ଆଶଙ୍କା କରି କିପରି ନିର୍ବିଘ୍ନରେ ରାତିଟା ପାଇଯାଉ ଏହି କାମନା କରୁଥାଆନ୍ତି-। ଦେହକୁ ଲାଗ ନ ଲାଗ ହୋଇ ସୁପ୍ରଭା ବସିଯିବା ଫଳରେ ଶରତବାବୁ ପ୍ରମାଦ ଗଣିଲେ-। ଶରତବାବୁଙ୍କର ଭାବଭଙ୍ଗି ଲକ୍ଷ୍ୟକରି ସୁପ୍ରଭା କହିଲା ଏତେ ଡରି ଯାଉଛ କାହିଁକି ! ମୁଁ ତ—ମଣିଷଟେ—ପାଖରେ ବସି ପଡ଼ିଲେ ତୁମର କ’ଣ ମାନ ସମ୍ମାନ ଚାଲିଯିବ ?

 

ଅବଶ୍ୟ ନିର୍ଲ୍ଲଜ ଭାବରେ ମୁଁ ଆପେ ଆପେ ନିଜ କାମରେ ଅଗ୍ରସର ହେବାକୁ ବାଧ୍ୟ ହୋଇଛି । ସେଥିଲାଗି ମତେ ତୁମେ ଘୃଣା କରିପାର, ମାତ୍ର ଏଇ ରାତିଟି ଭିତରେ କିଛି ନା କିଛି ଗୋଟାଏ ସମାଧାନ କରିବା ବ୍ୟତୀତ ଉପାୟ ନାହିଁ । ନିଜର ଅନୁଭୂତି ନଥିଲେ ମଧ୍ୟ ସାଧାରଣଜ୍ଞାନରୁ ଯାହା ବୁଝିଛି ସେସବୁର ବ୍ୟତିକ୍ରମକୁ ଦୁଇଟିଦିନ ଧୈର୍ଯ୍ୟରସହିତ ଅପେକ୍ଷା କରିବାପରେ ଆଉ କ’ଣ କରନ୍ତି ? ଏଥିରେ ମତେ ଅଲାଜୁକୀ କହ ବା ଯାହା କହ—ମୁଁ କିନ୍ତୁ ମୋର କେତେକ ସନ୍ଦେହ ମୋଚନ କରିବା ଲାଗି ତତ୍ପର ହୋଇ ପଡ଼ିଛି । ଦୟାକରି ମୋ ପ୍ରଶ୍ନର ଉତ୍ତର ଦେଇଦେଲେ ତୁମର ସୁନିଦ୍ରାରେ ମୁଁ କେବେହେଁ ପ୍ରତିବନ୍ଧକ ହେବି ନାହିଁ ।

 

ଶରତ୍‌ବାବୁ ଭଦ୍ରତାର ସହିତ କହିଲେ—ଆପଣ ମୋ ପାଖରୁ କୌଣସି ଉତ୍ତର ଅପେକ୍ଷା କରୁଛନ୍ତି ? ହଁ ହଁ ତୁମପାଖରୁ ହିଁ ଉତ୍ତର ଅପେକ୍ଷା କରୁଚି । ମତେ ଖାଲି ‘ଆପଣ’ କହୁଛନ୍ତି, କ’ଣ—ତା ସାଙ୍ଗରେ ମାନ୍ୟବର—ମହାମାନ୍ୟ ଆଦି ଶବ୍ଦ ବ୍ୟବହାର କଲେ ହୁଅନ୍ତା ସିନା—ସୁପ୍ରଭା ହସି ହସି କହିଲା ।

 

ଶରତବାବୁ ତଳକୁ ମୁହଁ ପୋତି ବିଛଣା ଉପରେ ବସି କହିଲେ—ହଉ ତେବେ ପଚାରନ୍ତୁ କ’ଣ ସବୁ ମତେ ପଚାରିବେ ।

 

ସୁପ୍ରଭା କହିଲା—ତୁମଠାରୁ ମୁଁ ଯେପରି ବ୍ୟବହାର ପାଇଚି ସେଥିରେ ମୋର କିଛି କହିବାର ଅଛି ବୋଲି...

 

ହଁ, ମୋ ବ୍ୟବହାରରେ ଆପଣ ନିଶ୍ଚେ କ୍ଷୁବ୍‌ଧ ହୋଇଥିବେ । ମୁଁ ଧନ୍ୟବାଦ ଦେଉଛି–ଆପଣ ଖୁବ୍ ଭଦ୍ରତାର ସହିତ, ସବୁ ବରଦାସ୍ତ କରି ନେଉଛନ୍ତି । ହଁ ବରଦାସ୍ତ ଦିନେ ଦୁଇଦିନ କରିନେଲି ସିନା—ଚିରଦିନ ବରଦାସ୍ତ କରିବା କୌଣସି ସ୍ତ୍ରୀଲୋକ ପକ୍ଷରେ ସମ୍ଭବ ବୋଲି ତୁମେ ବିଚାରୁଚ ? ସବୁଦିନ କିପରି ସମ୍ଭବ ହୋଇପାରିବ ତାହାର ଚିନ୍ତା ମୁଁ ଯଥେଷ୍ଟ କରୁଚି–ତେବେ ସ୍ଥିର ସିଦ୍ଧାନ୍ତରେ ପହଞ୍ଚି ପାରିନି । ଏଥିଲାଗି ଆପଣଙ୍କର ପରାମର୍ଶ ଲୋଡ଼ିବା ପାଇଁ ମନେ ମନେ ଭାବୁଥିଲେ ମଧ୍ୟ ହଠାତ୍‌ ମୋ ଆଡ଼ୁ କିଛି କହି ପାରି ନଥିଲି । ବର୍ତ୍ତମାନ ମୋର ସୁଯୋଗ ଆପଣଙ୍କ ଆଡ଼ୁ ସେ ପ୍ରଶ୍ନ ଉଠିଚି । ଆପଣ କ’ଣ ପଚାରିବେ ବୋଲି ଭାବୁଛନ୍ତି ତାହା ପଚାରନ୍ତୁ । ଶରତବାବୁଙ୍କର ଭଦ୍ରତା ପୂର୍ଣ୍ଣ ବିନମ୍ର ଭାଷା ସୁପ୍ରଭାକୁ ବେଶ୍‌ ଉତ୍ସାହ ଦେଲା ଯେ କୌଣସି ପ୍ରଶ୍ନ ପଚାରିବା ପାଇଁ । ସୁପ୍ରଭା କହିଲା, ‘‘ଦୟାକରି ପ୍ରଥମେ ମତେ ଆପଣ—ସମ୍ବୋଧନଟା ବନ୍ଦକରି ଦିଅନ୍ତୁ । ମତେ ‘ଆପଣ’, ‘ଆପଣ’ କହିବାଦ୍ୱାରା ମୁଁ ବିଶେଷ ଲଜ୍ଜିତ ହେବା ସଙ୍ଗେ ସଙ୍ଗେ ମନଟା ଏକାବେଳକେ ଭାଙ୍ଗି ପଡ଼ୁଚି । ତୁମେ ଉଚ୍ଚଶିକ୍ଷିତ ଯୁବକ, ସବୁ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ମୁଁ ଶୁଣିପାରିଚି । ତୁମ ପକ୍ଷରେ ବିବାହ କରିବା ଆଦୌ ଉଚିତ ନ ଥିଲା ବୋଧହୁଏ । ବିବାହ ହୋଇ ଅନ୍ୟକୁ ପ୍ରତି ମୁହୂର୍ତ୍ତରେ ଏପରି କଷ୍ଟଦେବା କ’ଣ ଉଚିତ ? ତୁମେ ନିଶ୍ଚେ ଜାଣିଚ ସ୍ତ୍ରୀମାନେ ସ୍ୱାମୀ ପାଖରୁ ଟିକିଏ ହତାଦର ପାଇଲେ ଭାଙ୍ଗି ପଡ଼ନ୍ତି । ତୁମେ ଦୁଇଦିନ ହେଲା ମୋ ପ୍ରତି ଯେଉଁ ବ୍ୟବହାର ଦେଖାଇଲ—କୌଣସି ସ୍ତ୍ରୀ ପକ୍ଷରେ ଏହା ବରଦାସ୍ତ କରିବା ସମ୍ଭବ ନୁହେଁ । ମୋର ଏତିକି ମାତ୍ର ସାହସ ଥିଲା ଯେ—ତୁମେ ଶିକ୍ଷିତ ଲୋକ ପ୍ରକୃତ ତଥ୍ୟଟା କ’ଣ ତାହା ଜାଣି ପରେ ଯାହା କିଛି ବାଟ ଧରିବି । ମତେ ଜୀବନ୍ତ କଲବଲ କରି ମାରିବା ଅପେକ୍ଷା ମନର ଭାବଟା ବ୍ୟକ୍ତ କରିଦେଲେ ମୁଁ ତୁମର ପରାମର୍ଶ ସହ ଯାହା କିଛି ଗୋଟାଏ ସ୍ଥିର କରନ୍ତି ।

 

ଶରତବାବୁ ସୁପ୍ରଭାର ଅଭିଯୋଗଗୁଡ଼ିକ ଶୁଣୁଥାଆନ୍ତି ଏବଂ ମନେ ମନେ ତାହାର ଯଥାର୍ଥତା ମଧ୍ୟ ବେଶ୍‌ ଉପଲବ୍‌ଧି କରୁ ଥାଆନ୍ତି । ଶରତବାବୁ କହିଲେ ‘‘ଶୁଣ ସୁପ୍ରଭା । ଛାତ୍ର ଜୀବନରୁ ମୋର ଜୀବନର ଗତି ଭିନ୍ନ ଭାବରେ ଗଢ଼ିବି ବୋଲି ମୁଁ ଏକପ୍ରକାର ସିଦ୍ଧାନ୍ତରେ ଉପନୀତ ହୋଇ ଯାଇଥିଲି । ସ୍ତ୍ରୀଲୋକମାନଙ୍କୁ ଶ୍ରଦ୍ଧା, ସମ୍ମାନ, ସାହାଯ୍ୟ, ସହାନୁଭୂତି କରିବାରେ ମୋର ଭାରି ଇଚ୍ଛା । କିନ୍ତୁ ଦିନକ ପାଇଁ ସୁଦ୍ଧା କୌଣସି ଯୁବତୀର ପ୍ରେମ ଆକର୍ଷଣ ମତେ ବଶବର୍ତ୍ତୀ କରାଇ ପାରିନଥିଲା । ଯଦିବା ଛାତ୍ରଜୀବନ ତମାମ ଶହ ଶହ ଯୁବତୀ ସ୍ତ୍ରୀର ସଂସ୍ପର୍ଶରେ ଆସିଛି । ଥରେ ମେଡ଼ିକାଲରେ ଦୁଇଜଣ ଯୁବତୀ ମୋ ସେବାରେ ସନ୍ତୁଷ୍ଟ ହୋଇ ରୋଗଶଯ୍ୟାରେ ସୁଦ୍ଧା ମୋ ପ୍ରତି ଆକୃଷ୍ଟ ହୋଇ ପଡ଼ିଲେ କିନ୍ତୁ ସେମାନଙ୍କ ପ୍ରତି ମୁଁ ଟିକିଏ ହେଲେ ଆଶକ୍ତ ହୋଇନାହିଁ । ମୋର ଏପରି ନୀରସ ସ୍ୱଭାବ ଦେଖି ସାଙ୍ଗସାଥି ପିଲାଗୁଡ଼ାକ ମତେ ନାନା ଭାବରେ ଥଟ୍ଟା ପରିହାସ କରନ୍ତି । ମୁଁ ସେମାନଙ୍କର ଥଟ୍ଟା ଟାପରା ପ୍ରତି ଆଦୌ ଭ୍ରୂକ୍ଷେପ କରେ ନାହିଁ ! ବିବାହ କରିବା ମତଲବ ତ ମୋର ନ ଥାଏ । ନନା, ବୋଉ କିନ୍ତୁ ତାଙ୍କର ଯୋଗାଡ଼ ଚଳାଇ ଥାଆନ୍ତି । ମତେ ଏ ବିଷୟ ଜଣାନାହିଁ । ଗତ ଦଶହରା ବେଳେ ମୁଁ ଟ୍ରେନରେ ଗାଁକୁ ଆସୁଥାଏ, ସେଦିନ ଟ୍ରେନ ଏତେ ଭିଡ଼ ଯେ—ଯାତ୍ରୀଗୁଡ଼ାକ ଠିଆହୋଇ ଆସୁଥାଆନ୍ତି । ବହୁ କଷ୍ଟରେ ମୁଁ ମଧ୍ୟ ଆସିଲି । ସେହି ଟ୍ରେନ ଯାତ୍ରାବେଳେ ଏପରି ଗୋଟାଏ ଘଟଣାର ସମ୍ମୁଖୀନ ହେଲି ଯଦ୍ୱାରା କି ମୋର ପୂର୍ବର ସିଦ୍ଧାନ୍ତ ଏକପ୍ରକାର ଭାଙ୍ଗିପଡ଼ିଲା । ଭାବିଲି ବିବାହ ବିନା ସଂସାରରେ ଚଳିବା ବଡ଼ ଜଟିଳ । ବିବାହ ସୂତ୍ରରେ ଆବଦ୍ଧ ହେବା ମନୁଷ୍ୟର ଗୋଟିଏ ଯେ ଧର୍ମ ହୋଇ ରହିଛି, ତାହା ବାସ୍ତବତା ଦୃଷ୍ଟିରୁ ନିଶ୍ଚେ ଠିକ୍‌ । ଯାହା ଯୋଗୁରୁ ମୋର ବୈବାହିକ ପ୍ରବୃତ୍ତି ଜାଗ୍ରତ ହେଲା ତାକୁ ହିଁ ବିବାହ ହେଲେ ମୁଁ ସୁଖୀ ହୋଇ ପାରନ୍ତି । ଏ ଭାବନା ମୋର ବଳବତୀ ହୋଇ ଉଠିଲା । ଏଣେ ଏମାନେ ଏପରି ପ୍ରସ୍ତାବ କରିଛନ୍ତି ମୁଁ ଜାଣେନା । ବାଧ୍ୟ ହୋଇ ବେଦିରେ ବସି ବିବାହ କରିଛି । ମୁଁ ଦେଖିଲି ଏତକ ନ କରିବା ବିନା ନନା, ବୋଉ ଦୁଇ ଜଣକୁ ହରାଇବି । ବିଚାରିଲି ବରଂ ଜଣେ ମୋ ପାଇଁ ଟିକିଏ ସଫରକରୁ କିନ୍ତୁ ଏ ଦୁଇଜଣ ସନ୍ତୋଷ ହୁଅନ୍ତୁ । ଅବଶ୍ୟ ତୁମ ପାଇଁ ମୁଁ ଅନେକ ଭାବି ଭାବି ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିଛି । ତାହା ତୁମରି ପରାମର୍ଶ ଅନୁଯାୟୀ କାର୍ଯ୍ୟକାରୀ କରିବି । ଏତକ ତୁମକୁ ପଚାରିବାରେ ସାହାସ କରିପାରୁ ନଥାଏ । ଯାହାହେଉ ଠିକ୍‌ ସମୟରେ ତୁମେ ଅସଲ ପ୍ରଶ୍ନଟା ଉଠେଇଚ, ଏଥିଲାଗି ମୁଁ ଧନ୍ୟବାଦ ଦେଉଛି ।

 

ସୁପ୍ରଭା କହିଲା ମୋ ଲାଗି କ’ଣ ସବୁ ସ୍ଥିର କରିଚ ସେତକ କହିଲ ହେଲେ ମୁଁ ଶୁଣେ । ହଁ ତାହାହିଁ କହୁଛି ଶୁଣ—ତୁମେ ତ ଜାଣିଥିବ ଆମ ନନାଙ୍କର ଯଥେଷ୍ଟ ସମ୍ପତ୍ତି ଅଛି, ଆଉ ଏତେ ସମ୍ପତ୍ତିର ଉତ୍ତରାଧିକାରୀ ଭାବରେ ମୁଁ ମାତ୍ର ଜଣେ । ମୋର ଆଉ ଗୋଟିଏ ଭାଇ, ଭଉଣୀ ନଥିବାରୁ ମୁଁ ବେଳେବେଳେ ଦୁଃଖ କରେ । ଦୈବାତ୍‌ ଅନ୍ୟ ଭାବରେ ତୁମେ ଯେତେବେଳେ ଆମ ଘରକୁ ଆସିଚ ମୁଁ ମନେମନେ ତୁମକୁ ମୋର ଗୋଟିଏ ଧରମ ଭଉଣୀ ଭାବରେ ଗ୍ରହଣ କରିନେଇଛି । ଭଉଣୀ ହିସାବରେ ତୁମକୁ ଯଥେଷ୍ଟ ସମ୍ପତ୍ତି ଦାନକରି ତୁମର ମନମାନିଲା ଭଳି ଗୋଟିଏ ଉପଯୁକ୍ତ ପାତ୍ରରେ ବିବାହ ଦେବି । ତୁମେ ଦୁହେଁ ଆମର ଏଇ ଘରେ ହିଁ ରହିବ । ଶରତବାବୁଙ୍କ କଥାରେ ସୁପ୍ରଭା ବିସ୍ମିତ ହୋଇ କହିଲା—ଏ ପ୍ରସ୍ତାବ ଥଟ୍ଟାରେ କହୁଚ ନା ସତରେ ଯେ— ? ଯଦି ସତ ହୋଇଥାଏ ତେବେ ପରିକଳ୍ପନା ତ ମନ୍ଦ ନୁହେଁ । ଆଚ୍ଛା ମୋ ବିଷୟରେ ତ ଯାହା ହେବ ପରେ ବୁଝିବା ! ତୁମର ପୂର୍ବ ସିଦ୍ଧାନ୍ତ କିପରି ଭାବରେ ବଦଳିଗଲା କେଉଁ କାରଣରୁ ବଦଳିଲା ଟିକିଏ କହିଲ ?

 

ନା,ନା, ସେକଥା କହି କିଛି ଲାଭ ନାହିଁ ବରଂ ସେ ସ୍ମୃତି ସ୍ମରଣ କଲେ ମୋ ମନରେ ପୁଣି ଅଶାନ୍ତି ଜାଗ୍ରତ ହେବ । ଆଚ୍ଛା କଥା ତୁମଲାଗି ଜଣେ ଲୋକ ଏତେ ଅଶାନ୍ତି ଭୋଗ କରୁଥିବାବେଳେ ତା ଅନୁରୋଧ ତୁମେ ଟିକିଏ ରକ୍ଷା କରିବ ନାହିଁ ? ତା ହେଲେ ମୁଁ ଭାବିବାଟା କ’ଣ ଭୁଲ ହେବ ଯେ—ତୁମେ କେବଳ ନିଜର ସୁଖଶାନ୍ତି ପାଇବାରେ ବ୍ୟସ୍ତ, ଅନ୍ୟର ସୁଖ ଶାନ୍ତି ଉପରେ ତୁମର ମୋଟେ ଲକ୍ଷ୍ୟ ନାହିଁ !! ନାଇଁ ନାଇ ଘଟଣାଟା ଶୁଣିବାରେ ତୁମେ ଯଦି ଶାନ୍ତି ପାଇବ ତେବେ ମୁଁ କହି ଦେଉଚି ।

 

ସେ ଦିନ ଗାଡ଼ିରେ ଟିକିଏ ହେଲେ ସ୍ଥାନ ନ ଥାଏ । ଶହ ଶହ ଯାତ୍ରୀ ଛିଡ଼ା ହୋଇ ଥାଆନ୍ତି । ଏତେ ଭିଡ଼ରେ ସୁଦ୍ଧା ଚାରିଜଣ ଯାତ୍ରୀ ବିଛଣା ପାରି ଶୋଇ ଥିବାରୁ ମୋ ମନରେ ଭାରି ରାଗ ହେଲା । ମୁଁ ସେମାନଙ୍କୁ ଉଠାଇ ଦେବାକୁ ସେଠାକୁ ଗଲି । କ’ଣ କହିବି—ହଠାତ୍‌ ଯାହା ଦେଖିଲି ମୋ ମଣିଷ ପଣିଆ ତା ନିକଟରେ ପରାସ୍ତ ସ୍ୱୀକାର କଲା । ଶହ ଶହ ଯାତ୍ରୀଙ୍କର ବିଦ୍ରୂପକୁ ସୁଦ୍ଧା ମୁଁ ଲକ୍ଷ୍ୟ କରି ପାରିଲି ନାହିଁ । ଯୁବତୀଟି ମୋପ୍ରତି ଏପରି ବ୍ୟବହାର ଦେଖାଇଲେ ଯହିଁରେ କି ମୁଁ ମୁଗ୍‌ଧ ହୋଇ ତାଙ୍କର ଅନୁଗତ ହୋଇ ପଡ଼ିଲି ।

 

ସେ ଜଣେ ଅନିନ୍ଦ୍ୟ ସୁନ୍ଦରୀ । ରୂପ, ଗୁଣ ସବୁ ଯେପରି ତାଙ୍କ ପାଖରେ ଠୁଳ ହୋଇ ପଡ଼ିଛି । ମୁଁ ତାଙ୍କର ସଂପୂର୍ଣ୍ଣ ଅପରିଚିତ ହୋଇଥିଲେ ସୁଦ୍ଧା ଆପଣାର ପରି ସେ ମତେ ଯାହା ସବୁ ସୁବିଧା ଦେଲେ—ସେଥିରେ ମୋର ଜୀବନର ପ୍ରଥମ ଚମକ ସୃଷ୍ଟି ହୋଇଛି । ତାଙ୍କୁ ବିବାହ କରିବା ବ୍ୟତୀତ ଅନ୍ୟ ଯେ କୌଣସି ଯାଗାରେ ବିବାହ କରିବାର ଇଚ୍ଛା ମୋର ଆଦୌ ନ ଥିଲା । ‘‘ଯୁବତୀଟି କ’ଣ ଏକୁଟିଆ ଟ୍ରେନରେ ଯାଉଥିଲେ ? ସୁପ୍ରଭା ପଚାରିଲା’’ । ନା ନା ସେ ଏକୁଟିଆ ନୁହେଁ ତ !ସେମାନେ ଥିଲେ ଚାରିଜଣ । ବୁଢ଼ା ବୁଢ଼ୀ ଦୁଇଜଣ ନିଘୋଡ଼ ନିଦରେ ଶୋଇଥିଲେ । ଆଉ ଦଶ ବର୍ଷର ବାଳକଟିଏ ଆଗେ ଆଗେ ଚାହିଁଥିଲା । ତା ପରେ ଶୋଇ ପଡ଼ିଲା । ଶରତବାବୁଙ୍କ କଥାରେ ସୁପ୍ରଭା ଚମକି ପଡ଼ିଲା ପରି ତା’ର ନିଜ ଜୀବନରେ ଟ୍ରେନ ଯାତ୍ରାର ସ୍ମୃତି ସ୍ମରଣ କରି ଶରତବାବୁଙ୍କ ମୁହଁଙ୍କୁ ଟିକିଏ ଟିକିଏ ଗୋପନରେ ଚାହୁଁଥାଏ । ମାତ୍ର ମୁହଁଟାକୁ ବିମୁଖ କରି ନୀରବ ରହିଯାଏ । ସୁପ୍ରଭା କହିଲା—ଏତେ ଲୋକ ଗହଳିରେ ସୁଦ୍ଧା ଜଣେ ଯୁବତୀ ଅପରିଚିତ ଯୁବକଙ୍କ ପ୍ରତି ଏପରି କି ବ୍ୟବହାର ଦେଖାଇଲେ, ଯହିଁରେ କି ତୁମେ ତାଙ୍କ ପ୍ରତି ଆକର୍ଷିତ ହୋଇ ପଡ଼ିଲ ? ଶରତବାବୁ କହିଲେ ସେ ଦିନ ଭାରି ବର୍ଷା ହୋଇଥାଏ । ମୁଁ ଷ୍ଟେସନକୁ ଯିବାବେଳେ ବାଟରେ ଓଦା ହୋଇ ଗାଡ଼ିରେ ଚଢ଼ିଲି । ଯୁବତୀଟି ମୋର ଓଦାଲୁଗା ଦେଖି ପ୍ରଥମେ ମତେ ବାଧ୍ୟ କଲେ ଓଦା ଲୁଗା ବଦଳାଇ ଦେବାପାଇଁ । ତାପରେ ନିଜେ ବିଛଣାରୁ ଉଠି ସେଠାରେ ଶୋଇବାକୁ ବାଧ୍ୟ କଲେ । ମୁଁ ତାଙ୍କ ବିଛଣାରେ ଶୋଇଲି । ସେ ମୋ ମୁଣ୍ଡ ଉପରେ ବସି ଥାଆନ୍ତି । କହି ପାରିବି ନାହିଁ, ତାଙ୍କର ଜ୍ଞାତସାରରେ କି କ’ଣ ମାତ୍ର ମଝିରେ ମଝିରେ ତାଙ୍କ ଦେହର ସ୍ପର୍ଶ ମୋ ଦେହରେ ଲାଗି ମତେ ଆକର୍ଷିତ କରାଉଥାଏ—ତା ଛଡ଼ା ତାଙ୍କ ଶାଢ଼ିର ଶେଷ ଭାଗଟା ମୋ ମୁହଁରେ ବାରମ୍ବାର ଘୋଷରି ହେଉଥାଏ । ଓଃ—ସେଥିରୁ ଯେଉ ମହକ ଜାତ ହେଉଥିଲା ସେଥିରେ ମୁଁ ବିଶେଷ ବଶବର୍ତ୍ତୀ ହୋଇ ପଡ଼ିଲି । ସୁପ୍ରଭା ଆହୁରି ବିସ୍ମିତ ହୋଇ ପଚାରିଲା—ଯେଉଁ ବୁଢ଼ା ବୁଢ଼ୀ ଦୁହିଙ୍କ କଥା କହୁଚ ସେମାନେ କେଉଁଠି ଶୋଇ ଥାଆନ୍ତି ? ସେ ଦୁହେଁ ସାମନାରେ ଥିବା ଅନ୍ୟ ବେଞ୍ଚଟାରେ କମ୍ବଳ ଘୋଡ଼ାଇ ହୋଇ ଶୋଇ ଥାଆନ୍ତି । ସୁପ୍ରଭାର ମନ ଆହୁରି ଉଦ୍‌ବେଗ ହୋଇ ଉଠିଲା । ସେ ପଚାରିଲା, ‘‘ତୁମେ କ’ଣ ଗଲା ବର୍ଷର ଶୀତଦିନ କଥା କହୁଚ ?

 

ନାଇଁମ—ଏଇ ଗଲା ଦଶହରା ସମୟର କଥା କହୁଚି ପରା—ସେଦିନ ମହାସପ୍ତମୀ । ସୁପ୍ରଭାର ଛାତି ଭିତରଟା ଖାଲି ଦମ୍‌ ଦମ୍‌ ପଡ଼ୁଥାଏ, ଉଠୁଥାଏ, ମାତ୍ର ଶରତ୍‌ବାବୁଙ୍କ ମୁହଁଙ୍କୁ ଚାହିଁ ଦେବାପରେ ତା ମନର ଉତ୍ତେଜନା ଆପେ ଆପେ ମଉଳି ଆସେ । ଏହି କଥାବାର୍ତ୍ତା ମଧ୍ୟରେ ସୁପ୍ରଭାର ନାନାପ୍ରକାର ହର୍ଷ ବିମର୍ଷ ଜାତ ହୋଇଥିବା ଶରତ୍‌ବାବୁ ମୋଟେ ଲକ୍ଷ୍ୟକରି ପାରୁ ନ ଥାନ୍ତି । କାରଣ ସେ ସିନା ତା ଆଡ଼କୁ ନଜର କରିଥିଲେ କିଛି ଅନୁମାନ କରୁଥାଆନ୍ତେ । ସେ ତ ତଳକୁ ମୁହଁପୋତି କହିବାରେ ଲାଗିଛନ୍ତି ।

 

ସୁପ୍ରଭା ମନେ ମନେ ଯେତେ ଚିନ୍ତାକଲା ତା’ର କିଛି ହେଲେ କୂଳ କିନାରା ପାଇଲା ନାହିଁ । କାରଣ ସେ ଗାଡ଼ିଭିତରେ ଦେଖିଥିବା ଯୁବକଙ୍କ ସହିତ ଶରତବାବୁଙ୍କର ଟିକିଏ ହେଲେ ସାମ୍ୟ ଲକ୍ଷ୍ୟକରି ପାରୁନାହିଁ । କହିଲା—ଯୁବତୀଟିର ଘର କେଉଁଠି ବୋଲି ସେ କହୁଥିଲେ ? ‘‘ନା-ସେ ପ୍ରଶ୍ନ ମୁଁ ପଚାରିନାହିଁ । ସେତକ ପଚାରିଥିଲେ ମନରେ ଏତେ ଅବଶୋଷ ଆଉ ରହନ୍ତା କି ? ତାଙ୍କୁ ବିବାହ ହୁଏ ନ ହୁଏ ଅନ୍ତତଃ ଅନୁସରଣତ କରି ପାରନ୍ତି ।’’ ସେ କେଉଁ ଷ୍ଟେସନରେ ଓହ୍ଲାଇବା କଥା କହୁଥିଲେ ? ‘‘ହଁ ତା କହିଛନ୍ତି । ବ୍ରହ୍ମପୁରରେ ଓହ୍ଲାଇ ମଟରରେ ଯିବେବୋଲି କହୁଥିଲେ ।’’ ସୁପ୍ରଭା ଆହୁରି ଅଧୈର୍ଯ୍ୟ ହୋଇଉଠେ । ଘଟଣାଟା ସତ ନା ସ୍ୱପ୍ନ । ସେ କିଛିହେଲେ ବିଚାରି ପାରେନି କିନ୍ତୁ ସେ ଗାଡ଼ିରେ ଦେଖିଥିବା ଯୁବକଙ୍କ ସହିତ ଶରତ୍‌ ବାବୁଙ୍କର ଟିକିଏ ହେଲେ ଭଙ୍ଗି ଲକ୍ଷ କରିପାରୁ ନାହିଁ । ସେ ଟ୍ରେନରେ ଯାହାଙ୍କୁ ଦେଖିଥିଲା ତାଙ୍କର ଶରତ୍‌ଚନ୍ଦ୍ରପରି ମୁହଁ । ଆଖି ଦୁଇଟିରୁ ସତେ ଯେପରି ଅମୃତର ଧାରା ବହି ଆସୁଚି । କଳା ମଚ ମଚ ନିଶ ଦୁଇଟି ମୁହଁର ସୌନ୍ଦର୍ଯ୍ୟକୁ ଚମତ୍କାର କରି ଉଠାଉଥିଲା । ସେ ଆଉ ଏ ଦୁହିଁଙ୍କ ଭିତରେ ଆକାଶ ପାତାଳ ତାରତମ୍ୟ । ତଥାପି ନିର୍ଦ୍ଦିଷ୍ଟ ଦିନର ଅବିକଳ ଘଟଣା ଗୁଡ଼ିକୁ ଏ ଜାଣିଲେ କିପରି ? ଏହା ବି ହୋଇ ପାରିଥିବ, ଟ୍ରେନ୍‌ ଯାତ୍ରାରେ ଯାହା ମୋର ଘଟିଥିଲା ସେପରି କ’ଣ ଅନ୍ୟମାନଙ୍କ ପକ୍ଷରେ ଘଟୁ ନ ଥିବ ?? ଅନ୍ୟ କେହି ହୁଏ ତ ୟାଙ୍କୁ ଚର୍ଚ୍ଚା କରି ଥାଇପାରେ । ‘‘ଆଚ୍ଛା ତୁମେ ଯଦି ସେ ଯୁବତୀଟି ପ୍ରତି ଏତେ ଆକୃଷ୍ଟ ହୋଇ ପଡ଼ିଥିଲ—ତାଙ୍କ ତାଙ୍କ ପଛେ ପଛେ ଯାଇଥିଲେ କ’ଣ ହୋଇ ନ ଥାନ୍ତା ? ହଁ ମୁଁ ତାହାହିଁ ଭାବିଥିଲି । ମାତ୍ର ଆମର ଚିଲିକା ଷ୍ଟେସନରେ ଏଇ ଈଶରାଟା ଚିତ୍କାର କଲା ପରା !! ମୁଁ ଆଉ ରହି ପାରିଲି କୁଉଠି !!

 

‘‘ଚିଲିକା ଷ୍ଟେସନରେ ଈଶରାର ଚିତ୍କାର’’ ଏତକ ଶୁଣିବାରେ ସୁପ୍ରଭାର ଟିକିଏ ହେଲେ ସନ୍ଦେହ ରହିଲା ନାହିଁ । ସେ କେବଳ ଭାବୁଥାଏ କୌଣସି ଗୁରୁତର ବିଷୟ ଚିନ୍ତାକଲେ ମଣିଷର କ’ଣ ଏତେଗୁଡ଼ାଏ ପରିବର୍ତ୍ତନ ହୋଇପାରେ !! ତା’ର ସ୍ମରଣ ହେଲା—ତାଙ୍କ ଗାଁର ବୁଢ଼ା ଷଡ଼ଙ୍ଗୀ ସବୁବେଳେ ଢଗ ମାରନ୍ତି ଚିନ୍ତାଖାଏ ଗଣ୍ଡି, ଲୁଣଖାଏ ହାଣ୍ଡି ।’’ ଓହୋ—ଏ କ’ଣ ଚିନ୍ତା କରି କରି ତାହାହେଲେ ସୁନାଦେହଟାକୁ ଚୂନା କରି ବସିଚନ୍ତି !! ସୁପ୍ରଭାର ବିସ୍ମରିତ ହୋଇଥିବା ସେ ଦିନର ସ୍ମୃତି ମନ ମଧ୍ୟରେ ଜାଗ୍ରତ ହୋଇ ତାକୁ ଆହୁରି ଅଣଆୟତ୍ତ କରି ପକାଉଥାଏ । ତଥାପି ସେ ଧୈର୍ଯ୍ୟ ସହକାରେ କୌତୂହଳି ହୋଇ ଶରତବାବୁଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବାରେ ବ୍ୟସ୍ତ । ଶରତବାବୁ ମୁଣ୍ଡଟା ତଳକୁ ପୋତିଦେଇ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଉଥାଆନ୍ତି । ପ୍ରଶ୍ନ ପଚାରିବାବେଳେ ସୁପ୍ରଭା ଶରତବାବୁଙ୍କର ଆପଦମସ୍ତକ ବାରମ୍ୱାର ପର୍ଯ୍ୟବେକ୍ଷଣ କରୁଥିଲେ ସୁଦ୍ଧା ଟ୍ରେନରେ ଭେଟ ହୋଇଥିବା ଯୁବକଙ୍କର କୌଣସି ଲକ୍ଷଣ ଟିକିଏ ହେଲେ ଦେଖିପାରିଲା ନାହିଁ । ସୁପ୍ରଭା ପଚାରିଲା, ‘‘ତୁମେ ଯେ କୌଣସି ଲୋକ ସାଙ୍ଗରେ କଥାବାର୍ତ୍ତା ହେଲାବେଳେ ମୁଣ୍ଡପୋତି କଥାକହ ନା—ମୋ ସାଙ୍ଗରେ କଥା କହିଲାବେଳେ ଏପରି ହେଉଛ ? ଶରତବାବୁ କହିଲେ, ‘‘ଏବେ ତିନି ଚାରି ମାସ ହେଲା ଯେ କୌଣସି ସ୍ତ୍ରୀଲୋକର ମୁହଁକୁ ଚାହିଁବା ବନ୍ଦ କରି ଦେଇଛି । ସୁପ୍ରଭା କାରଣ ପଚାରିବାରୁ ଶରତବାବୁ କହିଲେ, କାରଣ ସେପରି କିଛି ନାହିଁ ଯେ—

 

ହଉ ହଉ କାରଣ ତୁମେ ନ କହିଲେ ମଧ୍ୟ ମୁଁ ଯାହା ଅନୁମାନ କରୁଛି ତାହା ସତ କି ? ଏହାର ହେତୁ ସ୍ୱରୂପ ମୁଁ ଭାବୁଛି ଗୋଟିଏ ଯୁବତୀକୁ ମନ ମଧ୍ୟରେ ନିର୍ବାଚିତ କରିଦେବା ପରେ ଅନ୍ୟର ମୁହଁକୁ ଚାହିଁ ତା’ପ୍ରତି ଆକୃଷ୍ଟ ହୋଇ ପଡ଼ିଲେ ବର୍ତ୍ତମାନର ମନବ୍ୟାଧିଟି ଦୁଇଗୁଣ ହୋଇଯିବ—ସେଥିପାଇଁ ଅନ୍ୟ ସ୍ତ୍ରୀ ଲୋକର ମୁହଁକୁ ଚାହିଁବା ବୋଧହୁଏ ବନ୍ଦକରି ଦେଇଚ !! ସୁପ୍ରଭାର କଥାରେ ଶରତବାବୁ ଟିକିଏ ହସିଦେଇ କହିଲେ, ତୁମର ଅନୁମାନ ସଂପୂର୍ଣ୍ଣ ମିଥ୍ୟା ନୁହେଁ, ସେ ମଧ୍ୟ ଏକ ପ୍ରକାର ସତ୍ୟ ।

 

ଶରତବାବୁଙ୍କ ମୁହଁ ଉପରେ ଗୋଟିଏ କ୍ଷୀଣ ହାସ୍ୟରେଖା ଦେଖିବା ପରେ ସୁପ୍ରଭାର ଛାତି ଭିତରଟା ଆହୁରି ଉନ୍ମାଦନାରେ ନାଚି ଉଠିଲା ଓ ତାହାର ପ୍ରଶ୍ନର ମାତ୍ର ବେଳକୁବେଳ ବୃଦ୍ଧି ପାଇବାକୁ ଲାଗିଲା ।

 

ସୁପ୍ରଭା କହିଲା, ‘‘ତୁମେ ଯେଉଁ ଯୁବତୀର ପ୍ରେମରେ ଆକୃଷ୍ଟ ହୋଇ ଏତେ ଦୂର ସମାଜ ବିରୋଧକାର୍ଯ୍ୟରେ ଆଗେଇ ଚାଲିଚ ସେ ତ ତୁମର ଅପରିଚିତା, ଏପରିକି ତା’ର ଜାତି, ଗୋତ୍ର, ଘର, ଦ୍ୱାର କିଛିହେଲେ ଜାଣ ନା । ଏହି ସୁଯୋଗରେ ଜଣେ ଯଦି କହେ ମୁଁ ସେହି ଅପରିଚିତା ବୋଲି—ତାହାହେଲେ କେଉଁ ପ୍ରମାଣ ବଳରେ ତୁମେ ତାକୁ ଉପେକ୍ଷା କରିବ ?

 

ନା—ନା—ତୁମେ ସେପରି ଭାବୁଚ କାହିଁକି ସୁପ୍ରଭା । ସେ ଅପରିଚିତା ହୋଇଥିଲେ ମଧ୍ୟ ତାଙ୍କର ସ୍ୱର ଶୁଣିବାମାତ୍ରେ ମୁଁ ଜାଣି ପାରିବି । ତାଙ୍କର ଦେହରୁ ଫୁଟି ଉଠୁଥିବା ସୌନ୍ଦର୍ଯ୍ୟ ମୋ ଶରୀରରେ ପ୍ରତିବିମ୍ୱିତ ହୋଇ ଉଠିବ । ମୁଁ ତାଙ୍କର ହସ୍ତାଙ୍ଗୁଳି ପର୍ଯ୍ୟନ୍ତ ଦେଖିଲେ ଚିହ୍ନି ପାରିବି-। ତାଙ୍କର ପରିଧେୟ ସୁଦ୍ଧା ମତେ ଚିହ୍ନା ଦେବାରେ ତ୍ରୁଟି କରିବ ନାହିଁ ।

 

ଶରତ୍‌ବାବୁଙ୍କ ସହିତ କଥୋପକଥନବେଳେ ସୁପ୍ରଭା ସେଦିନ ଟ୍ରେନ ଯାତ୍ରାବେଳର ସମସ୍ତ ବିଷୟ ସ୍ମରଣ କରୁଥାଏ । ହଠାତ୍‌ ତା’ର ମନେ ପଡ଼ିଲା ଟ୍ରେନ୍‌ରେ ସାକ୍ଷାତ ହୋଇଥିବା ଯୁବକ ତାଙ୍କର ଖଣ୍ଡିଏ ରୁମାଲ ଛାଡ଼ିଦେଇ ଯାଇଥିଲେ, ସେଥିରେ ଲେଖାଅଛି ‘‘ଉପହାର’’ ‘‘ପ୍ରତିଭା’’ ।

 

ସୁପ୍ରଭା ପଚାରିଲା—ପ୍ରତିଭା ତୁମର କ’ଣ ହୁଅନ୍ତି ? ସେ ମୋର ଭାଉଜ ପରା । ତୁମେ ତାଙ୍କୁ ଦେଖିଥିବ ତ ! ହଁ ଦେଖିଚି ଯେ—ଖୁବ୍‌ ଅଳ୍ପ ସମୟ ପାଇଁ । ଶରତ୍‌ବାବୁ କହିଲେ, ପରେ ଦେଖିବ ଯେ—ସେ ଭାରି ଭଲ ମଣିଷ । ଆର୍ଟିଷ୍ଟ ସେ । ତାଙ୍କର କାରୁକାର୍ଯ୍ୟ ତୁମେ ଦେଖିଲେ ଆଶ୍ଚର୍ଯ୍ୟ ହୋଇପଡ଼ିବ । ସେ ମତେ କେତେଗୁଡ଼ିଏ ରୁମାଲ ଦେଇଥିଲେ—ସବୁ କୁଆଡ଼େ ହଜିଗଲାଣି । ଖଣ୍ଡିଏ ମାତ୍ର ମୋ ପାଖରେ ଅଛି ତାକୁ ଦେଖିଲେ ତୁମେ ବୁଝି ପାରିବ ଶିଳ୍ପ ନୈପୁଣ୍ୟ ତାଙ୍କର କେତେଦୂର ଅଧିକ । କହୁ କହୁ ଶରତ୍‌ବାବୁ ଖଣ୍ଡିଏ ରୁମାଲ ବାହାର କରି ସୁପ୍ରଭାଙ୍କ ଆଡ଼କୁ ଫିଙ୍ଗିଦେଲେ । ରୁମାଲ ଖଣ୍ଡି ଦେଖିବା ପରେ ସୁପ୍ରଭାର ଆଉ କୌଣସି ସନ୍ଦେହର ଅବକାଶ ରହିଲା ନାହିଁ । ସେ କହିଲା, ‘‘ପ୍ରତିଭା ଦେବୀ ମୋ ପାଇଁ ମଧ୍ୟ ଖଣ୍ଡିଏ ରୁମାଲ ଜଣେ ଅପରିଚିତ ଭଦ୍ରବ୍ୟକ୍ତିଙ୍କ ହାତରେ ସ୍ନେହ ଉପହାର ଦେଇଥିଲେ । ଏଇ ଦେଖନ୍ତୁତ ଏହା ତୁମ ଭାଉଜଙ୍କର ହସ୍ତ ନିର୍ମିତ କି ନୁହେଁ ?

 

ରୁମାଲଟି ଉପରେ ଦୃଷ୍ଟିପାତ କରୁ କରୁ ଶରତ୍‌ବାବୁ ବିସ୍ମୟ ବିଭୋର ହୋଇପଡ଼ିଲେ । ଠିକ୍‌ ଏତିକିବେଳେ ସୁପ୍ରଭା ଟ୍ରେନ୍‌ ଯାତ୍ରା ଦିନ ପିନ୍ଧିଥିବା ବନାରସୀ ଶାଢ଼ୀ ଖଣ୍ଡିକ ପରିଧାନ କରି ଶରତ୍‌ବାବୁଙ୍କ ମୁହଁ ପାଖରେ ପଣନ୍ତ କାନିଟାକୁ ଦୋହଲାଇ କହିଲେ—ସେ ଦିନର ଅପରିଚିତା କ’ଣ ଠିକ୍‌ ଏହିପରି ଶାଢ଼ି ଖଣ୍ଡିଏ ପିନ୍ଧିଥିଲେ ? କାମାନ୍ଧ ଯୁବକଙ୍କୁ ଅନ୍ୟ କେହି ପରିଚୟ ଦେବା ଅପେକ୍ଷା ଜଡ଼ ମାନେହିଁ ବେଶି ଚିହ୍ନା ଦେଇଥାଆନ୍ତି । ଶରତ୍‌ବାବୁ ଆନନ୍ଦ ଓ ବିସ୍ମୟରେ ଜର୍ଜରିତ ହୋଇ ସୁପ୍ରଭା ଦେବୀଙ୍କ ମୁହଁକୁ ଚାହୁଁ ଚାହୁଁ ଅଣନିଶ୍ୱାସରେ କହି ପକାଇଲେ, ‘‘ତୁମେ ସେହି ମୋର ଜୀବନ ସର୍ବସ୍ୱ’’— । ତାଙ୍କର ତେଜୋହୀନ ରୁକ୍ଷ ଶରୀରଟା ପରଶମଣି ସ୍ପର୍ଶରେ ଲୁହା ସୁନା ପାଲଟିଲା ପରି ହଠାତ୍‌ ବଦଳି ଆସିଲା । ସେ ସୁପ୍ରଭା ଦେବୀଙ୍କୁ ଆଲିଙ୍ଗନ କରି ଖଟ ଉପରକୁ ଘେନି ଯିବାକୁ ଉଦ୍ୟତ ହେଲାବେଳେ ସୁପ୍ରଭା ଦେବୀ ମୃଦୁହାସ୍ୟ ସହକାରେ କହିଲେ, ‘‘ହେଇଟି ସାବଧାନ ମୁଁ ତୁମର ଧରମ ଭଉଣୀ ପରା ।’’ ଶରତ୍‌ବାବୁ ଅପରାଧୀଟି ପରି ଖୁବ୍‌ ବିନୀତ କଣ୍ଠରେ କହିଲେ, ସୁପ୍ରଭା ! ମତେ ଆଉ ଅଧିକ ଲଜ୍ଜା ଦିଅ ନାହିଁ । ମୋର ଜୀବନ ସର୍ବସ୍ୱକୁ ହାତ ମୁଠାରେ ରଖି ମୁଁ ଚତୁର୍ଦ୍ଦିଗରେ ଧନ୍ଦି ହୋଇଛି । ତୁମର ଏ ଲବଣୀ—କୋମଳ ଦେହରେ ଏଭଳି ଜଟିଳତା କିପରି ପ୍ରବେଶ କଲା ସୁପ୍ରଭା ! ତୁମେ ପାଖରେ ଥାଇ ମୋର ଅଜ୍ଞାନତାକୁ ଦୂର ନ କରି ଏତେ ସମୟ ଅପେକ୍ଷା କଲ ବା କିପରି ? ତୁମେ କ’ଣ ଭାବୁଛ । ତୁମ ବିନା ମୁଁ ବଞ୍ଚି ପାରି ଥାଆନ୍ତି ସୁପ୍ରଭା ?

 

ସୁପ୍ରଭା ନିଜର ସ୍ୱଭାବ ସୁଲଭ ହସ ହସ ମୁହଁରେ ଉତ୍ତର ଦେଲା, ବଞ୍ଚି ପାରିବନି କାହିଁକି ମ ? ମନଟାକୁ ବୁଝାଇ ଦେଉନା । ‘‘ଧରମ ଭଉଣୀ ପରା । ଛି—ଛି—ଏଗୁଡ଼ାକ କି କଥା-!!

 

ସୁପ୍ରଭା ଶରତବାବୁଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥାଏ ସତ, ମାତ୍ର ତା ପେଟ ଭିତରୁ ଏଭଳି ଆନନ୍ଦର ସ୍ରୋତ ଉଠୁଥାଏ, ଯହିଁରେ କି କଥା କହିବା ଶକ୍ତି ଥୟ ଧରି ପାରେ ନାହିଁ । ସେ କେବଳ ଅନ୍ତର ଭିତରେ ଠାକୁରଙ୍କୁ ଧନ୍ୟବାଦ ଜଣାଉଥାଏ ।

 

ଶରତବାବୁ ସୁପ୍ରଭାର ମୁଣ୍ଡରେ ହାତ ବୁଲାଉ ବୁଲାଉ କହିଲେ ସୁପ୍ରଭା ! ତୁମ ସହିତ ସାକ୍ଷାତ ବେଳରୁ ମତେ କେଉଁ ମନ୍ତ୍ରରେ ମୁଗ୍‌ଧକଲ କେଜାଣି, ମୁଁ ନିଜକୁ ସୁଦ୍ଧା ପାସୋରି ଦେଇଥିଲି । କେବଳ ଦିନରାତି ତୁମ ପ୍ରତିଚ୍ଛବିହିଁ ମୋ ଆଖି ଆଗରେ ନାଚି ଉଠୁଥିଲା । ଏଥି ମଧ୍ୟରେ ମୁଁ ଯାହା ସବୁ ଗରହିତ କାମମାନ କରି ଦେଇଛି, ସାରା ଜୀବନଯାକ ଚେଷ୍ଟା କଲେ ସୁଦ୍ଧା ତାହା ପୂରଣ କରି ପାରି ନ ଥାନ୍ତି । କିନ୍ତୁ ତୁମକୁ ହସ୍ତଗତ କରିବା ପରେ ମୋର ବିଶ୍ୱାସ ଯେ—ଖୁବ୍‌ ଅଳ୍ପ ସମୟ ଭିତରେ ସମସ୍ତ ଅଭାବଗୁଡ଼ିକୁ ମୁଁ ପୂରଣ କରିଦେବି !! ଆଚ୍ଛା ସୁପ୍ରଭା, ତୁମେ ମତେ ଏତେ ସମୟ ଯାଏଁ ଚିହ୍ନା ନ ଦେଲ କାହିଁକି କହିଲ ?

 

ସୁପ୍ରଭା ହସିହସି କହିଲା, ‘‘ମୋର ଶାରୀରିକ ଟିକିଏ ହେଲେ ପରିବର୍ତ୍ତନ ନ ଥାଇ ତୁମେ ଯେତେବେଳେ ଚିହ୍ନି ପାରିଲ ନାହିଁ, ତୁମର ସମ୍ପୂର୍ଣ୍ଣ ପରିବର୍ତ୍ତନରେ ମୁଁ ବା ଚିହ୍ନନ୍ତି କେମିତି ? ଶରତ୍‌ବାବୁ କହିଲେ, ‘‘ଠାକୁରଙ୍କର ଦୟା ନ ଥିଲେ ଏପରି ଘଟିବା କେବେ ସମ୍ଭବ ନୁହେଁ ।’’ ସୁପ୍ରଭା ହସି ହସି ଉତ୍ତର ଦେଲା, ‘‘ଠାକୁର ପରା କୁଆଡ଼େ ଜଡ଼ ପିତୁଳା ।’’ ତୁମେ ବି ମୋର ବାତୁଳ ମନ୍ତବ୍ୟ ଏତେ ଅଳ୍ପ ସମୟ ମଧ୍ୟରେ ଶୁଣିଗଲଣି କହି ଶରତ୍‌ବାବୁ ସୁପ୍ରଭାର ସୁକୋମଳ ମୁଖମଣ୍ଡଳଟିକୁ ନିଜର ଛାତି ଆଡ଼କୁ ଟାଣି ଆଣିଲେ....

 

(ଷୋହଳ)

 

ପାହାନ୍ତିଆ ତାରାଗୁଡ଼ିକ ନିଷ୍ପ୍ରଭ ହୋଇ ଆସିଥିଲେ ସୁଦ୍ଧା ସେତେବେଳକୁ ନିଜର ସ୍ଥିତି ଲୋପ କରିନାହାନ୍ତି । ଅତି ଚଞ୍ଚଳିଆ କୁଆ କେତୋଟା ବ୍ୟତୀତ ଅନ୍ୟାନ୍ୟ ପ୍ରଭାତ ଡାକୁଆ ପକ୍ଷୀଗୁଡ଼ିକ ପ୍ରାୟ ନୀଡ଼ ତ୍ୟାଗ କରି ନ ଥାନ୍ତି । ଅଚ୍ୟୁତପୁରଗାଁର ପହିଲିପାଳି ବୋହୂ ପର୍ଯ୍ୟନ୍ତ ବିଛଣା ଛାଡ଼ି ନାହାଁନ୍ତି—ଶରତ୍‌ବାବୁ ନୂଆସାହି ଆଡ଼େ ଚଲାବୁଲାକରି ଈଶରା ଦୁଆରେ ହାଜର । ‘‘ଈଶରା, ଈଶରା’’ ଶବ୍ଦ ଶୁଣି ଈଶରା ନିଦ ବାଉଳାରେ ଉଠି ଚାହିଁ ଦିଏତ ଶରତବାବୁ ତା’ର କଖାରୁ ଛାମୁଣ୍ଡିଆ ତଳେ ଠିଆ ହୋଇଛନ୍ତି । ସାନସାଉଙ୍କୁ ଦେଖିଦେବା ମାତ୍ରେ ଈଶରାର ହାତ ଗୋଡ଼ରେ କିଛି ପଡ଼ିଲା ନାହିଁ । ସେ ଆନନ୍ଦରେ ବିଭୋର ହୋଇ କହିଲା, ସାନସାଉ ! ମଟରକୁ ଯିବାପାଇଁ ଡାକୁଚନ୍ତି ତ ? ‘‘ମଟରକୁ ଯିବା କଥା ତ ପରେ ଦେଖିବା, କାଲି ବନାର ପଢ଼ାବିଷୟ କହୁଥିଲୁ—ଟିକିଏ ବୁଝିବାକୁ ଚାଲିଆସିଲି । ସେ କିପରି କ’ଣ ପଢ଼ୁଛି, ତିନିବର୍ଷ ହେଲା ମୁଁ କିଛିହେଲେ ଜାଣିପାରିନି ।’’

 

ଶରତ୍‌ବାବୁଙ୍କର ଏ କଅଁଳିଆ ଆଶ୍ୱାସନାମୂଳକ ପ୍ରଶ୍ନରେ ଈଶରାର ଛାତି ଭିତରଟା ଆନନ୍ଦରେ ପୂରି ଉଠିଲା । ସେ ତର ତର ହୋଇ ଶରତବାବୁଙ୍କ ଉଦ୍ଦେଶ୍ୟରେ ଚିରା ହେଁସ ଖଣ୍ଡିଏ ଆଣି ଦାଣ୍ଡ ଅଢ଼ଙ୍ଗରେ ବିଛାଇ ଦେଲା । ‘‘ନୂଆସାଇକୁ ଶରତବାବୁ ଆସିଛନ୍ତି’’, ଏ ଖବର ପାଇବାମାତ୍ରେ, ରାଧୁଆ, ବଳିଆ, ଭୀମା, ପ୍ରଭୃତି କେତେ ଲୋକ ଯେ ରୁଣ୍ଡ ହୋଇ ପଡ଼ିଲେ ତାର ହିସାବ ନାହିଁ । ଶରତ୍‌ ବାବୁ ପୂର୍ବରୀତିରେ ସମସ୍ତଙ୍କୁ ଭଲମନ୍ଦ ଖବର ପଚାରୁଥାଆନ୍ତି । ବନା ଆସି ହାଜର ହେବାପରେ ଶରତବାବୁ ଆଗ୍ରହର ସହିତ ବନାକୁ ନିଜ ପାଖକୁ ଟାଣିନେଇ ତାର ପଢ଼ାପଢ଼ି ସମ୍ୱନ୍ଧରେ ବହୁତ କଥା ପଚାରିଲେ । ଈଶରାକୁ ପାଖକୁ ଡାକି କହିଲେ, ‘‘ଦେଖ ଈଶରା ! ବନା ବି.ଏ. ଯାଏଁ ପଢ଼ିବ, ତୁମେ ତା ଉପରେ କିଛିହେଲେ ନିର୍ଭର କରନାହିଁ ।’’ ଈଶରା ହାତଯୋଡ଼ି କୃତକୃତ୍ୟ ହେଲାପରି କହିଲା, ‘‘ହଜୁରଙ୍କ ହୁକୁମରେତ ସେ ପଢ଼ୁଛି—ମୁଁ କାହିଁକି ତାକୁ ସେଥିରୁ ଛଡ଼େଇବି ।’’

 

ତାପରେ ଶରତ୍‌ବାବୁ ନୂଆସାଇର ଘର ଘର ବୁଲି ସମସ୍ତଙ୍କର ଅଭାବ ଅସୁବିଧାମାନ ପଚାରି ବୁଝୁଥାଆନ୍ତି—ଆବାଳ—ବୃଦ୍ଧ ବନୀତା ସମସ୍ତେ ଶରତ୍‌ବାବୁଙ୍କୁ ଦେଖି ତାଙ୍କ ସାଙ୍ଗରେ ଦୁଇପଦ କଥାବାର୍ତ୍ତା ହେବାରେ ଏତେ ଗୌରବାନ୍ୱିତ ହୁଅନ୍ତି ଯେ—ଆଉ କହିବାର ନାହିଁ । ‘‘ପରେ ଆଉ କେତେବେଳେ ଆସିବା କଥା କହି ଶରତ୍‌ବାବୁ ଯେତେବେଳେ ନିଜଘର ଆଡ଼କୁ ଆଗେଇଲେ ଈଶରା ମନେ ମନେ ଭାବୁଥାଏ ସାନସାଉ ଆଉ ଚାକିରୀ କରିବାକୁ ନ ଯାଆନ୍ତେ କି, ଏଗାଁରେ ସୁନାକୁକୁଡ଼ା ଉଡ଼ନ୍ତା ପରା ! ଠାକୁର କ’ଣ ଆମର ଗୁହାରୀ ବୁଝିବେ ! ସେ ବଡ଼ ହାକିମ ହୋଇଛନ୍ତି, ଏ ମଫସଲ ଜାଗାରେ ରହିବେ ବା କାହିଁକି ?

 

ଗତଦିନ ଶରତବାବୁ ଦଦେଇଙ୍କ ପ୍ରତି ଯେଉଁପରି ନିଷ୍ଠୁର ବ୍ୟବହାର ଦେଖାଇଛନ୍ତି ତା ମନେ ପଡ଼ିଗଲେ ସେ ଲଜ୍ଜିତ ହୋଇ ପଡ଼ନ୍ତି । ଦଦେଇଙ୍କୁ କିପରି କ୍ଷମା ପ୍ରାର୍ଥନା ମାଗି ସନ୍ତୁଷ୍ଟ କରିବେ ତାହାହିଁ ତାଙ୍କ ଭାବନାର ବିଷୟ !

 

ନାରଣଦାଶେ ଦାଣ୍ଡପିଣ୍ଡାରେ ବସି ଦାନ୍ତକାଠି ଖଣ୍ଡିକୁ ହାତଧରା ବାଡ଼ିରେ ଛେଚୁଚନ୍ତି । ବିଦୁ ନନାଙ୍କୁ ଦେବାଲାଗି ପାଣି ଢାଳଟାଏ ଧରି ଦାଣ୍ଡଦୁଆରେ ଠିଆ ହୋଇଛି । ହଠାତ୍‌ ଶରତ୍‌ବାବୁ ପିଣ୍ଡା ଉପରକୁ ଉଠିଆସି କହିଲେ—ଦଦେଇ ! ବିଦୁପାଇଁ ବରପାତ୍ର ବିଷୟରେ କାଲି ମତେ ଯାହା ପଚାରୁଥିଲ ମୁଁ କାହିଁକି ଧରାଛୁଆଁ ନ ଦେଲାପରି କହିଲି ବୁଝିପାରିଲ ନା ? ନାରଣ ଦାଶେ ଅପ୍ରତିଭ ହୋଇ ପଛକୁ ଲେଉଟି ଶରତ୍‌ବାବୁଙ୍କୁ ଚାହିଁ କହିଲେ ନାଇଁରେ ବାପା । ତୁ ଏଭଳି କାହିଁକି କହିଲୁ ମୁଁ କିଛିହେଲେ ଜାଣିପାରିଲିନି । ତତେ ଭରସା କରି ମୁଁ ଦମ୍ଭହୋଇ ବସିଥିଲି । କାଲି ତୋଠାରୁ ନିରାଶ କଥା ଶୁଣି ମୋ ମନଟା ରସାତଳରେ ପଡ଼ିଗଲା ।’’ ଶୁଣ ଦଦେଇ, ଏଇ ଦୁଷ୍ଟ ବିଦୁ ମୋ ନାଁରେ ଇଆଡ଼ୁ ସିଆଡ଼ୁ ଗୁଡ଼ାଏ କହିବାରୁ ମୁଁ ତା ଉପରେ ରାଗିଥିଲି । ସେତିକିବେଳେ ତୁମେ ପଚାରିଲ ମୁଁ ମିଛରେ ସେପରି କହିଦେଲିନା !! ଆଉ ମାସଟେ ଗଲେ ପରା ବିଭାଘର କରିବା ! ବିଦୁ ଦାଣ୍ଡଘର କବାଟ ଆଢ଼ୁଆଳରେ ଥାଇ ଶରତବାବୁଙ୍କୁ ଶୁଣାଇଲା ଭଳି ଥଟ୍ଟାରେ କହୁଥାଏ—ନିଜେ ତ ବାବାଜୀ ସେ କାହିଁକି ଅନ୍ୟମାନଙ୍କର ବିଭାଘର ଯୋଗାଡ଼ କରୁଛନ୍ତି କେଜାଣି-!!

 

ଶରତ୍‌ବାବୁ ଟିକିଏ ପିଲାଳିଆ ଭଙ୍ଗିରେ କହିଲେ, ଦଦେଇ ଦେଖ ଦେଖ—ବିଦୁ ମତେ କିପରି ବାବାଜୀ ଫାବାଜୀ ବୋଲି କହୁଚି !! ନାରଣ ଦାଶେ ଇଷତ୍‌ ହସିଦେଇ କହିଲେ, ‘‘ତୁ ବାପା ବାବାଜୀ ବେଶ୍‌ଟା ଆଜି ଛାଡ଼ିଦେଲୁ—ବିଦୁ ଯଦି ଆଉ ତତେ ଚିଡ଼େଇବ ତାହାହେଲେ ତାକୁ ଶାସ୍ତିଦେବା ।’’ ନା ଦଦେଇ ବିଦୁ ପାଇଁ ବରପାତ୍ର ନ କରିବା ଯାଏଁ ମୁଁ କ୍ଷିଅର ହେବି ନାହିଁ ବୋଲି ପ୍ରତିଜ୍ଞା କରିଛି ପରା ! ଶରତବାବୁ ଏ କଥା କହିଲାବେଳେ ବିଦୁ ତୁନି ତୁନି କହୁଥାଏ ମୋର ବିଭାହେବା ଦରକାର ନାହିଁ ପଛେ ତୁମେ ଏ ବାବାଜୀ ବେଶ ଆଗେ ଛାଡ଼ିଲ !

 

Unknown

ଶରତ୍‌ବାବୁଙ୍କ ମୁହଁରେ ହସ କୌତୁକ ଦେଖି, କେବଳ ବିଦୁ କାହିଁକି ଅନ୍ୟମାନେ ସୁଦ୍ଧା ଆଶ୍ଚର୍ଯ୍ୟ ହେଉଛନ୍ତି ଯେ—ହଠାତ୍‌ ୟାଙ୍କର ଭଙ୍ଗାମନଟା ଯୋଡ଼ିହେଲା କିପରି ? ଯେତେ ଚିନ୍ତା କଲେ ସୁଦ୍ଧା କିଏ କିଛି ବୁଝିପାରନ୍ତି ନାହିଁ । ଭିତରି ରହସ୍ୟଟା ସଂପୃକ୍ତ ବ୍ୟକ୍ତିଙ୍କ ଛଡ଼ା ଅନ୍ୟ କାହାକୁ ଆଦୌ ଜଣା ନ ଥାଏ ।

 

ଅନ୍ୟମାନେ ହୁଏତ ଧରିନେଲେ ଯେଉଁ ଭାବରେ ହେଉ ପଛେ ଭଲ ପିଲାଟା ଗ୍ରହଦୋଷରୁ ଖରାପ ହୋଇଯାଇଥିଲା, ପୁଣି ଗ୍ରହ ଟିକିଏ ସଳଖ ପଡ଼ିବାରୁ ବାଟକୁ ଆସିଯାଇଛି । ଆଉ କେତେକ ଭାବିଥିବେ ବୋହୂ ଆସି ଯିବାରୁ ହୁଏତ ମନଟା ପରିବର୍ତ୍ତନ ହୋଇଗଲା । କିନ୍ତୁ ବିଦୁ, ମୀରା, ହାରା ମିନୁ, ପ୍ରଭୃତି ଯେଉଁମାନେ ଜାଣିଛନ୍ତି ପୁଆଣିଘର ଦିନ ନୂଆବୋହୂ ସାଙ୍ଗରେ ଶରତବାବୁଙ୍କର ସମ୍ପର୍କ ନ ଥିବା କଥା, ସେମାନେ କେତେକେ ଓପର ଠାଉରିଆକରି କଥାଟାକୁ ବୁଝୁଥିବେ !! ଭିତରି ରହସ୍ୟଟା ଜାଣିବାପାଇଁ ତାଙ୍କ ପେଟ ଖାଲି ଘାଣ୍ଟି ଚକଟି ହେଉଥାଏ ।

 

ବିଦୁ ଗୋଟାଏ ଡିଆଁରେ ଯାଇ ନୂଆବୋହୂ ପାଖେ ହାଜର । ବିଦୁକୁ ଦେଖି ସୁପ୍ରଭାର ମୁହଁରୁ ସତେ ଯେପରି ସଜଫୁଟା ମଲ୍ଲିଫୁଲ ଗୁଡ଼ିକ ଝଡ଼ି ପଡ଼ୁଛି । ବିଦୁ କହିଲା, ରଖ ରଖ ତୁମ ହସ ହସ ମୁହଁ । ମଲ୍ଲିଫୁଲ ଦାନ୍ତ ଗୁଡ଼ାକୁ ଦେଖାଇ ପଛେ ହସିବ ଉପାୟ ବତେଇଦେବା ଲୋକ ମୁଁ—ତୁମେ ପୁଣି ମତେ ଟିକିଏ ହେଲେ ଖବର ଦେଉନ ? ଲୋକମାନେ ଭାରି ସ୍ୱାର୍ଥବାଦୀ । ନିଜର କାମ ସରିଲେ ପରକଥା ଯେପରି ତାଙ୍କ ମନରୁ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଏ ।’

 

ନାଇଁମ ବିଦୁ ! ନିଜ କାମ ସାଙ୍ଗେ ସାଙ୍ଗେ ତୁମ କାମତକ ନ କରି ମୁଁ ଛାଡ଼ିନି । ‘‘ଉଅ—କହିଲେ ପୁଅ’’ କୁଠୁ ବା ଆସିବ ! ଆଉ ମାସେ ଖଣ୍ଡେ ଟିକିଏ ଧୈର୍ଯ୍ୟଧର !! ତୁମ ବିଷୟ ଆଗେ ଠିକ୍‌କରିବା ପରେ ଆଉ ଯାହା....ଖାଲି ତୁମେତ ନୁହେଁ ତୁମପରି ଯେତେଜଣ ଭୋକିଲା ପେଟରେ ପଡ଼ି ଚାରିଆଡ଼କୁ ହାତବୁଲାଉଚନ୍ତି, ସେମାନଙ୍କ କଥା ମଧ୍ୟ ସ୍ଥିର ହୋଇଯାଇଛି ।

 

ବିଦୁ ହସି ହସି ଉତ୍ତରଦେଲା, ‘‘ନୂଆ ବୋହୂ ! ତୁମ ହାତ ପାଖରେ ଖାଦ୍ୟ ଥିଲା ବୋଲି ତୁମେ ସିନା ଦରାଣ୍ଡୁ ଦରାଣ୍ଡୁ ପାଇଲ—ଆମେ ସବୁ ହାତ ବୁଲାଇଲେ ମଧ୍ୟ କୁଆଡ଼ୁ ପାଇବୁ !!’’

 

ବିଦୂର ଗାଲରେ କଅଁଳିଆ ହାତର ପରଶ ଦେଇ ସୁପ୍ରଭା କହିଲା, ‘‘ଆଉ ମାସୁଟିଏ ଅପେକ୍ଷା କର—ତାପରେ.....

 

ହଉ ଆମ ବିଷୟ ପରେ ବୁଝିବା—ଆଗେ ତୁମକଥା କ’ଣ ହେଲା କହିଲ— ? ‘‘ଆଉ ହେବ କ’ଣ । ତୁମେ ଭାଇ ଭଉଣୀ ସମସ୍ତେତ ଆଖିଥାଇ ଅନ୍ଧ । ମୋପରି ଡାକ୍ତରର ଚିକିତ୍ସାରେ ବେଶ୍‌ ଆଖି ଖୋଲିଗଲା ।’’ ବିଦୁ କହିଲା ତାପରେ.... ?

 

ତା ପରେ....ଯାହା—ମାସକ ପରେ ଜାଣିବ !!

 

ତୁମେ ପକ୍‌କା ଶିକାରୀ ନୂଆବୋହୂ....ନୁହେଁ ??

 

(ସତର)

 

ଈଶରା କାଲିଠାରୁ ଜାଣିଛି ସାନ ସାଉ ମଟରକୁ ଯିବେ । ସେ ତରତର ହୋଇ ବାସିକାମ ସାରି ଆସି ହାଜର । ବୁଢ଼ୀସାଉଆଣୀଙ୍କ ଠାରୁ ବୁଝିଲାବେଳକୁ ଶରତ୍‌ବାବୁଙ୍କର ଦେଖାସାକ୍ଷାତ ନାହିଁ । ବୁଢ଼ୀସାଉଆଣୀ କହିଲେ ଈଶରା—ତୁ ଶରତ୍‌ର ମନେପକାନା ଗାଡ଼ିକୁ ଯିବା କଥା—ଆମର ଚାକିରୀ କ’ଣ ହେବ ? କୋଉ କୁଟୁମ୍ବ ଭାସି ଯାଉଛନ୍ତି ଯେ—

 

ବୁଢ଼ୀସାଉଆଣୀଙ୍କର କଥାରେ ଈଶରାର ମୁହଁଟା ଉଜ୍ଜ୍ୱଳ ହୋଇ ଆସିଲା—ସେ ଜୋରରେ ନିଶ୍ୱାସଟାଏ ମାରି କହିଲା, ‘‘ଠାକୁର ସେତକ କରେଇ ଦିଅନ୍ତେକି,—ଏ ଗାଁ ସୁନା ପାଲଟି ଯାଆନ୍ତା !!’’ ହଉ ମୁଁ ବାରମାଣକୁ ନଡ଼ାକାଟି ଯାଉଛି, କହି ଈଶରା ଦାଆ ଖଣ୍ଡେ ଧରି ଗଲାବେଳକୁ ଭଙ୍ଗା ଦେଉଳ ପାଖରେ ଗାଁ ଗୋଟାକର ଲୋକ ଜମା ହୋଇଥିବାର ଦେଖିଲା । ଈଶରା ଚାଲ ଚାଲ ହୋଇ ଦେଉଳ ଆଡ଼େ ଦି ପାହୁଣ୍ଡ ଯାଇ ଚାହିଁ ଦିଏତ ସାନସାଉ ଠାକୁରାଣୀ ଦେଉଳ ଉପରୁ ଗଛ ଲଟା ସଫା କରିବାରେ ଲାଗିଛନ୍ତି । ଆଉ ସମସ୍ତେ କିଏ କୋଉ କାମରେ ବ୍ୟସ୍ତ । ଈଶରା ଶରତ୍‌ବାବୁଙ୍କ ନାଁରେ ଠାକୁରାଣୀଙ୍କୁ ମୁଣ୍ଡିଆଟିଏ ମାରି ତା ବାଟ ଧଇଲା ।

 

X X X

 

ଦିନ ପରେ ଦିନ ଗଡ଼ି ଚାଲିଛି । ଆଠଟା ଦିନ ମଧ୍ୟରେ ଅଚ୍ୟୁତପୁର ଗାଁ ଭିତରେ ଟିକିଏ ଅଳିଆ ଆବର୍ଜନା ଦେଖେ କିଏ ? ଯାହା ମୁଖରୁ ଶୁଣିବ ଶରତ୍‌ବାବୁଙ୍କ ପ୍ରଶଂସା । ନାରଣଦାଶେ କହନ୍ତି—ଏ ଗାଁର ପୁଅ ନୁହେଁ, ଶରତ୍‌ ଗୋଟିଏ କୁଳଚନ୍ଦ୍ରମା । ବର୍ଷ ଦି ତିନିଟା ପିଲାଟାକୁ ରାହୁ ମହାଦଶା ଗ୍ରାସ କରି ରଖିଥିଲା ।

 

ସମସ୍ତେ ଜାଣନ୍ତି ଚାକିରୀ କଥା ଶରତ୍‌ର ସ୍ମରଣ ନାହିଁ । ମାତ୍ର ତା ହେବ କାହିଁକି ? ଶରତ୍‌ବାବୁ ଯଥା ସମୟରେ ତାଙ୍କର ଇସ୍ତଫା ଖଣ୍ଡିକ ଲେଖି ନିର୍ଦ୍ଦିଷ୍ଟ ସ୍ଥାନକୁ ପଠାଇ ଦେଇଛନ୍ତି ।

 

ଏଇ ଦୁଇ ତିନି ମାସ ଭିତରେ ସାଙ୍ଗ ସାଥିମାନଙ୍କ ପାଖରୁ ଦୈନିକ ପୁଳାଏ ଲେଖାଏଁ ଚିଠି ଶରତ୍‌ବାବୁଙ୍କ ପାଖକୁ ଆସେ । ମାତ୍ର ଶରତ୍‌ବାବୁ ସେଗୁଡ଼ିକର ଉତ୍ତର ଦେବା ଦୂରେ ଥାଉ ଚିଠିଗୁଡ଼ିକୁ ପଢ଼ିନାହାଁନ୍ତି ମଧ୍ୟ । ଏବେ ରାତି ଅଧ ଯାଏଁ କେବଳ ତାଙ୍କର ଚିଠିପତ୍ର ଲେଖା ଚାଲିଥାଏ । ଶରତ୍‌ବାବୁଙ୍କର ବହୁତ ସାଙ୍ଗ ସାଥି ଅଚ୍ୟୁତପୁରକୁ ଆସି ସପ୍ତାହ ସପ୍ତାହ ଧରି ରହନ୍ତି ଏବଂ ଶରତ୍‌ବାବୁଙ୍କର ଗ୍ରାମ ସଂଗଠନ ପ୍ରଣାଳୀ ଦେଖି ଖୁବ୍‌ ଖୁସି ହୁଅନ୍ତି ।

 

ମିହିରବାବୁ ଅଚ୍ୟୁତପୁରକୁ ଆସି ଶରତ୍‌ବାବୁଙ୍କ ଘରେ ତିନି ଚାରି ଦିନ ରହିବା ପରେ ଦିନେ କଥାପ୍ରସଙ୍ଗରେ ପଚାରିଲେ, ଶରତ୍‌ଡେପୁଟି ପୋଷ୍ଟଟା ଛାଡ଼ି ଦେଲୁନା କ’ଣ ? ‘‘ଆଚ୍ଛା ମିହିର ! ତୁ କ’ଣ ବିଶ୍ୱାସ କରିଥିଲୁ ମୁଁ ଚାକିରି କରିବି ବୋଲି ?’’

 

ଆରେ ମଣିଷର ପରିବର୍ତ୍ତନ ତ—ମୁଁ ଯେତେବେଳେ ଓଡ଼ିଶା ଗେଜେଟରୁ ଦେଖିଲି ଶରତ୍‌ଚନ୍ଦ୍ର ଦାସ ଆଇ. ଏ. ଏସ୍‌. ଢେଙ୍କାନାଳର ଡେପୁଟି ମାଜିଷ୍ଟ୍ରେଟ ହେଲେ, ଅବିଶ୍ୱାସ କରନ୍ତି କିପରି ? ବିଚାରିଲି ନୀତି ବୋଧହୁଏ ପରିବର୍ତ୍ତନ କଲା । ମଣିଷ ମନ ତ, ଘଡ଼ିକେ ଘୋଡ଼ାପରି ଛୁଟେ ।

 

ବୁଝୁନୁ ମିହିର ! ଆମେମାନେ ଯଦି ଚାକିରି କରିବା ତେବେ ବେକାର ସମସ୍ୟା ବଢ଼ିବ ସିନା । ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ଚଳିଯିବା ଉପାୟ ଯାହାର ଅଛି, ସେ ଚାକିରି କରି ଅନ୍ୟ ଜଣଙ୍କର ଦାନାରେ ବାଧାଦେବା ଅନ୍ୟାୟ ନୁହେଁ କି ? ତା ଛଡ଼ା ଚାକିରିଟାକୁ ଏତେ ଛୋଟ ଦୃଷ୍ଟିରେ ନ ଦେଖି ଯଦି ଦେଶ ସେବା ଆଦି ଉଚ୍ଚ ମର୍ମରେ ଦେଖାଯାଏ—ତେବେ ସେଭଳି ଦେଶସେବାର ଅର୍ଥ ବି କିଛିନାହିଁ । ନିଜ ଘର, ନିଜ ଗାଁ, ନିଜ ଅଞ୍ଚଳ ଫାଙ୍କା ପଡ଼ିଥିବ, ଏଣେ ଟଙ୍କାପାଇଁ ଦେଶ ସେବକ ନାଁରେ ନିଜକୁ ବୋଲେଇ ହେବା ପ୍ରବଞ୍ଚନା ଛଡ଼ା ଆଉ କ’ଣ ହୋଇପାରେ ! ‘‘ନା ନା ଶରତ ଚାକିରିଟାକୁ ସେଭଳି ଭାବୁଛୁ କାହିଁକି ! ସମସ୍ତେ ଯଦି ତୋ ମତକୁ ସମର୍ଥନ କରନ୍ତି, ତେବେ ଆଡ୍‌ମିନିଷ୍ଟ୍ରେସନଟା ଚଳିବ ବା କିପରି ? ତୁ ଭୁଲ ବୁଝିଲୁ ମିହିର—ମୋ ଧାରଣା ଯଦି ପ୍ରତ୍ୟେକ ଗାଁରେ କାର୍ଯ୍ୟକାରୀ ହୁଏ ତେବେ ବେତନ ପ୍ରାପ୍ତ କର୍ମଚାରୀଙ୍କର ଆବଶ୍ୟକତା ମୋଟେ ରହିବନି ଯେ— । ଅବଶ୍ୟ ଏହା କାର୍ଯ୍ୟକାରୀ ହେବା ନ ହେବା ଅଲଗା କଥା ।

 

ମିହିରବାବୁ ହସି ହସି କହିଲେ—ଏହାଭିତରେ ଶ୍ରୀମତୀଙ୍କୁ ପାଇବା ଦିନଠୁଁ କିପରି କ’ଣ ଯୋଜନା କରିଛୁ ଟିକିଏ କହିଲୁ ଶୁଣିବା ହେଲେ । ଶୁଣୁଥିଲି ମଝିରେ କୁଆଡ଼େ ନିଶ ଦାଢ଼ି ରଖି ବାବାଜୀ ସାଜିଥିଲୁ । ପୁଣି କେତେ ଶୀଘ୍ର ଗ୍ରାମ ସଂଗଠକ ପାଲଟି ଗଲୁଣି !!

 

ହଁ ବାବାଜୀ ହେବା ବିଷୟ—ସେ ତ ଅନେକ କଥା—ଯୋଜନା ସଂପର୍କରେ ଶୁଣିବୁ ପରା । ବେଶ୍‌ ଆଜି ଆମର ଗାଁ କମିଟି ତରଫରୁ ସଭା ହେବ ଶୁଣିବୁ । ତୁ ଚାକିରି ବାକିରି ଆଦରିଲୁଣି ନା କ’ଣ । ସେ ସପକ୍ଷରେ ଭଲ ଯୁକ୍ତି ତ କରୁଛୁ !! ହେଇଟି ତୁ ଯଦି ଚାକିରି କରୁ ତେବେ ମୋର ଯୋଜନା ତ ପ୍ରଥମରୁ ଭାଙ୍ଗିବ । ମାତ୍ର ତୋ ମତ ପରିବର୍ତ୍ତନ ଇଲାଜ ମୋପାଖରେ ଅଛି ଯେ—

 

ଶରତ୍‌ବାବୁ ଆଉ ମିହିରବାବୁଙ୍କ କଥୋପକଥନବେଳେ ଦାସିଆ ଗଉଡ଼ ଖବରଦେଲା ବାବୁ । ‘‘ବୁଢ଼ାସାଉ ଆପଣଙ୍କୁ ଡାକୁଛନ୍ତି । ଦେଦେଇ ନାରଣଦାଶଙ୍କ ଡକରାପାଇ ଶରତବାବୁ ତର ତର ହୋଇ ଚାଲିଗଲେ । ମିହିରବାବୁଙ୍କୁ ସାଙ୍ଗରେ ନେବା ଅନ୍ୟ କାରଣରୁ ପସନ୍ଦ କଲେ ନାହିଁ ।

 

ନାରଣଦାଶେ କହିଲେ, ହଇରେ ଶରତ ! ତୁ—ତ ଏଣେ ଗାଁ କାମ, ତେଣେ ଚାକିରି କରିବାରେ ଲାଗିଲୁ, ଦଣ୍ଡେ ଅବସର ପାଉନୁ । ମୁଁ ନିଜେ ତୋ କାମ ଦେଖୁଚି, ଆଉ କହିବି କିମିତି । ଏ କାମଠାରୁ ସେ କଥାଟା ତ ବଡ଼ ନୁହେଁ । ବିଦୁ ପାଇଁ ଗୋଟିଏ ପ୍ରସଙ୍ଗ ଆସିଥିଲା ଯେ—ପାତ୍ରଟି ଏନ୍‌ଟ୍ରାନ୍‌ସ ପାଶ୍‌ କରିଛି, ଜମି ପାଞ୍ଚ ଛଅ ଏକର ବି ଅଛି । ୟା ସବୁ ଭଲ ଯେ—ମାତ୍ର ଗୁଡ଼ାଏ ଟଙ୍କାତ ଧରି ବସୁଚି, ଦୁଇ ତିନି ହଜାର ହୋଇ ଥାଆନ୍ତା କି ଯାହାହେଉ କରି ଦିଅନ୍ତେ । ଛଅ ସାତ ହଜାର କିଏ କିପରି ପୂରଣ କରିବ ।

 

ଶରତ୍‌ବାବୁ—ଦଦେଇଙ୍କ କଥା ଉପରେ କଥା ଦେଇ କହିଲେ, ‘‘ଦଦେଇ ଦୁଇ ତିନି ହଜାର ଟଙ୍କା କଥା ଛାଡ଼ି ଦୁଇ ତିନି ପଇସା ଯଦି ସେ ଦାବି କରେ ତେବେ ବି ଦେବା ଉଚିତ ନୁହେଁ-। କାରଣ ତୁମର ଟଙ୍କା ଅଛି ତୁମ ଝିଅ ପାଇଁ ଦେଇପାରିବ, କିନ୍ତୁ ଏ ଘଟଣାଟା ସମାଜ ଉପରେ କିପରି ପ୍ରଭାବ ପକାଇବ ଜାଣିଚତ ? ସମସ୍ତେ କହିବେ, ଅମୁକ ଲୋକ ଜ୍ୱାଇଁଙ୍କୁ ଏତେ ଦେଲା-। ତୁମେ ନ ଦେବ କାହିଁକି ? ଫଳରେ ଅନେକ ଝିଅ ବାଡ଼ୁଅ ରହିଯିବେ । ଟଙ୍କା ପଇସା ଦେବାନେବା କଥା ତ ଅଲଗା—କନ୍ୟାଘରୁ ଯେଉଁମାନେ ଟଙ୍କା ଦାବୀ କରନ୍ତି ସେମାନଙ୍କ ସହିତ ବନ୍ଧୁତା କରିବା ଆଦୌ ଉଚିତ ନୁହେଁ—ସେହିମାନେହିଁ ସମାଜର ଶତ୍ରୁ । ସମାଜ ଉଡ଼ି ଯାଉ ବୁଡ଼ି ଯାଉ ତାଙ୍କର କିଛି ଯାଏ ଆସେ ନାହିଁ । ଏଇ ହୀନ ପ୍ରଥାକୁ ମୂଳକରି ଆମ ସମାଜରେ କେତେ ଝିଅ ଘର କୋଣରେ ରହି ସଢ଼ୁଛନ୍ତି ଏବଂ ସମାଜ ସେମାନଙ୍କୁ କିପରି ତାଡ଼ନା ଦେଉଛି ତାହା ଭାବିବାକୁ ଏମାନେ ଚେଷ୍ଟାବି କରୁ ନାହାଁନ୍ତି ।

 

ଶରତବାବୁ ହସି ହସି କହିଲେ, ତୁମେ ଜାଣିବା ପାଇଁ ଏ କଥା ସବୁ କହିଲି ସିନା । ବିଦୁ ଲାଗି ବର ମୋ ହାତରେ ବନ୍ଧା ହୋଇ ରହିଛି । ତୁମର ହଜାର ହଜାର ଟଙ୍କା ଦାବୀ କରୁଥିବା ଜ୍ୱାଇଁ ଏ ବିନା ଦାବୀ ଜ୍ୱାଇଁର ପାସଙ୍ଗରେ ସୁଦ୍ଧା ପଡ଼ିବନି ।

 

ନାରଣ ଦାଶେ ଘଡ଼ିଏଯାଏ କିଛି ଧାରଣା କରିପାରିଲେନି । ତା’ପରେ ଆନନ୍ଦ ଗଦ୍‌ଗଦ୍‌ କଣ୍ଠରେ ପଚାରିଲେ, ଆରେ ପାଗଳା ସତ କହୁଚୁ ନା ମିଛ ? ‘ଦଦେଇ ମୁଁ କ’ଣ ତୁମ ଆଗରେ କେତେବେଳେ ହେଲେ ମିଛ କହେ ? କେବଳ ବିଦୁ ପାଇଁ ନୁହେଁ, ମୀରା, ହୀରା, ମଣି, ଶଶୀ, ନୀରୁ ଆଦି ସମସ୍ତଙ୍କ ପାଇଁ ପାତ୍ର ଠିକକରି ରଖିଛି । ମୋ ଭରସାରେ ଏମାନେ ବାଲ୍ୟକନ୍ୟା ବିବାହ ପ୍ରଥାକୁ ଯେତେବେଳେ ଲଂଘନ କରିଛନ୍ତି ମୁଁ ସେତେକ ନ କରନ୍ତି କିପରି ?’’

 

ଆଚ୍ଛା ବାପା, ତେବେ ଟିକିଏ ପାତ୍ରଟିକୁ କିପରି ଦେଖି ଦେଲେ ନିର୍ବନ୍ଧଟା କରି ଦିଅନ୍ତେ । ତୁ ଦେଖିବୁ—ମୋର ତିଳେ ହେଲେ ସନ୍ଦେହ ନାହିଁ । ମାତ୍ର ମନଟା ଭାରି ଚଞ୍ଚଳ ହେଉଛି ପରା । ଏତକ ହେବ ବୋଲି ମୋର ମନେ ନ ଥିଲା । ‘‘ନା ! ଦଦେଇ ତୁମେ ବ୍ୟସ୍ତ ହୁଅନି । ଯେଉଁ ମୁହୂର୍ତ୍ତରେ ଜ୍ୱାଇଁ ଦେଖିବାକୁ ଇଚ୍ଛା କରିବ ସେଇ ମୁହୂର୍ତ୍ତରେ ଦେଖାଇ ଦେବି ।’’ ଦାଶେ ଅବାକ୍‌ ହୋଇ ମନକୁ ମନ ବିଚାରିଲେ ଶରତ କ’ଣ ତାହାହେଲେ ଏଇ ବାବୁଟିକୁ ଠିକଣା କରିଛି । ନା ନା ସେ କେଡ଼େ ଘରର ପିଲା ହୋଇଥିବ ! ପୁଣି ପୁରୀ ଷୋଳ ଶାସନରେ ତା’ର ଘର, ସେ ଆମ ଦାଶ ଘରେ ବନ୍ଧୁ କରିବା !!

 

ଶରତବାବୁ ଜ୍ୱାଇଁକୁ ଯେତେବେଳେ ଇଚ୍ଛା ସେତେବେଳେ ଦେଖାଇ ଦେଇ ପାରିବା କଥା କହିବା ବେଳୁ ବିଦୁର ବାଁ ଆଖିଟା ଖାଲି ଡେଉଁଥାଏ । ସେ ମନେ ମନେ ବିଚାରୁଥାଏ ଠାକୁର ସତେ ମୋ ଉପରେ ଏତେ ଦୟା କରିବେ ? ମିହିର ବାବୁଙ୍କ ଭଳି ଜଣେ ଲୋକକୁ ପାଇବା ଭାଗ୍ୟ ମୋରବା କୁଠୁଁ ଆସିବ । ଶରତଭାଇ ଆଉ ଜଣେ କାହାକୁ ହୁଏତ ଠିକ୍‌ କରିଥିବେ !!

 

ଶରତ ଏତେ ସମୟ ତେଣେ କୁଆଡ଼େ ରହିଲୁ ମ ?

 

ଦଦେଇ ଡାକିଥିଲେ ପରା—ତାଙ୍କ ସାଙ୍ଗରେ କଥାବାର୍ତ୍ତା ଶେଷ ନ କରି ଆସିବା ସୁବିଧା କାହିଁ ? ‘‘ତୋର ଦଦେଇ କିଏ ମୁଁ ତ ଦେଖିନି ।’’ ଦେଖିଚୁ ଯେ—ଚିହ୍ନି ନାହୁଁ । ‘‘ଆରେ ହଁ ହଁ ସେଇ ଗୋରାବୁଢ଼ା ଜଣକ କି ? ବିଦୁର ନନାଟି ?’’ ଠିକ୍‌ ତ ଦେଖିଚୁ ଆଉ ଚିହ୍ନିଚୁ ମଧ୍ୟ !

 

ସତରେ ଶରତ ବିଦୁଟି ଭାରି ଭଲ ପିଲା । ତା’ର ବ୍ୟବହାରଟି ଯେପରି ଶିକ୍ଷା ଦୀକ୍ଷା ତଦ୍ରୁପ । ତୁ କିଛି ମନେ କରନା—ଏଭଳି ସୁନ୍ଦରୀ ଝିଅଟିଏ ମୁଁ କେଉଁଠାରେ ହେଲେ ଦେଖିନି । ହେଃ—ନିତ୍ୟାନ୍ତ ବାଜେ କଥା ଗୁଡ଼ାଏ ତୁ କହୁଛୁ ମିହିର ! ତୁମ ଶାସନୀ ବ୍ରାହ୍ମଣ ଘରମାନଙ୍କରେ ଏହାଠାରୁ ସହସ୍ର ଗୁଣରେ ଭଲ ଝିଅ ଥିବେ ପଛେ ।

 

ନା ନା ମୋଟେ ନୁହେଁ ତୋ ଧାରଣା ଭୁଲ, ବିଦୁ ପରି ଝିଅଟିଏ ଆମ ଷୋଳ ଶାସନ ଛାଡ଼ି ସମଗ୍ର ଜିଲାଟାଯାକ ଖୋଜିଲେ ବି ମିଳିବ ନି । ‘‘ତେବେ ମିହିର ! ତୁ କ’ଣ ବିଦୁକୁ ପସନ୍ଦ କରୁଚୁ ?’’ ନ କରିବି କାହିଁକି ? ଆଚ୍ଛା—ମୁଁ ଏ ଦିଗରେ ଆଗେଇ ବି ତ ? ମାନେ ? ମାନେ କ’ଣ ଆଉରି ଅବୁଝା ରହିଲା ? ମିହିରବାବୁ ଟିକିଏ ହସି ଦେଇ କହିଲେ, ଅବୁଝା ନୁହେ ଯେ— !! ବେଶ୍‌ ତାହାହେଲେ ମୋ କଣ୍ଡିସନ ଶୁଣୁ ! ବିଦୁକୁ ଯେ ବିବାହ ହେବ ସେ ଆମ ସଂଗଠନର ଜଣେ ସଦସ୍ୟ ହେବା ଦରକାର ଏବଂ ଆମ ସଂଗଠନର ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ଲାଗିବା ଦରକାର । ମିହିର ବାବୁ କହିଲେ ତା ନ ହୋଇଥିଲେ ସୁଦ୍ଧା ମୁଁ କଣ ତୋ ସଂଗଠନକୁ ସମର୍ଥନ କରୁ ନ ଥିଲି ନା କ’ଣ ! ମୁଁ ପରା ସେଇଦିନ ଠାରୁ ସ୍ଥିର କରିଛି ତୋ ସଂଗଠନର ଜଣେ ସଭ୍ୟ ହେବି ବୋଲି ।

 

ମାଘମାସ ପ୍ରଚଣ୍ଡ ଥଣ୍ଡା ପଡ଼ୁଥିବା ହେତୁ, ଗୋଡ଼ ହାତ ଲୋଚାହୋଇ ଯାଉଛି । ସୂର୍ଯ୍ୟ ଅସ୍ତ ହେଉ ହେଉ ନାରଣ ଦାଶେ ଉମ୍‌ହେଇରେ ନିଆଁ ଗୁଡ଼ିଏ ଧରି ଦାଣ୍ଡ ଘର ବାରଣ୍ଡାରେ ବସିଛନ୍ତି । ମିହିର ବାବୁଙ୍କୁ ସାଙ୍ଗରେ ନେଇ ଶରତବାବୁ ଦଦେଇଙ୍କ ପାଖରେ ହାଜର ହୋଇଗଲେ ଏବଂ ମିହିରବାବୁଙ୍କ ହାତଟାକୁ ଧରି କହିଲେ, ଦଦେଇ ହେଇଟି ତୁମର ଜ୍ୱାଇଁକୁ ଦେଖ । ଶରତବାବୁ ଏତେ ଶୀଘ୍ର କଥାଟା ପ୍ରଘଟ କରି ଦେବେ ବୋଲି ମିହିରବାବୁ ଆଦୌ ଜାଣି ନ ଥିଲେ । ଫଳରେ ଟିକିଏ ଲଜ୍ଜିତ ହୋଇ ପଡ଼ିଲେ, ତଥାପି ନାରଣ ଦାଶଙ୍କର ପ୍ରଶ୍ନର ଉତ୍ତରଗୁଡ଼ିକ ବାଧ୍ୟ ହୋଇ ଦେଉ ଥାଆନ୍ତି ।

 

ନାରଣ ଦାଶେ ଝିଅ ପାଇଁ ହଠାତ୍‌ ଉପଯୁକ୍ତ ପାତ୍ରଟିଏ ଆଖି ଆଗରେ ପାଇ ଆନନ୍ଦ ବିଭୋର ହୋଇ ପଡ଼ୁ ଥାଆନ୍ତି ।

 

ଶରତବାବୁ କିଛିକ୍ଷଣ ନୀରବ ରହିବା ପରେ କହିଲେ, ହଁ ଦଦେଇ ! ବିଦୁ ବିବାହରେ ଉଣା ଅଧିକେ ଦଶ ହଜାର ଟଙ୍କା ଖର୍ଚ୍ଚ ହୋଇ ଥାଆନ୍ତା । ଜ୍ୱାଇଁଟିଏ ତ ଅନ୍ତତଃ ପାଞ୍ଚ ହଜାରରୁ କମ୍‌ରେ କିଣି ହୁଅନ୍ତା ନାହିଁ । ତା ଛଡ଼ା ଦେବାନେବା, ଭୋଜି, ଭାତ, ବାଣ, ପଟୁଆର ଆଦି ଅନ୍ୟାନ୍ୟ ବାବଦରେ ପାଞ୍ଚ ହଜାର ବି ଯାଆନ୍ତା । ଏବେ ତ ମାହାଳିଆ ଜୋଇଁଟାଏ ମିଳିଗଲା । ଏ ଜୋଇଁକୁ ବିବାହ ଦେବାରେ ଆଉ ପଇସାଟିଏ ସୁଦ୍ଧା ଖର୍ଚ୍ଚ ନ କଲେ ଚଳିବ କିନ୍ତୁ ସେଇ ଟଙ୍କାଗୁଡ଼ାକ ଯଦି ଆମ ଗ୍ରାମ ସମିତିକୁ ଦେଇ ଦିଅନ୍ତେ ତେବେ ଆମ ନୂଆ ଅନୁଷ୍ଠାନଟିର ବହୁ ଉପକାର ହୁଅନ୍ତା ନି ? ଶରତବାବୁଙ୍କ କଥାରେ ନାରଣ ଦାଶେ ହସ ହସ ହୋଇ କହିଲେ, ଆରେ ଚଗଲା, ତୁ ତ ଆଚ୍ଛା କଥା କହୁଛୁ, ମୋ ଝିଅକୁ ଖାଲି ଖାଲିରେ ବିବାହ ଦେବି କିପରି ? ମତେ ଲୋକେ କଣ କହିବେ !

 

ଦଦେଇ ଲୋକେ କିଛି କହିବେନି । ପ୍ରଥମେ ଟିକିଏ ଟୁପୁଟାପ ହୋଇ ପାରନ୍ତି ତା ପରେ ଭାରି ପସନ୍ଦ କରିବେ । ତୁମେ ଦେଖିବ ମୁଁ ଗୋଟିଏ ଫୁଲମାଳରେ ତୁମ ଦଶ ହଜାର ଟଙ୍କାର କାମ ଶେଷ କରିଦେବି । ‘‘ତୁ, ତ ଗୋଟାଏ ପାଗଳା ମୁଁ ଏବେ ତୋ କଥାରେ କ’ଣ ଉତ୍ତର ଦେବି ଆଚ୍ଛା ତୋ ଇଚ୍ଛା କ’ଣ କରୁଚୁ କର !!’’

 

ନା—ନା ଦଦେଇ ତୁମେ ଅସନ୍ତୁଷ୍ଟ ହୋଇ ମୋ ପ୍ରସ୍ତାବରେ ଯଦି ରାଜି ହେଉଥାଅ ତେବେ ସେଥିରେ ମୋର ଦରକାର ନାହିଁ । ଜ୍ୱାଇଁ କରିବା ଭାର ମୋ ଉପରେ ଥିଲା ମୁଁ ତାହା କରିଦେଇଛି, ତୁମ ଇଚ୍ଛାମତେ କାମ ହେବା ଉଚିତ । ମାତ୍ର ମୁଁ କହୁଥିଲି ଏଇ ଦୃଷ୍ଟିରୁ ଯେ—ଆମ ସମାଜରେ ଲୋକେ ନ ବୁଝି ବୃଥା ବ୍ୟୟ ଅନେକ କରିଦେଇ ଥାଆନ୍ତି । ଏ ବୃଥା ବ୍ୟୟଗୁଡ଼ିକ ଗୋଟାଏ ଯଥାର୍ଥ କାମରେ ଲାଗି ପାରିଲେ ସମାଜର ବହୁତ ମଙ୍ଗଳ ହୁଅନ୍ତା । ସେଥିଯୋଗୁଁ ଏ ଦିଗରେ ତୁମକୁ ହିଁ ପ୍ରଥମ ନିବେଦନ କରୁଥିଲି ।

 

ନାରଣ ଦାଶେ ଶରତବାବୁଙ୍କ ପିଠିରେ ହାତ ବୁଲେଇ ବୁଲେଇ କହିଲେ, ବୁଝିଲୁ ବାବୁ–ତୋ ପ୍ରସ୍ତାବରେ ମୁଁ କି ଛାର, ଠାକୁର ସୁଦ୍ଧା ରାଜି ହୋଇଯିବେ । ମୁଁ ଜାଣିଚି ତୁମମାନଙ୍କର ମନର ଗତି କ’ଣ । ତେଣୁ ମୋର ଅସନ୍ତୋଷର କିଛି କାରଣ ନାହିଁ । ତୋ ଭାବନା ଆଜି ମୁଁ ପୂରଣ କରି ଦେଉଛି । ଟଙ୍କା ନେଇ ଗାଁ କାମରେ ଖଟେଇବୁ ତ, ନେ । ସେଇ ବିଦୁ ଲାଗି ଟଙ୍କା କେତୋଟି ରଖିଥିଲି, ବିଦୁର ଦାୟିତ୍ୱ ତୋ ଉପରେ ଛାଡ଼ିଦେବା ପରେ ସେ ଟଙ୍କା ମୋର ହେବ କ’ଣ ? ନାରଣ ଦାଶେ ତରତର ହୋଇ ଘର ଭିତରକୁ ଉଠୁଥିବା ବେଳେ ଶରତବାବୁ କହିଲେ, ବସ–ବସ–ଦଦେଇ ଦରକାର ପଡ଼ିଲାବେଳେ ମୁଁ ମାଗିନେଇ ଯିବି ଯେ—ଆଗେ ତୁମର କାମଟା ଶେଷ କରିଦିଏ । ମିହିରବାବୁଙ୍କ ସହିତ ଶରତବାବୁ ନାରଣ ଦାଶଙ୍କ ପାଖରୁ ଉଠି ଆସିବାବେଳେ କହିଲେ, ଦଦେଇ ଏ ଜ୍ୱାଇଁଟି ଭଲ ହେବ କି ନାହିଁ ସଫା କଥା କହିଦିଅ—ପୁଣି ସେତେବେଳେ.....

 

ନାରଣ ଦାଶେ ଆଉ କଣ କହିବେ କେବଳ କୃତକୃତ୍ୟ ହେଲାପରି ନୀରବ ରହିଗଲେ ।

 

ଚାରି ପାଞ୍ଚଟା ଦିନ ଭିତରେ ମିହିରବାବୁ ସାରା ଅଚ୍ୟୁତ ପୁର ଗାଁ ଗୋଟାକର ଅତି ଆଦରର ପାତ୍ର ହୋଇ ପାରିଥିଲେ । ବିଦୁର ତାଙ୍କ ସହିତ ବିବାହ ହେବ ଏ ପ୍ରସ୍ତାବ ଶୁଣିବା ପରେ ସମସ୍ତେ ଭାରି ଖୁସି । ବିଦୁର ସାଙ୍ଗ ସାଥି ଝିଅଗୁଡ଼ିକ ବିଦୁକୁ ଆଉ ବସେଇ ଉଠେଇ ଦିଅନ୍ତି ନାହିଁ । କଥା କଥାକେ କହି ପକାନ୍ତି ଦିନ ଚାରିଟା ମିହିରବାବୁଙ୍କ ସାଙ୍ଗରେ କାମ କରୁ କରୁ ତାଙ୍କୁ ଅକତିଆର କରି ନେଲୁ । କୁଆ ବସିବା ପରେ ତାଳ ପଡ଼ିବା ଦୃଷ୍ଟିରୁ କାମଟା ହୋଇ ଚାଲିଛି ଯେତେବେଳେ ବିଦୁ କି ସଫେଇ ଦେବ ! ବରଂ ସେମାନଙ୍କର ଥଟ୍ଟା ପରିହାସ ଗୁଡ଼ାକୁ ସହିଯାଏ ।

 

ସେତେବେଳକୁ ଅଚ୍ୟୁତ ପୁର ଗ୍ରାମସଂଗଠନ କେନ୍ଦ୍ରର ସୁନାମ ଚାରିଆଡ଼େ ବ୍ୟାପିଗଲାଣି । ଅନୁଷ୍ଠାନଟିକୁ ଦେଖିବା ପାଇଁ ସରକାରୀ ଓ ବେସରକାରୀ ଉଭୟ ସୂତ୍ରେ ଶହ ଶହ ଲୋକ ଆସୁଛନ୍ତି । ସାଧାରଣ ଚାନ୍ଦାରେ ସୂତାକଟା, ଲୁଗାବୁଣା, ବେତ, ବାଉଁଶ ଆଦି କଞ୍ଚାମାଲର ହସ୍ତଶିଳ୍ପ, ଶିକ୍ଷାକେନ୍ଦ୍ର, ନୈଶ ବିଦ୍ୟାଳୟ, ପାଠାଗାର, ଚିକିତ୍ସାକେନ୍ଦ୍ର ଆଦି ଉଦ୍ଦେଶ୍ୟରେ ଘର ଗୁଡ଼ିକ ମୁଣ୍ଡଟେକି ଉଠିଲାଣି । କାର୍ଯ୍ୟକ୍ରମ ଗୁଡ଼ିକୁ ଦେଖି ଆଗନ୍ତୁକ ଦର୍ଶକମାନେ ସୁଦ୍ଧା ଚାନ୍ଦାଦେବା ପାଇଁ ଟିକିଏ ହେଲେ କୁଣ୍ଠିତ ହେଉ ନାହାଁନ୍ତି । ବିଭାଗୀୟ ସରକାରୀ କର୍ତ୍ତୃପକ୍ଷ ସନ୍ତୋଷ ଲାଭକରି ଅନୁଷ୍ଠାନକୁ ସରକାରୀ ସାହାଯ୍ୟ ଦେବାଲାଗି ସିଦ୍ଧାନ୍ତ କରିଥାଆନ୍ତି । ଶରତ୍‌ବାବୁଙ୍କ ନେତୃତ୍ୱ ଆଉ ମିହିରବାବୁଙ୍କ ନିର୍ଦ୍ଦେଶରେ ଶହ ଶହ ଯୁବକ ଯୁବତୀଙ୍କର କାର୍ଯ୍ୟ ଗୁଡ଼ିକ ଦିନକୁ ଦିନ ସର୍ବଜନପ୍ରିୟ ହୋଇ ଉଠୁଥାଏ । ଯେଉଁ ଗାଁରେ ଶୁଣିବ ଖାଲି ଅଚ୍ୟୁତପୁର ଆଶ୍ରମର ଆଲୋଚନା ଓ ପ୍ରଶଂସା ଖବର କାଗଜରେ ପ୍ରାୟ ପ୍ରତିଦିନ ‘‘ଅଚ୍ୟୁତପୁର ଗ୍ରାମ ସଂଗଠନ ଶୀର୍ଷକ’’ ସମ୍ବାଦ ହେଉ, ପ୍ରବନ୍ଧ ହେଉ ଅଥବା ବିଶିଷ୍ଟ ଦର୍ଶକମାନଙ୍କର ମନ୍ତବ୍ୟ ହେଉ କିଛିନା କିଛି ପ୍ରକାଶିତ ହୋଇଥାଏ ।

 

ଆଶ୍ରମରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ବିଭାଗର ଦାୟିତ୍ୱ ବାଣ୍ଟିଦିଆ ଯାଇଥାଏ । ସୁପ୍ରଭା, ବିଦୁ, ମୀରା, ଶଶି ପ୍ରଭୃତି ପରଷ୍ପର ପ୍ରତିଦ୍ୱନ୍ଦିତାରେ ନିଜ ନିଜ ବିଭାଗକୁ ଖୁବ୍‌ ଉନ୍ନତ ଆଉ ଲୋକ ପ୍ରିୟ କରିବାରେ ଲାଗିପଡ଼ି ଥାଆନ୍ତି ।

 

(ଅଠର)

 

ସେଦିନ ଅଚ୍ୟୁତ ପୁର ଆଶ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଆବିର୍ଭାବ ହୋଇଥାଏ । ଦେଶର ମଙ୍ଗଳ ହେଉ, କିଏବା ଏ କଥା ନ ଚାହେଁ !! ବିଶେଷତଃ ମୁଖ୍ୟମନ୍ତ୍ରୀ ସର୍ବଦା ଏହାହିଁ ଯାହାଙ୍କର କାମ୍ୟ । ସୁନ୍ଦର ସୁପରିଚାଳିତ ଲୋକ ହିତକର ଯୋଜନା ଗୁଡ଼ିକୁ ଦେଖି ସର୍ବୋପରି ସାଧାରଣ ସଭାରେ ଲୋକମୁଖରୁ ଅନୁଷ୍ଠାନର ଭୂରିୟସୀ ପ୍ରଶଂସା ଶୁଣି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ପ୍ରୀତ ହୋଇ ପଡ଼ିଲେ ଏବଂ ଆନ୍ତରିକତାର ସହିତ ସେହି ସଭାରେହିଁ ଘୋଷଣା କଲେ ଯେ ଏହି ଜନପ୍ରିୟ ଅନୁଷ୍ଠାନଟିର ସମସ୍ତ ବ୍ୟୟଭାର ସରକାର ବହନ କରିବେ । ସରକାର ସବୁବେଳେ ଇଛାକରନ୍ତି ଏହି ଧରଣର ବହୁ ଅନୁଷ୍ଠାନ ଦେଶ ଭିତରେ ଗଢ଼ି ଉଠି ଲୋକ କଲ୍ୟାଣ ସାଧନକରୁ ମାତ୍ର ସେ ସୁଯୋଗ ସବୁଠାରେ ସମ୍ଭବ ହୁଏନାହିଁ । ଏ ଅନୁଷ୍ଠାନରେ ଶିକ୍ଷିତ ଯୁବକ ଯୁବତୀ ଗୁଡ଼ିଏ ଯେଉଁ ନୂତନ ଆଦର୍ଶ ଦେଖାଉ ଅଛନ୍ତି, ତାହା ଆମ ଦେଶରେ ଗୌରବମୟ ଇତିହାସ ସୃଷ୍ଟି କରୁଛି । ଏ ଆଶ୍ରମ ସମ୍ପର୍କରେ ମୁଁ ଯାହା ସବୁ ଶୁଣିବାକୁ ପାଇଥିଲି ଦେଖିଲି ତାଠାରୁ ଅଧିକ । ଆମ ଗାଁଗହଳିରେ ଏ ଭଳି କାମ ହେଉ ଏପରି ସ୍ୱପ୍ନ ମୁଁ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେବାବେଳୁ ଦେଖି ଆସିଛି । ଯାହାହେଉ ମୋର ସ୍ୱପ୍ନ ଏଇ କେତେଜଣ ଯୁବକ ଯୁବତୀଙ୍କ ଦ୍ୱାରା ସତ୍ୟରେ ପରିଣତ ହୋଇଥିବାରୁ ମୁଁ ସେମାନଙ୍କୁ ଆଶୀର୍ବାଦ କରୁଚି । ସେମାନେ କୃତକାର୍ଯ୍ୟ ହୁଅନ୍ତୁ । ଶରତ୍‌ବାବୁଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଲେ ଶରତବାବୁ ସରକାରୀ କ୍ଷେତ୍ରରେ ମାଜିଷ୍ଟ୍ରେଟଟିଏ ହୋଇଥିଲେ କ’ଣ ହୋଇ ଥାଆନ୍ତା ! ତାଙ୍କ ଦ୍ୱାରା ଏଣେ ଯେ ନବଯୁଗ ସୃଷ୍ଟି ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଉଦ୍ୟୋକ୍ତାମାନଙ୍କୁ ଭୂରିଭୂରି ପ୍ରଶଂସା କରି ପୁଣି ଆହୁରିଥରେ ଘୋଷଣା କରି କହିଲେ, ଏ ଅନୁଷ୍ଠାନର ପ୍ରତ୍ୟେକ ବିଭାଗ ଖର୍ଚ୍ଚ ସରକାରହିଁ ବହନ କରିବେ । ଅଚ୍ୟୁତପୁରରୁ ଉଠୁଥିବା ଆଲୋକ, ସାରା ଦେଶକୁ ଉଜ୍ଜ୍ୱଳ କରିବ, ଏ ଆନ୍ତରିକ ଧାରଣା ମୋର ସ୍ୱତଃ ଜାଗ୍ରତ ହେଉଅଛି । ଏ ଆଶ୍ରମର ଦୃଶ୍ୟ ମୋ ହୃଦୟରେ ଆଜି ପୁରାଣ ଯୁଗର ପବିତ୍ର ଭାବଧାରା ଖେଳାଇ ଦେଉଛି । ଆମର ପରଂପରାହିଁ ଠିକ୍‌ ଏହି ଆଦର୍ଶରେ ଗଢ଼ି ଉଠିଥିଲା । ଦୁର୍ଦୈବ ବଶତଃ ତାହାର ଅବସାନ ଘଟି ଯାଇଛି, ଗାନ୍ଧିଜୀ ରାମରାଜ୍ୟର ପରିକଳ୍ପନା ଦେଇ ଯାଇଛନ୍ତି । ଗ୍ରାମ ସଙ୍ଗଠନ ବିନା ତାହା କିପରି ସମ୍ଭବ ହେବ ?? ଆଜି ଏହିଠାରେ ରାମରାଜ୍ୟ ଗଠନର ପ୍ରାରମ୍ଭିକ କାର୍ଯ୍ୟ ମୁଁ ଦେଖିବାକୁ ପାଇଲି । ଏହି ଅନୁଷ୍ଠାନ ମାଧ୍ୟମରେ ରାମରାଜ୍ୟ ଗଢ଼ି ଉଠିବ, ଏଥିରେ ସନ୍ଦେହ ନାହିଁ ।

 

ମୁଖ୍ୟମନ୍ତ୍ରୀ ଅଚ୍ୟୁତପୁରରୁ ବିଦାୟ ନେଉ ନେଉ ରାତି ଅଧକରୁ ବେଶି ହୋଇ ଯାଇଥିଲା !! ଆଶ୍ରମବାସୀମାନେ ଦିନ ତମାମ ଶ୍ରମକ୍ଳାନ୍ତ ହୋଇ ଥିବାରୁ ନିଜ ନିଜ ନିର୍ଦ୍ଦିଷ୍ଟ ସ୍ଥାନରେ ବିଶ୍ରାମ ଗ୍ରହଣ କଲେ ।

 

ଚାରିଦିନ ଆଗରୁ ମିହିରବାବୁଙ୍କ ତତ୍ୱାବଧାନରେ, ସୁପ୍ରଭା, ବିଦୁ ଆଦି ସାତ ଆଠଜଣ ନାରୀ କର୍ମୀଙ୍କ ସମେତ କୋଡ଼ିଏଜଣ ଯାଏଁ ସ୍ୱେଚ୍ଛା ସେବକ ଧୋୟା ଅଞ୍ଚଳକୁ ଔଷଧ ବାଣ୍ଟିବା ପାଇଁ ଯାଇ ଥାଆନ୍ତି, କାରଣ ସେତେବେଳେ ଧୋୟା ମୂଲକଟାରେ ଶୀତଦିନିଆ ହଇଜା ଲାଗି ଶହ ଶହ ଲୋକ ନିରାଶ୍ରୟ ଭାବରେ ଆଖିବୁଜି ଦେଉ ଥାଆନ୍ତି । ହଇଜା ଏ ଗାଁରୁ ସେ ଗାଁକୁ ପରିକ୍ରମା କରିବାରେ ଲାଗିଥାଏ । ଏ ସମ୍ବାଦ ଶରତ୍‌ବାବୁଙ୍କ ପାଖରେ ପହଞ୍ଚୁ ପହଞ୍ଚୁ ସେ ଔଷଧପତ୍ର ସହ କର୍ମୀମାନଙ୍କୁ ପଠାଇ ଥାଆନ୍ତି ।

 

ସେଦିନ ମୁଖ୍ୟମନ୍ତ୍ରୀଙ୍କ ଆଗମନ ହେତୁ ସମସ୍ତେ ଆଶ୍ରମକୁ ଫେରି ଆସିଥିଲେ । ସୁପ୍ରଭା ସକାଳ ପହରୁ ଆସିଥିଲେ ସୁଦ୍ଧା ନାନା କାମ ଧନ୍ଦା ଭିତରେ ଶରତ୍‌ବାବୁଙ୍କ ସହିତ ପଦେ ହେଲେ କଥାବାର୍ତ୍ତା ହୋଇ ପାରି ନ ଥାନ୍ତି । କର୍ମ ତତ୍ପରତା ଭିତରେ ପରଷ୍ପର ପରଷ୍ପରକୁ ଚାହିଁ ଟିକିଏ ମାତ୍ର ହସି ଦେଉ ଥାଆନ୍ତି, ଉଭୟଙ୍କ ମଧ୍ୟରେ ଗୋଟାଏ ଭାବନାର ସ୍ରୋତ ଯେପରି ଆବଦ୍ଧ ହୋଇ ରହିଥାଏ ।

 

ସୁପ୍ରଭା ଆଶ୍ରମର ପ୍ରତ୍ୟେକ କାମଦାମ ଶେଷକରି ବିଛଣା ଧଇଲା ବେଳକୁ ଶରତ୍‌ବାବୁ ଶୋଇ ପଡ଼ିଥିଲେ । ସୁପ୍ରଭାର ଧାରଣା ଥିଲା ଦିନ ତମାମ ଧାଁ ଧପଡ଼କରି ଶରତ୍‌ବାବୁଙ୍କୁ ନିଦ ହୋଇ ଗଲାଣି, ସେ ଶରତ୍‌ବାବୁଙ୍କ ହାତଟିକୁ ଆଡ଼େଇ ଦେଇ ସେହିଠାରେ ଶୋଇ ପଡ଼ିଲେ । ସୁପ୍ରଭା ନୀରବରେ ଶୋଇ ପଡ଼ିବା ପରେ ଶରତ୍‌ବାବୁ ହସି ହସି କହିଲେ, ‘‘ଆରେ ତୁମେ ଚୋର ପରି କେତେବେଳେ ଏଠାରେ ! ମତେ ଟିକିଏ ହେଲେ ଉଠାଇ ଦେଉନାହଁ !!’’ ମୁଁ ଭାବିଲି ହାଲିଆ ହୋଇ ଶୋଇଛନ୍ତି.....ବେଶ୍‌ ଅନୁମାନ ତ ! ତୁମ ବିନା ମୋ ଆଖିକି ନିଦ ଛୁଇଁ ପାରିବ ଏ ବିଶ୍ୱାସ କିପରି କଲମ ? ‘‘କାହିଁକି—ମୁଁ ତ ଫେରେ ମାସରେ ପନ୍ଦରଦିନ ରହୁନି, ତୁମେ କ’ଣ ଆଉ ଉପାୟ କ’ଣ—କର୍ମ ଆଦରି ପଡ଼ିବାଛଡ଼ା । କାଲି ସକାଳେତ ପୁଣି ଆମେ ଚାଲିଯିବୁ । ତୁମକୁ ଗୋଟେ କଥା ସ୍ମରଣ କରାଇଦେବାର ଅଛି । ମିହିରବାବୁ ଆଉ ବିଦୁଟିକୁ ଏପରି ହଟହଟା କରୁଚ କାହିଁକି ? ସେ ଦୁହେଁ ଦୁଷ୍ମନ୍ତ ଶକୁନ୍ତଳା ପରି ଚୋରା ଚାହାଣୀରେ କେବଳ ଦିନ ବିତାଉଛନ୍ତି । ଶରତ୍‌ବାବୁ ପଚାରିଲେ, କାହିଁକି ? ସେମାନଙ୍କର ବାଧା କ’ଣ ? ଆମେତ ଚାହୁଁ ସେହି ଦୁଷ୍ମନ୍ତ ଶକୁନ୍ତଳା ରୀତିରେ କାମ ହୋଇଗଲେ ଭଲ ! ଆଚ୍ଛା କଥା କହୁଚ ! ତୁମେ ବିଦୁକୁ ଆଜିଯାଏଁ ବି ଚିହ୍ନି ନ ! ସେ ଭୋକରେ ଛଟପଟ ହେବେ ପଛେ ଚୋରା ଲୁଚାରେ କିଛି କରିବା ତାଙ୍କ ଜାତକରେ ନାହିଁ । ମିହିରବାବୁତ ସହଜେ ନିତାନ୍ତ ଭଦ୍ର । ତୁମେ ମଝିରେ ପ୍ରଜାପତି ସାଜି ଏ ଦୁଇଟି ପ୍ରାଣକୁ କଲବଲ କରାଇବା ଭାରି ଅନ୍ୟାୟ । ପର ମନ ଚିହ୍ନିବା ବୋଧହୁଏ ପୁରୁଷଙ୍କର ସ୍ୱାଭାବିକ ଳକ୍ଷଣ ନୁହେଁ । ନା, ନା ସୁପ୍ରଭା ! ମତେ ଏଥିରେ ବିଶେଷଭାବେ ଦୋଷୀ ସାବ୍ୟସ୍ତ କରିବା ତୁମର ଉଚିତ ନୁହେଁ । ଏଥିରେ ମୁଁ ଯେତେ ପରିମାଣରେ ଦୋଷୀ ତୁମେ ତାଠାରୁ ଟିକିଏହେଲେ ଊଣା ନୁହଁ । ଏ ବିଷୟରେ ତୁମର ବି କର୍ତ୍ତବ୍ୟ ରହିଛି । ଯାହାହେଉ ଏପ୍ରିଲ ତା୧୨ରିଖରେ ଆମ ଅନୁଷ୍ଠାନ ଦେଖିବାପାଇଁ ବିହାର ସମାଜମଙ୍ଗଳବୋର୍ଡର ଜଣେ ମୁଖ୍ୟନେତା ଆସୁଛନ୍ତି । ସେ ଉତ୍ସବ ସାଙ୍ଗକୁ ବିଦୁର ବିବାହ ଉତ୍ସବଟି କରିଦେଲେ କ୍ଷତି କ’ଣ ? ବରଂ ତାଙ୍କରି ପୌରୋହିତ୍ୟରେ କାର୍ଯ୍ୟଟି ହୋଇଯାଆନ୍ତା । ମନ୍ଦ ନୁହେଁ, ବେଶ୍‌ଭଲ ପ୍ରସ୍ତାବ—କିନ୍ତୁ ସେଦିନ ଯୋଗ ବାର ଭଲ ଥିଲେ ହେବ ତ ! ବିନାଯୋଗରେ ଝିଅକୁ ବିବାହ ଦେବାରେ ଦଦେଇ ଅସନ୍ତୋଷ ହୋଇପାରନ୍ତି । ନା ସେଥିରେ କିଛି ଯାଏ ଆସେନାହିଁ । ଯୋଗ ବାର ଦେଖି ଦିନ ଠିକ୍‌କଲେ ତାଙ୍କୁ ସେହି ଭାବରେ ଜଣାଇଦେବା ଆସିବା ପାଇଁ । କେଉଁଦିନ ଗଲେ ସୁବିଧା ହେବ ସେ ଆମର ମତକୁ ବି ଅପେକ୍ଷା ରଖିଛନ୍ତି ।

 

ହଁ, ବିଦୁ କଥାତ ଏପରି କରିବ ! ଆଉ ଗୁଡ଼ିକ ବିଷୟରେ କଣ କରୁଚ ? ତାଙ୍କର ମା, ବାପମାନେ ତୁମ ଉପରେ ସବୁ ନ୍ୟସ୍ତକରି ଦେଇଛନ୍ତି । ସେଦିନ ମୀରାବୋଉଙ୍କୁ କିଏ ଜଣେ ଝିଅ ବିଭାଘର କଥା ପଚାରିବାରୁ ସେ ଉତ୍ତର ଦେଲେ—ମୀରା ବିଭାଘର ଶରତ୍‌କୁ ଜଣାଥିବ; ଆମେ ତା ଉପରେ ପକେଇ ଦେଇଚୁ । ମିନୁବୋଉ ଖୁଡ଼ି ମତେ ମଧ୍ୟ ଦିନେ ପଚାରୁଥିଲେ—ମିନୁ ପାଇଁ ବର ଶରତ ଠିକ୍‌ କଲାଣି କି ନାହିଁ ବୋଲି । ଝିଅଗୁଡ଼ିକ ଖୁବ୍‌ ବଡ଼ ବଡ଼ ହୋଇଗଲେଣି; ବ୍ୟବସ୍ଥା କରିଦେଉନ !! ସତରେ ଏମିତି ଭଲ ସ୍ୱଭାବର ଝିଅଗୁଡ଼ିଏ ମୁଁ କେଉଁଠାରେ ହେଲେ ଦେଖିନି । ମୁଁ କଲେଜରେ ପଢ଼ିଲାବେଳେ ଶହ ଶହ ବଡ଼ଲୋକଘରର ଝିଅଙ୍କ ସାଙ୍ଗରେ ସାଥି ହୋଇଛି, ମାତ୍ର ଏମାନଙ୍କପରି ଜଣକୁ ହେଲେ ଦେଖିନାହିଁ । ଶରତବାବୁ ଛାତିରେ ହାତମାରି କହିଲେ, ‘‘ଏମାନେ ଶରତ୍‌ଚନ୍ଦ୍ର ଦାଶଙ୍କଠାରୁ ଟ୍ରେନିଂ ପାଇଛନ୍ତି ପରା !! ସେଇଥିପାଇଁ ଶରତ୍‌ଚନ୍ଦ୍ର ସେଗୁଡ଼ିଙ୍କୁ ବାଡ଼ୁଅ ରଖି ହନ୍ତସନ୍ତ କରାଇ ନିଜେ ବିଛଣାରେ ଗାଲେଇ କରି ଶୋଇ ରହୁଛନ୍ତି ନା କ’ଣ ? ତୁମେ ସେମିତି ଭାବୁଚ କାହିଁକି ? ସୁପ୍ରଭା ! ମୁଁ ସେଥିଲାଗି ଖୁବ୍‌ ହୁସିଆର, ତୁମେ ଦେଖିବ—ମୁଁ ଯେଉଁଦିନ ଇଚ୍ଛା କରିବି ସେଦିନ କାମ ହାସଲ ହୋଇପାରିବ । ଶରତ୍‌ବାବୁ ପୁଳାଏ ଚିଠି ତକିଆତଳୁ ବାହାରକରି ସୁପ୍ରଭାଦେବୀଙ୍କ ହାତକୁ ବଢ଼ାଇଦେଲେ । ଲଣ୍ଠନ ଆଲୁଅରେ ସେ ଚିଠିକୁ ପଢ଼ି ସୁପ୍ରଭା କହିଲେ, ‘‘ଧନ୍ୟବାଦ, ମୁଁ ମିଛରେ ଦୋଷଗୁଡ଼ାଏ ଲଦି ଦେଉଥିଲି ।’’ ଖାଲି ଧନ୍ୟବାଦ ଦେଇଦେଲେ ଚଳିବ ନି, ଧନ୍ୟବାଦ ସାଙ୍ଗେସାଙ୍ଗେ ପୁରସ୍କାର ଦିଅ । ସୁପ୍ରଭା ସହାସ୍ୟ ମୁହଁଟିକୁ ତଳକୁ ନୁଆଇଁ ଦେଲାବେଳେ ଶରତ୍‌ବାବୁ ସ୍ନେହ ତଥା ପ୍ରେମର ନିଦର୍ଶନ ସ୍ୱରୂପ ଗୋଟିଏ ଅଭିନୟ ଦେଖାଇଲେ, ଯହିଁରେ କି ଜଡ଼ ଲଣ୍ଠନଟି ମଧ୍ୟ ଲାଜରେ ବିଚଳିତହୋଇ ଦିଥର ଦପ୍‌ ଦପ୍‌ ହୋଇ ଲିଭିଗଲା ।

 

ଆରଦିନ ସକାଳୁ ମିହିରବାବୁ ଧୋୟା ଅଞ୍ଚଳକୁ ଯିବାପାଇଁ ସଜବାଜ ହୋଇ ବାହାରି ପଡ଼ିଲେ । ଅନ୍ୟମାନେ ମଧ୍ୟ ତିଆର ହୋଇଥାଆନ୍ତି । ଶରତବାବୁ କହିଲେ—ମିହିର ! ଆଜି ଦିନଟା ସେଆଡ଼ ପ୍ରୋଗାମ ବନ୍ଦ କରିଦେଲେ ଚଳିବ ନି ! କାହିଁକି ? ଆବଶ୍ୟକ ହେଲେ ସୁପ୍ରଭା ଦେବୀ ରହନ୍ତୁ, ପରେ ଯିବେ; ଆମେ ସମସ୍ତେ ରହିବୁ କିପରି ? ମିହିରବାବୁଙ୍କର ଏପରି ଥଟ୍ଟାଳିଆ ଉତ୍ତରରେ ଶରତ ମଧ୍ୟ ନୀରବ ରହିଲେ ନି; ସେ ଠିକ୍‌ ଯେସାକୁ ତେସା ଜବାବ ବତେଇଲେ । ବିଦୁ ସାଙ୍ଗରେ ଯାଇଛି ନା—ତେଣୁ ପ୍ରୋଗ୍ରାମଟା କୌଣସି ମତେ ବନ୍ଦ ହେବା ଆଦୌ ଉଚିତ ହେବ କୁଆଡ଼ୁ । ଦୁହେଁ ଦୁହିଁଙ୍କୁ ଚାହିଁ ମନେ ମନେ ହସି ଉଠିଲେ ।

 

ଶୀତ ଦିନର ସନ୍ଧ୍ୟା । ସୂର୍ଯ୍ୟଦେବ ଅସ୍ତ ହେଉ ହେଉ ପକ୍ଷୀଗୁଡ଼ିକ କେଁ, କାଁ ଶବ୍ଦରେ ନୀଡ଼ ଅଭିମୁଖେ ବାହାରିଲେଣି । ଗଉଡ଼ ପିଲାଏ ପାହାଡ଼ ତଳୁ ଆଣି ଗାଈ ଗୋଠକୁ ଗାଁ ମୁଣ୍ଡ ପଡ଼ିଆରେ ଏକଜୁଟ କରାଉଅଛନ୍ତି । ଆଶ୍ରମବାସୀଏ ଲୁଗା ପଟା ଭିଡ଼ିହୋଇ ବଗିଚାରେ ପାଣିଦିଆ କାମ ଆରମ୍ଭ କରି ଦେଇଛନ୍ତି । ପୋଖରୀରୁ ପାଣି ବୋହିବା ସଙ୍ଗେ ସଙ୍ଗେ ସେମାନଙ୍କର ନାନାପ୍ରକାର ଥଟ୍ଟା ପରିହାସ ଚାଲିଛି । ଗାଁର ଝିଅ ହିସାବରେ ବିଦୁ, ମୀରା ପ୍ରଭୃତି ଖୁବ୍‌ ଚଞ୍ଚଳ ଚଞ୍ଚଳ ପାଣି ବୋହି ନେଉଥିବାବେଳେ ସୁପ୍ରଭାକୁ କହୁ ଥାଆନ୍ତି ଦେଖ ନୂଆବୋହୁ, ଆମ ସାଙ୍ଗରେ ତୁମେ କାମ କରିପାରିବ ? ତୁମର ମନ ତ ସବୁବେଳେ.... । କାମରେ ମନ ଅଛି ଯେ.... ।

 

ହଠାତ୍‌ ସମସ୍ତଙ୍କର ଦୃଷ୍ଟି ଗୋଟିଏ ଦିଗକୁ ଚାଲିଗଲା । ଦେଖୁ ଦେଖୁ ସାତ ଆଠଜଣ ଏକ ବୟସର ଯୁବକ ଆଶ୍ରମ ହତା ଭିତରେ ପ୍ରବେଶ କଲେ । ଆଗନ୍ତୁକମାନଙ୍କ ଭିତରୁ ଅଧିକାଂଶ ଶରତବାବୁଙ୍କର ପରିଚିତ ହୋଇଥିଲେ ମଧ୍ୟ ଆଉ ଦୁଇ ଜଣ ପରିଚିତ ନୁହଁନ୍ତି । ପରିଚିତ ଅପରିଚିତ ସମସ୍ତେ ଶରତବାବୁ ତଥା ସମବେତ ଆଶ୍ରମବାସୀମାନଙ୍କୁ ନମସ୍କାର କଲେ । ଶରତବାବୁ ଆଗନ୍ତୁକମାନଙ୍କ ସହିତ ପ୍ରଥମେ ସମସ୍ତଙ୍କୁ ପରିଚିତ କରାଇଦେଲେ । ଆଶ୍ରମ ଘରର ଗୋଟିଏ କଡ଼କୁ ବସିଥିବା ଅପରିଚିତ ବନ୍ଧୁଙ୍କ ପାଳି ପଡ଼ିଲାବେଳକୁ ଶରତବାବୁ ଟିକିଏ ଇତସ୍ତତଃ ହେଉ ହେଉ ସରୋଜବାବୁ କହିଲେ, ବୁଝିଲୁ ଶରତ ! ତୋ ଚିଠି ପାଇ ଆମେ ଛଅ ଜଣତ ଆସିଲୁ କିନ୍ତୁ ଆମର ବ୍ରଜବାବୁ ଓ ଉମାକାନ୍ତବାବୁ ଖବର କାଗଜରୁ ଗାଁ ଗହଳରୁ ରାମ ରାଜ୍ୟର ଉତ୍ପତ୍ତି ଶୀର୍ଷକ ଲେଖାଟି ପଢ଼ି ବନାରସରୁ ଆସିଛନ୍ତି । ଅବଶ୍ୟ ଆମ ପୁରୀଜିଲାର ଲୋକ ସେ । ଦୁଇ ଜଣଯାକ ଏମ୍‌: ଏ: ଫାଇନାଲ ଦେଇଛନ୍ତି । ଏଇ ଚିଲିକା ଷ୍ଟେସନରେ ଗାଡ଼ିରୁ ଓହ୍ଲାଇଲାବେଳେ ସାକ୍ଷାତ ହେଲା । ବାଟଯାକ କଥାବାର୍ତ୍ତା କରି ଆସୁଛୁ । ଏଇ ସଙ୍ଗଠନ କାମରେ ଲାଗି ପଡ଼ିବା ପାଇଁ ତାଙ୍କର ଭାରି ଇଚ୍ଛା । ଶରତବାବୁ ହସି ହସି କହିଲେ,—ଭାରି ଶୁଭ ସମ୍ବାଦ ତ ! ଆରେ ଏତିକି କ’ଣ, କେତେ ଶିକ୍ଷିତ ଲୋକ ଯେ ଆସିବେ ତା’ର ସୀମା ରହିବ ନାହିଁ । ଅନେକଙ୍କର କାମ କରିବା ଇଚ୍ଛା ଥିଲେ ମଧ୍ୟ ପ୍ରକୃତ ଅନୁଷ୍ଠାନର ଅଭାବ ହେତୁ କିଛି କରିପାରୁ ନ ଥିଲେ । ତୁ ଏଠାରେ ଯାହା ସବୁ ଆରମ୍ଭ କରି ଦେଲୁଣି ଏତ ଦେଶ ସାରା ଗୋଟିଏ ଚମକ ସୃଷ୍ଟିକରି ଦେଇଛି । ନା,ନା ସରୋଜ ! କ’ଣ ବା ହେଇଛି ! ତୁମମାନଙ୍କର ସହଯୋଗ ପାଇଲେ ଯାହା କରିବାର ଯୋଜନା ରହିଛି ତା ସବୁ କରିବାକୁ ହେବ । ହଁ ସରୋଜ, ତୁ ଏତେ ଡେରି କଲୁ କାହିଁକି ? ଆରେ ସେ ଅନେକ କଥା । ଅନ୍ୟ ସମୟରେ କହିବି । କାହିଁକି, ବର୍ତ୍ତମାନ କହୁନୁ ! ଆମର ଏଠି କିଏ ଅଛି କି ? ଆରେ ବାପା ଗୋଟେ ଜିଦ୍‌ଧରି ବସିଲେ—ମୁଁ ସଫା ମନା କରିଦେଲି, ତଥାପି ମନଟା ଭାରି ଖରାପ ଲାଗିଲା, ଅବଶ୍ୟ ପରେ ବାପା ପ୍ରକୃତ କଥାଟା ବୁଝି ନିଜେ ମତେ କହିଲେ ଯାହାହେଲା ଠିକ୍‌ ହୋଇଛି ବୋଲି ତା ପରେ ମୁଁ ଏ ଆଡ଼େ ଆସିବାକୁ ଯତ୍ନ କଲି । ସମସ୍ତେ କିଏ କେଉଁଠି ଥିଲେ ଏକତ୍ର କରିବାକୁ ହେଲା ।

 

ବ୍ରଜବାବୁ, ଉମାକାନ୍ତବାବୁ ଓ ସରୋଜବାବୁ ପ୍ରଭୃତିକୁ ସାଙ୍ଗରେ ନେଇ ଶରତବାବୁ ଆଶ୍ରମରେ ଖୋଲିଥିବା ପ୍ରତ୍ୟେକ ବିଭାଗମାନ ବୁଲାଇ ଦେଖାଉ ଥିବା ସଙ୍ଗେ ସଙ୍ଗେ ଆଶ୍ରମରେ କର୍ମୀମାନଙ୍କର ଚାଲିଥିବା କାର୍ଯ୍ୟଗୁଡ଼ିକର ସଂକ୍ଷିପ୍ତ ବିବରଣୀମାନ କହୁ ଥାଆନ୍ତି । ଦୁନିଆରେ ଭଲ କଥା ଗୁଡ଼ିକୁ କିଏ ବା ପସନ୍ଦ ନ କରିବ !! ହୋଇପାରେ ଅନେକ କ୍ଷେତ୍ରରେ ଭଲ, ବିଷୟମାନ ଭଲ ବୋଧ ହେଉଥିଲେ ସୁଦ୍ଧା କୌଣସି ଭିନ୍ନ ଉଦ୍ଦେଶ୍ୟ ରଖି କେହି କେହି ତାହାର ସମାଲୋଚନା କରୁଥାଇ ପାରନ୍ତି । କିନ୍ତୁ ଏ ଯେଉଁ ଅନୁଷ୍ଠାନ ଏହାର କେହି ତ ବିରୋଧି ନାହାଁନ୍ତି, ସମାଲୋଚନା କରିବ କିଏ !! ବରଂ ଯେତେ ଯେ ଯୁଆଡ଼େ ଆସନ୍ତି ସମସ୍ତଙ୍କ ତୁଣ୍ଡରେ ଭୂରି ଭୂରି ପ୍ରଶଂସା । ଏପରିକି ଦେଶ ବିଦେଶରୁ ଆସୁଥିବା ବିଶିଷ୍ଟ ପରିଦର୍ଶକମାନଙ୍କର ମନ୍ତବ୍ୟରେ ପରିଦର୍ଶକ ମନ୍ତବ୍ୟ ଲେଖା ପୁସ୍ତିକାଟି ପୂର୍ଣ୍ଣ ହୋଇ ଉଠୁଥାଏ ।

 

ହରିବାବୁ ଓ ପ୍ରତିଭା ଦେବୀ ପ୍ରତିଦିନ ଖବରକାଗଜରୁ ଶରତ୍‌ବାବୁଙ୍କ କାର୍ଯ୍ୟର ରୂପରେଖଗୁଡ଼ିକ ପାଇ ଖୁବ୍‌ ଆନନ୍ଦଲାଭ କରୁଥାଆନ୍ତି । ପ୍ରତିଭା ଦେବୀ ଅନେକଦିନରୁ ଅଚ୍ୟୁତପୁର ଯିବା ପାଇଁ ଜିଦ୍‌ଧରିଥିଲେ ସୁଦ୍ଧା ହରିବାବୁଙ୍କର ସମୟ ଅଭାବରୁ ତାହା ହୋଇପାରିନଥାଏ । ହରିବାବୁ ଏବେ ହାଇକୋଟ ବାର୍‌ରେ ବିଶିଷ୍ଟ ଆଇନଜ୍ଞ, ତେଣୁ ତାଙ୍କୁ ଦଣ୍ଡେହେଲେ ଫୁରୁସତ ମିଳେ ନାହିଁ । ସବୁବେଳେ ବହୁତ କେଶ୍‌ ତାଙ୍କ ପାଖରେ ପହଞ୍ଚେ । ସେ ବାଧ୍ୟହୋଇ ପ୍ରତିଭା ଦେବୀଙ୍କୁ ଆଜି ଯିବା କାଲି ଯିବା କହି ଭଣ୍ଡେଇବାରେ ଲାଗିଥାଆନ୍ତି ।

 

ଯେଉଁଦିନ ମୁଖ୍ୟମନ୍ତ୍ରୀ ଆଶ୍ରମ ପରିଦର୍ଶନ କଲେ ସେଦିନ ବିଭିନ୍ନ ଖବରକାଗଜର ପ୍ରତିନିଧି, ଫଟୋଗ୍ରାଫର ଓ ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଥାଆନ୍ତି । ବିସ୍ତୃତ ବିବରଣୀ ସହିତ ଆଶ୍ରମ ଓ ଆଶ୍ରମବାସୀମାନଙ୍କର ଫଟୋ ଖବରକାଗଜମାନଙ୍କରେ ବାହାରି ଥାଏ-। ସେହି ଖବରକାଗଜଗୁଡ଼ିକୁ ପଢ଼ି ପ୍ରତିଭା ଦେବୀ ହରିବାବୁଙ୍କୁ କହିଲେ, ‘‘ଦେଖିଲ, ଏତେ ଲୋକ ଏଇ କଟକରୁ ଗଲେ, ଅଥଚ ଆମେ ଆପଣାର ଲୋକ ହୋଇ ସୁଦ୍ଧା ଟିକିଏ ଯାଇ ପାରିଲେନି । ଶରତ୍‌ କ’ଣ ଭାବୁଥିବେ ? ସେ ବାର ବାର ନିମନ୍ତ୍ରଣ କରୁଛନ୍ତି ।’’ ହରିବାବୁ କହିଲେ, ତୁମର ତ ଗୋଟାଏ ଜିଦ୍‌ ଯେ ମୁଁ ଗଲେ ତୁମେ ଯିବ ! କାହିଁକି ତୁମେ ଗାଡ଼ିଟା ନେଇ ଚାଲିଯାଇଥିଲେ ହୋଇନଥାନ୍ତା ? ପ୍ରତିଦିନ ୮।୧୦ ଗୋଟା ହାଇକୋର୍ଟର କେଶ ଥିବାବେଳେ ମୁଁ କିପରି ଯିବି କହିଲ ? ଏତ କୋର୍ଟ କଚେରୀ କଥା, ହଉ ବ୍ୟସ୍ତ ହେବାର କିଛିନାହିଁ । ଆମ ଦୁହେଁ ତ ଦିନେ ସେହି ଆଶ୍ରମରେ ହିଁ ରହିବା !! ଶରତ୍‌ର କାମଗୁଡ଼ାକ ଦେଖି ମୋର ଭାରି ଶ୍ରଦ୍ଧା ହେଲାଣି । ଏ ଯୁଗରେ ବାସ୍ତବିକ୍‌ ସେଇଭଳି କାମରେ ହାତ ନ ଦେଲେ ଦେଶଟା ଆଗେଇ ପାରିବ ନି ଯେ । କୋର୍ଟ କଚେରୀ ଦ୍ୱାରା କେଉଁଠି ମୂଳ ସମସ୍ୟାର ସମାଧାନ ହୋଇ ପାରିବ !! ନୂଆ ଦେଶକୁ ଗଢ଼ିବାରେ ସମସ୍ତଙ୍କର ଉଦ୍ୟମ ହେବା ଦରକାର । ପ୍ରତିଭା ଦେବୀ କହିଲେ, ମୁଁ ତ ତାହା ହିଁ ଭାବୁଛି । ଏ କଟକ ସହରର ବିଳାଶ ବ୍ୟସନରେ ରହି ସିନେମା ଥିଏଟର ଦେଖିବାରେ ମୋର ଆଉ ଟିକିଏ ହେଲେ ମନନାହିଁ । ଯେଉଁ ଗାଁ ଗହଳିରେ ପ୍ରକୃତ ଲୋକସେବା କରିହେବ ସେଠାରେ ରହିବା ଦରକାର । ହେଇଟି, ଶରତ୍‌ ମୋ ଆଗର ପିଲାଟା । ମାତ୍ର ତାଙ୍କର କାମ କଥା ଶୁଣିଲା ବେଳକୁ ସେଠାରେ ମୁଣ୍ଡ ନଇଁପଡ଼ୁଚି । ତୁମକୁ ପାଇଲେ ଶରତ୍‌ ଆଉରି ଆନନ୍ଦହୋଇ ପଡ଼ିବ ଯେ–ହରିବାବୁ ଟିକିଏ ହସିହସି ଏତକ କହିବାରୁ ପ୍ରତିଭା ଦେବୀ ଚିଡ଼ି ଉଠି କହିଲେ—ଶରତ୍‌ ସଂପର୍କରେ ମତେ ଥଟ୍ଟା କରିବନି ବୋଲି ଥରେ କହିଥିଲି ପରା ! ଆଚ୍ଛାକଥା, ତୁମେ ରାଗୁଚ କାହିଁକି ? ଏ କ’ଣ ଥଟ୍ଟା କଥା ହେଲା ? ତା ଅନୁଷ୍ଠାନ ପାଇଁ ସେ ବରାବର ଭଲଲୋକ ଖୋଜୁଚି । ତୁମପରି ଜଣେ ଶିକ୍ଷିତା—ପୁଣି ନିଜର ଲୋକଙ୍କୁ ପାଇଲେ ସେ ନିଶ୍ଚେ ଖୁସିହେବ ଏଥିରେ ଥଟ୍ଟା ପରିହାସ ରହିଲା କେଉଁଠି ??

 

ହରିବାବୁ ଓ ପ୍ରତିଭାଦେବୀ କଥାବାର୍ତ୍ତା ହେଉଥିବାବେଳେ ପିଅନ୍‌ ଡାକ ଗୁଡ଼ାଏ ଆଣି ଦେଇଗଲା । ପ୍ରତିଭାଦେବୀ ସେଗୁଡ଼ାକ ଖେଳାଇ ୨ ଖଣ୍ଡେ ଚିଠି ହାତରେ ଧରି ପଢ଼ୁ ପଢ଼ୁ କହିଲେ, ହେଇଟି ଦେଖ, ପୁଣି ଏକ ନିମନ୍ତ୍ରଣ ଆସିଗଲା ।

 

ଏପ୍ରିଲ ତା୧୬ରିଖରେ ଯିବାକୁ ଲେଖିଛନ୍ତି । ହରିବାବୁ ଚିଠି ଖଣ୍ଡିକ ପ୍ରତିଭା ଦେବୀଙ୍କ ହାତରୁ ଛଡ଼ାଇ ନେଉ ନେଉ କହିଲେ ଏଥର ନିଶ୍ଚେଯିବା । ଆମ ବାର ଲାଇବ୍ରେରୀରେ ପ୍ରତିଦିନ ଆଚ୍ୟୁତପୁର ଆଶ୍ରମ ବିଷୟ ଚର୍ଚ୍ଚା ହେଉଚି । ସମସ୍ତଙ୍କ ତୁଣ୍ଡରେ ସେହି ଆଶ୍ରମର ପ୍ରଶଂସା ଶୁଣା ଯାଉଚି ତ ! ବହୁତ ଅନୁଷ୍ଠାନ ଅଛି, ମାତ୍ର ସେ ସବୁକୁ କେତେଜଣ ଭଲ କହିଲେ ସୁଦ୍ଧା ଅନେକ ତାର ତୀବ୍ର ସମାଲୋଚନା ବି କରୁଥାଆନ୍ତି । କିନ୍ତୁ ଏତ ବଡ଼ରୁ ଛୋଟଯାଏ ସବୁରି ତୁଣ୍ଡରେ ଭଲ ।

 

ମଣିନାନୀ ଆଉ ଆଗରେ ହୋଇନାହାନ୍ତି । ତାଙ୍କର ପାଟିତୁଣ୍ଡ ଆର କାନକୁ ସୁଦ୍ଧା ଶୁଣା ଯାଉନାହିଁ । ଦିନ ରାତି ଦଣ୍ଡେ ହେଲେ ତାଙ୍କୁ ତର ନାହିଁ । ମଣିନାନୀଙ୍କର ଭଲପଣିଆରେ ସମସ୍ତେ ମୁଗ୍‌ଧ । ସାରା ଆଶ୍ରମଟାକୁ ସେ ନିଜର କରିନେଇ ଗଲେଣି । ଆଶ୍ରମକୁ ଆସୁଥିବା ଓ ସେଠାରେ ରହୁଥିବା ପ୍ରତ୍ୟେକ ଲୋକ ମଣିନାନୀଙ୍କର ମର ବ୍ୟବହାରରେ ଆକୃଷ୍ଟ ହୋଇ ପଡ଼ୁଛନ୍ତି ।

 

ଈଶରା, ବଳିଆ, ଦାସିଆ ପ୍ରଭୃତି ଗାଁ ମୂଲିଆଗୁଡ଼ିକ ଦିନେ ହାଟରୁ ଫେରିଲାବେଳେ କଥାବାର୍ତ୍ତା ହେଉଥାଆନ୍ତି—ଈଶରା କହିଲା—ଆରେ ଏଇ ଗାଆଁଟା ଆଉ କ’ଣ ସରଗ ପାଲଟି ଯିବକି ?? ମୁଁ ତ ଏଇ ମଣିନାନୀ କଥାରୁ ସେଇ କଥା ଭାବୁଚି । ମାଇପିଟା ଥିଲା କ’ଣ ଏବେ କିପରି ଠାକୁର ପାଲେଟି ଯାଇଚି ଦେଖୁନ । ବଳିଆ ଉତ୍ତର ଦେଲା—ସବୁ ସେଇ ଶରତ୍‌ବାବୁ, ତାଙ୍କ ପାଖରେ ଯେ ରହିବ ସେ ସେମିତି ଠାକୁର ପାଲଟି ଯିବ । ସେଥିରେ କିଏ କାହାକୁ ଊଣା ମ-। ଦାସିଆ କଥାମଝିରେ ଆରମ୍ଭ କଲା—ଶରତବାବୁଙ୍କ ଭାରିଜା ତ ସାକ୍ଷାତରେ ଠାକୁରାଣୀ । ବିଦୁଦେଇ କଥା ତ ଦେଖିଚ । ମିହିର ବାବୁଙ୍କ କଥା ବା କାହିଁକି କହିବା ।

 

ଏବେ ଯୋଉ ନୂଆବାବୁଗୁଡ଼ିକ ଆସିଚନ୍ତି ତାଙ୍କ କଥା କ’ଣ କହିବି ଈଶରା ଭାଇ—ସାକ୍ଷାତେ ଠାକୁରରେ ! ଆରେ ମତେ ତୁ କ’ଣ କହୁଚୁ, ମୁଁ ପରା ରୋଜ ତାଙ୍କ ସାଙ୍ଗେ କଥାହେଉଛି-। ଧନ୍ୟ ତାଙ୍କର ମା ବାପ । ବୋହୂ ପଦାକୁ ବାହାରି ଇଆଡ଼େ ସିଆଡ଼େ ଗଲାବେଳେ ଆମ ସାଉ ଟିକିଏ ମନମାରି ଦେଉଥିଲେ । ସେଦିନ ସାନସାଉ ଯୋଉ କଥାଗୁଡ଼ାକ ବୁଝେଇଦେଲେ ସେଥିରେ ବୁଢ଼ାର ମନ ଭାରି ମାନି ଯାଇଚି । ଏବେ ବୁଢ଼ାତ ନିଜେ ପରା ସବୁ ବୁଝୁଚି । ଆରେ ବଡ଼ ବୁଢ଼ାକୁ ଦେଖୁନ । ଏତେ ନାକଟେକା ଲୋକ ତାଙ୍କର ଆଉ କୋଉ କଥାରେ ବାରଣ ଅଛି !! ଜାତି ଅଜାତି କଥାକୁ ବୁଢ଼ା କିପରି ବାରି ବସେ ! ଆଉ ଟିକିଏ ହେଲେ ସେ କଥା ଅଛି !! ନାଇଁ—ନାଇଁ ଲୋକ ଅସଲ କଥାଟା ବୁଝିଗଲେ ତା’ର ଆଉ ଆପଣାପର କିଛି ରହେନି ! ଏବେ ଯେଉଁସବୁ କାମ ଚାଲିଛି, ମୋର ମନ ହେଉଛି ମୁଠେ ଦାନା ଘରେ ଥିଲେ ଦିନ ରାତି ସେଇ କାମରେ ଲାଗିଯାଆନ୍ତି, ମାତ୍ର କାହିଁ, ଗୋଡ଼ ନ ଚଳିଲେ ତ ପେଟ ଅଚଳ । ହଉ ହଉ ଠାକୁର ତାଙ୍କୁ ଭଲ କରନ୍ତୁ....-

 

ମିହିର ବାବୁଙ୍କ ସାଥିରେ ସୁପ୍ରଭା, ବିଦୁ ମୀରା ପ୍ରଭୃତି ଧୋଇଆ ଅଞ୍ଚଳରୁ ଫେରି ନ ଥାନ୍ତି । ଶରତବାବୁ ତାଙ୍କ ଅଫିସରେ ବସି କଣ ଲେଖା ଲେଖିରେ ବ୍ୟସ୍ତ—ବେଳ ରତରତ ହୋଇ ଆସିଥାଏ । ବନା ଶରତବାବୁଙ୍କୁ ଖବର ଦେଲା ଦାଣ୍ଡ ଗେଟ୍‌ ପାଖରେ କିଏ ଦୁଇଜଣ ଅପେକ୍ଷା କରିଛନ୍ତି ବୋଲି । ଶରତ୍‌ବାବୁ ତର ତର ହୋଇ ଗେଟ୍‌ ଆଡ଼କୁ ଆସି ଦୂରରୁ ଦେଖିଲେ ଦୁଇଜଣ ଯୁବତୀ ଗେଟ୍‌ ବାହାରେ ଛିଡ଼ା ହୋଇଛନ୍ତି । ଶରତ୍‌ବାବୁ ସେ ଦୁହିଁଙ୍କୁ ଚିହ୍ନିପାରୁ ନ ଥାନ୍ତି । ଯୁବତୀ ଦୁଇଟି ଶରତ୍‌ବାବୁଙ୍କୁ ଦେଖୁ ଦେଖୁ ହସ ହସ ମୁହଁରେ ନମସ୍କାର କଲେ । ଶରତ୍‌ବାବୁ ତାଙ୍କର ପୂର୍ବ ପରିଚିତ ପରି ଅଭ୍ୟର୍ଥନା ସହକାରେ ଆଶ୍ରମ ଭିତରକୁ ନେଇ ଆସିଲେ । ଯୁବତୀ ଦୁଇଟି ଶରତ୍‌ବାବୁଙ୍କ ନିକଟରେ ଅପରାଧୀପରି କହିଲେ କ୍ଷମା କରିବେ—ବହୁ ଦିନରୁ ଆସିବୁବୋଲି ଠିକ୍‌ କଲୁଣି କିନ୍ତୁ ପରୀକ୍ଷା ଥିବାରୁ ଆସିପାରି ନଥିଲୁ । ଆମ ଦୁହିଁଙ୍କ ପାଇଁ ଆପଣଙ୍କ ତାଲିକାରେ ସ୍ଥାନ ରଖିଛନ୍ତି ତ ? ଶରତ୍‌ବାବୁ ଏ ଦୁହିଙ୍କ ପରିଚୟ ସନ୍ଧାନ ମନେ ମନେ ଚଳାଇ ଥିବା ମଧ୍ୟରେ ଉତ୍ତର ଦେଲେ—ଏ ଅନୁଷ୍ଠାନହିଁ ଆପଣମାନଙ୍କର, ସ୍ଥାନ ଥିବା କଥା ମତେ କ’ଣ ପଚାରୁଛନ୍ତି !! ଆମେମାନେ ସ୍ଥିର ସିଦ୍ଧାନ୍ତରେ ପହଞ୍ଚିଛୁ—ଏହି ଅଚ୍ୟୁତପୁର ଆଶ୍ରମରେ ଆପଣଙ୍କ ନିର୍ଦ୍ଦେଶମତେ ଲୋକସେବା କରିବୁ ! ଆପଣମାନେ ଶିକ୍ଷିତା, ମୁଁ ଅବା କି ନିର୍ଦ୍ଦେଶ ଦେବି, ସମସ୍ତେ ସମୂହ ଭାବରେ ଯେଉଁ କାର୍ଯ୍ୟକ୍ରମ ସ୍ଥିରକରିବା ତାହାହିଁ କରିବାକୁ ହେବ । ବ୍ୟକ୍ତି ବିଶେଷର ମାହାତ୍ମ୍ୟ ଏଠାରେ ନ ଥାଏ ।

 

ଶରତ୍‌ବାବୁ କୌଣସି ଗୋଟିଏ କାମରେ ସେଠାରୁ ଉଠି ବଗିଚା ଆଡ଼କୁ ଚାଲି ଗଲାବେଳେ ଯୁବତୀ ଦୁଇଟି ପରସ୍ପର କଥା ବାର୍ତ୍ତା ହେଲେ—ଶରତ୍‌ବାବୁ ବୋଧହୁଏ ଆମକୁ ଚିହ୍ନିପାରୁ ନାହାନ୍ତି; ତେଣୁ ତାଙ୍କର ସନ୍ଦେହ ହୋଇପାରେ ପରିଚୟଟା ନିଜଆଡ଼ୁ ଦେଇଦେବା ଭଲ । କ୍ଷଣକ ମଧ୍ୟରେ ଶରତ୍‌ବାବୁ ଫେରିଆସି ଯୁବତୀ ଦୁହିଙ୍କ ପାଖରେ ବସିଲେ । ପ୍ରଥମେ ସ୍ନେହଲତା ଦେବୀ ହସି ହସି କହିଲେ, ‘‘ଆପଣ ଆମ ଦୁହିଁଙ୍କୁ ଚିହ୍ନିପାରିଲେ ନାହିଁ ବୋଧହୁଏ ?’’ ଶରତ୍‌ବାବୁ କ’ଣ କହିବେ ଟିକିଏ ଲଜ୍ଜିତ ହେଲାପରି ନିରବ ବହିଗଲେ । ତାପରେ ସୌଦାମିନୀ ଦେବୀ କହିଲେ, ‘‘ଆମକୁ ଶରତ୍‌ବାବୁ ଚିହ୍ନିପାରିବେନି । ଜୀବନ ମରଣ ସମସ୍ୟାରୁ ଉଦ୍ଧାରକରି ଆଜି ଯଦି ଚିହ୍ନି ନ ପାରିବେ ତେବେ ଆମର ଦୁର୍ଯ୍ୟୋଗ ବୋଲି ଧରିବାକୁ ହେବ !! ଜୀବନ ମରଣ ସମସ୍ୟାରୁ ଉଦ୍ଧାର କରିବାକଥା ସୌଦାମିନୀଙ୍କ ମୁହଁରୁ ଶୁଣିବା ମାତ୍ରେ ଶରତ୍‌ବାବୁ କଥାଟାକୁ ହଠାତ୍‌ ଧରିନେଇ କହିଲେ, କ୍ଷମା କରିବେ—ଆପଣମାନଙ୍କର ଉପସ୍ଥିତି ଏ ସ୍ଥାନରେ ସମ୍ଭବ ହୋଇପାରେ ଏ ବିଶ୍ୱାସ ମୋର ନ ଥିଲା । ଆପଣମାନେ ବଡ଼ଲୋକ ଘରର ଝିଅ, ଆପଣଙ୍କ ପକ୍ଷେ ଏ ମଫସଲକୁ ଆସିବା କେହିହେଲେ ବିଶ୍ୱାସ କରିବେନି ।’’

 

କଟକ ହୋଇଥିଲେ ମୁଁ ଚାହୁଁ ଚାହୁଁ ଚିହ୍ନିପାରି ଥାନ୍ତି । ଆପଣଙ୍କ ଅନୁଷ୍ଠାନର ଉଦ୍ଦେଶ୍ୟ ପରା ସାନବଡ଼ ସମସ୍ତଙ୍କୁ ସମାନ ସ୍ତରକୁ ଆଣିବା ?? ତେଣୁ ଆପଣଙ୍କର ଆମମାନଙ୍କ ପ୍ରତି ଆକ୍ଷେପକୁ ସତ୍ୟ ବୋଲି ଧରିଲେ ସୁଦ୍ଧା ଆପଣ କିପରି ଭାବୁଛନ୍ତି ଆମର ସ୍ଥିତି ଏଠାରେ ସମ୍ଭବ ନୁହେଁବୋଲି ? ଆପଣଙ୍କର ସ୍ଳୋଗାନ ହେଉଛି ଗାନ୍ଧୀ ସାମ୍ୟବାଦ୍‌ ଆନନୟ, ଏପରି ସ୍ଥଳେ ସମସ୍ତେ ଏଠାରେ ରୁଣ୍ଡହେବେ—ଏଥିରେ ବିସ୍ମିତ ହେବାର କ’ଣ ଅଛି ? ସ୍ନେହଲତା ଦେବୀଙ୍କର ଏ ଧରଣ ଯୁକ୍ତିରେ ଶରତ୍‌ବାବୁ ଖୁବ୍‌ ପ୍ରିତ ହୋଇଗଲେ ସତ, ମାତ୍ର ଯୁକ୍ତି ଛଳରେ କହିଲେ—ଆମର ସ୍ଳୋଗାନ କେବଳ ଗୋଟିଏ ସ୍ତରର ଲୋକଙ୍କ କାନକୁ ସାମାନ୍ୟ ଶୁଣାଯାଉଛି ବୋଲି ମୋର ବିଶ୍ୱାସ ଥିଲା ଏବଂ ଆଶା କରିଛି ଆପଣମାନଙ୍କ ପରି କେତେକଙ୍କର ଆହ୍ୱାନ ଅନ୍ୟ ଗୋଟିଏ ଦଳର କାନକୁ ଯାଇ ପାରିବ ଏବଂ ଉଭୟ ଚେଷ୍ଟାରେ ଉଭୟ ଦଳର ସମନ୍ୱୟ ସୂତ୍ରପାତ ଘଟିବ । କିନ୍ତୁ ଏତେଶୀଘ୍ର ଏପରି ହୋଇ ପାରେ ଏ ଧାରଣା ମୋର ଆଦୌ ନ ଥିଲା । ଶରତବାବୁଙ୍କ ସହ ସ୍ନେହଲତା ଦେବୀ ଓ ସରୋଜିନୀ ଦେବୀଙ୍କର ଏହି ଧରଣର ମଧୁର ଯୁକ୍ତି ଅନେକ ସମୟଧରି ଚଳିବା ପରେ ଶରତବାବୁ କହିଲେ, ‘‘କଥା ଛଳରେ ମୁଁ କେବଳ କହୁଛି ସିନା, ମାତ୍ର ଆପଣମାନଙ୍କର ଆଗମନରେ ମୋର ଆନନ୍ଦ ଯେ କେତେଦୂର ତାହା ମୁଁ କଥାରେ କହି ପାଇବି ନାହିଁ । ଏତିକି ମୋର ଭୟ—ଏ ଆଶ୍ରମ ଆପଣମାନଙ୍କର କେତେଦୂର ସେବାକରି ପାରିବ ତାହାହିଁ ମୋର ଚିନ୍ତା । ଯୁବତୀ ଦୁଇଟି ହସି ହସି ଗଡ଼ିଯାଇ କହିଲେ—ଆମେ ଆଶ୍ରମର ସେବା କରିବାକୁ ଆସିଛୁ ନା ଆଶ୍ରମ ଆମର ସେବା କରିବ ?

 

ଏମାନେ ବସି କଥାବାର୍ତ୍ତା ହେଉଥିବାବେଳେ ମଣିନାନୀ ଆଶ୍ରମ ଭିତରଆଡ଼ୁ ଆସି ପହଞ୍ଚିଗଲେ ଏବଂ ଝିଅ ଦୁଇଟିକୁ ଅତି ଆଦର ସହକାରେ ଅନ୍ୟ ଗୋଟିଏ କୋଠରୀକୁ ଡାକିନେଇ ଜଳଖିଆ ଆଦି ଖାଇବାକୁ ଦେଲେ ।

 

ଶରତ୍‌ବାବୁଙ୍କ ମନରେ ବରାବର ସନ୍ଦେହ ହେଉଥାଏ ଯେ—ସ୍ନେହଲତା ଓ ସରୋଜିନୀ ଦୁହେଁ ଘରେ କୁହାବୁଲା ନକରି ଚାଲିଆସିଛନ୍ତି । ତା ନ ହୋଇଥିଲେ ଗିରୀଶ ମହାପାତ୍ର ଓ ଚଉଧୁରୀ ଶ୍ରୀଧର ଦାସଙ୍କ ପରି ରକ୍ଷଣଶୀଳ ବିଖ୍ୟାତ୍‌ ଜମିଦାରମାନେ ନିଜର ଝିଅମାନଙ୍କୁ ଆଶ୍ରମକୁ ପଠାଇ ଥାଆନ୍ତେ କାହିଁକି !! ତଥାପି କ’ଣ ଅବା କରାଯିବ ! ଆଗ୍ରହ ସହକାରେ କାମ କରିବାଲାଗି ଆସିଥିବା ଯୁବତୀ ଦୁଇଟିକୁ ଫେରାଇ ଦେବା ଠିକ୍‌ ହେବ ନାହିଁ ।

 

ଆଶ୍ରମର ନୀତି ନୀୟମ ଗୁଡ଼ିକୁ ଆଗ୍ରହର ସହିତ ଝିଅ ଦୁଇଟି ପାଳନ କରୁ ଥାଆନ୍ତି । ଯେଉଁଦିନ ଯେଉଁ ଗାଁକୁ ଯିବାପାଇଁ ହୁଏ ଆନନ୍ଦ ମନରେ ସେ ଗାଁମାନଙ୍କୁ ଯାଇ ଆବଶ୍ୟକୀୟ କାମମାନ କରନ୍ତି ।

 

ସେଦିନ ରବିବାର ହୋଇଥାଏ । ଆଶ୍ରମର ସମସ୍ତେ ବିଶ୍ରାମ ନେବା ଉଦ୍ଦେଶ୍ୟରେ କେହି କୁଆଡ଼େ ନଯାଇ କେବଳ ବଗିଚା କାମରେ ଲାଗିପଡ଼ି ଥାଆନ୍ତି । କେତେ ଦୂରରୁ ଗୋଟାଏ ମଟର ଶବ୍ଦ ଶୁଣାଗଲା । ସମସ୍ତେ ସେହି ଆଡ଼କୁ ଚାହିଁଲେ । ଦେଖୁ ଦେଖୁ ମଟରଟି ଆଶ୍ରମ ଦୁଆରେ ପହଞ୍ଚିଲା । ମଟର ଭିତରୁ ଦୁଇଜଣ ଲୋକ ହଠାତ୍‌ ଓହ୍ଳାଇଆସି ଶରତ୍‌ବାବୁଙ୍କୁ ନମସ୍କାର କଲେ । ସେତେବେଳକୁ ଶରତ୍‌ବାବୁ ସମେତ ସମସ୍ତେ ବୀର ବେଶରେ ବଗିଚା ସହିତ ସଂଘର୍ଷ ଚଳାଇ ଥାଆନ୍ତି । ସୌଦାମିନୀ ଓ ସ୍ନେହଲତା ଦୁହିଁଙ୍କର ହାତ ଗୋଡ଼ କାଦୁଅରେ ଲଟ ପଟ ହୋଇ ଯାଇଥାଏ । କାମକରିବା ଅଭ୍ୟାସ ସେମାନଙ୍କର ଟିକିଏ ହେଲେତ ନ ଥିଲା; ମାତ୍ର ଏଇ ଚାରିଦିନ ହେଲା ଆରମ୍ଭ କରିଛନ୍ତି । ଦେହ ମୁହଁରୁ ଝାଳ ବୋହି ଯାଉଛି । ଆଗନ୍ତୁକ ଦୁହେଁ ଶରତବାବୁଙ୍କ ସାଙ୍ଗରେ କଥାବାର୍ତ୍ତା ହେଉ ହେଉ ସମସ୍ତେ ଆସି ସେଠାରେ ରୁଣ୍ଡହୋଇ ଗଲେ । ଚଉଧୁରୀ ଓ ମହାପାତ୍ର ଦୁହେଁ ଆଶ୍ରମର ବ୍ୟବସ୍ଥା ଗୁଡ଼ିକୁ ଦେଖି ଓ ଆଶ୍ରମବାସୀଙ୍କର ବ୍ୟବହାରରେ ସନ୍ତୋଷ ହୋଇ ଝିଅମାନଙ୍କୁ ଉତ୍ସାହିତ କରି କହିଲେ—ଦେଶରେ ଏଇ ଧରଣର କାମ ଆଗେଇ ପାରିଲେ ସମସ୍ତଙ୍କର ଦୁଃଖ ଦୁର୍ଦ୍ଦଶା ମେଣ୍ଟିଯାଇପାରିବ । ଏ ବେଳ ଆଉ କଥା କହିବାର ବେଳ ନୁହେଁ । ଲୋକେ ବହୁତ କହି ଶିଖିଲେଣି; ମାତ୍ର କାମ କରିବା ଶିଖିନାହାଁନ୍ତି । ଶରତ୍‌ବାବୁଙ୍କ ଉଦ୍ୟମରେ ଅଚ୍ୟୁତପୁର ଆଶ୍ରମରେ ଯେତେ ଯେତେ ଅନୁଷ୍ଠାନ ଖୋଲିଛି ଏବଂ ଆଶ୍ରମ ଜରିଆରେ ଯେଉଁସବୁ କାମ କରାଯାଉଛି ତାହା ବାସ୍ତବିକ ଲୋକକଲ୍ୟାଣକର !! ଆମେ ଦୁହେଁ ଟିକିଏ ସନ୍ଦେହରେ ପଡ଼ିଥିଲୁ ! ମାତ୍ର ଆମର ସନ୍ଦେହ ଦୂର ହୋଇ ଯାଇଛି । ଚଉଧୁରୀ ଓ ମହାପାତ୍ରଙ୍କ ପରିଚୟ ସେତେବେଳକୁ ଆଶ୍ରମର ପ୍ରାୟ ସମସ୍ତେ ପାଇସାରି ଥାଆନ୍ତି !! ମଣିନାନୀ ସ୍ନେହଲତା ଓ ସୌଦାମିନୀର ସ୍ୱଭାବ, ଚରିତ୍ର ଏବଂ ସେବାପରାୟଣତା ସଂପର୍କରେ ତାଙ୍କର ଅଳ୍ପଦିନର ପ୍ରତ୍ୟକ୍ଷ ଅନୁଭୂତି କହିବାପରେ ଚଉଧୁରୀ ଆଉ ମହାପାତ୍ରେ କୃତକୃତ୍ୟ ହୋଇ ଆଶ୍ରମର ମହତ୍ୱ ଯୋଗୁଁ ଏଠାରେ ରହିବା ଯେ କେହି ଲୋକ ଭଲ ସ୍ୱଭାବର ହୋଇ ପାରିବ ବୋଲି ମତ ବ୍ୟକ୍ତ କଲେ । ନିଜ ନିଜର ଝିଅଙ୍କୁ ଉତ୍ସାହ ଓ ଉପଦେଶ ଦେଇ ଆଶ୍ରମରୁ ବିଦାୟ ନେଲାବେଳେ ଶରତବାବୁଙ୍କ ହାତରେ ଦଶ ହଜାର ଟଙ୍କାର ଖଣ୍ଡିଏ ଚେକ ଧରାଇ ଦେଇ କହିଲେ, ‘‘ଆଶ୍ରମ କାର୍ଯ୍ୟରେ ଏ ଅର୍ଥ ବ୍ୟୟ କରନ୍ତୁ । ଆବଶ୍ୟକବେଳେ ଦୟା କରି ଜଣାଇଲେ ଆମେମାନେ ଯାହା ପାରିବୁ ତାହା ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛୁ ।’’

 

ସତ୍‌ପାତ୍ର ଓ ସତ୍‌କ୍ଷେତ୍ରରେ ଆମମାନଙ୍କର ଅର୍ଥ ବିନିଯୋଗ ହେଉ ଏହାହିଁ କାମନା ! ଯେଉଁ ଅନୁଷ୍ଠାନର ବିକାଶରେ ସାରା ଦେଶର ବିକାଶ ହୁଏ, ସେହି ସେହି ଅନୁଷ୍ଠାନକୁ ସାହାଯ୍ୟଦାନ କରିବା ପୁଞ୍ଜିପତିମାନଙ୍କର ନୀତି ହେବା ଦରକାର । ଆମମାନଙ୍କ ଉପରେ ଆପଣଙ୍କ ଧାରଣା କେବେହେଲେ ଭଲ ନଥିବ ସତ କିନ୍ତୁ ଆପଣଙ୍କ କାର୍ଯ୍ୟକଳାପ ଉପରେ ଆମ ଦୁହିଁଙ୍କର ଆସ୍ଥା ଯଥେଷ୍ଟ ଅଛି । ଝିଅ ଦୁଇଟି ଆପଣଙ୍କ ଦାୟିତ୍ୱରେ ରହିଲେ ମଣିଷ ହୋଇପାରିବେ-। ଆମର ଏଥିରେ ଟିକିଏ ହେଲେ ସନ୍ଦେହ ନାହିଁ । ତେଣୁ ସେମାନଙ୍କର ଭବିଷ୍ୟତ ଆପଣଙ୍କ ଉପରେହିଁ ନିର୍ଭର କରୁଛି । ଶରତ୍‌ବାବୁ ଏ ସମସ୍ତ ଅଭିନୟଗୁଡ଼ିକୁ ଦେଖି ଅନୁଭବ କରି ଆଶ୍ଚର୍ଯ୍ୟ ହୋଇ ବସି ଥାଆନ୍ତି । ଜମିଦାର ଦୁହେଁ ନମସ୍କାର, ନମସ୍କାର କହି କାର୍‌ରେ ବସିଲେ । ଚାହୁଁ ଚାହୁଁ କାର୍‌ଟି ଉଲ୍‌କା ଗତିରେ କୁଆଡ଼େ ଅଦୃଶ୍ୟ ହୋଇଗଲା ।

 

(ଊଣେଇଶ)

 

ବୁଝିଲୁ ଶରତ । କାଲି ସେ ଦୁଇଜଣଙ୍କର ଅଭିନୟ ଦେଖି ମୁଁ ତ ଆଶ୍ଚର୍ଯ୍ୟ ହୋଇପଡ଼ିଲି-। ଭିକାରୀକୁ ଭିକ ମୁଠେ ଦେବାରେ ଯେ ଅଭ୍ୟସ୍ତ ନୁହେଁ, ସେମାନେ ପୁଣି ଦଶ ହଜାର ଟଙ୍କା ଦାନ କରିଦେଲେ ! ତୋ’ର ମନେଥିବ କି ନାହିଁ କେଜାଣି, ଆମେ ଥରେ ବନ୍ୟା ସାହାଯ୍ୟ ପାଣ୍ଠି ସଂଗ୍ରହ ପାଇଁ ସେ ଦୁଇଜଣଙ୍କ ପାଖକୁ ଯାଇଥିଲୁ—କ’ଣ କହିବି, ଶହେ ପ୍ରକାରର ପ୍ରଶ୍ନ ତ ପଚାରିଲେ କିନ୍ତୁ ପଇସାଟିଏ ସୁଦ୍ଧା ଦେବାଲାଗି ସଫା ମନା କରିଦେଲେ ପରା ! ଏ ଯୁଗଟା ସତେ ଓଲଟି ପଡ଼ିବ କି-! ହଁ, ମନୁଷ୍ୟ ମନ ତ ସବୁବେଳେ କ’ଣ ସମାନ ରହିପାରିବ ? ବର୍ତ୍ତମାନ ହୁଏତ ପୁଞ୍ଜିପତିମାନେ ବୁଝି ନେଲେଣି । ସେମାନଙ୍କର ପୁଞ୍ଜି ଆଉ ବେଶୀ ଦିନ ରହିପାରୁନି; ସେ ଦୃଷ୍ଟିରୁ ମନଟା ଆପେ ଆପେ ଟିକିଏ ବଦଳି ଆସୁଛି । ଏହା ବ୍ୟତୀତ ଆଉ ଗୋଟିଏ କଥା—ମୁଁ ଏଇ ଆଶ୍ରମ ଚାନ୍ଦା ପାଇଁ ଥରେ ଜଣେ ଶେଠଙ୍କ ପାଖକୁ ଯାଇଥିଲି । ସେ ପ୍ରଥମେ ରୋକଠୋକ୍‌ ମନା କରିଦେଲେ । ତାପରେ ଯେତେବେଳେ ଏଠାକୁ ଆସି ନିଜ ଆଖିରେ ସମସ୍ତ ବିଷୟ ଦେଖିଲେ ଓ ସାଧାରଣ ଚାନ୍ଦାର ଆୟବ୍ୟୟ ହିସାବରେ ସନ୍ତୋଷ ହେଲେ ସେତେବେଳେ କଟକରୁ ଦଶହଜାର ଟଙ୍କାର ଖଣ୍ଡିଏ ଚେକ ପଠାଇ ଦେଇଥିଲେ । ସେଦିନଠୁ ମୋର ବିଶ୍ୱାସ, ବାସ୍ତବିକ ପୁଞ୍ଜିପତିମାନେ ଗୋଟିଏ ପଇସା ସୁଦ୍ଧା ଅସତ୍‌ ମାର୍ଗରେ ଖର୍ଚ୍ଚ କରିବାକୁ କୌଣସି ମତେ ଦେବେ ନାହିଁ; ଟଙ୍କା ପଇସାର ସଦ୍‌ବ୍ୟବହାର ତାଙ୍କୁ ହିଁ ସବୁଠାରୁ ଭଲ ଜଣା । ମୁଁ ମାଗିବାବେଳେ ସେ ଶହେ ଖଣ୍ଡେ ଚାନ୍ଦା ଦେଇଥିଲେ ମୁଁ ଖୁସି ହୋଇଥାଆନ୍ତି । କିନ୍ତୁ ସେତକ ନକରି ଦଶ ହଜାର ଟଙ୍କା ସ୍ୱତଃପ୍ରବୃତ୍ତ ହୋଇ ଦାନ କଲେ । ସେହିଭଳି ଏ ଦୁହେଁ ହୋଇଥିବେ ! ପ୍ରକୃତରେ ଦେଖିବାକୁ ଗଲେ ଆମ ଦେଶର ଅନେକ ଲୋକ ସାଧାରଣ କାମର ନାଁ ଦେଇ ବହୁ ଅର୍ଥ ସଂଗ୍ରହ କରନ୍ତି । ମାତ୍ର ସମୂହ କାର୍ଯ୍ୟରେ ବ୍ୟୟ ହୁଏ ନାହିଁ । ଖର୍ଚ୍ଚର ହିସାବ ପର୍ଯ୍ୟନ୍ତ କେହି ଜାଣନ୍ତି ନାହିଁ । ଏପରି ସ୍ଥଳେ ଲୋକ ଚାନ୍ଦା ଦେବାରେ ଆଗେଇବେ କିପରି ? ଏ ଦୁହିଁଙ୍କ ପକ୍ଷରେ ଚାନ୍ଦା ଦେବାଟା ଅବଶ୍ୟ ଭିନ୍ନ ! ଝିଅ ଦୁଇଟିତ ଏଠାକୁ ଆସିଛନ୍ତି । ସେଥିଯୋଗୁଁ ମନଟା ମାନି ଯାଇଛି ।

 

ଝିଅଯୋଡ଼ିକ କିନ୍ତୁ ଅତି ଭଦ୍ର, ଆଉ କର୍ତ୍ତବ୍ୟପରାୟଣା । ୨୪ ଘଣ୍ଟା କାମରେ ଖଟିବା ପ୍ରବୃତ୍ତି ତାଙ୍କର ଅଛି । ଦେଖୁନୁ, ଦିନ ୧୫ଟା ଭିତରେ ନୂଆଗାଁ ନୈଶବିଦ୍ୟାଳୟରେ କେତେ ଉନ୍ନତ୍ତି କରିଛନ୍ତି ! ନୂଆଗାଁର ୨୦ଜଣ ପ୍ରୌଢ଼ ଏବେ ନାଁ ଲେଖେଇ ପଢ଼ା ଆରମ୍ଭ କରିଦେଲେଣି । କିନ୍ତୁ...ମିହିରବାବୁ ନିରବ ରହିଯିବାରୁ ଶରତ୍‌ବାବୁ ପଚାରିଲେ—କିରେ, କିନ୍ତୁରେ ଅଟକିଗଲୁ କାହିଁକି ??’’ ବିଚାରିଲି କଥାଟା ମୋଠାରୁ ଶୁଣିବା ଅପେକ୍ଷା ସୁପ୍ରଭା ଦେବୀଙ୍କଠାରୁ ଶୁଣିଲେ ଆଉରି ଭଲ ହେବ ! ହଁ, ସୁପ୍ରଭା ତ କହିବେ—ତେବେ ଆଗରୁ କହିଦେଲେ ବା କ୍ଷତି କ’ଣ ? ମିହିରବାବୁ କହିବାକୁ ଉଦ୍ୟତ ହେଲାବେଳେ ସେଠାରେ ଆସି ପହଞ୍ଚିଗଲେ ଗାଁର ଅନ୍ୟାନ୍ୟ କେତେଲୋକ ।

 

ସୁପ୍ରଭା ସେଦିନ ଖୁବ୍‌ ଚିନ୍ତିତ ଦେଖାଯାଉ ଥାଆନ୍ତି । ଶରତବାବୁଙ୍କ ସହିତ ଦୀର୍ଘ ସମୟଧରି ସେ କଥାବାର୍ତ୍ତା ହୋଇଥିଲେ ସୁଦ୍ଧା ତାଙ୍କର ସ୍ୱଭାବସିଦ୍ଧ ହସ ହସ ମୁହଁଟି ଟିକିଏ ଗମ୍ଭିର ଜଣାଯାଉଥିଲା । ଶରତ୍‌ବାବୁ ପଚାରିଲେ ସୁପ୍ରଭା ! ତୁମେ ଯେଉଁ ଘଟଣାଗୁଡ଼ିକ ବ୍ୟକ୍ତକଲ ସେଥିଲାଗି ଚିନ୍ତା କରୁଚ ନା ଅନ୍ୟ କିଛି କାରଣରୁ ? ମୋର ବ୍ୟକ୍ତିଗତ କାରଣ ଆଉ କ’ଣ ଅଛି ଯେ—ଚିନ୍ତା କରିବି ?? ଯେଉଁ ଅନୁଷ୍ଠାନଟିକୁ ନିଜର ଜୀବନ ଅପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଉଅଛି ତା ସମ୍ପର୍କରେ ଟିକିଏ କିଛି ଅଘଟଣ ଦେଖିଲେ ମୁଁ ଆଦୌ ସହ୍ୟ କରିପାରୁନାହିଁ । ହଜାର ହଜାର ଲୋକ ଏ ଅନୁଷ୍ଠାନର ଆଦର୍ଶକୁ ଚାହି ରହିଛନ୍ତି ପରା !

 

ଶରତବାବୁ ଜାଣିପାରିଲେ ଯେ—ସୁପ୍ରଭା ଏ ଘଟଣାଟିରେ କ୍ଷୁବ୍‌ଧ ହୋଇ ପଡ଼ିଛି । ସେ କଥାର ଗୁରୁତ୍ୱ ଟିକିଏ ଲଙ୍ଘନ କରି ଦେବା ଉଦ୍ଦେଶ୍ୟରେ ହସି ହସି କହିଲେ—‘‘ଯୁବକ ଯୁବତୀମାନଙ୍କ ପକ୍ଷରେ ଏସବୁ ନିତାନ୍ତ ସ୍ୱାଭାବିକ । ଅବଶ୍ୟ ଗୁପ୍ତ ରଖିବାଦ୍ୱାରା ଘଟଣାଟି ପରିଶେଷରେ ଦୋଷାବହ ହୋଇଉଠେ ।’’ ଆଛା, ତୁମେ ନିଜ କଥା ବିଚାର କଲ । ମତେ ଟ୍ରେନ୍‌ ଭିତରେ ଯେଉଁ ଦିନ ଦେଖିଲ ଏବଂ ଯେଭଳି ଚର୍ଚ୍ଚାକଲ ତା ଅପେକ୍ଷା ଆମ ଏଠାରେ କ’ଣ ଅଧିକ କିଛି ଦେଖିପାରୁଚ ! ହୁଏତ ସୌଦାମିନୀ ଆଉ ସ୍ନେହଲତା ଦୁହେଁ ଅକ୍ଷୟବାବୁ ଓ ପୀତବାସବାବୁଙ୍କୁ ଟିକିଏ ଅଧିକ ସ୍ନେହ ଦୃଷ୍ଟିରେ ଦେଖୁଛନ୍ତି । ସମସ୍ତେ ଶିକ୍ଷିତ ଏବଂ ନୂଆ ବୟସର ଯୁବକ ଯୁବତୀ ପରସ୍ପର ପ୍ରତି ଆକୃଷ୍ଟ ହେବା ଅସ୍ୱାଭାବିକ ନୁହେଁ ତ ! ସୁପ୍ରଭାଦେବୀ କହିଲେ, ‘‘ସେମାନଙ୍କ ହାବ ଭାବକୁ ମୁଁ ଖରାପ କହୁନାହିଁ ଯେ—ମୋର ଭୟ କେତେବେଳେ ଯଦି..... ।

 

ହଁ ହଁ ବୁଝୁଛି, ମାତ୍ର କଥାଟା ସେ ପର୍ଯ୍ୟନ୍ତ ଆଗେଇ ଯିବାକୁ ଆମେ ଦେବା କାହିଁକି ? କହିଲ ଭଲା—ସେମାନେ ଯଦି ପରସ୍ପରକୁ ବିବାହ ହୁଅନ୍ତି ତେବେ କାହା ଆଖିକି ଅସୁନ୍ଦର ଦିଶିବ କି ? ଅନ୍ୟଦୃଷ୍ଟିରୁ ଅସୁନ୍ଦର ନୁହେଁ ଯେ—ଏମାନେ ବ୍ରାହ୍ମଣ ଆଉ ଝିଅ ଦୁଇଟି.....ସୁପ୍ରଭାର ମନ୍ତବ୍ୟ ଉପରେ ଶରତବାବୁ ହସିହସି କହିଲେ—ତୁମେ ଏ ଆଶ୍ରମର ଜଣେ ମୁଖ୍ୟଲୋକ ହିସାବରେ ଯଦି ବ୍ରାହ୍ମଣ ଅବ୍ରାହ୍ମଣ ନେଇ ଆଭିଜାତ୍ୟ ଉଠାଇ ବସିଲଣି ତେବେ ଅନ୍ୟ ଉପରେ ଆମେ କଣବା ପ୍ରଭାବ ପକେଇବା । ମୋ ସହିତ ସାକ୍ଷାତବେଳେ ମୁଁ ବ୍ରାହ୍ମଣ କି ଚଣ୍ଡାଳ ତୁମେ କିଛି ବୁଝୁଥିଲ ? ତୁମେ କି ଜାତିର ତାହା ବୁଝିବା ପୂର୍ବରୁ ମୁଁ ତ ତୁମପ୍ରତି ଖୁବ୍‌ ଆକୃଷ୍ଟ ହୋଇ ପଡ଼ିଥିଲି ! ସୁପ୍ରଭା ଟିକିଏ ଲଜ୍ଜିତ ହୋଇ କହିଲେ, ‘‘ହଉ ସେ ଯାହାହେଉ ପଛେ, ସେମାନଙ୍କର ମୁରବିମାନଙ୍କଠାରୁ ଅନୁମତି ନେବା ଉଚିତ ତ !’’ ଅନୁମତି ନେବା ଦରକାର ନାହିଁ । ତଥାପି ଏପର୍ଯ୍ୟନ୍ତ ମୁଁ ସେକଥା ବାକି ରଖିନି କହି ଶରତବାବୁ ଗୁଡ଼ିଏ ଚିଠି ସୁପ୍ରଭାଦେବୀଙ୍କ ପାଖରେ ରଖିଦେଲେ । ସୁପ୍ରଭା ଚିଠିଗୁଡ଼ିକୁ ପଢ଼ି କହିଲେ—ତୁମେ ଜଣେ ଅନାଗତ ବିଧାତା ମୁଁ ଦେଖୁଚି । ଖାଲି କଥା କଥାକେ ପ୍ରଶଂସା ଟିକିଏ କରିଦେଲେ ଚଳିବନାହିଁ, ମତେ ଉପଯୁକ୍ତ ପୁରଷ୍କାର ଦିଅ । ଯେହେତୁ ତୁମ ମନର ଭାବନା ଗୁଡ଼ାକୁ ମୁଁ ଆଗରୁ କାମରେ ପୂରଣକରି ଦେଇପାରିଚି । ଶରତବାବୁ ସୁପ୍ରଭାର କାଇଞ୍ଚପରି ସ୍ୱଚ୍ଛ ଆଖି ଦୁଇଟିକୁ ଚାହିଁ ରହିଲେ । ସୁପ୍ରଭା ଲାଜରେ ପ୍ରତିଦୃଷ୍ଟିପାତ କରି ନପାରି ଲାଇଟ୍‌ଟିକୁ ଲିଭାଇ ଦେଲେ । ଶରତବାବୁ ଆରେ ଆରେ ଅନ୍ଧାରରେ ପୁରଷ୍କାର ଦେବ ନାଁ କ’ଣ ??

 

ଶରତବାବୁ ଖୁବ୍‌ କୋମଳ ସ୍ୱରରେ ସୁପ୍ରଭା ସୁପ୍ରଭା ଡାକି ତା ପିଠିରେ ହାତମାରି କହିଲେ—ନିଦ ହୋଇଗଲାନା କ’ଣ ? ତିନି ଚାରି ଦିନରେ ଥରଟିଏ ଆସି ପୁଣି ଭୋରରୁ ତ ଚାଲିଯାଉଛ ! ଅନ୍ୟାନ୍ୟ କେନ୍ଦ୍ର ଗୁଡ଼ିକର ଭଲ ମନ୍ଦ ଖବର କିଛି ହେଲେ କହିଲନି ଯେ— ?? କେବଳ ମାଇପି ମହଲର ଯେଉଁ ଅଭିଯୋଗ ତାହାହିଁ ଗପିଗଲ । ଯେଉଁ ବିଷୟରେ ମୋର ସନ୍ଦେହ ସେ କଥା କହିଲି, ଅନ୍ୟକାମ ଗୁଡ଼ିକ ତ ଯଥା ରୀତିରେ ଚାଲିଚି—ଆଉ କହନ୍ତି କ’ଣ ? ଅକ୍ଷୟବାବୁ ଓ ପୀତବାସବାବୁ ବେଶ୍‌ ପରିଶ୍ରମ ସହକାରେ କାମ କରୁଛନ୍ତି । ଏତିକି ସ୍ନେହଲତା ଆଉ ସୌଦାମିନୀ ଦୁଇ ଜଣଙ୍କୁ ନିଜ ନିଜ ମଧ୍ୟରେ ଭାଗବାଣ୍ଟି ସେମାନଙ୍କ ଉପରେ ଚୋରା ଚାହାଁଣୀ ନିକ୍ଷେପ କରୁଛନ୍ତି ଏବଂ ସେ ଦୁହେଁ ମଧ୍ୟ ଏମାନଙ୍କ ପାଇଁ ଯାହା ଇଚ୍ଛା ତାହା କରିବାକୁ ପଛାଉ ନାହାଁନ୍ତି । ବେଶ୍‌ ଭଲ କଥା ! ଆମର ଯାହା ଦରକାର ଥିଲା ମୁଁ ଯେଉଁ ବିଷୟରେ ଚିନ୍ତିତଥିଲି ସେତକ ଆପେ ଆପେ ହୋଇଯାଇଛି । ତୁମେ ମଧ୍ୟ ଜାଣିଥିବ କି ନାହିଁ ଆମ ଦେଶରେ ଏଭଳି ଯେତେ ଅନୁଷ୍ଠାନ ଗଢ଼ି ଉଠି ପରେ ପରେ ଭାଙ୍ଗି ଯାଇଛି, ତାର କାରଣ ହେଉଛି କର୍ମୀମାନଙ୍କ ସ୍ୱାଧୀନତା ଉପରେ ବାଧାଦେବା । କେବଳ ଶିକ୍ଷିତ ଯୁବକ ଯୁବତୀ କାହିଁକି ଯେକେହି ହେଉ ପଛକେ ନିଜର ବ୍ୟକ୍ତିଗତ କାମନା ଅପୂରଣ ରହିଲେ ସେମାନେ ଭାଙ୍ଗି ପଡ଼ିବା ସ୍ୱାଭାବିକ । ଏହାର ଜ୍ୱଳନ୍ତ ଉଦାହରଣ ଆମେ ଦୁହେଁ । ଏଥିରେ ଆଶ୍ଚର୍ଯ୍ୟ ବା ବିଚଳିତ ହେବାର କିଛି ନାହିଁ । ଯେଉଁ କେତୋଟି ଦିନ ତୁମର ଚିନ୍ତା ମତେ ଘାରୁଥିଲା ମୁଁ ପ୍ରକୃତରେ ମଣିଷ ପଣିଆ ହରେଇ ବସିଥିଲି । ସେ ସମୟରେ ଯେତେ ଯେତେ ଦୁର୍ଘଟଣା ମୋ ଦ୍ୱାରା ଘଟି ଯାଇଛି, ସେ ଗୁଡ଼ାକ ସ୍ମରଣ କଲେ ଲାଜରେ ମୋ ମୁଣ୍ଡ ନଇଁ ଯାଏ । ମଣିଷ ନିଜ ଦୃଷ୍ଟିରେ ଜଗତକୁ ବିଚାର କରିବା ଉଚିତ ।

 

ଶରତ୍‌ବାବୁଙ୍କର କଥାଗୁଡ଼ିକୁ ସୁପ୍ରଭା ଏକ ଲୟରେ ଶୁଣୁଥାଏ । ମଝିରେ ମଝିରେ କଥାଟା ନିଜ ଆଡ଼କୁ ଟିକିଏ ଢଳିଗଲେ ମୁହଁଟାକୁ ତଳକୁ ପୋତିଦେଇ କ’ଣ ପଦେ ଅଧେ ଉପରମନରେ ପ୍ରତିବାଦ କରୁଥାଏ ମାତ୍ର । ଶେଷରେ ଶରତବାବୁ ଅନ୍ୟାନ୍ୟ କେନ୍ଦ୍ରମାନଙ୍କର ଟିଖିନିଖି ଖବର ସୁପ୍ରଭାଠାରୁ ଶୁଣିଲେ ଏବଂ ମନେ ମନେ ଖୁବ୍‌ ଖୁସିହୋଇ କହିଲେ—ଯାହା ହେଉ ଏଥର ଆଖିକୁ ଦିଶିବା ଭଳି କେତେ ଗୁଡ଼ିଏ କାମ ହୋଇ ପାରିଛି । ଆମେ କେବଳ ଆଶ୍ରମଟାଏ କରିଦେଲେ ସାଧାରଣଙ୍କର ଲାଭ ବା କ’ଣ ? ଲୋକେ ଯେଉଁ ଭାବରେ ଉପକୃତ ହେବେ, ତା କରି ପାରିଲେ ବାସ୍ତବିକ କିଛି ହେଲା ବୋଲି ବୁଝିବାକୁ ହେବ ! ସୁପ୍ରଭା ! ତୁମେ କିନ୍ତୁ ମାସେ ଖଣ୍ଡେ ଆଶ୍ରମରେ ନ ରହିଲେ ଚଳିବନାହିଁ । ଦେଖୁ ଦେଖୁ ଦିନ ଖୁବ୍‌ ପାଖେଇ ଆସିଲା । ଏକାବେଳେକେ ଏତେ ଗୁଡ଼ାଏ ଉତ୍ସବ ହେବାର ଅଛି; ସେସବୁର ଆୟୋଜନହେବା ଦରକାର । ସୁପ୍ରଭା କହିଲା, ହଉ ମୁଁ କ’ଣ ନାହିଁ କରୁଚି ରହିବାପାଇଁ ! ତୁମେ ଯେତେବେଳେ ଯାହା କହୁଚ ମୁଁ କ’ଣ ତାହା ପାଳନ କରିବାରେ କେବେହେଲେ ଦ୍ୱିଧା କରେ କି ?? ନା ସେପରିତ କରନାହିଁ, ମାତ୍ର ମୋର ଆଦେଶ ଯଦି ହୁଅନ୍ତା ଏହି ଆଶ୍ରମରେ ମୋ ପାଖରେ ସବୁବେଳେ ଥାଅ ତେବେ ତୁମ ଆନନ୍ଦଟା ସବୁଠାରୁ ବୋଧହୁଏ ବେଶି ହୁଅନ୍ତା ! ଏହା ମତେ ସ୍ପଷ୍ଟଜଣା । କିନ୍ତୁ ମୁଁ ଜାଣିଶୁଣି ସେତକ କରାଇ ଦିଏ ନାହିଁ, କାରଣ ଅନ୍ୟ ସହକର୍ମୀମାନେ ଭିନ୍ନ ଭାବି ପାରନ୍ତି !! ଅନେକ ଅନୁଷ୍ଠାନ ପକ୍ଷପାତ ବିଚାର ଦ୍ୱାରା ସାଧାରଣଙ୍କ ଆସ୍ଥାହୀନ ହୋଇ ନଷ୍ଟଭ୍ରଷ୍ଟ ହୋଇ ଯାଇଛି । ତେଣୁ ମୋର ସର୍ବଦା ଚିନ୍ତା ଯେ—କୌଣସି ବ୍ୟତିକ୍ରମ ଏଠାରେ ଯେପରି ପ୍ରବେଶ ନକରେ !!

 

(କୋଡ଼ିଏ)

 

ରାତି କୁଣେ ନପାଉଣୁ ନାରଣଦାଶେ ଏ ବୁଢ଼ା ବୟସରେ ସୁଦ୍ଧା ଉଠିବା ତାଙ୍କର ଅଭ୍ୟାସ । ବୁଢ଼ା ଶେଯରୁ ଉଠିବା ମାତ୍ରେ ପ୍ରାତଃସ୍ମରଣ ସ୍ତବ ଗାଇ ଗାଇ ଗାଁ ଦାଣ୍ଡରେ ଯିବାବେଳେ ଅନେକେ ରାତି ପାହିବାର ସୂଚନା ପାଇ ପାରନ୍ତି । ଆଶ୍ରମର ନିୟମ ଅନୁସାରେ ସମସ୍ତେ ଠିକ୍‌ ଚାରିଟାରେ ଉଠିବା କଥା ! ଶରତ୍‌ବାବୁ ସେଦିନ ପ୍ରାର୍ଥନା ଶେଷକରି ସୁପ୍ରଭା ସହିତ ବଗିଚାରେ ବୁଲୁଛନ୍ତି, ନାରଣ ଦାସେ ଆସି କହିଲେ—ହଇରେ ବାପା ! ତୁମମାନଙ୍କୁ ତ ଦଣ୍ଡେ ହେଲେ ତର ହେଉନି । ସବୁବେଳେ ବ୍ୟସ୍ତଥିବାର ଦେଖି ମୁଁ କିଛି ହେଲେ କହିବାକୁ ସାହସ କରିପାରେନି । ଆଜି ମୋର ସୁଯୋଗ ଦୁଇ ଜଣଙ୍କର ସାକ୍ଷାତ ପାଇଛି । ବିଦୁ କଥା କ’ଣ ବିଚାର କଲ ବାପା !!

 

ମୁଁ ଆସି ବୁଢ଼ାହେଲି, ପାଚିଲା ପତର—କେତେବେଳେ କେଉଁ କଥା ଥାଏ । ଝିଅର ହାତଗଣ୍ଠିଟା ଟିକିଏ ଆଖିରେ ଦେଖି ଥାଆନ୍ତି । ଏଇ ଫାଲଗୁନ ମାସରେ ବିଦୁର ମାହେନ୍ଦ୍ର ଯୋଗଥିଲା । କିଛି ଅସୁବିଧା ନ ଥିଲେ କାମଟା ବଢ଼େଇ ଦେଇଥିଲେ ଅଡ଼ୁଆ ତୁଟି ଥାଆନ୍ତା ! ଶରତବାବୁ କହିଲେ, ‘‘ଦଦେଇ ! ତୁମେ ଖବର ପାଇନ କି ? ଏଇ ଫାଲଗୁନ ମାସରେ ଏକା ବିଦୁ କ’ଣ ବିଦୁ ଲତା, ହାରା, ମୀରା, ସରୋଜିନୀ, ସ୍ନେହଲତା ଆଦି ସମସ୍ତଙ୍କର ହାତଗଣ୍ଠି ପଡ଼ିବାର ବ୍ୟବସ୍ଥା ହେଉଛି ପରା !! ବୁଢ଼ା ଶରତ୍‌ବାବୁଙ୍କ କଥାରେ କୃତ କୃତ୍ୟ ହୋଇ ପଚାରିଲେ—ସତ କହୁଚୁଟି ବାପା ! ଏ ସମସ୍ତଙ୍କ ପାଇଁ ବରପାତ୍ର ଠିକ୍‌ ହୋଇ ଯାଇଛି !! ହଁ ହଁ, ତା ସବୁ ହୋଇ ସାରିଚି । ତୁମେ ନିଜେ ବସି ସବୁ କରେଇ ଦେବ !! ସେ ଦିନ ଆମର ଜଣେ ବଡ଼ ନେତା ଆସିବେ, ଏହିଠାରେ ସଭା ହେବ, ସଭା ସାଙ୍ଗକୁ ସେ କାମ ଯୋଡ଼ି ଦିଆ ହେଉଛି । ହଉ ବାପା ତୋର ମଙ୍ଗଳ ହେଉ । ମତେ ଭାଇଗ, ଦୟା ରଥି ହେରିକା ଆଉ ବସେଇ ଉଠେଇ ଦେଉ ନ ଥିଲେ । ଖାଲି ସବୁବେଳେ କହୁଛନ୍ତି ଭାଇନା ! ଶରତ୍‌କୁ ପଚାର—ବରପାତ୍ର ବିଷୟ କ’ଣ ବୁଝିଲା । ତୁ ଏହା ଭିତରେ ଏତେକଥା କରି ଦେଲୁଣି ମତେ ଆଦୌ ଜଣାନାହିଁ । ହଉ, ଆମ ଗାଁ ଝିଅମାନଙ୍କ ବିଷୟତ ଯାହା କଲୁଣି ତାସବୁ ଭଲ ହୋଇଛି । ସେ ଝିଅଦୁଇଟି ବ୍ରାହ୍ମଣ ଘରର ନୁହନ୍ତି ପରା ! ତାଙ୍କପାଇଁ କେଉଁଠି ବରପାତ୍ର କଲୁ ? ଶରତ୍‌ବାବୁ କହିଲେ, ଦଦେଇ ! ତୁମର ମନେନାହିଁ, ବୋଧହୁଏ; ସେଦିନ ଦୁଇଟିବାବୁ ତୁମକୁ ଯେ ନମସ୍କାର ହେଲେ ସେ ଦୁହେଁ ସରୋଜିନୀ ଓ ସ୍ନେହଲତାକୁ ବିବାହ କରିବେ । କ’ଣ କହିଲୁ, ସେ ବାବୁ ଦୁଇଟି ବ୍ରାହ୍ମଣପିଲା ବୋଲି କହୁଥିଲୁ ପରା-! ହଁ ସେ ଦୁଇଜଣ ଶାସନୀ ବ୍ରାହ୍ମଣ ମାତ୍ର ସେଥିରେ କ’ଣ ଅଛି ! ଶୁକ୍ରାଚାର୍ଯ୍ୟଙ୍କ କନ୍ୟାତ ପୁଣି କ୍ଷତ୍ରିୟ ବରକୁ ବିବାହ କରିଥିଲେ । ତାଛଡ଼ା ଆଜିକାଲି ଯୁଗରେ ଆମେ ଯଦି ଏଇ ସବୁ ଛୋଟ ଛୋଟ ମନୋଭାବକୁ ଧରି ବସିବା ତେବେ ଆମର ଉଦ୍ଦେଶ୍ୟ କେବେହେଲେ ପୂରଣ ହୋଇପାରିବ କି ? ଆମେ ପରା ସମସ୍ତେ ସମୂହ ଚେଷ୍ଟାରେ ଏ ଜାତିକୁ ନୂଆକରି ଗଢ଼ିବା ବୋଲି ଚେଷ୍ଟା କରୁଚେ-। ଜାତି, ଅଜାତି, ଛୋଟ, ବଡ଼, ଇତ୍ୟାଦିକୁ ଧରି ବସିଲେ କିଛି ହୋଇପାରିବ ନାହିଁ । ହଉ ବାବା, ତୁ ଯାହା କହୁଚୁ ଆଉ କରୁଚୁ ଏଥିରେ ପ୍ରତିବାଦ କରିବା ଶକ୍ତି ବା କାହାର ଅଛି ! ଠାକୁର ତତେ ସୁବୁଦ୍ଧି ଦେଇଛନ୍ତି—ତୁ ଯାହା କରୁଛୁ ସବୁ ମଙ୍ଗଳ । ହଉ, ମୋ ଉପରେ ଯାହା ଭାର ଦେବୁ ତା’ ମୁଁ କରିବାକୁ ତିଆର ଅଛି । ସୁପ୍ରଭା ଟିକିଏ ଥଟ୍ଟାଳିଆ ସ୍ୱରରେ କହିଲା, ‘‘ଦଦେଇ ! ବିଦୁପାଇଁ ଗୋଟିଏ ହରିଜନକୁ ଜ୍ୱାଇଁ କରିଥିଲେ ଭଲ ହୋଇ ନ ଥାନ୍ତା ?’’ ହଁ, ହୋଇ ନ ଥାନ୍ତା କାହିଁକି ? ତୁମେ ଦୁହେଁ ଯଦି କହିଥାଆନ୍ତ ତେବେ ମୁଁ କ’ଣ କେବେ ମନା କରନ୍ତି !! ମୋ କପାଳକୁ ତ ଶରତ ଉତ୍ତମ ପ୍ରସଙ୍ଗଟିଏ କରି ଦେଇଚି । ମୁଁ କାହିଁକି ଆଉ ଅନ୍ୟ କଥା ବିଚାରିବି !! ହଉ ହଉ ବାପା, ତୁମେ ଯାଅ କ’ଣ କାମକରିବ—ମୁଁ କାହିଁକି ତୁମର ସମୟ ନଷ୍ଟ କରିବି । ଏଇ ପଦଟି ପେଟରେ ଘାଣ୍ଟି ହେଉଥିଲା ବୋଲି କହିବାକୁ ସୁବିଧା ଖୋଜୁଥିଲି ।

 

ଦିନ ଗଡ଼ି ଚାଲିଛି, ଧନୀର କୁହାଟ, ଗରିବର ଆର୍ତ୍ତଚିତ୍କାର, କର୍ମଠର କର୍ମକାନ୍ତି ଦୀର୍ଘସୂତ୍ରୀର ଅଯଥା କାଳକ୍ଷେପ କାହାକୁ ହେଲେ ତା’ର ଅପେକ୍ଷା ନାହିଁ । ଚାହୁଁ ଚାହୁଁ ଅପ୍ରେଲ ୧୬ ତାରିଖ ଆସି ହାଜର ହୋଇଗଲା । ଯଥା ସମୟରେ ସମାଜ ମଙ୍ଗଳ ନେତା ସଦାଳେବଳେ ପହଞ୍ଚିଗଲେ । ବିରାଟ ସଭାର ଆୟୋଜନ ହୋଇଥାଏ, ହଜାର ହଜାର ବିଶିଷ୍ଟ ବ୍ୟକ୍ତି ନିମନ୍ତ୍ରିତ ହୋଇ ସଭାରେ ଯୋଗଦାନ କରିଥାଆନ୍ତି । ଅଚ୍ୟୁତପୁରର ଆବାଳ ବୃଦ୍ଧ ବନୀତା ସମସ୍ତଙ୍କ ତୁଣ୍ଡରେ ଆନନ୍ଦ କୋଳାହଳ, ଫୁଟି ଉଠୁଛି । ଅନ୍ୟାନ୍ୟ କେନ୍ଦ୍ରରୁ ଆଶ୍ରମର ସମସ୍ତ କର୍ମୀ ଅଚ୍ୟୁତପୁର କେନ୍ଦ୍ରରେ ସମବେତ ହୋଇଥାଆନ୍ତି । ଆଗନ୍ତୁକମାନଙ୍କ ଚର୍ଚ୍ଚାରେ ମଣିନାନୀ ନୟାନ୍ତ ହୋଇ ପଡ଼ିଲେଣି ତଥାପି କାହା ପ୍ରତି ଟିକିଏ ହେଲେ ବିରକ୍ତିର ସୂଚନା ନାହିଁ ।

 

ସଭା କାର୍ଯ୍ୟ ଆରମ୍ଭ ହେଲା । ହଜାର ହଜାର ଦର୍ଶକମାନଙ୍କ ସମାବେଶରେ ସଭାସ୍ଥଳୀ ଫାଟି ପଡ଼ୁ ଥାଏ । ଆଗନ୍ତୁକ ମୁଖ୍ୟ ଅତିଥି ସାମାଜିକ ମଙ୍ଗଳ ସାଧନ ସର୍ମ୍ପକରେ ଦୀର୍ଘ ଭାଷଣଦେବା ସଙ୍ଗେ ସଙ୍ଗେ ଶରତ୍‌ବାବୁଙ୍କ ଉଦ୍ୟମରେ ଯେଉଁ ସମାଜ ମଙ୍ଗଳକାର୍ଯ୍ୟ ଆରମ୍ଭ ହୋଇଛି ତାହାର ଭୂୟସୀ ପ୍ରଶଂସା ଗାନକରିବା ସହିତ ବ୍ୟକ୍ତ କଲେ ଯେ—କେବଳ ଭାରତ କାହିଁକି ସମଗ୍ର ପୃଥିବୀ ପରିଭ୍ରମଣ କରି ସମାଜ ମଙ୍ଗଳ ଅନୁଷ୍ଠାନମାନ ଦେଖି ଆସିଲି କିନ୍ତୁ ଏହି ଆଶ୍ରମ ପରି ଅନ୍ୟ କେଉଁଠି ହୋଇଥିବା ମୋର ମନେ ହୁଏନାହିଁ । ଏହାର କାର୍ଯ୍ୟ ଯେପରି ବ୍ୟାପକ ଓ ଲୋକ ହିତକର ସେହିପରି ଜନପ୍ରିୟ ମଧ୍ୟ । ଅଚ୍ୟୁତପୁର ଆଶ୍ରମ ଅଧୀନରେ ଯେଉଁ ଶିକ୍ଷାକେନ୍ଦ୍ରମାନ ଖୋଲା ଯାଇଛି, ସେ ସମସ୍ତ ତଦନ୍ତ କରି ମୋର ସ୍ପଷ୍ଟ ଧାରଣା ହେଲା ଯେ—ଅନୁଷ୍ଠାନଗୁଡ଼ିକ ଲୋକଙ୍କର ପ୍ରିୟ ହୋଇ ସାରିଛି । ତେଣୁ ମୋର ବିଶ୍ୱାସ ଏହି ଅନୁଷ୍ଠାନ ଜରିଆରେ ଯାହା କରାଯିବ ତାହାକୁ ଲୋକେ ଆଦରର ସହିତ ପାଳନ କରିବେ । ଆମର ଅନେକ ସ୍ଥଳରେ ଭୁଲ ନ ହୁଏ ଯେ—ଆମେ ଅନୁଷ୍ଠାନଟିକୁ ଲୋକପ୍ରିୟ ନ କରି ସେହି ଅନୁଷ୍ଠାନ ଜରିଆରେ ବଡ଼ ବଡ଼ ସମସ୍ୟାର ପ୍ରଚାର ଆରମ୍ଭ କରିଦେଇଥାଉ । ଫଳରେ ତାହା ହୋଇପାରେ ନାହିଁ । ବର୍ତ୍ତମାନ ଆମ ଦେଶର ଅସଲ ସମସ୍ୟା ହେଉଛି, ‘ଭୂସଂସ୍କାର’ । ଭୂସଂସ୍କାର ବିନା ଦେଶର ଅଗ୍ରଗତି ଅସମ୍ଭବ । ଧନୀ ଦରିଦ୍ର ଭେଦ, ମଣିଷ ମଣିଷ ଭିତରେ ବିଭେଦ ପ୍ରାଚୀର ସୃଷ୍ଟି କରିଛି । ତାକୁ ଭାଙ୍ଗିବା ନିତାନ୍ତ ଆବଶ୍ୟକ । ସେ ଦିଗରେ କାମ କରିବା ଏ ଅନୁଷ୍ଠାନର ମୁଖ୍ୟ କର୍ମ ହେଉ ଏହା ହିଁ ଉଦ୍ୟୋକ୍ତାମାନଙ୍କ ପ୍ରତି ମୋର ପରାମର୍ଶ ଓ ସର୍ବସାଧାରଣ ଏଥିରେ ସହଯୋଗ କରନ୍ତୁ ବୋଲି ମୁଁ ନିବେଦନ କରୁଛି ।

 

ଠିକ୍‌ ଏତିକିବେଳେ ବହୁ ଜନତାର ଅନ୍ତରାଳରୁ ‘‘ଭୂ ସଂସ୍କାର ହେଉ, ଭୂ ସଂସ୍କାର ହେଉ’’ ଧ୍ୱନିମାନ ଶୁଣାଗଲା ଓ କରତାଳି ଶବ୍ଦରେ କାନ ଅତଡ଼ା ପଡ଼ିଗଲା । ମୁଖ୍ୟଅତିଥିଙ୍କ ଅଭିଭାଷଣ ପରେ ଶରତ୍‌ବାବୁ ଦଣ୍ଡାୟମାନ ହୋଇ ବିନମ୍ର ଭାବରେ କହିଲେ—ଏହି ଅନୁଷ୍ଠାନଦ୍ୱାରା ଯେ କୌଣସି ଲୋକହିତକର କାର୍ଯ୍ୟ ହୋଇପାରିବ, ତାହା କରିବାକୁ ଆମେମାନେ ସର୍ବଦା ପ୍ରସ୍ତୁତ । ମୁଖ୍ୟଅତିଥିଙ୍କ ଉପଦେଶକୁ ମୁଁ ସଭା ତରଫରୁ ସ୍ୱାଗତ ଜ୍ଞାପନ କରିଛି । ଆହୁରି ମଧ୍ୟ ଆଜିର ସଭାସଙ୍ଗକୁ ରଖା ଯାଇଥିବା ଅନ୍ୟାନ୍ୟ କେତେଗୁଡ଼ିଏ ଉତ୍ସବ ଏଠାରେ ଅନୁଷ୍ଠିତ ହେବ ଯାହାକି ଆପଣମାନଙ୍କର ଆଶୀର୍ବାଦ ଓ ଶୁଭେଚ୍ଛା କାମନା କରେ । ଶରତବାବୁଙ୍କ ଭାଷଣ ଶେଷ ହେଉ ହେଉ ବିଦୁ, ମୀରା, ହୀରା, ଶଶି, ସରୋଜିନୀ, ସ୍ନେହଲତା ଆଦି ଝିଅଗୁଡ଼ିକ ଗୋଟିଏ ଗୋଟିଏ ଫୁଲମାଳ ନେଇ ପୂର୍ବରୁ ସ୍ଥିର ହୋଇଥିବା କର୍ମୀମାନଙ୍କ ବେକରେ ଲମ୍ବାଇ ଦେଲେ । ସ୍ୱୟମ୍ବର ସଭା ପ୍ରଣାଳୀରେ ଶୁଭ ବିବାହଗୁଡ଼ିକ ସମ୍ପନ୍ନ ହୋଇଗଲା । ସଭାସଦ୍‌ ଲୋକେ ଏ କାର୍ଯ୍ୟରେ ଆନନ୍ଦ ଲାଭ କରି ଜୟ ଜୟ ଗାନକଲେ ଓ ଶୁଭ କାମନା ଜ୍ଞାପନ କରାଇଲେ ।

 

ସମସ୍ତ କାର୍ଯ୍ୟକ୍ରମ ଶେଷରେ ମୁଖ୍ୟଅତିଥିଙ୍କ ସମେତ ବହୁ ନେତୃସ୍ଥାନୀୟ ବ୍ୟକ୍ତି ବିଦାୟ ଗ୍ରହଣ କରିବା ପରେ ଶରତ୍‌ବାବୁ ଟିକିଏ ନିଶ୍ଚିନ୍ତ ହୋଇ ଆଶ୍ରମରେ ବସି ଅନ୍ୟମାନଙ୍କ ସହ ଆଳାପ କରୁଛନ୍ତି, ପ୍ରତିଭା ଦେବୀଙ୍କର ହଠାତ୍‌ ଆବିର୍ଭାବ ଘଟିଲା । ଶରତବାବୁ ଚେୟାରଟା ଉପରୁ ଉଠିଯାଇ କହିଲେ ଭାଉଜ ଏତେ ଲୋକ ସମାଗମ ଭିତରେ ତୁମକୁ ନ ଦେଖି ମୁଁ ବିଶେଷ ଦୁଃଖିତ ହୋଇ ପଡ଼ିଥିଲି । ଏତେ କାର୍ଯ୍ୟବ୍ୟସ୍ତ ଭିତରେ ସୁଦ୍ଧା ସୁପ୍ରଭା ତୁମ କଥା ମତେ ଦୁଇ ଚାରିଥର ପଚାରିଛନ୍ତି, ତୁମେ କ’ଣ ସତରେ ଆମକୁ ପାଶୋରିଦେଲ ନା ଆମମାନଙ୍କର କାର୍ଯ୍ୟଗୁଡ଼ାକ ତୁମ ମନକୁ ପାଉନାହିଁ କହିଲ ।

 

ପ୍ରତିଭା ଦେବୀ ହସି ହସି କହିଲେ, ଦୁଇଟିରୁ କୌଣସିଟି ଠିକ୍‌ ନୁହେଁ । ତୁମ ଭାଇନାଙ୍କୁ ଅପେକ୍ଷାକରି ମୁଁ ଠିକ୍‌ ସମୟରେ ଆସି ପାରିଲିନି । ତୁମମାନଙ୍କୁ ପାଶୋରି ଦେବା କଥା ଯାହା କହିଲ, ଏ ଜନ୍ମଛାଡ଼ି ଅନ୍ୟ ଜନ୍ମରେ ସୁଦ୍ଧା ତାହା ହୋଇ ପାରିବ ନାହିଁ, ଆଉ ତୁମର କାମକୁ ଜଗତ ପ୍ରଶଂସା କରୁଥିବାବେଳେ ଆମେ ବା କି ଛାର । ପ୍ରତିଭା ଦେବୀ ସୁପ୍ରଭାର ଓଠଟିକୁ ହାତରେ ଧରି ଅତି ଆଦରର ସହିତ ପଚାରିଲେ, ସତରେ ସୁପ୍ରଭା ତୁ ମତେ ମନେ କରୁଥିଲୁ ?? ତୁମମାନଙ୍କର ସ୍ନେହ ମତେ ଅଥୟ କରିଦେଲା ପରା ! କାରଟାକୁ ନେଇ ଦଉଡ଼ି ଆସିଲି । ହଉ ତୁମର ତ ସବୁ କାମ ସରିଲା ମୋ ପାଇଁ ଆଉ କ’ଣ ରଖିଚ କହିଲ ? ତୁମେ କହ ନ କହ ସବୁବେଳେ ମୋର ଯେଉଁ କାମଟି ତାହା ମୁଁ ଆଗରୁ ଜାଣିଛି । ଏଇ ଶରତ୍‌ଙ୍କୁ ତ ବର ବେଶକରି ତୋ ପାଖକୁ ଛାଡ଼ିଥିଲି-। ଆଜିର ବେଶଭୂଷା ମୋ ବିନା ଆଉ କରିବ କିଏ ? ପ୍ରତିଭା ଦେବୀଙ୍କ କଥାରେ ସମସ୍ତେ ହସି ଉଠିଲେ । ସୁପ୍ରଭା କହିଲା, ‘‘ହଁମ ଭାଉଜ, ସତରେ ସେ କାମଟି ତୁମ ଅପେକ୍ଷାରେ ରହିଛି । ମତେ ବର କନ୍ୟାକୁ ଟିକିଏ ଚିହ୍ନେଇ ଦିଅ ! ଏଠାରେ ସମସ୍ତେ ସମାନ ପରି ଦେଖାଯାଉଛନ୍ତି । ମୁଁ ଭୁଲରେ ହୁଏତ କାହାକୁ ବେଶ କରିଦେବି । ଆଉରି କେତେ ଲୋକ ଯେ ଚାହିଁ ବସିଛନ୍ତି ଏଠାକୁ ଆସିବେ ବୋଲି ତା’ର ସୀମା ନାହିଁ । ଆମ ପଡ଼ିଶା ଘରର ବଉଁଶଯାକ ମୋ ସାଥିରେ ଆସିବେ ବୋଲି ବାହାରିଥିଲେ, ମାତ୍ର ତାଙ୍କର କ’ଣ ଅସୁବିଧା ହେବାରୁ ଆସି ପାରିଲେନି, ସେ ବଙ୍ଗାଳୀ ଝିଅ ଗୁଡ଼ିଏ ଏଇ ଆଶ୍ରମରେ ରହି କାମ କରିବେ ବୋଲି କୋଉଦିନଠୁ ତିଆରି ହୋଇ ବସିଛନ୍ତି ।

 

ଆସନ୍ତୁ କେତେ କୁଆଡ଼ୁ ଆସୁଛନ୍ତି । ଶରତବାବୁ ତ ଟାଣୁଆ ପ୍ରଜାପତି ସାଜି ଏଠାରେ ବସିଛନ୍ତି । ତାଙ୍କର ଅଭାବ କଣ ? ଶରତବାବୁ କହିଲେ, ନାହିଁ ଭାଉଜ ଆମର ଆଉ ପ୍ରଜାପତି ଲୋଡ଼ୁଥିବା ଲୋକ ଦରକାର ନାହିଁ । ମୋର ଏତେ ଦାୟିତ୍ୱ ନେବ କିଏ ? ତୁମପରି ହାତକୁ ଦିହାତବାଲା ଆଶ୍ରମକୁ ଯେତେ ଆସିବେ ସେତେ ଭଲ ।

 

ହଉ ସେ ମଧ୍ୟ ଅଭାବ ରହିବେ ନାହିଁ । ଆମେ ଦୁହେଁତ ଆସିବୁ । ତୁମ ଭାଇନା ସବୁ ଠିକ୍‌ଠାକ୍‌ କରି ସାରିଲେଣି । ତୁମେ କି ମନ୍ତ୍ର ଜାଣିଚ କେଜାଣି । ଅନୁଷ୍ଠାନ, ଆଶ୍ରମ ସେବାସଂଘ ଆଦିର ନାଁ ପଡ଼ିଲେ ଯେ ନାକଟେକନ୍ତି ସେ ଏବେ ଏଠାକୁ ଆସିବାକୁ ତିଆର । ସେ ସଫା କହୁଚନ୍ତି ଏଇ ଅନୁଷ୍ଠାନ ଜରିଆରେ ଦେଶର କାମ କିଛି ନା କିଛି କରିହେବ ।

 

ସୁପ୍ରଭା ପ୍ରତିଭାଦେବୀଙ୍କୁ ଜଣ ଜଣ କରି ନବ ବରବଧୂମାନଙ୍କ ସହିତ ପରିଚିତ କରାଇ ଦେଉଥିବାବେଳେ ମଣିନାନୀ ଲାଜ ଲାଜ ହୋଇ ଆସି ପ୍ରତିଭାଦେବୀଙ୍କ ନିକଟରେ ପହଞ୍ଚିଗଲେ ଏବଂ ପ୍ରତିଭାଦେବୀଙ୍କ ହାତ ଦୁଇଟି ଧରି କହିଲେ ବୋଉ ମୋର ଦୋଷଗୁଡ଼ାକୁ କ୍ଷମାକରିବ । ତୁମ ନାଁରେ କେତେ ମିଛକଥା କହିଚି । ଅପ୍ରତ୍ୟାଶିତ ଭାବରେ ମଣିନାନୀଙ୍କର କ୍ଷମା ପ୍ରାର୍ଥନା ଯୋଗୁଁ ପ୍ରତିଭାଦେବୀ ବିସ୍ମିତ ହୋଇ ପଡ଼ିଲେ । ସୁପ୍ରଭା କହିଲା ନାନି ! ତୁମର ସବୁବେଳେ ଏ କି ସ୍ୱଭାବ-! ତୁମେ ଏପରିକି ଭୁଲଟେ କରିଦେଇଚ ଯେ—ସମସ୍ତଙ୍କୁ ଖାଲି କ୍ଷମା ମାଗୁଚ ! ସେ ଦିନ ବିଦୁଙ୍କ ହାତଧରି ବୁହେ କ୍ଷମା ମାଗିଲ । ବିଦୁ ଯେଉଁ ବ୍ୟସ୍ତ ହେଲେ ଆଉ କହିବାର ନାହିଁ । ପ୍ରତିଭାଦେବୀ ଘଟଣାର ପ୍ରକୃତ ରହସ୍ୟଟା ଭେଦକରି ପାରିଲେ ନାହିଁ । ବିଦୁ କଥାଟିକୁ ପ୍ରତିଭାଦେବୀଙ୍କୁ ଜଣାଇଦେବା ଉଦ୍ଦେଶ୍ୟରେ କହିଲା, ‘‘ଭାଉଜ ! ତୁମେ ମଣିନାନୀଙ୍କୁ କେବେ ଦେଖି ନ ଥିଲ ବୋଧହୁଏ ! ମାତ୍ର ତାଙ୍କ ନାଁ ନିଶ୍ଚେ ଶୁଣିଚ ! ଓହୋଃ ଇଏ ଆମର ମଣିନାନୀ ! ମୁଁ ତ ଅନେକ ଦିନରୁ ତାଙ୍କ ନାଁ ଶୁଣିଚି କିନ୍ତୁ କେବେହେଲେ ଦେଖି ନ ଥିଲି । ପ୍ରତିଭାଦେବୀ ମଣିନାନୀଙ୍କୁ କୋଳାଗ୍ରତକରି କହିଲେ, ହଇଏ ନାନି ! ତୁମେ ମତେ କଣ କ୍ଷମା ମାଗୁଛ ? ଛି ଛି ଅଧର୍ମ କଥାଗୁଡ଼ାକ । ତୁମେ କେଉଁଦିନ କାହା ନାଆଁରେ କ’ଣ ପଦେ ଅଧେ କହି ଦେଇଥିଲେ ଯେ–ଏବେ ତ ଦେବତା ପାଲଟି ଗଲଣି । ଯାହା ତୁଣ୍ଡରେ ଶୁଣିବ ତୁମର ପ୍ରଶଂସା । ଏତେ ବଡ଼ ଆଶ୍ରମ ତୁମ ଯୋଗୁଁ ଟିକିଏହେଲେ ଏପାଖ ସେପାଖ ନ ହୋଇ ଆଗେଇ ଚାଲିଛି । ହଉ ନାନି ! ମୁଁ ଆଜି ଏ ଟୋକୀଗୁଡ଼ିଙ୍କୁ ବେଶ ଭୂଷା କରେଇଦେଲେ ଶୀଘ୍ର କଟକ ଚାଲିଯିବି । ପୁଣି ଚାରିଦିନ ବାଦେ ଆସିଲେ ସବୁବେଳେ ତ ତୁମରି ପାଖରେ ହିଁ ରହିବି ।

 

ପ୍ରତିଭାଦେବୀ ଭାରି କୌତୁକିଆ ଲୋକ । ସେ ବିଦୁ ପ୍ରଭୃତିଙ୍କୁ ବେଶ ଅବା କ’ଣ କରିବେ ! କେବଳ ମନବୋଧ କରି ସମସ୍ତଙ୍କୁ ବୁହେ ଲେଖାଏଁ ଥଟ୍ଟା ପରିହାସକରି ରାତି ରାତି କଟକ ବାହାରି ଗଲେ । ‘‘ବାସ୍ତବିକ ପ୍ରକୃତି ଯାହାଙ୍କୁ ସୁନ୍ଦରକରି ସଜେଇ ଦେଇଛି ମଣିଷ ତାକୁ ଅଧିକ କ’ଣ ସଜେଇ ପାରିବ ।’’ ଯେଉଁ ଯୁବତୀଗୁଡ଼ିକ ସ୍ୱୟମ୍ବରରୀତିରେ ବରଣମାଳା ଦେଇ ସ୍ୱାମୀ ଗ୍ରହଣ କରିଛନ୍ତି । ସେମାନେ ପରଷ୍ପରକୁ ବଳି ସୁନ୍ଦର ପଣିଆରେ ଭାଙ୍ଗି ପଡ଼ୁଛନ୍ତି । ରୂପ ଗୁଣ କେଉଁଥିରେ କେହି କାହାକୁ ଊଣା ନୁହେଁ । ବରଂ ଆଶ୍ରମରେ ରହିବା ପୂର୍ବରୁ ଯାହା କିଛି ଅଳଙ୍କାର ଗ୍ରହଣ କରିଥିଲେ ସେତକ ପରିହାର କରିଛନ୍ତି ଏବଂ ଅଳଙ୍କାର ମଣ୍ଡିତ ନ ହେବା ପାଇଁ ନାରୀମହଲରେ ପ୍ରଚାର ଚଳାଇଚନ୍ତି । ଏପରି ଅବସ୍ଥାରେ ତାଙ୍କ ପକ୍ଷରେ ବେଶଭୂଷା ଲଜ୍ଜାର ବିଷୟ ହେବା ସ୍ୱାଭାବିକ ।

 

ପ୍ରତିଭାଦେବୀ କଟକଯିବା ପୂର୍ବରୁ ଜଣ ଜଣ କରି ସେମାନଙ୍କ ଶୋଇବା ଘରେ ଛାଡ଼ି ଦେଇଥିଲେ । ସୁପ୍ରଭାଙ୍କ ମନରୁ ଆଜି ଗୋଟାଏ ଦକ ଦୂର ହୋଇଯାଇଛି । ଏତେଗୁଡ଼ିଏ ଯୁବକ ଯୁବତୀଙ୍କୁ ପାଖରେ ଧରି ସେ ଖୁବ୍‌ ଚିନ୍ତିତ ହୋଇ ପଡ଼ିଥିଲେ । ତାଙ୍କର ହସ ହସ ପ୍ରଶନ୍ନ ମୁହଁ ଦେଖି ଶରତ୍‌ବାବୁ କହିଲେ ସୁପ୍ରଭା—ଆଜି ତୁମ ମୁହଁ ଗୋଟିଏ ଗଡ଼ଜୟ କଲାପରି ଜଣାଯାଉଛି ତ ।

 

ହଁ ସତରେ ମୁଁ ଆଜି ଭାରି ଆନନ୍ଦ ଅନୁଭବ କରୁଚି । ମୋର ବିଶ୍ୱାସ ପୁରୁଷମାନେ ଏଦିଗରେ ଟିକିଏ ଉଦାସୀନ । ନିଜ ଦୃଷ୍ଟିରୁ ଅନ୍ୟକୁ ବିଚାର କରିପାରନ୍ତି ନାହିଁ । ଯୁବକ ଯୁବତୀଗୁଡ଼ିଏ ପରସ୍ପରକୁ ଚାହିଁ ଚାହିଁ କେତେ ଦିନ ଅଭିଶପ୍ତ ଯକ୍ଷପରି କାଳକ୍ଷେପଣ କରନ୍ତେ । ତା ଛଡ଼ା କେତେବେଳେ କେଉଁକଥା......ଆଶ୍ରମର ଦୁର୍ନାମ ହେବ ଏଥିଲାଗି ମତେ ଭାରି ଡର । ଅତି ପରିଷ୍କାର ଦ୍ରବ୍ୟରେ ଟିକିଏ କାଳି ଲାଗିଗଲେ ତାହା ପ୍ରଥମେ ସମସ୍ତଙ୍କ ଆଖିକୁ ଦାଉ ଦାଉ ଦେଖାଯାଏ । ଶରତବାବୁ ହସି ହସି କହିଲେ—ହଉ ହଉ କାଳି ଲାଗିବାର ଭୟତ ନାହିଁ, ତାଛଡ଼ା ସେମାନଙ୍କ ପାଇଁ ତୁମର ପ୍ରତିନିଧିତ୍ୱ କରିବା ମଧ୍ୟ ଶେଷହେଲା । ଏଥର ଆମ ମୁଖ୍ୟ ଉଦ୍ଦେଶ୍ୟ କିପରି ସାଧିତ ହେବ ତା’ର ବିଚାର କର । ଆମ କାମଗୁଡ଼ିକୁ କେତେଗୁଡ଼ିଏ ଆଶ୍ରମ, ନୈଶବିଦ୍ୟାଳୟ, ସମବାୟସମିତି, କୋଠଚାଷ, କୂଅ ପୋଖରୀ ଖୋଳା ବା ସଭାସମିତି ଇତ୍ୟାଦିରେ ଶେଷ କରାଇବାତ ଯୋଜନା ନୁହେଁ । ଏସବୁ ଆମ ବାସ୍ତବ ଯୋଜନାର ପୂର୍ବରୂପବୋଲି କୁହାଯାଇପାରେ । ଯାହାହେଉ ଏହା ସବୁ କରିବାଦ୍ୱାରା ଲୋକ ସାଧାରଣଙ୍କର ଆମ ଉପରେ ସ୍ନେହ, ଆଦର, ଓ ବିଶ୍ୱାସ ଆସି ପାରିଛି । ଏଥର ଏଣିକି କାମ ଆରମ୍ଭ କରିଦେବାକୁ ହେବ । ହଉ, ମୁଁ କ’ଣ କୌଣସି କାମପାଇଁ ପଛେଇ ଯାଉଚି କହି ସୁପ୍ରଭା ଖଟଟି ଉପରେ ମୁହଁମାଡ଼ି ଶୋଇପଡ଼ିଲେ । ଶରତବାବୁ ଭବିଷ୍ୟତ କାର୍ଯ୍ୟକ୍ରମର ଚିଠା କରୁଥାଆନ୍ତି । ଅନେକ କାଳ ପରେ ଶରତବାବୁ ସୁପ୍ରଭାକୁ ଡାକି କହିଲେ ହଇଏ—ତୁମେ ତାହାହେଲେ ମୋ କାର୍ଯ୍ୟରେ ଖୁବ୍‌ ସହଯୋଗ କରୁଚ । ମୁଁ ଏଆଡ଼େ ରାତି ଅନିଦ୍ରା ହୋଇ ଲେଖିବାର ବ୍ୟସ୍ତ, ତୁମେ ନିଘୋଡ଼ ନିଦରେ ଶୋଇଲଣି । ସୁପ୍ରଭା ରେଜେଇ ଭିତରୁ ମୁହଁଟାକୁ ବାହାରକରି ଉତ୍ତର ଦେଲେ କିଏ ଶୋଇ ପଡ଼ିଲାଣି ମ ?? ମୁଁ ସେମିତି ବିଛଣାରେ ପଡ଼ିଛି ଯେ—ନା—ନା ବିଛଣାରେ ଚାହିଁ ଶୋଇବାବେଳ ଆଉ ନାହିଁ । ଠିକ୍‌ ଲକ୍ଷ୍ମଣଙ୍କ ରୀତିରେ ନିଷ୍ଠାବାନ ହେଲେ ରାମରାଜ୍ୟ ଫେରିବ । ଦିନ ତମାମ ଗାଁ ଗହଳରେ କାମକରି ରାତିରେ ବିଶ୍ରାମ ସ୍ଥାନରେ ନୀରବ କର୍ମ ସାଧନ କରିବାକୁ ହେବ । ଆମେ ଆଦୌ କିଛି କରିପାରି ନାହୁଁ ସତ କିନ୍ତୁ ଲୋକେ ଚିତ୍କାର କରି ଉଠିଲେଣି । ‘ପଲ୍ଲିଗାଁରୁ ରାମରାଜ୍ୟ’-। ଟିକିଏ ଉପକାର କରିଦେବା ମାତ୍ରେ ଆମର ସରଳ ବିଶ୍ୱାସୀ ଲୋକେ ଆପଣାର ହୋଇ ପଡ଼ନ୍ତି । ସେମାନଙ୍କ ଧ୍ୱନିର ସାର୍ଥକତା ରକ୍ଷା କରିବାକୁ ହେବ ।

 

ତୁମର ମନେଥିବ କି ନାହିଁ, ଯେଉଁଦିନ ଚଳନ୍ତା ଗାଡ଼ିରେ ତୁମ ସହିତ ମୋର ସାକ୍ଷାତ ଘଟିଲା, ସେଦିନର କଥା ସ୍ମରଣ କଲେ ମୋ ଛାତିଟା କେବଳ ଲଜ୍ଜାରେ ଯେ ଭାଙ୍ଗିପଡ଼େ ସେତିକି ନୁହେଁ, ପ୍ରାଣଟା ମଧ୍ୟ କାନ୍ଦିଉଠେ । ଶହ ଶହ କୁଲ୍ଲିମଜୁରିଆ ଆମ ଦୁହିଙ୍କର ଅଭିନୟ ଦେଖି ଡରରେ କିଛି କହିପାରିଲେ ନାହିଁ ସତ ମାତ୍ର ପରସ୍ପର ମଧ୍ୟରେ ଟୁପୁଟୁପୁ ହୋଇ ଯାହା ସବୁ କଥାବାର୍ତ୍ତା ହେଉଥିଲେ ତା’ସବୁ ମୋ କାନରେ ବାଜିଛି । ସେମାନେ କହୁଥିଲେ—ବାବୁଭୟାମାନେ ଆମ କୁଲ୍ଲିମୁଲିଆଙ୍କ ଦୁଃଖ ଦୁର୍ଦ୍ଦଶା ଟିକିଏ ବୁଝନ୍ତେ ଯଦି ଆମେ ଏତେ ହିନସ୍ଥା ହୁଅନ୍ତେ କାହିଁକି ? ଯେଝା ସୁଖ ସେ ଲୋଡ଼ୁଛି । ଏହାର କାରଣ ବୁଝିଲତ । ମୁ ସେମାନଙ୍କ ପାଇଁ ଜାଗା କରିଦେବି ଏ କଥା କହି ତୁମ ପାଖକୁ ରାଗରେ ଆସିଲି, ତାପରେ ଯାହା ହେଲା ତୁମେ ତ ନିଜେ ଅନୁଭବୀ । ସେହିଭଳି ଅନେକ କ୍ଷେତ୍ରରେ ଅନୁଭବକରି ମଣିଷ ଉପରୁ ସେମାନଙ୍କର ବିଶ୍ୱାସ ତୁଟି ଯାଇଛି । ଲୋକେ ସେମାନଙ୍କୁ ଅନେକ କଥା କହି ସେମାନଙ୍କ ଜରିଆରେ ନେତା ସାଜୁଛନ୍ତି । ତାପରେ ସେମାନଙ୍କର ନାଁ ଗାଁ ପର୍ଯ୍ୟନ୍ତ ଧରୁନାହାନ୍ତି । କେବଳ ନିଜ ସ୍ୱାର୍ଥ ସିଦ୍ଧିରେ ନିବିଷ୍ଟ ହୋଇପଡ଼ୁଛନ୍ତି । ଗାଡ଼ି ଭିତରେ ଆମେଦୁହେଁ ଯେପରି ନିଜ ନିଜ ସ୍ୱାର୍ଥ ସିଦ୍ଧିରେ ଲାଗି ପଡ଼ିଥିଲେ । ସୁପ୍ରଭା ତକିଆ ଉପରୁ ମୁଣ୍ଡଟିକୁ ଟେକି ପଚାରିଲେ, ଆମର ସ୍ୱାର୍ଥ କ’ଣ ସେଠାରେ ଥିଲା ମ ? ସ୍ୱାର୍ଥ କ’ଣ ଥିଲାକି ନ ଥିଲା ନିଜର ବିବେକକୁ ପଚାର । ଶହ ଶହ ଲୋକ ବୋଝ ମୁଣ୍ଡେଇ ଗାଡ଼ି ଭିତରେ ଠିଆହୋଇ ଥିବା ସ୍ଥଳେ ତୁମେ କାହିଁକି ଜଣେ ଯୁବକକୁ ଏତେ ଗୁଡ଼ାଏ ଚର୍ଚ୍ଚାକଲ ।

 

ତାହା ମୁଁ କରିବା ଅପେକ୍ଷା ଏ ପ୍ରଶ୍ନର ଉତ୍ତର ନିଜକୁ ନିଜେ ଦିଅ । ସ୍ୱାର୍ଥତ ଗୋଟିଏ ପ୍ରକାରର ନୁହେଁ....... ।

 

ମୋ ସ୍ୱାର୍ଥ ଅପେକ୍ଷା ବରଂ ତୁମର ସ୍ୱାର୍ଥ ବେଶିଥିଲା । ହଁ ମୁଁ ତ ମନାକରୁନି, ମୋର ସ୍ୱାର୍ଥ ବେଶି ହୋଇପାରେ କିନ୍ତୁ ଓଜନ ମୁଁ କରି ନ ଥିଲି । ତୁମେ ଯେଣୁ ଅତିଶୟ ଜଡ଼ିତହୋଇ ପଡ଼ିଥିଲ, ଓଜନ କରବାର ସୁବିଧା ତୁମର ଅଧିକ ଥିଲା । ସୁପ୍ରଭା ଟିକିଏ ଲଜ୍ଜିତ ହୋଇ କହିଲେ, ଆଗକୁ ଯାହା କରିବାକଥା ତାହାତ କରିବ, ଆଉ ପଛକଥା ଏତେ ଭାବିହେଉଚ କାହିଁକି ? ଆରେ, ପଛ କଥାର ଅନୁଭୂତି ଆଗକାର୍ଯ୍ୟକ୍ରମର ସାଧନ ଦିଗରେ ଅଭିଜ୍ଞତା ଦିଏ ପରା ! ଆଶ୍ରମ ଜୀବନରେ ମଣିଷର ସତ୍‌ସ୍ୱଭାବ ବଢ଼ିପାରିବ । ତା’ର ଜ୍ୱଳନ୍ତ ଉଦାହରଣ ଆମ ମଣିନାନୀ, ତା ଛଡ଼ା ଅନ୍ୟମାନଙ୍କୁ ତ ଦେଖୁଛ ସେମାନେ କେଡ଼େ ଧୀର ନମ୍ର ଆଉ କର୍ତ୍ତବ୍ୟ ପରାୟଣ ହୋଇ ପାରିଛନ୍ତି ।

 

କି ଭଳି କାର୍ଯ୍ୟକ୍ରମ ନେଇ କାମ ଆରମ୍ଭକଲେ ଭଲହେବ ତାହାର ଚିଠା କରିଛି । ଆମର ପ୍ରଧାନ ସମସ୍ୟା ହେଉଚି ଭୂସଂସ୍କାର । କୌଣସି ଲୋକର ଶହ ଶହ ଏକର ଜମିଥିଲା ବେଳକୁ ଅନ୍ୟ କାହାର ଇଞ୍ଚେସୁଦ୍ଧା ନାହିଁ । ଫଳରେ ପରସ୍ପର ସଦ୍ଭାବ କେବେତ ରହିବନାହିଁ, ତା ଛଡ଼ା ଉତ୍ପାଦନ ଦିଗରେ ମଧ୍ୟ ବାଧା ଘଟୁଚି । ଏତେ ଗୁଡ଼ାଏ ଭୂସମ୍ପତ୍ତିର ଜଣେ ମାଲିକ ଥାଇ କ’ଣ କରି ପାରିବ । ସମ୍ପତ୍ତି ଗୁଡ଼ିକରେ ଯଦି ସମସ୍ତେ ସମ ଅଧିକାରୀ ହୋଇ ପାରନ୍ତେ ତେବେ ଛୋଟ ବଡ଼ ବିବାଦ ଆଉ ଉଠି ପାରନ୍ତା ନାହିଁ ଓ ଉତ୍ପାଦନର ପରିମାଣ ବୃଦ୍ଧିହୋଇ ପାରନ୍ତା ! ଏହାକୁ କାର୍ଯ୍ୟକାରୀ କରିବା ଅସମ୍ଭବ ବୋଲି ତୁମେ ଭାବୁଥିବ ମାତ୍ର ଏହା ଆଦୌ ଅସମ୍ଭବ ନୁହେଁ । ଆମ ଦେଶରେ ଏ ଆଦର୍ଶ ଆଦୌ ନୂତନ ନୁହେଁ । କାଳର ଗତି ଅନୁସାରେ କେତେବେଳେ କ’ଣ ହୋଇ ଯାଇଛି ସିନା । ଦାନ ଦେବାରେ ଏ ଜାତି ସର୍ବଦା ଧୁରନ୍ଦର । ରାଜା ହରିଶ୍ଚନ୍ଦ୍ର, ମହାଦାନୀ କର୍ଣ୍ଣ, ଶିବିରାଜା, ପ୍ରମୁଖଙ୍କ କଥା କ’ଣ ଶୁଣିନାହଁ ? ସେମାନେ ଥିଲେ ଏଇ ଦେଶର । ଆନ୍ତରିକତାର ସହିତ କାମକଲେ ଉଦ୍ଦେଶ୍ୟ ନିଶ୍ଚେ ପୂରଣ ହୋଇ ପାରିବ । ଲୋକେ ଯେଉଁ ଧ୍ୱନି ଉଠାଇଛନ୍ତି ‘‘ପଲ୍ଲିଗ୍ରାମରୁ ରାମରାଜ୍ୟ’’ ବୋଲି ତାହା ନିଶ୍ଚିତ ସତ୍ୟରେ ପରିଣତ ହୋଇଯିବ । ଶରତ୍‌ବାବୁଙ୍କ ବକ୍ତବ୍ୟ ଗୁଡ଼ିକୁ ସୁପ୍ରଭା ନିବିଷ୍ଟ ମନରେ ଶୁଣୁ ଥାଆନ୍ତି । ଶରତବାବୁ ନୀରବ ରହିବାପରେ ସୁପ୍ରଭା କହିଲେ, ହଉ ଯେପରି କଲେ ଭଲହେବ ବୋଲି ବିଚାରୁଚ ସେପରି କରୁନାହିଁ ! ମୁଁ କହୁଚି ମୋ—ଉପରେ ଯେଉଁ ଭାର ରହିବ ତାହା ଜୀବନ ବିନିମୟରେ ସୁଦ୍ଧା ପୂରଣ କରିବି ।

 

ବେଶ୍‌ ମୁଁ ତାହାହିଁ ଇଚ୍ଛାକରୁଥିଲି କିନ୍ତୁ ଏଭଳି ଶପଥ ଅନ୍ୟ ମାନଙ୍କଠାରୁ ମିଳିବା ଦରକାର ବୋଲି ଶରତବାବୁ ଟିକିଏ ଚିନ୍ତିତ ହେବାରେ ସୁପ୍ରଭା କହିଲେ, ମୋର ଧାରଣା ଆଶ୍ରମର ପ୍ରତ୍ୟେକ କର୍ମୀ ତୁମ ନିର୍ଦ୍ଦେଶରେ କାମ କରିବାକୁ ମୋପରି ମଧ୍ୟ ପ୍ରସ୍ତୁତ ଅଛନ୍ତି । ସେମାନଙ୍କର ମନକଥା ମତେ ବେଶ୍ ଜଣା ଅଛି । ତେବେ ଆଉ ଚିନ୍ତା କରିବାର ଆବଶ୍ୟକତା କ’ଣ ! ଏଥର ଆଗେଇ ଯିବାକୁ ହେବ ।

 

(ଊଣେଇଶି)

 

ଆଶ୍ରମର କର୍ମୀ ଓ ନାରୀକର୍ମୀମାନେ ଦଶଗୋଟି ଦଳରେ ବିଭକ୍ତ ହୋଇ ଭୂସଂସ୍କାର କାର୍ଯ୍ୟରେ ବାହାରି ପଡ଼ିଲେ । ପ୍ରତିଦିନ ବହୁ ସଂଖ୍ୟକ ଲୋକ ସେମାନଙ୍କର ଦଳସଂପୃକ୍ତ ହୋଇ ନିର୍ଦ୍ଦିଷ୍ଟ ନିୟମାନୁସାରେ କାର୍ଯ୍ୟକରୁଥାନ୍ତି । ପ୍ରତିଭାଦେବୀ ଓ ହରିବାବୁ ଏହି ଅବସରରେ ଗୋଟିଏ ଦଳ ସହ ଆସି ଶରତବାବୁଙ୍କ ସହିତ ସାକ୍ଷାତ୍‌କରି ତାଙ୍କ ପରାମର୍ଶ ସହ କାମ ଆରମ୍ଭ କରିଦେଲେଣି । ଲୋକେ ସଭାସମିତିମାନଙ୍କରେ ଭୂସଂସ୍କାର ବାର୍ତ୍ତା ଶୁଣି ସ୍ୱଇଚ୍ଛାରେ ନିଜ ନିଜର ସଂପତ୍ତି ଦାନ କରିଦେଇଅଛନ୍ତି ! କର୍ମୀମାନଙ୍କର ପ୍ରଚାରଦ୍ୱାରା ସର୍ବସାଧାରଣ ଏତେଦୂର ପ୍ରଭାବିତ ହେଉଛନ୍ତି ଯେ—ସଭାରେ ଯୋଗଦେଇ ଫେରିବାପରେ ଲୋକେ ଭୂସଂସ୍କାର ଆନ୍ଦୋଳନର କର୍ମୀରୂପେ ଅନ୍ୟକୁ ଉପଦେଶ ମଧ୍ୟ ପ୍ରଦାନ କରୁଛନ୍ତି । ସ୍ନେହଲତା ଓ ସୌଦାମିନୀଙ୍କର ବାପା ଆପଣା ଆପଣା ମଧ୍ୟରେ କଥାବାର୍ତ୍ତା ହୋଇ ସ୍ଥିରକରି ଥାଆନ୍ତି ଏହି ଅନୁଷ୍ଠାନ ଜରିଆରେ ନିଜ ନିଜର ଭୂସଂପତ୍ତି ଦାନ କରିଦେବେ । ସେଦିନ ସହର ତଳ ପଡ଼ାଗାଁରେ ଗୋଟିଏ ବଡ଼ ଧରଣର ସଭା ହୋଇଥାଏ । ପ୍ରତ୍ୟେକ ଦଳର କର୍ମୀ ସଭା ଉଦ୍ଦେଶ୍ୟରେ ସମବେତ ହୋଇଥାଆନ୍ତି । ହଜାର ହଜାର ଆବାଳବୃଦ୍ଧବନୀତାଙ୍କ ଉପସ୍ଥିତିରେ ଶରତବାବୁ ଭାଷଣ ଆରମ୍ଭ କରି କହିଲେ—ସ୍ୱାଧୀନତା ପରେ ଆମର କର୍ତ୍ତବ୍ୟ ଖୁବ୍‌ ବଢ଼ିଯାଇଛି । ପରାଧୀନ ଥିଲାବେଳେ ଯାହା ସବୁ ଅଭାବ ଅସୁବିଧା ରହିଥିଲା, ତାହା କର୍ମ ଆଦରି ସହିଯିବା ବ୍ୟତୀତ ଅନ୍ୟ ଉପାୟ ନ ଥିଲା କିନ୍ତୁ ବର୍ତ୍ତମାନ ଦେଖାଯାଉଥିବା ଅଭାବ ଅସୁବିଧା ଲାଗି ଆମେ ମାନେ ହିଁ ଦାୟୀ । କାରଣ ଯେ କୌଣସି କ୍ଷେତ୍ରରେ ଆମର ପ୍ରତିଦ୍ୱନ୍ଦୀ ହୋଇ ଆଉ କେହି ନାହାଁନ୍ତି । ଆମେ ସ୍ୱାଧୀନ ହୋଇ ପାରିଛେ ସତ ମାତ୍ର ସ୍ୱାଧୀନତାର ଅର୍ଥ ପୋଥିରେ ହିଁ ରହିଛି । ଏ ଦେଶର ଦଳେ ଲୋକ ଖାଦ୍ୟବିନା ଚିତ୍କାର କରୁଥିବାବେଳେ ଅନ୍ୟ ଦଳେ ଅତିରିକ୍ତ ଖାଦ୍ୟ ଖାଇବା ହେତୁ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି । ଏ ଉଭୟ ଚିତ୍କାରକୁ ବନ୍ଦ କରିଦେବା ଔଷଧ ଜନ ସାଧାରଣଙ୍କ ହାତରେ ରହିଛି । ଏ ସମସ୍ୟାର ସମାଧାନ ହୋଇପାରିବ ଯଦି ସର୍ବସାଧାରଣ ବ୍ୟକ୍ତି ସ୍ୱାର୍ଥ ବର୍ଜନକରି ସମୂହ ସ୍ୱାର୍ଥ ଦିଗରେ ଟିକିଏ ଆଗେଇ ଯିବେ । ସମୂହ ସ୍ୱାର୍ଥ ଅର୍ଥ ନିଜର ସ୍ୱାର୍ଥ ଏହା ବୋଧହୁଏ ସମସ୍ତେ ବୁଝିପାରୁଥିବେ । ଜଣେ ସୁସ୍ଥଥାଇ ଆଉଜଣେ ଦୁସ୍ଥ ରହିବାଦ୍ୱାରା ସମାଜର ସୁସ୍ଥତା ଆସିଲାବୋଲି କୁହାଯାଇ ନ ପାରେ । ବରଂ ସୁସ୍ଥ ଓ ଦୁସ୍ଥ ମଧ୍ୟରେ ମାନସିକ ଦ୍ୱନ୍ଦ୍ୱ ଜାଗ୍ରତ ହୋଇପାରେ । ସୁସ୍ଥ ଭଲ ଅବସ୍ଥାରେ ରହି ଦୁସ୍ଥକୁ ସେହି ଅବସ୍ଥାକୁ ଆଣିବାରେ କେହି କ’ଣ ବିରୋଧ କରିବେ !! ନା ଏଭଳି ବିରୋଧି ମନୋଭାବ କାହାରି ନ ଥିବା ସ୍ୱାଭାବିକ । ମାତ୍ର କାର୍ଯ୍ୟତଃ ଏହାର ସମାଧାନ ହୋଇ ପାରୁନଥିଲା । ଭୂସଂସ୍କାର ସୂତ୍ରରେ ଏହି ସାମ୍ୟବାଦ୍‌ ପ୍ରତିଷ୍ଠା କରାଯାଇପାରିବ । ଦେଶରେ ବିଭୁକ୍ଷୁହୋଇ ଜଣେ କେହି ରହିବେ ନାହିଁ । ଉଚ୍ଚ ନୀଚ ଭେଦଭାବ ଅପସରି ଯିବ । ପ୍ରତ୍ୟେକ ଭ୍ରାତୃଭାବରେ ପରସ୍ପରର ଉନ୍ନତି ସାଧନାରେ ଲାଗି ପଡ଼ିବେ । ଦେଶ ମାତୃକାକୁ ପ୍ରକୃତ ସ୍ୱାଧୀନ ଭାବରେ ପରିଚିତ କରାଇବାକୁ ହେଲେ ବ୍ୟକ୍ତିସ୍ୱାର୍ଥ ତ୍ୟାଗକରି ସମସ୍ତେ ଭୂଦାନ, ଶ୍ରମଦାନ, ଓ ସଂପତ୍ତି ଦାନ କରନ୍ତୁ । ରୋଗୀକୁ ଔଷଧ ଦେବାଭଳି ଗରିବ ନିସ୍ୱମାନଙ୍କୁ ତାହା ଦେଇଦିଅନ୍ତୁ । ଶରତ୍‌ବାବୁଙ୍କ ଭାଷଣ ଶେଷ ହେଲାବେଳକୁ ଓଡ଼ିଶାର ବିଖ୍ୟାତ ଜମିଦାର ଚଉଧୁରୀ ଓ ମହାପାତ୍ର ଦୁହେଁ ସଭାସଦ୍‌ମାନଙ୍କ ସମ୍ମୁଖରେ ଠିଆହୋଇ ହାତଯୋଡ଼ି କହିଲେ, ଆମେମାନେ ଆଜି ଭୂସଂସ୍କାର ସମିତି ଜରିଆରେ ଆମରଥିବା ସମସ୍ତ ଭୂସଂପତ୍ତି ଗରିବ ଭୂମିହୀନ ମାନଙ୍କ ଲାଗି ଦାନକରୁଅଛୁ ଏବଂ ଉକ୍ତ ଭୂସଂପତ୍ତି ଗୁଡ଼ିକର ଆବାଦ ନିମିତ୍ତ କୋଡ଼ିଏହଜାର ଟଙ୍କା ମଧ୍ୟ ଦେଉଅଛୁ । ଏହା ଶୁଣିବା ପରେ ସଭାରେ ଉପସ୍ଥିତଥିବା ଲୋକେ ବିସ୍ମୟ ଓ ଆନନ୍ଦରେ ଅଧୀର ହୋଇ ପଡ଼ିଲେ । ସଭାସଙ୍ଗବେଳକୁ ଦେଖାଗଲା ସେଦିନ ଦୁଇହଜାର ଦାନପତ୍ରରେ ପଚାଶହଜାର ଏକର ଜମି ଗୃହୀତ ହୋଇଅଛି ଏବଂ ଉକ୍ତ ଭୂସଂପତ୍ତିକୁ ଭୂମିହୀନମାନଙ୍କ ମଧ୍ୟରେ ବଣ୍ଟନ କରିବା ଭାର ଗୋଟିଏ କମିଟି ଉପରେ ନ୍ୟସ୍ତ ରହିଛି ।

 

ଭୂସଂସ୍କାରକମାନେ ସେମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଅନୁସାରେ ଦଳ ଦଳହୋଇ ଚାଲିଗଲେ । ସେଦିନ ସଭାରେ ଯେଉଁମାନେ ଭୂସଂପତ୍ତି ଦାନ କରିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏ ଅନୁଷ୍ଠାନରେ କର୍ମୀରୂପେ ଯୋଗ ଦେଇଥିବା ଜଣାଗଲା ।

 

ହରିବାବୁ ପ୍ରତିଭାଦେବୀଙ୍କଠାରୁ ସମସ୍ତଖବର ପାଇ ଶୀଘ୍ର କିପରି ଏ କାର୍ଯ୍ୟରେ ସହଯୋଗ କରିବେ ତାହାର ବାଟ ଖୋଜୁ ଥାଆନ୍ତି । କିନ୍ତୁ ବିଖ୍ୟାତ ଓକିଲ ହିସାବରେ କୋଟ କଚେରୀ କାମରୁ ତାଙ୍କୁ ଶୀଘ୍ର ବିଦାୟ ଦେଇ ପାରେନାହିଁ । ସେ ପ୍ରତିଭା ଦେବୀଙ୍କୁ ଆଜି, କାଲି ପରଦିନ କହି ଦିନ ଗଡ଼ଉ ଥାଆନ୍ତି । ପ୍ରତିଭାଦେବୀ ଦିନେ ଟିକିଏ ବିରକ୍ତ ହୋଇ କହିଲେ, ତୁମେ ତୁମର ଓକିଲାତି କରୁଥାଅ । ପ୍ରତିଭା ବିରକ୍ତହେବା ଯୋଗୁଁ ହରିବାବୁ ହସି ହସି ଉତ୍ତର ଦେଲେ—ପ୍ରତିଭା—ତୁମ ଧର୍ମରେ ମୋର ଅଧାଭାଗ ଅଛି ଯେ—ତଥାପି ଦୁହେଁ ଯିବାର କଥା ଯେତେବେଳେ ସ୍ଥିର ହୋଇଛି—ତୁମେ ଏକା ଯିବ କାହିଁକି ? ତୁମୁକୁ ଛାଡ଼ି ମୋର ରୋଜଗାର ବା ହେବ କ’ଣ ? ସମସ୍ତକାମକୁ ପଛକୁ ପେଲିଦେଇ ହରିବାବୁ ଓ ପ୍ରତିଭା ଦେବୀ ଅଚ୍ୟୁତପୁର ଆଶ୍ରମକୁ ବାହାରିଲାବେଳେ ତାଙ୍କର ସାଇ ପଡ଼ିଶାର କେତେକ ଯୁବକ ଯୁବତୀ ମଧ୍ୟ ସାଙ୍ଗ ହେଲେ-

 

ଚାହୁଁ ଚାହୁଁ ଆନ୍ଦୋଳନ ବିରାଟ ଆକାର ଧାରଣ କଲା । କର୍ମୀମାନେ ହଜାର ହଜାର ଦାନପତ୍ର ସଂଗ୍ରହ କଲେ । ହଜାର ହଜାର କର୍ମୀମଧ୍ୟ ଆନନ୍ଦ ସହକାରେ ସହଯୋଗ କରୁ ଥାଆନ୍ତି-। ‘‘ପଲ୍ଲିଗାଆଁରୁ ରାମରାଜ୍ୟ’’ ଏହି ବାକ୍ୟ ସମସ୍ତଙ୍କ ତୁଣ୍ଡରେ ଯେପରି ବସା ବାନ୍ଧିଗଲାଣି ତାହା ହିଁ ପ୍ରତୀତ ହେଉଥାଏ ।

 

ଗରିବ ଭୂମିହୀନ ଲୋକ ଗୁଡ଼ିକ ଜମିବାଡ଼ି ପାଇ ଆନନ୍ଦରେ କୃତକୃତ୍ୟ ହେଉଥାଆନ୍ତି । ଦାତାମାନଙ୍କର ମଧ୍ୟ କମ୍‌ ଆନନ୍ଦ ନୁହେଁ । ଗ୍ରାମବାସୀମାନେ କର୍ମୀମାନଙ୍କୁ ନିମନ୍ତ୍ରଣ କରିନେଇ ସେମାନଙ୍କ ହାତରେ ଦାନପତ୍ର ଅର୍ପଣ କରି ଦେଉ ଥାଆନ୍ତି ।

 

ଦେଖୁ ଦେଖୁ କି ସରକାରୀ କି ବେସରକାରୀ ସବୁ କ୍ଷେତ୍ରରେ ଚହଲ ପଡ଼ିଗଲା । ବେସରକାରୀ ସୂତ୍ରରେ ଏପରି ଅଶ୍ରୂତପୂର୍ବ କାର୍ଯ୍ୟ କରାଯାଇପାରୁଛି, ଏଥିରେ ସରକାରୀ କର୍ମଚାରୀ ମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଡ଼ୁଥାଆନ୍ତି । କେହି କେହି ମନମୋଟିଆ କର୍ମଚାରୀ କିଛି ନ ବୁଝି ନ ଦେଖି ଅଫିସ ଘରେ ବସିଯାଇ କହୁଥାଆନ୍ତି ଯେ—ବେସରକାରୀ ଭାବରେ କୌଣସି କଥା କେବେ ସମ୍ଭବ ହେଲାଣି ! ଏ ଗୋଟାଏ ରାଜନୀତିର ଖେଳ ଚାଲିଛି !! ସେଭଳି ଲୋକଙ୍କୁ ଅପେକ୍ଷା କରୁଚି ବା କିଏ ??

 

ବାର୍ଷିକ ଅଧିବେଶନ ଆଉ ଆଠ ଦିନ ମାତ୍ର ରହିଲା । ପ୍ରତ୍ୟେକ କ୍ୟାମ୍ପରୁ କର୍ମୀମାନେ ଆସି ଅଚ୍ୟୁତପୁର ଆଶ୍ରମରେ ରୁଣ୍ଡ ହୋଇ ଥାଆନ୍ତି । ସଭା ସମିତିର ଆୟୋଜନରେ ସମସ୍ତେ ତତ୍ପର । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସଭାପତି ରୂପେ ନିମନ୍ତ୍ରଣ କରାଯାଇ ଥାଏ । ଅଚ୍ୟୁତପୁର ଆଶ୍ରମର କାର୍ଯ୍ୟକଳାପକୁ ଲକ୍ଷକରି ମୁଖ୍ୟମନ୍ତ୍ରୀ ବହୁବାର ପତ୍ରଆଳାପ କରିଛନ୍ତି । ସେ ଦିନ ଏକ ଲକ୍ଷରୁ ଊର୍ଦ୍ଧ୍ୱଲୋକଙ୍କ ସମାବେଶରେ ସଭା ଅନୁଷ୍ଠିତ ହେଉଥାଏ । ମୁଖ୍ୟମନ୍ତ୍ରୀ ଭାଷଣ ପ୍ରସଙ୍ଗରେ ଶରତ୍‌ବାବୁଙ୍କର ଭୂୟସୀ ପ୍ରଶଂସାକରି କହିଲେ, ଭୂସଂସ୍କାର ଦିଗରେ ଶରତ୍‌ବାବୁ ଯେତେ ଆଗେଇ ପାରିଛନ୍ତି, ଏହା ପୃଥିବୀ ଇତିହାସ ପ୍ରସିଦ୍ଧ । ସରକାର ଏଇକାମ କରିବା ଲାଗି ଉପାୟ ଚିନ୍ତା କରୁଥିବାବେଳେ ସେ ତାଙ୍କ ଅନୁଷ୍ଠାନ ଜରିଆରେ କାମଟିକୁ ପ୍ରାୟ ହାସଲ କରି ସାରିଲେଣି । ମୁଁ ଏ ସାଧାରଣ ସଭାରେ ଶରତବାବୁଙ୍କୁ ଅନୁରୋଧ କରୁଛି, ସେ ସରକାରୀ ପରାମର୍ଶଦାତା ଭାବରେ ଅବଶିଷ୍ଟ କାର୍ଯ୍ୟଗୁଡ଼ିକ ପୂରଣ କରି ଦିଅନ୍ତୁ..... ।

 

ମୁଖ୍ୟମନ୍ତ୍ରୀଙ୍କ ଭାଷଣବେଳେ ଶରତବାବୁଙ୍କ ମନଟା ଏପାଖ ସେପାଖ ହୋଇ ଯାଉଥିଲେ ମଧ୍ୟ ସଭାର ଶୃଙ୍ଖଳା ଭଙ୍ଗ କରିବା ଲୋକ ସେ ନୁହନ୍ତି । ସଭାପତି ଅଭିଭାଷଣ ପରେ ସେ ଦୁଇପଦ କହିବା ଲାଗି ଅନୁମତି ନେଇ ଭାଷଣ ଆରମ୍ଭ କରିଦେଲେ । ଲୋକ ଗୁଡ଼ିକ କାଠ ପିତୁଳାପରି ବସି ରହିଥାଆନ୍ତି । ଶରତବାବୁ ମୁଖ୍ୟମନ୍ତ୍ରୀଙ୍କ ଭାଷଣରୁ କିୟଦଂଶ ଉଦ୍ଧାର କରି କହିଲେ—ବ୍ୟକ୍ତିବାଦହିଁ ଆମମାନଙ୍କ ଅବନତିର କାରଣ । ଏକ ଭଗବାନଙ୍କ ବ୍ୟତୀତ ମନୁଷ୍ୟ ହିସାବରେ ଜଣେ କେହି କୌଣସି କାମ କରିପାରେ ନାହିଁ । ଯେଉଁ କାର୍ଯ୍ୟ ହୋଇଛି, ସେଥିରେ ମୋର ଅଂଶ ଅଛି ମାତ୍ର ମୁଁ ଏ ସମସ୍ତର କର୍ତ୍ତାନୁହେଁ । ତା’ଛଡ଼ା ମୁଖ୍ୟମନ୍ତ୍ରୀ ମତେ ଆହ୍ୱାନ କରିଛନ୍ତି ସରକାରୀ ସୂତ୍ରରେ ଭୂସଂସ୍କାର ପୂର୍ଣ୍ଣାଙ୍ଗ କରିବା ପାଇଁ । ମୋର ବିଶ୍ୱାସ ଆଦେଶ ଦେଇ କାର୍ଯ୍ୟ ହାସଲ କରିବା ଅପେକ୍ଷା ନିବେଦନ କରି ବେଶି କରିହୁଏ । ସରକାରୀ ସୂତ୍ରରେ ଯାହା ହେବାର ହେଉ ମାତ୍ର ମୁଁ ମୋର ଏହି ଅନୁଷ୍ଠାନର ଜଣେ କର୍ମୀଭାବରେ ଯାହାପାରେ ସେତିକି ସେବା କରିବି-। ଶରତ୍‌ବାବୁଙ୍କ ଭାଷଣ ବେଳେ ସଭା ମଧ୍ୟରୁ ଘନ ଘନ କରତାଳି ଉଠୁଥାଏ । ଉପସ୍ଥିତ ବହୁ ବ୍ୟକ୍ତି ସଭାରେ ନିଜ ନିଜର ମନ୍ତବ୍ୟ ଭାଷଣ ଆକାରରେ ବ୍ୟକ୍ତ କରୁଥାଆନ୍ତି । ସଭା ଭାଙ୍ଗିବା ପରେ ନିମନ୍ତ୍ରିତ ସଭାସଦ୍‌ମାନଙ୍କୁ ଆଶ୍ରମ ତରଫରୁ ଚର୍ଚ୍ଚା କରାଗଲା । କେବଳ ଅଚ୍ୟୁତପୁର କାହିଁକି ତା’ର ଆଖ ପାଖ ୧୦।୧୨ ଖଣ୍ଡ ଗାଁର ଲୋକେ ଅତିଥି ସତ୍କାର କରିବାରେ ଲାଗିପଡ଼ି ଥାଆନ୍ତି । ଆଗନ୍ତୁକମାନେ ବିଦାୟ ନେଉ ନେଉ ସନ୍ଧ୍ୟାବେଳ ହୋଇ ଯାଇଥିଲା ।

 

ଆଶ୍ରମର କର୍ମୀ ଗୁଡ଼ିକ ଦୀର୍ଘଦିନ ଧରି ବାର୍ଷିକ ଅଧିବେଶନ କାମରେ ଖଟି ଖଟି କ୍ଳାନ୍ତହୋଇ ପଡ଼ିଛନ୍ତି । ପ୍ରାର୍ଥନା ଘଣ୍ଟା ବାଜିବା ପୂର୍ବରୁ ନାରୀକର୍ମୀ ଗୁଡ଼ିକ ସଭା ହଲରେ ଆଲୋଚନା ଚଳାଇ ଥାଆନ୍ତି ।

 

ବିଦୁ ପରିହାସ କଥା କହିବାରେ ଭାରି ଧୁରନ୍ଧର । ସେ ପ୍ରଥମେ କଥାର ଖିଅ ବାହାର କରି କହିଲା, ପ୍ରତ୍ୟେକ ଅନୁଷ୍ଠାନ ଓ କାର୍ଯ୍ୟର ଜଣେ ଜଣେ କର୍ତ୍ତା ବା ନିର୍ଦ୍ଦେଶକ ଥାଆନ୍ତି । ଶରତ୍ ଭାଇତ ମନା କରିଦେଲେ, ସେ ଏ ସବୁରେ ମୁଖ୍ୟ ନୁହନ୍ତି ଗୋଟିଏ ଅଂଶ ମାତ୍ର—ତେବେ ଏ ଅନୁଷ୍ଠାନର ମୂଳ କିଏ ସେ ?? ବିଦୁର ପ୍ରଶ୍ନରେ ସମସ୍ତେ ତା ମୁହଁକୁ ଚାହିଁ ରହିଲେ । ବିଦୁ କିନ୍ତୁ ସୁପ୍ରଭାର ମୁହଁକୁ ଏକ ଦୃଷ୍ଟିରେ ଲକ୍ଷ୍ୟ କରିଥାଏ । ସୁପ୍ରଭା ବିଦୁର ଥଟ୍ଟାଳିଆ ଭଙ୍ଗି ବୁଝି ପାରୁଥିଲା କି କ’ଣ, ସେ କେବଳ ତଳକୁ ମୁହଁ ପୋତି ରହିଥାଏ । ଶରତ୍‌ବାବୁ ବାରଣ୍ଡାରେ ଏ ପାଖ ସେପାଖ ଟହଲ ମାରୁଥିବାବେଳେ ବିଦୁର ପ୍ରଶ୍ନ ତାଙ୍କ କାନରେ ବାଜି ଯାଇଛି । ସେ ହସ ହସ ମୁହଁରେ ଘର ଭିତରକୁ ପଶିଯାଇ କହିଲେ—ଏ କାର୍ଯ୍ୟର ପ୍ରକୃତ କର୍ମୀ ହେଉଛନ୍ତି, ‘‘ଆମ ଭଉଣୀମାନେ !!’’

 

ନା, ନା, ସେକଥା ନୁହେଁ । ଏସବୁ ଯୋଜନାର ମୂଳ ହେଲା ‘‘ଧରମ ଭଉଣୀ ।’’ ବିଦୁର କଥାରେ ଧରମ ଭଉଣୀର ରହସ୍ୟ ଜାଣିଥିବା କର୍ମୀଗୁଡ଼ିକ ହସି ହସି ଗଡ଼ିଗଲେ । ଶରତ୍‌ବାବୁ ଟିକିଏ ଅପଦସ୍ତ ହେଲା ପରି କହିଲେ, ଆରେ ବିଦୁ ତୁ, ତ ଭାରି ଦୁଷ୍ଟ । ତୁ କିପରି ଜାଣିଲୁ ଧରମଭଉଣୀ...... ପ୍ରତିଭାଦେବୀ ଧରମ ଭଉଣୀ ରହସ୍ୟ କିଛି ହେଲେ ନ ବୁଝି ମୁକ ପାଲଟି ବସି ଥାଆନ୍ତି, ସେ ବିଦୁକୁ ଚୁପ୍‌କରି ପଚାରିଲେ ବିଦୁ—ଧରମଭଉଣୀ କିଏ ? ବିଦୁ କହିଲା ମୁଁ ତୁମକୁ ପରେ କହିବି ଭାଉଜ—ସେ ଅନେକ କଥା ପ୍ରାର୍ଥନା ସରୁ......

 

ରାତି ପ୍ରାୟ ୧୦ଟା ବାଜିଲାଣି, ଆଶ୍ରମ ଗେଟ୍‌ ବନ୍ଦ । ଯେ ଯାହାର ବିଛଣା ଧଇଲେଣି-। ଶରତ୍‌ବାବୁ ସେଦିନ ରାତିରେ ଆଉ କିଛି କାମ ନ କରି ତରତର ହୋଇ ଶୋଇବା ଘରକୁ ଚାଲି ଆସିଲେ । ସୁପ୍ରଭା ଖଟ ଉପରେ ଖବର କାଗଜ ଖଣ୍ଡେ ପଢ଼ୁଥାଏ ଶରତବାବୁ ଲାଇଟ୍‌ଟାକୁ ତଳକୁ ରଖି ସୁପ୍ରଭାର କାନ ପାଖରେ ମୁହଁଟାକୁ ଲଗାଇଦେଇ କହିଲେ—ହଇଏ—ବିଦୁ କିପରି ‘‘ଧରମ ଭଉଣୀ’’ ବିଷୟ ଜାଣିଲା ??

 

ଓହୋଃ ଏଇକଥା ପଚାରିବ ବୋଲି ଏଡ଼େ ତରତର ହୋଇ ଚାଲି ଆସିଲ ପରା ! ବିଦୁ ମୋର ଗୁରୁ । ସେ କିପରି ‘‘ଧରମ ଭଉଣୀ କଥା ନ ଜାଣିବ ! ତୁମେ ତ ତାହାହେଲେ ବିଦୁଠାରୁ ଆହୁରି ଦୁଷ୍ଟ ଦେଖୁଛି—କହୁ କହୁ ଶରତବାବୁ ସୁପ୍ରଭାକୁ ନିଜ ଛାତି ଉପରକୁ ଆଉଜାଇ ଆଣିଲେ...

 

ସୁପ୍ରଭା ହସି ହସି କହୁଥାଏ ମୁଁ ପରା ‘‘ଧରମ ଭଉଣୀ !!

 

ତୁମେ ଯେତେ ଯାହା କହ ସୁପ୍ରଭା, ତୁମକୁ ପାଇବା ଦିନଠାରୁ ମୁଁ ରାମରାଜ୍ୟରେ ପହଞ୍ଚି ସାରିଛି । ସୁପ୍ରଭା ଶରତବାବୁଙ୍କ ଛାତି ଉପରେ ମୁହଁଟିକୁ ରଖି କହିଲେ—ତୁମେ ସିନା ରାମରାଜ୍ୟରେ ପହଞ୍ଚିଚ । ମୁଁ ତ ରାମରାଜ୍ୟର ରଜା ବୋଲି ନିଜକୁ ବିଚାରୁଛି ।

 

ଶରତବାବୁ ସୁପ୍ରଭାର କୋମଳ ବାହୁ ଦୁଇଟିକୁ ନିଜ ହାତ ମୁଠା ଭିତରେ ରଖି ଉତ୍ତର ଦେଲା, ତେବେ ଲୋକେ ଯାହା ଗାଁ ଗହଳିରୁ ରାମରାଜ୍ୟ ବୋଲି କହୁଛନ୍ତି, ତା ନ କହି, କହିଲେ ବୋଧହୁଏ ଠିକ୍‌ ହୁଅନ୍ତା ‘‘ପଲ୍ଲି ବଧୂର ରାମରାଜ୍ୟ ??’’

 

କିଏ ସେକଥା କହନ୍ତୁ ନ କହନ୍ତୁ ମୋର କିନ୍ତୁ ରାମରାଜ୍ୟ କହି ସୁପ୍ରଭା ଶରତବାବୁଙ୍କୁ ନିଜ ଛାତି ଉପରକୁ ଟାଣି ଆଣିଲେ...ଶରତବାବୁ ସୁପ୍ରଭାର ରକ୍ତିମା ଓଷ୍ଠ ଉପରେ ହାତ ଦେଇ କହିଲେ ତାହା ହେଲେ ଏଥର କ’ଣ ମୁଁ ପ୍ରଚାର କରିବି ‘‘ପଲ୍ଲି ବଧୂ ରାମରାଜ୍ୟର ରାଜା..... ??

Image